ଫୋନ୍‌-ଇନ୍‌-ପ୍ଲିଜ୍‌: କେଜ୍ରିୱାଲଙ୍କ କଥାକୁ ଗୁରୁତ୍ବ ଦିଆଯିବା ଉଚିତ ନୁହେଁ

ମା’ ଲକ୍ଷ୍ମୀ ଓ ଗଣେଶ ହିନ୍ଦୁମାନଙ୍କ ଆରାଧ୍ୟ। କିନ୍ତୁ ତାଙ୍କ ଫଟୋକୁ ଭାରତୀୟ ମୁଦ୍ରା(ନୋଟ୍‌)ରେ ରଖାଯିବା ଅପ୍ରାସଙ୍ଗିକ। ଭାରତୀୟ ନୋଟ୍‌ରେ ପରିବର୍ତ୍ତନ ହେଲେ, ତାହା ରାଜନୈତିକ, ଅର୍ଥନୈତିକ ଭଳି ବିଭିନ୍ନ ସମସ୍ୟା ଡାକି ଆଣିବ। ଆସନ୍ତା ଗୁଜରାଟ ନିର୍ବାଚନକୁ ନେଇ ଅରବିନ୍ଦ କେଜ୍ରିୱାଲ ଯାହା କହିଛନ୍ତି, ତାହା ଉପରେ ବେଶି ଗୁରତ୍ବ ଦେବା ଉଚିତ ନୁହେଁ। ସମ୍ବାଦ ଫୋନ୍‌-ଇନ୍‌ -ପ୍ଲିଜ୍‌ର ଚଳିତଥରର ପ୍ରସଙ୍ଗ ‘ନୋଟରେ ଲକ୍ଷ୍ମୀ ଗଣେଶଙ୍କ ଫଟୋ ରହିବା ଉଚିତ’‌ରେ ଭାଗ ନେଇଥିବା ଅଧିକାଂଶ ପାଠକ ଏପରି ମତ ଦେଇଛନ୍ତି।

ଭାରତ ଏକ ଧର୍ମ ନିରେପକ୍ଷ ଦେଶ। ଭାରତରେ ବିଭିନ୍ନ ଭାଷାଭାଷୀ ଲୋକ ବାସ କରନ୍ତି। ଲକ୍ଷ୍ମୀ ମାତା ଓ ଶ୍ରୀଗଣେଶ ହେଉଛନ୍ତି ହିନ୍ଦୁ ଧର୍ମର ଦେବତା। ଏହି କଥାକୁ ସବୁ ଧର୍ମାବଲମ୍ବୀ ମାନନ୍ତି ନାହିଁ। ତେଣୁ ହିନ୍ଦୁ ଧର୍ମର ଦେବଦେବୀମାନଙ୍କୁ ଅନ୍ୟ ଧର୍ମର ଲୋକମାନଙ୍କ ଉପରେ ଲଦି ଦେବା କଥା‌ ନୁହେଁ। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଗୁଜରାଟ ନିର୍ବାଚନକୁ ଆଖି ଆଗରେ ରଖି ଏଭଳି କହିଛନ୍ତି।
-ନୀଳମଣି ମିଶ୍ର, ସୁନ୍ଦରପଦା

ନୋଟ୍‌ରେ ହିନ୍ଦୁ ଦେବଦେବୀଙ୍କ ଫଟୋ ରଖାଯିବା ପ୍ରସଙ୍ଗକୁ ରାଜନୈତିକ ଦୃଷ୍ଟିକୋଣରୁ ବିରୋଧ କରାଯାଇପାରେ। କିନ୍ତୁ ହିନ୍ଦୁ ଭାବାବେଗ ଦୃଷ୍ଟିକୋଣରୁ ଏହାକୁ ପ୍ରଚଳିତ କଲେ, ସ୍ୱାଗତଯୋଗ୍ୟ ପଦକ୍ଷେପ। ଅନ୍ୟପକ୍ଷରେ ଅର୍ଥନୈତିକ ଅଭିବୃଦ୍ଧି ବା ବିଶ୍ୱ ବଜାରରେ ଟଙ୍କାର ମୂଲ୍ୟ କମ୍‌ ବେଶିକୁ ମଧ୍ୟ ଲକ୍ଷ୍ୟ କରି ଏପରି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡ଼ିବ।
-ରାକେଶ ବଳୟ, କେନ୍ଦ୍ରାପଡ଼ା

ନୋଟ୍‌ରେ ଲକ୍ଷ୍ମୀ ଗଣେଶଙ୍କ ଫଟୋ ରହିବା ଅନାବଶ୍ୟକ। ବ୍ରିଟିସ୍‌ ଶାସନ ସମୟରେ କଉଡ଼ି ପ୍ରଚଳିତ ଥିଲା। ବ୍ରିଟିସ ସରକାର ୫୧୨୦ଟି କଉଡିକୁ ଏକ ଟଙ୍କା ସହ ସମାନ କରିଦେବା ପରେ ଅବମୂଲ୍ୟାୟନ ପରିସ୍ଥିତି ସୃଷ୍ଟି ହୋଇଥିଲା। ବିଭିନ୍ନ ଦେଶରେ ଭିନ୍ନଭିନ୍ନ ମୁଦ୍ରାର ପ୍ରଚଳିତ ରହିଛି। ସେହି କ୍ରମରେ ଭାରତରେ ଟଙ୍କାର ପ୍ରଚଳନ ରହିଛି। ତେଣୁ ତାହାକୁ ପରିବର୍ତ୍ତନ କରାଗଲେ, ଭାରତୀୟ ଅର୍ଥନୀତି ଉପରେ ବଡ଼ ପ୍ରଭାବ ପଡ଼ିପାରେ। ଲକ୍ଷ୍ମୀ, ଗଣେଶଙ୍କ ସ୍ଥାନ ମନ୍ଦିରରେ। ତେଣୁ ନୋଟ୍‌ରେ ରହିବା ଅନାବଶ୍ୟକ।
-କମଳାକାନ୍ତ ସେନାପତି, ନାଗେଶ୍ବରଟାଙ୍ଗୀ

ଅରବିନ୍ଦ କେଜ୍ରିୱାଲ ଜଣେ ବିଚକ୍ଷଣ ରାଜନେତା। ଗୁଜରାଟ ନିର୍ବାଚନରେ ହିନ୍ଦୁ କାର୍ଡ ଖେଳି ନୋଟ୍‌ରେ ଲକ୍ଷ୍ମୀ, ଗଣେଶଙ୍କ ଫଟୋ ଛାପିବାକୁ ପ୍ରସ୍ତାବ ‌ଦେଇଛନ୍ତି। ଭାରତୀୟ ନୋଟ୍‌ରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଫଟୋ ରହିବା ଉଚିତ। ଏହାକୁ ବଦଳାଇ ଅନ୍ୟ କୌଣସି ଫଟୋ ରହିବା ଉଚିତ ନୁହେଁ।
-ଦିନାନାଥ ଦାସ, ଲକ୍ଷ୍ମୀସାଗର

ଭାରତୀୟ ‌‌ନୋଟରେ ଲକ୍ଷ୍ମୀ ଗଣେଶଙ୍କ ଫଟୋ ରହିବା ଆବଶ୍ୟକ। କାହାର ବ୍ୟକ୍ତିଗତ ଫଟୋ ରଖିବା ଉଚିତ ନୁହେଁ। ଏବେ ଗାନ୍ଧୀଜୀଙ୍କ ଫଟୋ ରହିଛି। ଭବିଷ୍ୟତରେ ସରକାର ବଦଳି ଗଲେ ମହାତ୍ମା ଗାନ୍ଧୀଙ୍କ ଫଟୋ ବଦଳାଇ ସେମାନେ ନିଜ ଫଟୋ ବି ଛପାଇ ଦେଇପାରନ୍ତି। କିନ୍ତୁ ଲକ୍ଷ୍ମୀ, ଗଣେଶଙ୍କ ଫଟୋ ରହିଲେ ଏକ ଭକ୍ତିଭାବନା ରହିବ। ସମସ୍ତ‌େ ଏହାକୁ ଗ୍ରହଣ କରିବେ।
-ବୁଦ୍ଧନାଥ ମହାପାତ୍ର, ଭୁବନେଶ୍ବର

ନୋଟ୍‌ରେ ଏବେ ଅହିଂସାର ଦେବତା ମହାତ୍ମା ଗାନ୍ଧୀଙ୍କ ଫଟୋ ରହିଛି। ତେଣୁ ସେ ସ୍ଥାନରେ ଦେବଦେବୀଙ୍କ ଫଟୋ ରଖିବାର କ’ଣ ଆବଶ୍ୟକତା ରହିଛି? ଆଜି ହିନ୍ଦୁ ଦେବଦେବୀଙ୍କ ଫଟୋ ରହିଲେ, କାଲିକି ଆଉ କେହି ଅନ୍ୟ ଧର୍ମର ଦେବତାଙ୍କୁ ନୋଟ୍‌ରେ ଛାପିବାକୁ ଦାବି କରିବେ।
-ଭାଗୀରଥୀ ଦାସ, ସତ୍ୟବିହାର

ନୋଟ୍‌ରେ ଲକ୍ଷ୍ମୀ, ଗଣେଶ ଛାପିଲେ ଭାରତର ଅର୍ଥ ଭଣ୍ଡାର କ’ଣ ପୂରିଯିବ? ଏହା ସବୁ ହୀନମନ୍ୟତାର ପରିଚୟ। କେବଳ ଲୋକପ୍ରିୟତା ଓ ନିର୍ଦ୍ଦିଷ୍ଟ ବର୍ଗର ଭୋଟ୍‌ ହାତେଇବା ପାଇଁ ହୀନ ଚକ୍ରାନ୍ତ। ଏହାକୁ ବିରୋଧ କରିବା ଉଚିତ।
-ଶ୍ରୀବାସ ମହାନ୍ତି, ରତ୍ନାକର ବାଗ

ଭାରତ ଭଳି ଏକ ଧର୍ମନିରପେକ୍ଷ ଦେଶର ନୋଟ୍‌ରେ ଦେବଦେବୀଙ୍କ ଫଟୋ ଛାପିବା ଏକ ପାଗଳର ପ୍ରଳାପ ସଦୃଶ। ଏହି ନିଷ୍ପତ୍ତିକୁ ଅନ୍ୟ ଧର୍ମର ଲୋକମାନେ ଗ୍ରହଣ କରିବେ ନାହିଁ। ଫଳରେ ଦେଶରେ ଅସନ୍ ତୋଷ ବଢ଼ିବ।
-ବ୍ରଜରାଜ ରଥ, ଡେଲଟା ଛକ

ନୋଟ୍‌ରେ ଲକ୍ଷ୍ମୀ, ଗଣେଶଙ୍କ ଫଟୋ ଛାପିବା ଖାଲି ଗୋଟିଏ ରାଜନୈତିକ ଭାଷଣବାଜି। ଏହାକୁ ଗୁରୁତ୍ବ ଦେବା ଉଚିତ ନୁହେଁ। ଏପରି ପାଗଳାମି କଲେ, ଭାରତୀୟ ମୁଦ୍ରାର ମୂଲ୍ୟ ଡଲାର ତୁଳନାରେ ଆହୁରି କମିଯିବ।
-ଆହ୍ବାନ କୁମାର ପାଇକରାୟ, ୟୁନିଟ ୩

ଭାରତୀୟ ନୋଟ୍‌ରେ ଶ୍ରୀଗଣେଶ ଓ ମା’ ଲକ୍ଷ୍ମୀଙ୍କ ଫଟୋ ଛାପିବା, ଏକ ହୀନ ମାନସିକତାର ପ୍ରତିଫଳନ। ‌ଦେବ‌ଦେବୀଙ୍କ ଫ‌‌ଟୋ ଛାପିଲେ ଅନ୍ୟ ଧର୍ମର ଲୋକମାନେ ଆମ ହିନ୍ଦୁ ଧର୍ମର ‌ଦେବ‌ଦେବୀଙ୍କ ଥଟ୍ଟା, ପରିହାସ କରିବେ।
-ରମେଶ ଚନ୍ଦ୍ର ମହାପାତ୍ର, ଡୁମୁଡୁମା

ନୋଟରେ ଲକ୍ଷ୍ମୀ ଓ ଗଣେଶଙ୍କ ଫଟୋ ଛାପିବା ଏକ ରାଜନୈତିକ ଉଦ୍ଦେଶ୍ୟମୂଳକ ବୟାନ। ଗୁଜରାଟ ଏକ ହିନ୍ଦୁବହୁଳ ରାଜ୍ୟ ହୋଇଥିବାରୁ ଅରବିନ୍ଦ କେଜ୍ରିୱାଲ ଏଭଳି କହିଛନ୍ତି। ନୋଟ୍‌ରେ ହିନ୍ଦୁ ଦେବଦେବୀଙ୍କ ଫଟୋ ରହିଲେ ‌ଏକ ଗଣତନ୍ତ୍ର ଓ ଧର୍ମ ନିରପେକ୍ଷ ଦେଶରେ ଜାତିବାଦ ମୁଣ୍ଡ ଟେକିବ। ତେଣୁ ଏହା କଦାପି କାର୍ଯ୍ୟକାରୀ କରାଯିବା ଉଚିତ ନୁହେଁ।
-ଦେବାଶିଷ ସାହୁ, ଏକାମ୍ର କଲେଜ
-ଶ୍ରୀବତ୍ସ ମହାନ୍ତି, ଯାଁଳା

ଟଙ୍କାରେ ଦେବଦେବୀଙ୍କ ମୂର୍ତ୍ତି ରହିବା ଉଚିତ ନୁହେଁ। ଏହି ସବୁ ଅବାନ୍ତର କଥାରୁ ଦୂରରେ ରହି ନକଲି ଟଙ୍କାକୁ ରୋକିବା ଓ ଅନ୍ତର୍ଜାତୀୟ ବଜାର‌ରେ ଟଙ୍କାକୁ ସୁଦୃ୍ଢ଼ କରିବା ଦିଗରେ ଚିନ୍ତା କରାଯିବା ଉଚିତ।
-କାବୁ ମିଶ୍ର, ଗୌତମନଗର

ହିନ୍ଦୁ ଦେବଦେବୀମାନଙ୍କୁ ଶ୍ରଦ୍ଧାର ସହ ମନ୍ଦିରରେ ରଖି ପୂଜା କରାଯାଉଛି। ଭାରତ ଏକ ଧର୍ମନିରପେକ୍ଷ ରାଷ୍ଟ୍ର ଓ ନୋଟ୍‌ ହେଉଛି ସରକାରଙ୍କ ଏକ ଆ‌ଜ୍ଞାପତ୍ର। ଏହି ପତ୍ରରେ ଦେବଦେବୀଙ୍କ ଫଟୋ ରଖାଗାଲେ, ତାହା ଦେବଦେବୀଙ୍କ ପ୍ରତି ଅସମ୍ମାନ ହେବ। ଏହା ବ୍ୟତୀତ, ପୁଣି ବିମୁଦ୍ରୀକରଣ କରି ନୋଟ୍‌ ବଦଳାଇଲେ ଦେଶର ବହୁତ କ୍ଷତି ହେବ।
-ସୁରେନ୍ଦ୍ର କୁମାର ନାୟକ, ନିଆଳି

ନୋଟ୍‌ରେ ମା’ ଲକ୍ଷ୍ମୀ ଓ ଶ୍ରୀଗଣେଶଙ୍କ ଫଟୋ ରହିବା ଠିକ୍‌ ନିଷ୍ପତ୍ତି। ସେ ଆମର ଆରାଧ୍ୟ ଦେବତା।
-ପ୍ରଶାନ୍ତ କୁମାର ମିଶ୍ର, ଭୁବନେଶ୍ବର
-ଜୀବନାନନ୍ଦ ପାତ୍ର, ରାଜନଗର
-କେଦାର ସାହୁ, ଲିଙ୍ଗିପୁର

ସମ୍ବନ୍ଧିତ ଖବର