ରୁଷ୍‌ ଓ ଭାରତ ମଧ୍ୟରେ କ୍ଷୀର-ନୀରର ସଂପର୍କ, ଏକଥା ପୂରା ବିଶ୍ବ ଜାଣିଛି। ଅତୀତରେ ଯେତେବେଳେ ବି ଭାରତ ଉପରେ ବିପଦ ପଡ଼ିଛି, ରୁଷ୍‌ ସବୁବେଳେ ସାହାଯ୍ୟର ହାତ ବଢ଼ାଇଛି। ତେଣୁ ଚୀନ୍‌ ଆମକୁ ଆକ୍ରମଣ କଲେ, ରୁଷ୍‌ ନିଶ୍ଚିତ ଭାବେ ଆମ ସମର୍ଥନରେ ବାହାରିବ। ‘ସମ୍ବାଦ’ ଫୋନ୍‌-ଇନ୍‌-ପ୍ଲିଜ୍‌ର ଚଳିତଥରର ବିଷୟ ‘ଭାରତକୁ ଚୀନ୍ ଆକ୍ରମଣ କଲେ ରୁଷିଆ ପିଠିରେ ପଡ଼ିବ ନା ନାଇଁ?’ରେ କିଛି ପାଠକ ଏପରି ମତାମତ ରଖିଥିବା ବେଳେ ଆଉ କିଛି ପାଠକଙ୍କ ମତ ସଂପୂର୍ଣ୍ଣ ଭିନ୍ନ। ସେମାନଙ୍କ କହିବା କଥା, ବିଶ୍ବ ରାଜନୀତିରେ ବଡ଼ ପରିବର୍ତ୍ତନ ହୋଇସାରିଛି। ଆଜିକା ଯୁଗରେ କେହି କାହାର ମିତ୍ର କି ଶତ୍ରୁ ରାଷ୍ଟ୍ର ନୁହେଁ। ସ୍ବାର୍ଥସାଧନ ହେଲେ ମିତ୍ର ଓ ସ୍ବାର୍ଥରେ ବ୍ୟାଘାତ ଘଟିଲେ ଶତ୍ରୁରାଷ୍ଟ୍ର। ତେଣୁ ଚୀନ୍‌ ଆମକୁ ଆକ୍ରମଣ କଲେ, କାହିଁକି ରୁଷ୍ ଆମକୁ ସାହାଯ୍ୟ କରି ଖାଲିଟାରେ ଚୀନ୍‌ର ଶତ୍ରୁ ହେବ। ସେହିପରି ଆଉ କିଛି ପାଠକଙ୍କ କହିବା କଥା, ଏବେର ଭାରତ ସବୁକ୍ଷେତ୍ରରେ ଖୁବ୍‌ ଶକ୍ତିଶାଳୀ। ତେଣୁ ସେ ଚୀନ୍‌ ହେଉ କି ଅନ୍ୟ କେଉଁ ଶକ୍ତିଶାଳୀ ଦେଶ; ଯିଏ ବି ଆକ୍ରମଣ କଲେ, ଭାରତ ତା’ର କଡ଼ା ଜବାବ ଦେବାକୁ ସମର୍ଥ। ଏଥିପାଇଁ ରୁଷ୍‌ର ସାହାଯ୍ୟ ବା ସମର୍ଥନର ଆବଶ୍ୟକତା ନାହିଁ।

Advertisment

ଅତୀତ ଅପେକ୍ଷା ବର୍ତ୍ତମାନ ଭାରତର ବୈଦେଶିକ ବ୍ୟାପାର ନୀତିରେ ଯଥେଷ୍ଟ ଉନ୍ନତି ହୋଇଛି। ସଫଳ କୂଟନୀତି ପାଇଁ ଆମେ ଅନେକ ଦେଶ ସହ ମିତ୍ରତା ସ୍ଥାପନ କରିପାରିଛୁ। ଆମର ପ୍ରତିରକ୍ଷା ମନ୍ତ୍ରାଳୟ ଓ ବ୍ୟବସ୍ଥା ମଧ୍ୟ ପୂର୍ବାପେକ୍ଷା ଶକ୍ତିଶାଳୀ। ତେଣୁ ଭାରତକୁ ଆକ୍ରମଣ କରିବାକୁ ଚୀନ୍‌ କେବେ ଦୁଃସାହସ କରିବନି ବୋଲି ମୁଁ ଭାବୁଛି। ଚୀନ୍‌ ସହ ଭାରତର ବ୍ୟାବସାୟିକ ସଂପର୍କ ମଧ୍ୟ ଭଲ ଅଛି। ତେଣୁ ଜାଣି ଜାଣି ଚୀନ୍‌ କାହିଁକି ନିଜ ଗୋଡ଼ରେ କୁରାଢ଼ି ମାରିବ।
ବୁଲୁ ପଟ୍ଟନାୟକ, ରସୁଲଗଡ଼/ପ୍ରିୟବ୍ରତ ଗୋସ୍ବାମୀ, ଭଦ୍ରକ
ଅରୁଣ କୁମାର ଦାସ, ସତ୍ୟବିହାର/ସୁରେନ୍ଦ୍ର କୁମାର ନାୟକ, ନିଆଳି
ଜୁପିଟର ଦାସ, ପୁରୀ

ରୁଷ୍‌ ଭାରତର ବନ୍ଧୁ। ଅତୀତରେ ବି ବିପଦ ସମୟରେ ରୁଷ୍‌ ଆମ ସହ ଛିଡ଼ା ହୋଇ ମିତ୍ରତାର ପ୍ରମାଣ ଦେଇସାରିଛି। ତେଣୁ ଆଗକୁ ଛିଡ଼ା ହେବ ବୋଲି ମୋର ଆଶା।
ବୀରେନ୍ଦ୍ର ଭୂଷଣ ହୋତା, ପୁରୀ/ସନ୍ତୋଷ କୁମାର ନାୟକ, ଖୋର୍ଦ୍ଧା

ଆଜିର ଭାରତ, ୧୯୬୧ ମସିହାର ଭାରତଠାରୁ ବହୁତ ଶକ୍ତିଶାଳୀ। ଏକଥା ଚୀନ୍‌ ବି ଠିକ୍‌ ଭାବେ ଜାଣିଛି। ଚୀନ୍‌ କ’ଣ, ଅନ୍ୟ କେଉଁ ଶକ୍ତିଶାଳୀ ଦେଶ ବି ଆକ୍ରମଣ କଲେ, ଭାରତ ତା’ର କଡ଼ା ଜବାବ ଦେବାକୁ ସମର୍ଥ। ତେଣୁ ରୁଷ୍‌ ସାହାଯ୍ୟ କଲେ କେତେ, ନ କଲେ କେତେ; ଫରକ୍‌ ପଡ଼ିବନି। ଯୁଦ୍ଧ କ୍ଷେତ୍ର‌ରେ ଆମକୁ ଅନ୍ୟ କେଉଁ ଦେଶର ସାହାଯ୍ୟର ଆବଶ୍ୟକତା ନାହିଁ।
ସୁରଞ୍ଜନ ରାଉତ, କଟକ

ଖାଲି କୂଟନୈତିକ ନୁହେଁ, ଭାରତ ଏବଂ ରୁଷ୍ ମଧ୍ୟ‌ରେ ଏକ ହୃଦୟଗତ ସଂପର୍କ ରହିଛି। ପ୍ରତିଟି ସୁବିଧା ଅସୁବିଧାରେ ଭାରତ ସହ ରୁଷ୍ ଛିଡ଼ା ହୋଇ ଆସିଛି। ଯଦି ଚୀନ୍‌, ଆମକୁ ଆକ୍ରମଣ କରେ, ରୁଷ୍ ନିଶ୍ଚିତ ଭାବେ ଭାରତ ସପକ୍ଷରେ ରହିବ, ଏଥିରେ କୌଣସି ସନ୍ଦେହ ନାହିଁ।
ଶ୍ରୀଧର ବଳିଆରସିଂ, ବରମୁଣ୍ଡା
ଆହ୍ବାନ କୁମାର ପାଇକରାୟ, ୟୁନିଟ୍‌-୩

ବିଭିନ୍ନ ପ୍ରସଙ୍ଗରେ ରୁଷ୍‌ ଏବେ ଉଭୟ ଚୀନ୍‌ ଓ ପାକିସ୍ତାନର ନିକଟତର ହେଉଥିବାରୁ ରୁଷ୍‌ ପୂର୍ବଭଳି ଆମକୁ ଅନ୍ଧ ଭାବେ ସମର୍ଥନ କରୁନାହିଁ। ଗତବର୍ଷ ଗଲୱାନ୍ ଉପତ୍ୟକାରେ ଭାରତ ଓ ଚୀନ୍‌ ସେନା ମୁହାଁମୁହିଁ ହେବା ଘଟଣାରେ ରୁଷ୍‌ ନିରପେକ୍ଷତା ଅବଲମ୍ବନ କରି ନିରବ ରହିବା ଏହାର ଏକ ଉଦାହରଣ। ତେଣୁ ଚୀନ୍‌ ଭାରତକୁ ଆକ୍ରମଣ କଲେ ରୁଷ୍‌ ଯେ ଭାରତକୁ ଅକୁଣ୍ଠ ଚିତ୍ତରେ ସମର୍ଥନ ଓ ସାହାଯ୍ୟ କରିବ, ତାହା ସନ୍ଦିହାନ।
ରମେଶ ଚନ୍ଦ୍ର ନାୟକ, ବକ୍ସି ବଜାର, କଟକ

ଆଜିର ଯୁଗରେ କେହି କାହାର ମିତ୍ର ବା ଶତ୍ରୁ ନୁହେଁ। ସମସ୍ତେ ସମସ୍ତଙ୍କ ଫାଇଦା ପାଇଁ ବ୍ୟସ୍ତ। ସ୍ବାର୍ଥସାଧନ ହେଲେ ମିତ୍ର ଓ ସ୍ବାର୍ଥହାନି ହେଲେ ଶତ୍ରୁ ରାଷ୍ଟ୍ର। ତେଣୁ ଭାରତ-ଚୀନ୍‌ ଯୁଦ୍ଧ ହେଲେ, ରୁଷ୍‌ର କିଛି ଫାଇଦା ନଥିଲେ ସେ ଭାରତକୁ କାହିଁକି ସାହାଯ୍ୟ କରିବ। ଆଉ ଗୋଟିଏ କଥା ହେଲା, ଏବେ ରୁଷ୍‌ ଓ ଚୀନ୍‌ ମଧ୍ୟରେ ବି ଭଲ୍‌ ସଂପର୍କ ରହିଛି। ତେଣୁ ଆମେ ଆଖିବୁଜି କହିପାରିବା ନାହିଁ ଯେ ଯୁଦ୍ଧ ହେଲେ, ରୁଷ୍‌ ଆମ ସହ ରହିବ ବୋଲି।
ସୁଧାକର ଦାସ, ପ୍ରାଣନାଥ ସ୍ୱୟଂଶାସିତ ମହାବିଦ୍ୟାଳୟ

ୟୁକ୍ରେନ୍‌ ଯୁଦ୍ଧରେ ରୁଷ୍‌ର ହଜାର ହଜାର ସୈନିକଙ୍କ ମୃତ୍ୟୁ ହେଲାଣି। ରୁଷ୍‌ର ଯୁଦ୍ଧ ବିମାନ, ଟ୍ୟାଙ୍କ ବି କ୍ଷତିଗ୍ରସ୍ତ ହେଲାଣି। ଏଭଳି ସ୍ଥିତିରେ ରୁଷ୍‌ ଭାରତକୁ ସାହାଯ୍ୟ କରିବା ଭଳି ମନେ ହେଉନାହିଁ।
କୈଳାସ ଚନ୍ଦ୍ର ପୃଷ୍ଟି, ଖୋର୍ଦ୍ଧା

ରୁଷ୍‌ ଓ ଭାରତର ସଂପର୍କ ୫୦ବର୍ଷରୁ ଊର୍ଧ୍ବ। ପ୍ରଧାନମନ୍ତ୍ରୀ ଏହାକୁ ଆହୁରି ସୁଦୃଢ଼ କରିଛନ୍ତି। ତେଣୁ ଆବଶ୍ୟକ ସମୟରେ ରୁଷ୍‌ ଭାରତକୁ ନିଶ୍ଚିତ ସାହାଯ୍ୟ କରିବ।
ଶେଖ୍ ୟାକୁବ, ଗୋପ, ପୁରୀ

ରୁଷ୍‌ ଓ ଭାରତ ମଧ୍ୟରେ ଏକ ସୁନ୍ଦର, ମଜଭୁତ ସଂପର୍କ ରହିଛି। ପରିସ୍ଥିତି ଯେତେ ଖରାପ ହେଲେ ମଧ୍ୟ ଭାରତକୁ ରୁଷ୍‌ କେବେ ପର କରିବ ନାହିଁ। ଚୀନ୍‌ ଆମ ସହ ଯୁଦ୍ଧ କଲେ, ଖାଲି ରୁଷ୍‌ ନୁହେଁ, ଅନ୍ୟ ରାଷ୍ଟ୍ରମାନେ ମଧ୍ୟ ଆମକୁ ସାହାଯ୍ୟ କରିବେ।
ନୀଳମଣି ମିଶ୍ର,ସୁନ୍ଦରପଦା

ବର୍ତ୍ତମାନ ୟୁକ୍ରେନ୍‌ ସହ ଯୁଦ୍ଧରେ ଚୀନ୍‌ ରୁଷ୍‌କୁ ସବୁପ୍ରକାର ସହାୟତା ଯୋଗାଇ ଦେଉଛି। ତେଣୁ ଭାରତ-ଚୀନ୍‌ ଯୁଦ୍ଧ ହେଲେ ରୁଷ୍‌ ନିରପେକ୍ଷ ନୀତି ଆପଣାଇ ନିରବ ରହିବ।
ଆଶିଷ କୁମାର ପାଣି, ଭୁବନେଶ୍ବର

ଭାରତ-ଚୀନ୍‌ ଯୁଦ୍ଧ ହେବାର କୌଣସି ସମ୍ଭାବନା ହିଁ ନାହିଁ। ଯୁଦ୍ଧ ହେଲେ ବି ଚୀନକୁ ଏକାକୀ କଡ଼ା ଜବାବ ଦେବା ଲାଗି ଭାରତ ସକ୍ଷମ।
ଯୁଧିଷ୍ଠିର ବେହେରା, ଭୁବନେଶ୍ବର

ଭାରତକୁ ଚୀନ୍‌ ଆକ୍ରମଣ କଲେ ରୁଷ୍‌ ନିଶ୍ଚିତ ରୂପେ ଆମକୁ ସାହାଯ୍ୟ କରିବ।
ସୁଶାନ୍ତ ବେହେରା, ନୟାଗଡ଼
ପ୍ରଶାନ୍ତ କୁମାର ଦେଓ, ଭୁବନେଶ୍ବର
ପ୍ରସନ୍ନ ପାଇକରାୟ, ଖୋର୍ଦ୍ଧା

ଚୀନ୍‌ ଆକ୍ରମଣ କଲେ, ରୁଷ୍‌ ଭାରତକୁ ସାହାଯ୍ୟ କରିବ ନାହିଁ। କାରଣ ଅସ୍ତ୍ରଶସ୍ତ୍ର କ୍ଷେତ୍ରରେ ଚୀନ୍‌ ଓ ରୁଷ୍‌ ଉଭୟ ଶକ୍ତିଶାଳୀ ରାଷ୍ଟ୍ର। ରୁଷ୍‌ ଯଦି ଭାରତକୁ ସାହାଯ୍ୟ କରିବ, ତେବେ ସେ ଚୀନ୍‌ର ଶତ୍ରୁ ହୋଇଯିବ।
ପ୍ରକା‌ଶ କୁମାର ବଳ, ଯାଜପୁର

ଭାରତ ଅସୁବିଧାରେ ପଡ଼ିଲେ, କୌଣସି ରାଷ୍ଟ୍ର ସାହାଯ୍ୟ କରିବେ ନାହିଁ। ତେଣୁ ଆମକୁ ସଶସ୍ତ୍ର ହେବାକୁ ପଡ଼ିବ। ଆମ ସାମରିକ ବାହିନୀକୁ ମଜଭୁତ୍‌ କରିବା ଦିଗରେ କାର୍ଯ୍ୟ କରିବାକୁ ପଡ଼ିବ।
କାବୁ ମିଶ୍ର, ଗୌତମନଗର

ଭାରତ-ଚୀନ୍‌ ଯୁଦ୍ଧ ହେଲେ ରୁଷ୍‌ କାହିଁକି ଭାରତକୁ ସାହାଯ୍ୟ କରି ଅଯଥାରେ ଚୀନ୍‌ର ଶତ୍ରୁ ହେବା ପାଇଁ ଚାହିବ?
ଡା‌. ନଗେନ୍ଦ୍ରନାଥ ମିଶ୍ର, ସାମନ୍ତରାପୁର

ରୁଷ୍‌ ଆମର ବହୁ ପୁରାତନ ବନ୍ଧୁ। ସେହିପରି ଚୀନ୍‌ର ମଧ୍ୟ ରୁଷ୍‌ ସହ ବହୁତ ଭଲ ସମ୍ପର୍କ। ତେଣୁ ଆମ ସହ ଚୀନ୍‌ର ଯୁଦ୍ଧ ହେଲେ ରୁଷ୍‌ ନିରବ ରହିବ।
ଶିବସୁନ୍ଦର ମିଶ୍ର, ପୁରୀ

ଶତ୍ରୁ ପକ୍ଷକୁ ମୁକାବିଲା କରିବା ପାଇଁ ଭାରତ ଏବେ ସଶକ୍ତ ଏବଂ ସ୍ବାବଲମ୍ବୀ। ଯଦି ବି ‌କେବେ ସାହାଯ୍ୟର ଆବଶ୍ୟକତା ପଡ଼େ, ତେବେ ଆମକୁ କେବଳ ରୁଷିଆ ନୁହେଁ, ଆମରିକା ମଧ୍ୟ ସାହାଯ୍ୟ କରିବାକୁ ଆଗେଇ ଆସିବ।
ଛାୟାକାନ୍ତ ନାୟକ, ବାଲିଘାଟ, ପୁରୀ

ଭାରତର ପରମବନ୍ଧୁ ରୁଷ୍‌। ତେଣୁ ଚୀନ୍‌ କିମ୍ବା ଅନ୍ୟ ଯେକୌଣସି ଦେଶ ଭାରତକୁ ଆକ୍ରମଣ କଲେ ରୁଷ୍‌ ନିଶ୍ଚିତ ସାହାଯ୍ୟ କରିବ।
ଡା. ଲାଲମୋହନ, ଭୁବନେଶ୍ବର