ବ୍ୟକ୍ତିଗତ କଟାକ୍ଷ ଗଣତନ୍ତ୍ର ପାଇଁ ବିପଦ

ଫୋନ୍‌-ଇନ୍‌-ପ୍ଲିଜ୍‌

୨୦୧୯ ସାଧାରଣ ନିର୍ବାଚନ ପାଖେଇ ଆସୁଛି। ଏହାକୁ ନେଇ ବର୍ତ୍ତମାନ ରାଜନୈତିକ ଦଳମାନଙ୍କ ମଧ୍ୟରେ ଆଗୁଆ ପ୍ରଚାର ମଧ୍ୟ ଆରମ୍ଭ ହୋଇଗଲାଣି। ଏଥିରେ ପରସ୍ପର ପରସ୍ପରକୁ କଟାକ୍ଷ କରିବାର ମଧ୍ୟ ଦେଖାଯାଉଛି। ବି‌ଶେଷ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ‌ମୋଦୀ ଓ ଏଆଇସିସି ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ମଧ୍ୟରେ କଥା କଟାକଟିକୁ ନେଇ ଗଣମାଧ୍ୟମରେ ଖବର ପ୍ରସାରିତ ହେଉଛି। ସେମାନଙ୍କ କଟାକ୍ଷ ବି ଅତ୍ୟନ୍ତ ବ୍ୟକ୍ତିଗତ ସ୍ତରକୁ ଚାଲିଯାଇଥିବା ବେଳେ ଅନେକ ସମୟରେ ଉଭୟଙ୍କ ମଧ୍ୟରେ ଆକ୍ରମଣାତ୍ମକ ଆଭିମୁଖ୍ୟ ସ୍ପଷ୍ଟ ଜଣାପଡ଼ୁଛି। ଏହାକୁ ନେଇ ଦେଶ ତଥା ରାଜ୍ୟରେ ଚର୍ଚ୍ଚା ଓ ବିତର୍କ ବି ଆରମ୍ଭ ହୋଇଗଲାଣି। ଏଭଳି ପରିସ୍ଥିତିରେ ‘ମୋଦୀ ଓ ରାହୁଲଙ୍କ ଟକ୍କର ବ୍ୟକ୍ତିଗତ ସ୍ତରକୁ ଗଲାଣି କି?’ ଶୀର୍ଷକରେ ଆମ ଫୋନ୍‌-ଇନ୍‌-ପ୍ଲିଜ୍ କାର୍ଯ୍ୟକ୍ରମ ଜରିଆରେ ପାଠକଙ୍କ ମତାମତ ନେଇଥିଲୁ।

କୌଣସି ରାଜନୈତିକ ଦଳର କର୍ମକର୍ତ୍ତା ଅନ୍ୟ ଦଳର କର୍ମକର୍ତ୍ତାଙ୍କୁ ବ୍ୟକ୍ତିଗତ ସ୍ତରରେ ଆକ୍ଷେପ କରିବା ଉଚିତ ନୁହେଁ। ଏହା ନିଜ ପଦର ହିଁ ସମ୍ମାନହାନି ଘଟାଏ। ଯାହାକି ଉଭୟ ପ୍ରଧାନମନ୍ତ୍ରୀ ଓ ରାହୁଳ ଗାନ୍ଧୀଙ୍କଠାରେ ପରିଲକ୍ଷିତ ହେଉଛି।
ଦେବାଶିଷ ସାହୁ, ନୟାଗଡ଼

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ରାହୁଳ ଗାନ୍ଧୀଙ୍କ ଟକ୍କର ବ୍ୟକ୍ତିଗତ ସ୍ତରକୁ ଯିବାକୁ ବସିଲାଣି। ଯାହାକି ଆଦୌ ଠିକ୍‌ ନୁହେଁ। ଦେଶର ବିକାଶ ହିଁ ସମସ୍ତଙ୍କର ମୂଳମନ୍ତ୍ର ହେବା ଉଚିତ ବୋଲି ସମସ୍ତ ରାଜନୈତିକ ଦଳ ସତର୍କ ହେବା ଉଚିତ। ଏଣୁ ଉଭୟ ମୋଦୀ ଓ ରାହୁଲ ବ୍ୟକ୍ତିଗତ ସ୍ତରକୁ ଯାଇ କଟାକ୍ଷ କରିବା ବନ୍ଦ କରନ୍ତୁ।
ଚନ୍ଦ୍ରକାନ୍ତ ପଣ୍ଡା, ଭୁବନେଶ୍ବର

ମୋଦୀ ଓ ରାହୁଲଙ୍କ ମଧ୍ୟରେ ଦିନକୁ ଦିନ ବଢ଼ୁଥିବା ବ୍ୟକ୍ତିଗତ କଟାକ୍ଷ ଗଣତନ୍ତ୍ର ପାଇଁ ବିପଦ। ଗୋଟିଏ ରାଜନୈତିକ ଦଳର ନୀତି, ଆଦର୍ଶ ବା ଦଳର କର୍ମକର୍ତ୍ତାଙ୍କୁ ନେଇ ସମାଲୋଚନା ଗ୍ରହଣୀୟ। କିନ୍ତୁ କାହାର ବ୍ୟକ୍ତଗତ ଚରିତ୍ର ସଂହାର ଆଦୌ ସ୍ବୀକାର୍ଯ୍ୟ ନୁହେଁ। ଉଭୟ ରାଜନେତା ଏଥିରୁ ଦୂରେଇ ରୁହନ୍ତୁ।
ଦିବ୍ୟଲୋଚନ ଭାରିମଲ୍ଲ, ଖୋର୍ଧା

ପ୍ରଧାନମନ୍ତ୍ରୀ ମୋଦୀ ଓ ଏଆଇସିସି ଅଧ୍ୟକ୍ଷ ରାହୁଳ ଗାନ୍ଧୀଙ୍କର ଏଭଳି ବ୍ୟକ୍ତିଗତ ସ୍ତରକୁ ଯାଇ ଆକ୍ଷେପ/ପ୍ରତିଆକ୍ଷେପ କୌଣସି ମତେ ଦେଶ ପାଇଁ ଶୁଭ ସଂକେତ ନୁହେଁ। ବ୍ୟକ୍ତିଗତ ସ୍ତରରୁ ଉପରକୁ ଉଠି ଦଳମତ ନିର୍ବିଶେଷରେ ଦେଶର ପ୍ରଗତି ଓ ଜନସାଧାରଣଙ୍କ ଉନ୍ନତି ସେମାନଙ୍କର ମୂଳ ଲକ୍ଷ୍ୟ ହେବା ଉଚିତ।
ମାନସ ମନ୍ନୁ ଦାସ, ପୁରୀ

ନିନ୍ଦୁକ ହେଉଛନ୍ତି ସିନ୍ଦୁକ। ନିନ୍ଦୁକର କଥା ଶୁଣି ହିଁ ଜଣେ ନିଜକୁ ଆହୁରି ଉତ୍କୃଷ୍ଟ କରିପାରେ। ସମାଲୋଚନା ଦେଶକୁ ଆହୁରି ଉତ୍କୃଷ୍ଟ କରିବ। କିନ୍ତୁ ଉପରେ ଗାଳି ଓ ପଛରେ କୋଳାକୋଳି ଆଦୌ ଠିକ୍‌ କଥା ନୁହେଁ।
ମନୋରଞ୍ଜନ ସ୍ବାଇଁ, ଭୁବନେଶ୍ବର

ମୋଦୀ ଓ ରାହୁଲଙ୍କ ଲଢ଼େଇ ବ୍ୟକ୍ତିଗତ ସ୍ତରକୁ ଆସିଯାଇଛି। ଉଭୟଙ୍କ ପରିବାର, ଅତୀତ ଆଦିକୁ ଯାଇ କଟାକ୍ଷ ଆରମ୍ଭ କରି ଦେଇଛନ୍ତି। ଫଳରେ ଦେଶରେ ଏକ ଅଘୋଷିତ ଯୁଦ୍ଧ ମୁଣ୍ଡ ଟେକୁଛି। ଲୋକମାନେ ଉଭୟଙ୍କ କଥାକୁ ବିଶ୍ବାସ କରୁଛନ୍ତି। ଫଳରେ ଲୋକଙ୍କ ମନରେ ଅନେକ ଦ୍ବନ୍ଦ୍ବ ସୃଷ୍ଟି ହେବାରେ ଲାଗିଛି। ମୋଦୀ ଓ ରାହୁଲ ଏଥିରୁ ଦୂରେଇ ରହି ନିଜ ନିଜ ବ୍ୟବହାରରେ ସଂସ୍କାର ଆଣିବା ଉଚିତ।
ବିଶ୍ବଜିତ ପଟ୍ଟନାୟକ, ଭୁବନେଶ୍ବର

ରାଜନୀତିରେ ଆଉ ନୀତି ନାହିଁ। ତଳସ୍ତରକୁ ଏହାକୁ ନେଇଗଲେଣି ଆମେ ରାଜନେତାମାନେ। ଦେଶର ପ୍ରସଙ୍ଗ ଉପରେ ଆଲୋଚନା ନୁହେଁ, ଏଠି ବ୍ୟକ୍ତିଗତ ପ୍ରସଙ୍ଗ ଉପରେ ସମାଲୋଚନା ଚାଲିଛି। ଲୋକମାନଙ୍କୁ ପ୍ରକୃତ ସତଠାରେ ଦୂରେଇ ରଖି ସେମାନଙ୍କୁ ଦ୍ବନ୍ଦ୍ବରେ ପକାଇବାକୁ ଷଡ଼ଯନ୍ତ୍ର ଚାଲିଛି। ଲୋକଙ୍କୁ ବୋକା ବନେଇ ଭୋଟ୍‌ ହାତେଇବାକୁ ଏହା ରାଜନେତାଙ୍କ ଏକ ନୂଆ ଫର୍ମୁଲା।
ଶ୍ରାବଣୀ ଶୁଭଦର୍ଶିନୀ, ଭୁବନେଶ୍ବର

ବ୍ୟକ୍ତିଗତ ସ୍ତରକୁ ଆସି ପରସ୍ପରକୁ କଟାକ୍ଷ କରିବା ରାଜନେତାଙ୍କୁ ଶୋଭା ଦିଏନି। ରାଜନେତାମାନେ ନିଜ ନିଜ ଶାଳୀନତା ଓ ପଦମର୍ଯ୍ୟାଦା ରକ୍ଷା କରିବା ଉଚିତ। ଜାତୀୟ ସ୍ତରର ୧୩୦ ବର୍ଷର ପୁରୁଣା କଂଗ୍ରେସ ଦଳର ଅଧ୍ୟକ୍ଷ ରାହୁଲ ଗା‌ନ୍ଧୀ ଦେଶର ପ୍ରଧାନମନ୍ତ୍ରୀଙ୍କୁ ଚୋର କହିବା ଆଦୌ ଗ୍ରହଣୀୟ ନୁହେଁ।
ଅଜୟ ପାତ୍ର, କୋଣାର୍କ

କେବଳ ମୋଦୀ କିମ୍ବା ରାହୁଳ ନୁ‌ହନ୍ତି, ବତ୍ତର୍ମାନ ରାଜନେତାମାନେ ସମସ୍ତେ ପରସ୍ପରକୁ ବ୍ୟକ୍ତିଗତ ସ୍ତରକୁ ଯାଇ ଅପମାନିତ କରୁଛନ୍ତି। ଯାହାକି ଆଦୌ ଗ୍ରହଣୀୟ ନୁହେଁ।
ଅମିତ କୁମାର, ଭୁବନେଶ୍ବର

ବତ୍ତର୍ମାନ ଦେଶକୁ ସାମ୍ବିଧାନିକ ସଙ୍କଟ ମାଡ଼ି ଆସିଛି। କେବେ ଦେଶର ପ୍ରଧାନମନ୍ତ୍ରୀଙ୍କୁ ରାହୁଳ ଅତ୍ୟନ୍ତ ବ୍ୟକ୍ତିଗତ ସ୍ତରକୁ ଯାଇ କଟାକ୍ଷ କରୁଛନ୍ତି ତ’ ଆଉ କେବେ ପ୍ରଧାନମନ୍ତ୍ରୀ ନିଜେ ନିଜ ପୁଅ ବୟସର ରାହୁଲଙ୍କୁ ସମାଲୋଚନା କରୁଛନ୍ତି। ବିଧାନସଭା ଭିତରେ ଏସବୁ ଆକ୍ଷେପ ସମାଲୋଚନା ଗ୍ରହଣୀୟ। କିନ୍ତୁ ନିଜ ପଦ ମର୍ଯ୍ୟାଦା ଓ ଗାରିମାକୁ ଭୁଲି ଗଣମାଧ୍ୟମ କିମ୍ବା ସାଧାରଣ ସଭାରେ ଅନ୍ୟକୁ ଅସମ୍ମାନଜନକ ଉକ୍ତି ପ୍ରୟୋଗ ସମ୍ପୂର୍ଣ୍ଣ ନିନ୍ଦନୀୟ। ପୁଣି ଗଣମାଧ୍ୟମ ମଧ୍ୟ ଏନେଇ ସଚେତନ ହେବା ଉଚିତ। ଏଭଳି ଖବର ପରିବେଷଣରେ ଅଙ୍କୁଶ ଲଗାଇବା ସମ୍ପାଦକଙ୍କ ଦାୟିତ୍ବ।
ରାଜୀବ ଷଡ଼ଙ୍ଗୀ, ଭୁବନେଶ୍ବର

ପ୍ରଧା‌ନମନ୍ତ୍ରୀ ଦେଶର ଗୌରବ। ଦେଶ ପ୍ରଥମେ। ଦେଶର ଉନ୍ନତି କଥା ଚିନ୍ତା କରିବା ପ୍ରତିଟି ନାଗରିକଙ୍କ କର୍ତ୍ତବ୍ୟ। କିନ୍ତୁ ଦେଶର ସବୁଠାରୁ ଉଚ୍ଚ ପାହ୍ୟାର ବ୍ୟକ୍ତିତ୍ବ ବ୍ୟକ୍ତିଗତ ସ୍ତରକୁ ଯାଇ କଟାକ୍ଷ କରିବା ସମ୍ପୂର୍ଣ୍ଣ ଲଜ୍ଜାଜନକ।
ରାମକୃଷ୍ଣ ମହାନ୍ତି, କୋଣାର୍କ

ମୋଦୀ ଓ ରାହୁଲଙ୍କ ବ୍ୟକ୍ତିଗତ ସ୍ତରର ଲଢ଼େଇ ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ। ଉଭୟ ମିଥ୍ୟା କଥା କହି ଲୋକମାନଙ୍କୁ ଭୂଆଁ ବୁଲୋଉଛନ୍ତି। ଫଳରେ ମିଥ୍ୟା ‌କଥାକୁ ନେଇ କୌଣସି ସ୍ପଷ୍ଟ ବିଚାର ଆସିବା ଅସମ୍ଭବ। ନିଜ ନିଜ ପଦବିର ଅସମ୍ମାନ ନକରି, ଦେଶରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନକରି ମୋଦୀ ଓ ରାହୁଲ ଶାଳୀନତା ରକ୍ଷା କରିବା ଉଚିତ।
ଲିଙ୍ଗରାଜ ଶତପଥୀ, କେନ୍ଦ୍ରାପଡ଼ା

ମୋଦୀଙ୍କ ସହ ରାହୁଲଙ୍କ ତୁଳାନା ଉଚିତ ନୁହେଁ। ଉଭୟ ଉଭୟଙ୍କୁ ସମ୍ମାନ ଦେବା କଥା। ମୋଦୀ ଜଣେ ଅଭିଜ୍ଞ ନେତା। ରାହୁଲ ତାଙ୍କ ତୁଳନାରେ ବୟସ ତଥା ଅଭିଜ୍ଞତାରେ ବହୁ ସାନ। ତେଣୁ ମୋଦୀ ନିଜ ବରିଷ୍ଠତା ତଥା ଉଚ୍ଚ ପାହ୍ୟା ଦୃଷ୍ଟିରୁ ରାହୁଳଙ୍କୁ ବ୍ୟକ୍ତିଗତ ସ୍ତରକୁ ଯାଇ କଟାକ୍ଷ କରିବା, ଦେଶର ପ୍ରଧାନମନ୍ତ୍ରୀ ପଦବିର ଅପମାନ ସଦୃଶ।
ପ୍ରକାଶ ଦାସ, ଜଟଣୀ

ରାହୁଲ ଓ ମୋଦୀଙ୍କ କଥା କଟାକଟି ନିନ୍ଦନୀୟ। ଉଭୟ ବଡ଼ ବଡ଼ ଦଳର ଦାୟିତ୍ବ ନେଇଛନ୍ତି। କିନ୍ତୁ ଛୋଟ ଛୋଟ କଥାରେ ମୁଣ୍ଡ ପୂରାନ୍ତି।
ଉପେନ୍ଦ୍ର ପାଣି, ଯାଜପୁର

ରାଜନୀତିରେ ବ୍ୟକ୍ତିଗତ ସ୍ତରକୁ ଯିବା ଉଚିତ ନୁହେଁ। ‌ଦେଶର ବିକାଶ ଭୁଲି ଦୁଇ ପ୍ରମୁଖ ରାଜନୀତି ଦଳର ନେତାମାନେ ପରସ୍ପରକୁ ଅପମାନିତ କରିବା ପ୍ରତିଯୋଗିତାରେ ଭାଗ ନେଇଛନ୍ତି। ଏହା ଦେଶ ତଥା ଦେଶର ଜନସାଧାରଣଙ୍କ ପାଇଁ ଶୁଭଙ୍କର ନୁହେଁ। ଗଣତନ୍ତ୍ର ପ୍ରତି ଏହା ଅପମାନ ମଧ୍ୟ।
ସୀମାଞ୍ଚଳ ବିଶୋଇ, ଭୁବନେଶ୍ବର

ମୋଦୀ ଓ ରାହୁଲଙ୍କ ବ୍ୟକ୍ତିଗତ ଆକ୍ଷେପ/ପ୍ରତିଆକ୍ଷେପ ପ୍ରତି ଗଣମାଧ୍ୟମ ପ୍ରାଧ୍ୟାନ୍ୟ ନ ଦେବା ଉଚିତ।
ଛାୟାକାନ୍ତ, ପୁରୀ

ମୋଦୀ ନିଜ ପ୍ରଧାନମନ୍ତ୍ରୀ ପଦର ଗାରିମା ରକ୍ଷା କରିବା ଦରକାର। ରାହୁଲ ମଧ୍ୟ ଏକ ପୁରାତନ ଦଳର ଅଧ୍ୟକ୍ଷ। ଉଭୟ ଏପରି ବ୍ୟକ୍ତିଗତ ଲଢ଼େଇରୁ ଦୂରେଇ ରହିବା ଉଚିତ।
ଧନେଶ୍ବର ପଣ୍ଡା, ଯାଜପୁର

ସମ୍ବନ୍ଧିତ ଖବର