ଫୋନ୍‌-ଇନ୍‌-ପ୍ଲିଜ୍‌: ଏନ୍‌କାଉଣ୍ଟର୍‌ ଏକମାତ୍ର ବିକଳ୍ପ ନୁହେଁ

ଅପରାଧ ଦମନ ପାଇଁ ଏନ୍‌କାଉଣ୍ଟର୍‌ ଏକମାତ୍ର ବିକଳ୍ପ ନୁହେଁ। ସମାଜରୁ ଅପରାଧ କମାଇବା ପାଇଁ ପୁଲିସ୍ ପ୍ରଶାସନ ପାଖରେ ବହୁତ ବାଟ ଅଛି। ବହୁ କ୍ଷେତ୍ରରେ ଦେଖାଯାଏ ଯେ ସଂଗିନ୍‌ ଅପରାଧରେ ଲିପ୍ତ ଅପରାଧୀମାନଙ୍କୁ ପୁଲିସ୍‌ ଗିରଫ କରେ। କିନ୍ତୁ ତା’ ବିରୋଧରେ ଉପଯୁକ୍ତ ତଥ୍ୟ, ପ୍ରମାଣ ଯୋଗାଡ଼ କରିବାରେ ହେଳା ପ୍ରଦର୍ଶନ କରେ। ଏପରିକି ନିର୍ଧାରିତ ସମୟ‌‌ରେ କୋର୍ଟ‌ରେ ଚାର୍ଜସିଟ୍‌ ମଧ୍ୟ ଦାଖଲ କରିପାରେ ନାହିଁ। ତେଣୁ କୋର୍ଟ‌‌ରେ ସେମାନେ ଦୋଷୀ ସାବ୍ୟସ୍ତ ହୋଇପାରନ୍ତି ନାହିଁ ଓ ଆଇନର ଗଳାବାଟ ଦେଇ ମୁକୁଳି ପୁଣି ଅପରାଧ ଘଟାଇଥା’ନ୍ତି। ଯଦି ଆମ ଆଇନ କାନୁନ ବ୍ୟବସ୍ଥାରେ ସେମାନେ ଦଣ୍ଡିତ ହୋଇପାରନ୍ତେ, ତେବେ ଏନ୍‌କାଉଣ୍ଟର୍‌ର ଆବଶ୍ୟକତା ପଡ଼ନ୍ତା ନାହିଁ। ସମ୍ବାଦ ଫୋନ୍‌-ଇନ୍‌-ପ୍ଲିଜ୍‌ର ଚଳିତ ଥରର ପ୍ରସଙ୍ଗ ‘ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ପୁଲିସ ଏନକାଉଣ୍ଟର୍‌ ଯଥାର୍ଥ’ରେ ଏଭଳି ପାଠକୀୟ ମତ ପ୍ରକାଶ ପାଇଛି।

ସରକାରଙ୍କ ପକ୍ଷରୁ ପ୍ରଥମେ ଅପରାଧୀମାନଙ୍କ ପାଇଁ ଏକ ମାନଦଣ୍ଡ ପ୍ରସ୍ତୁତ କରାଯାଉ। ଯେଉଁ ଅପରାଧୀମାନେ ମାତ୍ରାଧିକ ଅପରାଧରେ ଲିପ୍ତ ରହୁଛନ୍ତି, ସେମାନଙ୍କୁ କେବଳ ଏନ୍‌କାଉଣ୍ଟର୍‌ ନୁହେଁ ଫାଶୀଦଣ୍ଡରେ ଦଣ୍ଡିତ କରାଯାଉ। ଫଳରେ ଅପରାଧ କମିବ ଓ ସାଧାରଣ ଲୋକ ଶାନ୍ତିରେ ବଞ୍ଚି ପାରିବେ। ନଚେତ କିଛି ଲୋକଙ୍କ ପାଇଁ ପୂରା ସହରରେ ଅଶାନ୍ତିର ବାତାବରଣ ଲାଗି ରହୁଛି ଓ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହେଉଛି।
-ଦିବ୍ୟଲୋଚନ ଭାରୀମଲ୍ଲ, ଖୋର୍ଦ୍ଧା
-ରବୀନ୍ଦ୍ର କୁମାର ନନ୍ଦ, ଶିଶୁପାଳଗଡ଼
-କୃଷ୍ଣଚନ୍ଦ୍ର ସେଠୀ, ନୟାଗଡ଼
-ସୌମ୍ୟରଞ୍ଜନ ବିଶୋଇ, ପୁରୀ
-ଅଭୟ ସାହୁ, ଚକେଇସିହାଣି

ଅପରାଧୀଙ୍କୁ ଦୁର୍ଦ୍ଦାନ୍ତ କରିବାରେ ପୁଲିସର ପ୍ରମୁଖ ଭୂମିକା ରହିଛି। କିଛି ଅପରାଧୀଙ୍କ ଇତିହାସ ଓଲଟାଇଲେ ଜଣାପଡ଼ିବ, ସେମାନେ ଆରମ୍ଭରୁ ଏମିତି ନଥିଲେ। ପୁଲିସ ସେମାନଙ୍କୁ ଅନେକ ମିଥ୍ୟା ମକଦ୍ଦମାରେ ଛନ୍ଦି ଦେବା ସହ ତାଙ୍କ ଉପରେ ଅକଥନୀୟ ଅତ୍ୟାଚାର କରିଥାଏ। ଫଳରେ ସେମାନେ ଆଇନ ବ୍ୟବସ୍ଥା ଉପରୁ ଆସ୍ଥା ହରାଇ ଅସାମାଜିକ ହୋଇଯାଆନ୍ତି ଓ ଅଧିକରୁ ଅଧିକ ଅପରାଧ ଘଟାନ୍ତି। ତେଣୁ ପୁଲିସ୍‌କୁ ଏନ୍‌କାଉଣ୍ଟର୍‌ କ୍ଷମତା ଦିଆନଯାଉ। ଏ ବ୍ୟବସ୍ଥାରେ ସଂସ୍କାର ଅଣାଯାଉ। ଯଦି କୌଣସି ଅପରାଧୀ ସମାଜ ପାଇଁ ବିପଦ ସୃଷ୍ଟି କରୁଛି, ତେବେ ତାକୁ ଧରିବା ଅଭିଯାନ ପୂର୍ବରୁ ପୁଲିସ୍‌ କୋର୍ଟ କିମ୍ବା ମାଜିଷ୍ଟ୍ରେଟ୍‌ଙ୍କଠାରୁ ଏନ୍‌କାଉଣ୍ଟର୍‌ ପାଇଁ ଆଗୁଆ ଅନୁମତି ଆଣୁ।
-ଛାୟାକାନ୍ତ ନାୟକ, ବାଲିଘାଟ, ପୁରୀ

ଦୁର୍ଦ୍ଦାନ୍ତ ଅପରାଧୀଙ୍କ ପାଇଁ କେବଳ ଏନ୍‌କାଉଣ୍ଟର୍‌ ନୁହେଁ, ସ୍ବତନ୍ତ୍ର ଜେଲ୍‌ର ବ୍ୟବସ୍ଥା କରାଯାଉ। ସେମାନଙ୍କ ଫଟୋକୁ ସହରର ପ୍ରମୁଖ ସ୍ଥାନ‌ମାନଙ୍କରେ ଲାଗାଯାଉ। ଫଳରେ ସେମାନେ ଜେଲ୍‌ରୁ ମୁକୁଳିବା ପରେ ପୁନର୍ବାର ଅପରାଧ କରିବା ପାଇଁ ସାହସ ଜୁଟାଇ ପାରିବେ ନାହିଁ।
-କିଶୋର ସ୍ବାଇଁ, ଭିଏସ୍‌ଏସ୍‌ ନଗର

ଦୁର୍ଦ୍ଦାନ୍ତ ଅପରାଧୀମାନଙ୍କୁ ଏନ୍‌କାଉଣ୍ଟର୍‌ କରିବା ସଂପୂର୍ଣ୍ଣ ଠିକ୍‌। କାରଣ ସେମାନେ ସମାଜରେ ଅପରାଧ ଘଟାଇବ ସହ ସାଧାରଣ ଲୋକଙ୍କ ପ୍ରତି ବିପଦ ସୃଷ୍ଟି କରୁଛନ୍ତି। ସେମାନଙ୍କ ଯୋଗୁଁ ନିରୀହ‌ ଲୋକମାନେ ଆଜି ଭୟ ଓ ସଂଶୟରେ ଜୀବନଯାପନ କରୁଛନ୍ତି।
-ରଞ୍ଜିତା ନାୟକ, ଶାସ୍ତ୍ରୀନଗର

ପୁଲିସ ଏନ୍‌କାଉଣ୍ଟର୍‌ ଲୋକଦେଖାଣିଆ। ଓଡ଼ିଶାରେ ମଦ, ଗଞ୍ଜେଇ ଆଦି ନିଶାଦ୍ରବ୍ୟର ଅବାଧ ବିକ୍ରି ଚାଲିଛି। ତାହା ପୁଲିସ କିମ୍ବା ସରକାର ରୋକିବାରେ ସଫଳ ହୋଇପାରୁନାହାନ୍ତି। ଏଥିରେ ରୋକ୍‌ ଲଗାଇଲେ ଆପେ ଆପେ ଅପରାଧ ନିୟନ୍ତ୍ରଣ ହୋଇଯିବ। ଏନ୍‌କାଉଣ୍ଟର୍‌ର କୌଣସି ଆବଶ୍ୟକତା ପଡ଼ିବ ନାହିଁ।
-ମମତା ଦାସ, ନୂଆପଲ୍ଲୀ

ଅପରାଧୀମାନଙ୍କୁ ଏନ୍‌କାଉଣ୍ଟର୍‌ କରି ସଂପୂର୍ଣ୍ଣ ମାରିଦେବା ଉଚିତ। କେବଳ ଜଖମ କରି ଛାଡ଼ିଦେଲେ ହେବ ନାହିଁ। ଏମିତି କରିବା ଦ୍ବାରା ସେମାନେ ପ୍ରତିଶୋଧ ପରାୟଣ ହୋଇ ଆହୁରି ଅଧିକରୁ ଅଧିକ ଅପରାଧ ଘଟାଇ‌ବେ। ତେଣୁ ଅପରାଧକୁ ମୂଳପୋଛ କରିବାକୁ ହେଲେ ଅପରାଧୀଙ୍କୁ ମୂଳପୋଛ କରିବାକୁ ହେବ।
-ବୀରେନ୍ଦ୍ର ଭୂଷଣ ହୋତା, ପୁରୀ

ଅପରାଧୀଙ୍କୁ ପୁଲିସ ଏନ୍‌କାଉଣ୍ଟର୍‌ ଯଥାର୍ଥ କି ନାହିଁ, ତାହା‌ କେହି କହିପାରିବେ ନାହିଁ। କେବଳ ତାହା ଅଦାଲତ ହିଁ ନିର୍ଧାରଣ କରିବେ। କାରଣ କିଛି ପୁଲିସ ଅଧିକାରୀ ଉଦ୍ଦେଶ୍ୟମୂଳକ ଭାବେ କିଛି ଏନ୍‌କାଉଣ୍ଟର୍‌ କରୁଛନ୍ତି।
-ସତୀଶ ଚନ୍ଦ୍ର ବେହେରା‌, ରାଧାବଲ୍ଲବ ମଠ

ରାଜଧାନୀରେ ଆଇନ ଶୃଙ୍ଖଳା ବ୍ୟବସ୍ଥା ସଂପୂର୍ଣ୍ଣ ଭୁଶୁଡ଼ି ଗଲାଣି। ତେଣୁ ଭୁବନେଶ୍ବର କମିସନରେଟ ପୁଲିସରେ ନବ‌କଳେବର କରାଗଲା। ନୂଆ ଡିସିପି ଇନିଂସ ଆରମ୍ଭରୁ ଜଣେ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଏନ୍‌କାଉଣ୍ଟର୍‌ କରିଛନ୍ତି। ଏହା ଦରକାର ଥିଲା। ଏହାଦ୍ବାରା ଅପରାଧୀଙ୍କ ଭିତ‌ରେ ନିଶ୍ଚିତ ଭାବେ କୋକୁଆ ଭୟ ସୃଷ୍ଟି ହୋଇଥିବ।
-ନୀଳମଣି ମିଶ୍ର, ସୁନ୍ଦରପଦା

ପୁଲିସ ଏନ୍‌କାଉଣ୍ଟର୍‌ ସଂପୂର୍ଣ୍ଣ ଅଯର୍ଥାଥ। କାରଣ ପୁଲିସ ଉଦ୍ଦେଶ୍ୟମୂଳକ ଭାବେ ଏନ୍‌କାଉଣ୍ଟର୍‌ କରୁଛି। ଯାହା ମଣିଷର ମାନବାଧିକାରକୁ ସଂପୂର୍ଣ୍ଣ ଉଲଙ୍ଘନ କରୁଛି। ପୁଲିସ ଯଦି ଠିକ୍‌ ଭାବେ ଏନ୍‌କାଉଣ୍ଟର୍‌ କରୁଛି, ତେବେ ତାର ନି‌ରପେକ୍ଷ ତଦନ୍ତ ଏବଂ ସେ ସମ୍ବନ୍ଧରେ ସାର୍ବଜନୀନ କରାଯାଉ। ତେବେ ଯାଇ ପୁଲିସ ଠିକ୍‌ କରୁଛି ବୋଲି ବିଶ୍ବାସ କରାଯାଇପାରିବ।
-ଆଶିଷ କୁମାର ପାଣି, ଭୁବନେଶ୍ବର

ପୁଲିସ ଏନ୍‌କାଉଣ୍ଟର୍‌ କରିବା ଦ୍ବାରା ଅପରାଧୀ ସତର୍କ ହେବା ପରିବର୍ତ୍ତେ ଆହୁରି ହିଂସ୍ର ହୋଇଯାଉଛନ୍ତି। ତେଣୁ ଏନ୍‌କାଉଣ୍ଟର୍‌ ବଦଳରେ ଅପରାଧକୁ ନିୟନ୍ତ୍ରଣ କରିବା ପାଇଁ କିଛି ବିକଳ୍ପ ପନ୍ଥା ବାହାର କରାଯାଉ।
-ଯୁଧିଷ୍ଠିର ବେହେରା, ମଞ୍ଚେଶ୍ବର

ଅପରାଧ ସୃଷ୍ଟି କରିବାରେ ରାଜନେତାମାନଙ୍କର ପ୍ରମୁଖ ହାତ ରହୁଛି। ସେମାନେ ତାଙ୍କ ସ୍ବାର୍ଥସାଧନ ପାଇଁ ସାଧାରଣ ଲୋକଙ୍କୁ ଟଙ୍କାର ଲୋଭ ଦେଖାଇ ଅପରାଧୀ ସଜାଇ ଦେଉଛନ୍ତି। ତେଣୁ ପ୍ରଥମେ ରାଜନେତାମାନଙ୍କୁ ଏନ୍‌କାଉଣ୍ଟର୍‌ କରାଯାଉ। ତା’ ପରେ ଯାଇ ଅପରାଧୀମାନଙ୍କୁ ଏନ୍‌କାଉଣ୍ଟର୍‌ କରାଯିବ। ନଚେତ କେବଳ ନିରୀହ ଲୋକ ବଳି ପଡ଼ିବେ।
-ସଂଗ୍ରାମ କେଶରୀ ମଲ୍ଲିକ, ବାଲିପାଟଣା

ଆଜି ପର୍ଯ୍ୟନ୍ତ ଯେତେ ବି ଅପରାଧୀଙ୍କୁ ଏନ୍‌କାଉଣ୍ଟର୍‌ କରାଯାଇଛି, ପରବର୍ତ୍ତୀ ସମୟରେ ସେମାନେ ସୁଧୁରି ଯାଇଛନ୍ତି କି? ଯଦି ହଁ, ତେବେ ଏନ୍‌କାଉଣ୍ଟର୍‌ କରିବା ଠିକ୍‌। ଯଦି ନା, ତେବେ ଏଭଳି ପ୍ରହସନ କାହିଁକି?
-ଶୋଭନ କୁମାର ଦାଶ, ବାଲୁଗାଁ

ଦୁର୍ଦ୍ଦାନ୍ତ ଅପରାଧୀମାନେ ଲୁଟ୍‌, ଛିନ୍‌ତାଇ, ବୋମାମାଡ଼, ହତ୍ୟା ଭଳି ଜଘନ୍ୟ କାଣ୍ଡ ଘଟାଇ ସମାଜରେ ଅସ୍ଥିରତା ସୃଷ୍ଟି କରୁଛନ୍ତି। ତେଣୁ ସେମାନଙ୍କୁ ଦମନ କରିବା ପାଇଁ ତଥା ଆଇନ କାନୁନ ପ୍ରତି ସେମାନଙ୍କ ମନରେ ଭୟ ସୃଷ୍ଟି କରିବା ପାଇଁ ପୁଲିସ୍‌ର ଏନ୍‌କାଉଣ୍ଟର୍‌ ଯଥାର୍ଥ।
-ଦିନନାଥ ଦାସ
-ସୁଶାନ୍ତ କୁମାର ମଲ୍ଲିକ, ବାଲେଶ୍ଵର
-ରାମକୃଷ୍ଣ ମହାନ୍ତି, କୋଣାର୍କ
-ସୁରେନ୍ଦ୍ର କୁମାର ନାୟକ, କଟକ

ଦିନକୁ ଦିନ ଅପରାଧ ବଢ଼ୁଥିବାରୁ ବୁଦ୍ଧିଜୀବୀ ଓ ଗଣମାଧ୍ୟମ ଚାପରେ ପୁଲିସ୍‌ ରକ୍ତମୁଖା ହୋଇପଡ଼ୁଛି ଓ ଜଣେ, ୨ଜଣ ଅପରାଧୀଙ୍କୁ ଏନ୍‌କାଉଣ୍ଟର୍‌ କରିଦେଉଛି। ରାଜଧାନୀରେ ଗତ ୧୦ ବର୍ଷ ମଧ୍ୟରେ ୨୦ଜଣ ଅପରାଧୀଙ୍କୁ ଏନ୍‌କାଉଣ୍ଟର୍‌ ହୋଇଛି। କିନ୍ତୁ ଖାଲି ଚାପ ହଟାଇବା ପାଇଁ ଅପରାଧୀଙ୍କୁ ଏନ୍‌କାଉଣ୍ଟର୍‌ କରି ପଙ୍ଗୁ କରିଦେବା ଠିକ୍‌ ନୁହେଁ। କାରଣ ଦୋଷୀକୁ ଦଣ୍ଡ ଦେବା ପାଇଁ ନ୍ୟାୟପାଳିକା ଅଛି। ଯଦି ପୁଲିସ୍‌ ତା’ କାମ ଠିକ୍‌ରେ କରନ୍ତା, ଅପରାଧୀଙ୍କ ବିରୋଧରେ ଉପଯୁକ୍ତ ସାକ୍ଷ୍ୟପ୍ରମାଣ ଯୋଗାଡ଼ କରି ତାଙ୍କୁ କୋର୍ଟରେ ଦୋଷୀ ସାବ୍ୟସ୍ତ କରିପାରନ୍ତା, ତେବ‌େ ଏନ୍‌କାଉଣ୍ଟର୍‌ର ଆବଶ୍ୟକତା ପଡ଼ନ୍ତା ନାହିଁ। କୋର୍ଟ ସେଭଳି ଅପରାଧୀଙ୍କୁ କଠୋର୍‌ ଦଣ୍ଡରେ ଦଣ୍ଡିତ କରନ୍ତେ। କିନ୍ତୁ ତାହା ହେଉନି। ଦୁର୍ଦ୍ଦାନ୍ତ ଅପରାଧୀ ଧରା ପଡ଼ୁଛନ୍ତି, ପୁଣି କିଛି ଦିନ ପରେ ଜାମିନ୍‌ରେ ବାହାରି ଆସି ଅପରାଧ ଘଟାଉଛନ୍ତି। ପୁଲିସ୍‌ ଠିକ୍‌ ସମୟରେ ସେମାନଙ୍କ ବିରୋଧରେ ଚାର୍ଜସିଟ୍‌ ବି ଦାଖଲ କରିପାରୁନାହିଁ।
-ସୁଧାକର ଦାସ, ପ୍ରାଣନାଥ ସ୍ୱୟଂଶାସିତ ମହାବିଦ୍ୟାଳୟ

ଅପରାଧ ଜଗତକୁ ସମ୍ପୂର୍ଣ୍ଣ ନିଷ୍କ୍ରିୟ କରିବା ପାଇଁ ପୁଲିସ୍‌କୁ ଏନକାଉଣ୍ଟର୍‌ ଭଳି ଆହୁରି ଅନେକ ନୂତନ ପନ୍ଥା ଅବଲମ୍ବନ କରିବାକୁ ପଡ଼ିବ।
-ଶ୍ରୀଧର ବଳିୟାରସିଂ, ବରମୁଣ୍ଡା

ଯେଉଁ ଦୁର୍ଦ୍ଦାନ୍ତ ଅପରାଧୀ ଅନେକ ଲୋକଙ୍କ ଜୀବନ ନେଉଛି, ତାକୁ ପୁଲିସ ମାରିବା ଯଥାର୍ଥ। ହେଲେ ପୁଲିସ୍‌ ଏହାର ଦୁରୁପୋଯୋଗ କରି ନିର୍ଦ୍ଦୋଷ ଲୋକର କ୍ଷତି ନ କରୁ।
-କାବୁ ମିଶ୍ର, ଗୌତମନଗର
-ଶିବସୁନ୍ଦର ମିଶ୍ର, ପୁରୀ

ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଏନକାଉଣ୍ଟର୍‌ ନ କଲେ, ଅପରାଧୀଙ୍କ ମଧ୍ୟରେ ଭୟ ରହିବ ନାହିଁ। ତେଣୁ ମଝିରେ ମଝିରେ ଅପରାଧୀଙ୍କୁ ଏନକାଉଣ୍ଟର୍‌ କରାଗଲେ ପୁଲିସ ମଧ୍ୟ ଲୋକଙ୍କ ଆସ୍ଥା ବଜାୟ ରଖିପାରିବ।
-ଅମ୍ବିକା ସାହୁ,ଗୌତମ ନଗର

ଅପରାଧୀମାନେ ସମାଜର କଳଙ୍କ। ସେମାନଙ୍କ ପାଇଁ ସାଧାରଣ ଜନତା ସବୁବେଳେ ଏକ ଅଜଣା ଭୟ ଭିତରେ ଜୀବନଯାପନ କରିଥାଏ। ପୁଲିସ ଜନତାର ରକ୍ଷକ ହିସାବରେ ଏଭଳି କାମ ଆଗକୁ ଜାରି ରଖିବା ଦରକାର।
-ଗୋପାଳକୃଷ୍ଣ ଜେନା, ଟାଙ୍ଗୀ
-ସିଦ୍ଧାର୍ଥ କୁମାର ସାହୁ, ନୂଆପଲ୍ଲୀ
-ସୁରେନ୍ଦ୍ରନାଥ ପ୍ରଧାନ, ରଣପୁର

ଅପରାଧୀମାନେ ଆଇନର ଗଳା ବାଟ ଦେଇ ସହଜ‌ରେ ଜେଲ୍‌ରୁ ମୁକୁଳି ଯାଆନ୍ତି। ତେଣୁ ସେମାନଙ୍କୁ ଶାସ୍ତି ଦେବା ପାଇଁ ଏନକାଉଣ୍ଟର୍‌ ହିଁ ଉଚିତ ପଦକ୍ଷେପ।
-ଶ୍ରୀବତ୍ସ ମହାନ୍ତି, ଯାଆଁଳା
-ପ୍ରକାଶ ଚନ୍ଦ୍ର ବାରିକ ପୁରୀ

ମଝିରେ ମଝିରେ ଅପରାଧୀଙ୍କୁ ଏନକାଉଣ୍ଟର୍‌ କରି ପୁଲିସ ବାହାବା ନେଲେ ହେବ ନାହିଁ। କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ରାଜ୍ୟରେ ବଢୁଥିବା ଅପରାଧକୁ ନିୟନ୍ତ୍ରଣ କରିବା ଆବଶ୍ୟକ।
-ଶ୍ରୀବାସ ମହାନ୍ତି, ରତ୍ନାକର ବାଗ
-ପ୍ରଦୀପ୍ତ ରଞ୍ଜନ ମିଶ୍ର

ଲୋକଦେଖାଣିଆ ଏନକାଉଣ୍ଟର୍‌ ନକରି ଅପରାଧୀଟିଏ କିପରି କୋର୍ଟଙ୍କ ଦ୍ବାରା କଠୋର୍‌ ଦଣ୍ଡ ପାଇବ, ପୁଲିସକୁ ସେ ବ୍ୟବସ୍ଥା କରିବା ଦରକାର। ସମାଜରୁ ଅପରାଧ କମାଇବା ପାଇଁ ଏନ୍‌କାଉଣ୍ଟର୍‌ ଏକମାତ୍ର ବିକଳ୍ପ ନୁହେଁ।
-ରାକେଶ ବଳ, ବିଜେବି ନଗର

ବହୁ ସଙ୍ଗିନ ଅପରାଧରେ ଲିପ୍ତ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଏନକାଉଣ୍ଟର୍‌ କରିବା ଆଇନତଃ ଯୁକ୍ତିଯୁକ୍ତ ଓ ଯଥାର୍ଥ। ଅପରାଧ ନିୟନ୍ତ୍ରଣ କ୍ଷେତ୍ରରେ ଏହା ଆଇନର ମର୍ଯ୍ୟାଦାକୁ ଉଲ୍ଲଂଘନ କରିବ ନାହିଁ। ସେଥିଲାଗି ସରକାର ପୁଲିସଙ୍କୁ ସ୍ୱତନ୍ତ୍ର କ୍ଷମତା ପ୍ରଦାନ କରିବା ଉଚିତ।
-ଅଶୋକ କୁମାର ଆଢ଼୍ୟ ପୁରୀ

ସମ୍ବନ୍ଧିତ ଖବର