ଫୋନ୍‌-ଇନ୍‌-ପ୍ଲିଜ୍‌: ସଚେତନତା ମଦମୃତ୍ୟୁ ରୋକି ପାରିବ

ଗୁଜରାଟ ଓ ବିହାରକୁ ସେଠାକାର ରାଜ୍ୟ ସରକାର ମଦମୁକ୍ତ ରାଜ୍ୟ ଭାବେ ଘୋଷଣା କରିଛନ୍ତି। ଉଭୟ ରାଜ୍ୟରେ ମଦ ବିକ୍ରି ସମ୍ପୂର୍ଣ୍ଣ ବନ୍ଦ ରହିଛି। ମାତ୍ର ଏଭଳି ଘୋଷଣା ସତ୍ତ୍ବେ କିଛି ଦିନ ତଳେ ଗୁଜରାଟରେ ବିଷାକ୍ତ ମଦ ପିଇ ୪୨ ଓ ବିହାରରେ ୧୨ ଜଣଙ୍କ ଜୀବନ ଯିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ମଦମୁକ୍ତ ରାଜ୍ୟ ଘୋଷଣା ପରେ ବି ସେଠାରେ ଅପମିଶ୍ରିତ ତଥା ବିଷାକ୍ତ ମଦ ବିକ୍ରି ହେଉଥିବା ସ୍ପଷ୍ଟ ହୋଇଛି। ଏଭଳି ସ୍ଥିତିରେ ମଦମୁକ୍ତ ରାଜ୍ୟ ଘୋଷଣା କେବଳ ଘୋଷଣାରେ ସୀମିତ ହୋଇ ରହିଗଲା ଭଳି ମନେ ହେଉଛି। ତେଣୁ ଚୋରା ମଦ ବ୍ୟବସାୟକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିବା ପାଇଁ କଠୋର ପଦକ୍ଷେପ ନେବା ଆବଶ୍ୟକ। ସରକାର କେବଳ ରାଜ୍ୟକୁ ‌ମଦମୁକ୍ତ ଘୋଷଣା କରିଦେଲେ ହେବନାହିଁ, ଏଥିପାଇଁ ବ୍ୟାପକ ସଚେତନତା ଜରୁରୀ। ଚଳିତ ସପ୍ତାହର ଫୋନ-ଇନ୍‌ ପ୍ଲିଜର ବିଷୟ ‘ରାଜ୍ୟକୁ ମଦମୁକ୍ତ ଘୋଷଣା କଲେ ଅଧିକ ମଦମୃତ୍ୟୁ ଆଶଙ୍କା ରହୁଛି’ରେ ଭାଗନେଇ ଅଧିକାଂଶ ପାଠକ ଏଭଳି ମତାମତ ଦେଇଛନ୍ତି।

କୌଣସି ରାଜ୍ୟକୁ ମଦମୁକ୍ତ ଘୋଷଣା କଲେ ମଦ୍ୟପାନ କରୁଥିବା ବ୍ୟକ୍ତିଙ୍କ ସଂଖ୍ୟା ହ୍ରାସ ପାଇବ ଏବଂ ମଦମୃତ୍ୟୁ କମ୍ ହେବ ଏହା ସଂପୂର୍ଣ୍ଣ ଅମୂଳକ। କାରଣ ମଦ ବନ୍ଦ ସତ୍ତ୍ବେ କିଛି ଭ୍ରଷ୍ଟାଚାରୀ ନେତା, ଦୁର୍ନୀତିଖୋର ଅଫିସର୍, ମୁନାଫାଖୋର୍ ବ୍ୟବସାୟୀଙ୍କ ମଧୁଚନ୍ଦ୍ରିକାରେ ପୂର୍ବପରି ମଦ ବ୍ୟବସାୟ ଚାଲିବ। ସେ ଦୃଷ୍ଟିରୁ ମଦମୁକ୍ତ ରାଜ୍ୟ ଘୋଷଣା କରିବା ପାଇଁ ସରକାର ବ୍ୟାପକ ସଚେତନତା କରିବା ଆବଶ୍ୟକ।
-ଅରୁଣ ଦାସ, ସତ୍ୟବିହାର
-ବ୍ରଜରାଜ ରଥ, ଡେଲ୍ଟା ଛକ
-ଲୋକନାଥ ପୁହାଣ, ଭୁବନେଶ୍ବର

ଏବେ ରାଜ୍ୟରେ ସରକାରୀ ସ୍ବୀକୃତିପ୍ରାପ୍ତ ମଦ ଦୋକାନ ଥାଇ ମଧ୍ୟ ଚୋରାରେ ବ୍ୟାପକ ମଦ ବିକ୍ରି ହେଉଛି। ଅନେକ ସ୍ଥାନରେ ଅପମିଶ୍ରିତ ମଦ ପିଇ ଲୋକ ଅସୁସ୍ଥ ହେଉଛନ୍ତି। ଯାହା ଲୋକଲୋଚନକୁ ଆସିପାରୁ ନାହିଁ। ତେଣୁ ଏପରିସ୍ଥଳେ ମଦକୁ ସଂପୂର୍ଣ୍ଣ ବନ୍ଦ କରି ଦିଆଗଲେ ମଦ ବିକ୍ରିରେ କିଛି ପ୍ରଭାବ ପଡ଼ିବ ନାହିଁ। ଲୁଚାଛପାରେ ଅପମିଶ୍ରିତ ଓ ବିଷାକ୍ତ ମଦ ବିକ୍ରି ହେବ। ଯାହାକି ଘାତକ ସାବ୍ୟସ୍ତ ହେବ।
-ଡାକ୍ତର ଦୀନନାଥ ଦାସ, ଲକ୍ଷ୍ମୀସାଗର
-ଶୁଚିସ୍ମିତା ମିଶ୍ର, ଜାଗମରା

ମଦକୁ ସଂପୂର୍ଣ୍ଣ ବନ୍ଦ କରିଦେବା ଅର୍ଥ ଚୋରା ମଦ ବିକ୍ରିକୁ ପ୍ରୋତ୍ସାହିତ କରିବା। ମଦମୁକ୍ତ ରାଜ୍ୟ ଘୋଷଣା କଲେ ମଦ ବିକ୍ରିରେ ରୋକ ଲାଗିବା ପରିବର୍ତ୍ତେ ମଦ ମୃତ୍ୟୁର ଅଧିକ ଆଶଙ୍କା ରହିବ।
-କିଶୋର ସ୍ବାଇଁ, ଭିଏସ୍ଏସ୍ ନଗର

ରାଜ୍ୟରୁ ମଦ ବନ୍ଦ କରିବା ପରେ ବି ଯଦି ମଦ୍ୟପାନ ଜନିତ ମୃତ୍ୟୁ ହେଉଛି, ତାହା କେବଳ ଚୋରା ମଦ ପାଇଁ। ତେଣୁ ଏହାକୁ ରୋକିବା ପାଇଁ ଅବକାରୀ ବିଭାଗ, ପୁଲିସ ବିଭାଗ ଏବଂ ସରକାର ମିଳିତ ଉଦ୍ୟମ କରିବାର ଆବଶ୍ୟକତା ରହିଛି।
-ଅମ୍ବିକା ସାହୁ, ଗୌତମନଗର

ମଦ୍ୟପାନ କରି ଲୋକମାନେ ମୃତ୍ୟୁ ମୁଖରେ ପଡୁଛନ୍ତି। ବ୍ୟାପକ ଧନ ଜୀବନ ହାନୀ ହେଉଛି। ତେଣୁ ମଦକୁ ସମ୍ପୂର୍ଣ୍ଣ ବନ୍ଦ କରିବା ପୂର୍ବରୁ ସରକାର ବ୍ୟାପକ ଜନସଚେତନତା କରନ୍ତୁ। ଫଳରେ ମଦ ବନ୍ଦ ହେଲେ ମଧ୍ୟ ଜୀବନ ହାନୀର ଆଶଙ୍କା ରହିବ ନାହିଁ।
-ଅଭୟ ସାହୁ, ଚକେଇସିହାଣୀ

ମଦମୁକ୍ତ ଘୋଷଣା ହୋଇଥିବା ରାଜ୍ୟରେ ମଦମୃତ୍ୟୁ ହୋଇଛି। ତେଣୁ ରାଜ୍ୟକୁ ଖାଲି ମଦମୁକ୍ତ ବୋଲି ଘୋଷଣା କରିଦେଲେ ହେବନି। ବରଂ ଏଥିପାଇଁ କଠୋର ପଦକ୍ଷେପ ନେବା ଜରୁରୀ। ଏହା‌ ହେଲେ ଚୋରା ମଦ ବିକ୍ରିକୁ ରୋକି ହେବ।
-ରମେଶଚନ୍ଦ୍ର ମହାପାତ୍ର, ଡୁମୁଡୁମା

ଗାଡ଼ି ଚାଳକମାନେ ମଦ୍ୟପାନ କରି ଦୁର୍ଘଟଣା ଘଟାଉଛନ୍ତି। ପ୍ରତିବ‌ର୍ଷ ମଦ୍ୟପାନ ଜନିତ ଦୁର୍ଘଟଣାରେ ଅନେକ ମୃତ୍ୟୁବରଣ କରୁଛନ୍ତି। ମଦ ବନ୍ଦ ହେଲେ ସେହି ସଂଖ୍ୟା ନିଶ୍ଚିତ ଭାବେ ହ୍ରାସ ପାଇବ। ଏ ଦୃଷ୍ଟିରୁ ମଦକୁ ସମ୍ପୂର୍ଣ୍ଣ ବନ୍ଦ କରିବା ଯଥାର୍ଥ।
-ଶକ୍ତିରଂଜନ ମିଶ୍ର, ଜାଗମରା

ଏବେ ସ୍ବାଧୀନତାର ୭୫ବର୍ଷ ପୂର୍ତ୍ତି ପାଳନ କରାଯାଉଛି। ଏହି ଅବସରରେ ଅନେକ କାର୍ଯ୍ୟକ୍ରମ କରାଯାଉଛି। ତେଣୁ ଏହି ସମୟରେ ରାଜ୍ୟକୁ ସଂପୂର୍ଣ୍ଣ ମଦମୁକ୍ତ ଘୋଷଣା କରାଯାଉ। ଏହାଦ୍ବାରା ରାଜ୍ୟର ରାଜକୋଷ କମିଯିବ। କିନ୍ତୁ ଓଡ଼ିଶାବାସୀ ଶାନ୍ତିରେ ଜୀବନ ଅତିବାହିତ କରିବେ।
-ନଗେନ୍ଦ୍ରନାଥ ମିଶ୍ର, ସାମନ୍ତରାପୁର

ରାଜ୍ୟକୁ ମଦମୁକ୍ତ ଘୋଷଣା କଲେ ଚୋରା ମଦ ବୃଦ୍ଧି ପାଇବ। ତେଣୁ ମଦ ମୁକ୍ତ କରାନଯାଉ। କାରଣ ଏକ ସିଂହଭାଗ ରାଜକୋଷ ଅବକାରୀରୁ ଆସୁଛି। ଆଉ ଓଡ଼ିଶାର ଆର୍ଥିକ ଦୁରବସ୍ଥା ବେଳେ ଏହାର ବହୁତ ଆବଶ୍ୟକତା ରହିଛି।
-ଶିବରାମ ଦାସ, ଖୋର୍ଦ୍ଧା

ମଦମୁକ୍ତ ରାଜ୍ୟ ପରିକଳ୍ପନା କରିବା ସଂପୂର୍ଣ୍ଣ ଅମୂଳକ। କାରଣ ମଦକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିବା ଏକପ୍ରକାର ଅସମ୍ଭବ। ମଦକୁ ସରକାରୀ ଭାବେ ବନ୍ଦ କଲେ ମଦ୍ୟପାନ କରୁଥିବା ବ୍ୟକ୍ତି ମାନସିକ ଭାରସାମ୍ୟ ହରାଇ ପରିବାର ତଥା ସମାଜ ପାଇଁ କ୍ଷତି କରିବସିବ।
-ଶ୍ରୀବତ୍ସ ମହାନ୍ତି, ଯାଁଳା

ମଦ ଦ୍ବାରା ସମାଜର ବ୍ୟାପକ କ୍ଷତି ହେଉଛି। ସେ ଦୃଷ୍ଟିରୁ ରାଜ୍ୟକୁ ମଦମୁକ୍ତ ଘୋଷଣା କରାଗଲେ ହିଁ, ସବୁ ସମସ୍ୟାର ସମାଧାନ ହୋଇପାରିବ। ଏଥିରେ କୌଣସି ଜୀବନ ହାନୀର ଆଶଙ୍କା ନାହିଁ।
-ରଘୁନାଥ ଶତପଥୀ, ବମିଖାଲ

ବିହାର ସରକାର ରାଜ୍ୟକୁ ମଦମୁକ୍ତ କରିବା ପାଇଁ ଚିନ୍ତା କରିବା ବେଳେ ମଦ ଜନିତ ଅପମୃତ୍ୟୁ ହେବା ନେଇ ଭୟ ପ୍ରକାଶ କରିଥିଲେ। ହେଲେ ସେଭଳି କିଛି ଘଟଣା ଘଟିଲା ନାହିଁ। ମାତ୍ର ପରବର୍ତ୍ତୀ ମସୟରେ ଚୋରା ମଦର ବ୍ୟାପକ ବିକ୍ରି ଚାଲିଲା। ଫଳରେ କିଛିଦିନ ତଳେ ବଷାକ୍ତ ମଦ ପିଇ ୧୨ଜଣଙ୍କ ଜୀବନ ଗଲା।
-ନୀଳମଣି ମିଶ୍ର, ସୁନ୍ଦରପଦା

ଓଡ଼ିଶାକୁ ମଦ ମୁକ୍ତ ରାଜ୍ୟ ଘୋଷଣା କରିବାରେ କୌଣସି ଅସୁବିଧା ନାହିଁ। ମାତ୍ର ମଦମୁକ୍ତ ରାଜ୍ୟ ଘୋଷଣା ପରେ ଚୋରା ବେପାର ଉପରେ ରୋକ ନଲଗାଇଲେ ଗୁଜରାଟ ଓ ବିହାର ଭଳି ପରିସ୍ଥିତିର ସାମ୍‌ନା ଓଡ଼ିଶାକୁ କରିବାକୁ ପଡ଼ିପାରେ। ତେଣୁ ସରକାର ଏଥିପ୍ରତି ଧ୍ୟାନଦେବା ଆବଶ୍ୟକ।
-କମଳାକାନ୍ତ ସେନାପତି, ନାଗେଶ୍ବର ଟାଙ୍ଗି

ଯେଉଁମାନେ ମଦ୍ୟପାନରେ ଅଭ୍ୟସ୍ତ ସେମାନେ ମଦ ବନ୍ଦ କରିବା ଦ୍ୱାରା ପ୍ରଭାବିତ ହେବେ। ଏହାର ସୁଯୋଗ ଉଠାଇ ଅନେକ ଅସାଧୁ ବ୍ୟବସାୟୀ ଅପମିଶ୍ରିତ ମଦ ବିକିବେ। ଏହାଦ୍ବାରା ମଦ୍ୟପାନ କରୁଥିବା ବ୍ୟକ୍ତି ମୃତ୍ୟୁ ମୁଖରେ ପଡ଼ିବେ। ତେଣୁ ସରକାରଙ୍କୁ ମଦମୁକ୍ତ ରାଜ୍ୟ ଘୋଷଣା କରିବା ପୂର୍ବରୁ ଲୋକଙ୍କୁ ଯଥେଷ୍ଟ ସଚେତନ କରାଇବାକୁ ପଡ଼ିବ।
-ପ୍ରଦୀପ କୁମାର ନାୟକ, ନୀଳାଦ୍ରିବିହାର

ସରକାର ମଦ ବିକ୍ରି ବନ୍ଦ କରିଦେଲେ ଚୋରାରେ ମଦ ବିକ୍ରି ହେବ। ଫଳରେ ବିଷାକ୍ତ ମଦପିଇ ଲୋକେ ମରିବେ। ତେଣୁ ସରକାରଙ୍କୁ ଲୋକମାନଙ୍କୁ ସଚେତନ କରିବା ଆବଶ୍ୟକ। ଏଥିସହିତ ଯେଉଁମାନେ ଚୋରା ମଦ ବ୍ୟବସାୟ କରୁଛନ୍ତି ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦରକାର।
-ପ୍ରଫୁଲ୍ଲ କୁମାର ଦାସ, ଖୋର୍ଦ୍ଧା

ମଦମୁକ୍ତ ରାଜ୍ୟ ଗଠନ କରିବା ପାଇଁ ଯେଉଁ ପଦକ୍ଷେପ ଗ୍ରହଣ କରାଯାଉଛି ତାହା କଠୋର ଭାବେ ଲାଗୁ ହେଉନାହିଁ। ଏ ଦିଗରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ଯାଇ ମଦମୁକ୍ତ ରାଜ୍ୟ ଗଠନ କରିବା ସହଜ ହେବ। ମଦମୁକ୍ତ ରାଜ୍ୟ ଘୋଷଣା ପରେ ଯେଉଁ ମଦ ମୃତ୍ୟୁ ଆଶଙ୍କା ରହୁଛି ତାହା ମଧ୍ୟ ରହିବ ନାହିଁ l
-ସୁଧାକର ଦାସ, ପ୍ରାଣନାଥ ସ୍ୱୟଂଶାସିତ ମହାବିଦ୍ୟାଳୟ

ମଦମୁକ୍ତ ରାଜ୍ୟ ଘୋଷଣା ପୂର୍ବରୁ ପ୍ରଥମେ ଜନସଚେତନତା ଜରୁରୀ। ଚୋ‌ରା ମଦ ବିକ୍ରିକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରାଯିବା ଆବଶ୍ୟକ। ତେବେ ଯାଇ ମଦମୃତ୍ୟୁ ଆଶଙ୍କା ରହିବ ନାହିଁ। ସରକାର ଏ ଦିଗରେ ଚିନ୍ତା କରି ପଦକ୍ଷେପ ନେଲେ ଯାଇ ଏହି ପରିକଳ୍ପନା ସମ୍ଭବ ହେବ।
-ବୃନ୍ଦାବନ ପ୍ରଧାନ, ଲକ୍ଷ୍ମୀସାଗର

ମଦ ବିକ୍ରି ବନ୍ଦ ହୋଇଗଲେ ମଦ୍ୟପାନ କରୁଥିବା ବ୍ୟକ୍ତିଙ୍କ ସଂଖ୍ୟା ଧୀରେଧୀରେ କମିଯିବ। ମଦ୍ୟପାନ ଜନିତ ଜୀବନ ହାନୀ ଆଶଙ୍କା ରହିବ ନାହିଁ।
-ଅକ୍ଷୟ କୁମାର ସୁନ୍ଦରାୟ, ଭାଗିରଥୀ ଦାଶ, ସତ୍ୟବିହାର

ସମ୍ବନ୍ଧିତ ଖବର