ଫୋନ୍‌-ଇନ୍‌-ପ୍ଲିଜ୍‌ : ବିଧାୟକ ସରକାରୀ ଚାକିରିଆ ନୁହନ୍ତି

ବିଧାୟକଙ୍କ ଦରମା ୨ ଲକ୍ଷ ଟଙ୍କାକୁ ବୃଦ୍ଧି ପ୍ରସ୍ତାବ ଆଦୌ ଯୁକ୍ତିଯୁକ୍ତ ନୁହେଁ। ବିଧାୟକମାନେ ଲୋକପ୍ରତିନିଧି। ସେମାନେ ସ୍ବଇଚ୍ଛାରେ ଲୋକଙ୍କ ସେବା କରିବା ପାଇଁ ଏ କ୍ଷେତ୍ରକୁ ଆସିଛନ୍ତି। ତେଣୁ ସେବା ଦରମା ମିଳିବା ବାଧ୍ୟତାମୂଳକ ହେବା ଉଚିତ ନୁହେଁ। ଚଳିତଥର ‘ସମ୍ବାଦ’ ଫୋନ୍‌-ଇନ୍‌-ପ୍ଲିଜ୍‌‌ରେ ଭାଗ ନେଇଥିବା ପାଠକମାନେ ଏପରି ମତ ରଖିଛନ୍ତି।

ବିଧାୟକମାନେ ବିନା ଦରମାରେ କାମ କରିବା କଥା। ସେମାନେ କ’ଣ ସରକାରୀ ଚାକିରିଆ ଯେ ଦରମା ପାଇବେ। ବିଜୁବାବୁ ମୁଖ୍ୟମନ୍ତ୍ରୀ ଥିବା ବେଳେ ମାତ୍ର ଟଙ୍କାଟିଏ ଦରମା ନେଉଥିଲେ। ବର୍ତ୍ତମାନର ବିଧାୟକ ତାଙ୍କୁ ଅନୁକରଣ କରିବା ପରିବର୍ତ୍ତେ ସ୍ବାର୍ଥନ୍ବେଷୀ ହୋଇଯାଉଛନ୍ତି।
-କାବୁ ମିଶ୍ର, ଗୌତମନଗର
-ମନୋରଂଜନ ମହାନ୍ତି, ଭୁବନେଶ୍ବର
-ରଶ୍ମିରଂଜନ ହରିଚନ୍ଦନ, ଭୁବନେଶ୍ବର
-କମଳାକାନ୍ତ ସେନାପତି, ନାଗେଶ୍ବରଟାଙ୍ଗୀ

ବିଧାୟକମାନେ ସରକାରଙ୍କ ପାଖରୁ ଅନେକଗୁଡ଼ିଏ ସୁବିଧା ସୁଯୋଗ ପାଇବା ସହ ଦରମା ପାଉଛନ୍ତି। ‌ତେଣୁ ତାଙ୍କର ଆଉ ଦରମା ରାଶି ବଢ଼ାଇବା ଉଚିତ ନୁହେଁ।
-ଶକ୍ତିରଂଜନ ମିଶ୍ର, ଭୁବନେଶ୍ବର

ଦରଦାମ୍‌ ବୃଦ୍ଧିରେ ଲୋକମାନେ ସନ୍ତୁଳି ହେଲା ବେଳେ ସେମାନେ ଲୋକଙ୍କ କଥା ନ ଭାବି ନିଜ ସ୍ବାର୍ଥ କଥା ଚିନ୍ତା କରୁଛନ୍ତି। ତେଣୁ ସେମାନଙ୍କ ଦରମା ବୃଦ୍ଧି କରାଯିବା ଅନୁଚିତ।
-ରମେଶ ସାହୁ, ବାଳକାଟି
-ଶ୍ରୀବାସ ମହାନ୍ତି, ରତ୍ନାକରବାଗ

ଯୋଉଁ ଗରିବର ଭୋଟ୍‌ ଖଣ୍ଡିଏ ପାଇ ସେମାନେ ବିଧାୟକ ହୋଇଛନ୍ତି, ସେଇ ଗରିବ କଥା ସେମାନେ ଚିନ୍ତା କରୁନାହାନ୍ତି। ଗରିବ ଲୋକଟିଏ ରାସନ୍‌ କାର୍ଡ ଖ‌ଣ୍ଡେ ପାଇପାରୁନି, ବାର୍ଦ୍ଧକ୍ୟ ଭତ୍ତା ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଦୌଡ଼ି ଦୌଡ଼ି ନିରାଶ ହେଉଛି। ତେଣୁ ସେମାନଙ୍କ ଦରମା ବଢ଼ିବା ଅନୁଚିତ।
-ଶତ୍ରୁଘ୍ନ ସାହୁ, ଭଦ୍ରକ
-ସର୍ବେଶ୍ବର ଗୋଚ୍ଛି, ବାଙ୍କୀ
-ବିଶ୍ବଜିତ୍‌ ସାହୁ, ଯାଜପୁର

ବିଧାୟକ ବେଆଇନ ଭାବେ ବିପୁଳ ଅର୍ଥ ଠୁଳ କରିବା ଖବର ଅନେକ ସମୟରେ ଗଣମାଧ୍ୟମର ଶିରୋନାମା ପାଲଟେ। ସେମାନେ ଏତେ ଟଙ୍କା ରଖିଥାନ୍ତି ଯେ ପୁଞ୍ଜିପତି ମଧ୍ୟ ସେତିକି ରଖିପାରିବନି। ତେଣୁ ତାଙ୍କ ଦରମା ବୃଦ୍ଧି କରିବାର କୌଣସି ଆବଶ୍ୟକତା ନାହିଁ।
-ରମେଶ ଚନ୍ଦ୍ର ମହାପାତ୍ର, ଡୁମୁଡୁମା

ଦରଦାମ୍‌ ବଢ଼ିବା ଯୋଗୁଁ ତାଙ୍କର ଦରମା ବୃଦ୍ଧି କରାଯାଉ। କିନ୍ତୁ ତା’ ବୋଲି ଦରମା ୨ ଲକ୍ଷ ନ ହେଉ।
-ଅର୍ଜୁନ୍‌ ପାତ୍ର, ମୟୂରଭଞ୍ଜ
-ଅଭୟ ସାହୁ, ଚକେଇସିହାଣୀ

ମହାମାରୀ ପରବର୍ତ୍ତୀ ସମୟରେ ଉତ୍କଟ ବେକାରୀ ଏବଂ ଅର୍ଥନୀତିରେ ମାନ୍ଦାବସ୍ଥା ଦେଖାଦେଇଛି। ସେ ଦୃଷ୍ଟିରୁ ବିଧାୟକଙ୍କ ଦରମା ବୃଦ୍ଧି ଉପରେ ଧ୍ୟାନ ଦିଆ ନଯାଇ ଠିକା କର୍ମଚାରୀମାନଙ୍କୁ ସ୍ଥାୟୀ କରିବା ସହ ଉପଯୁକ୍ତ ପ୍ରାପ୍ୟ ଦିଆଯା‌ଉ।
-କୃଷ୍ଣକାନ୍ତ ଷଡ଼ଙ୍ଗୀ, ଭୁବନେଶ୍ବର
-ନୀଳମଣି ମିଶ୍ର, ସୁନ୍ଦରପଦା

ବିଧାୟକମାନେ ବିଧାୟକ ପାଣ୍ଠିର ଅପବ୍ୟବହାର କରି ବ୍ୟାପକ ଅର୍ଥ ତୋଷରପାତ କରୁଛନ୍ତି। ବେଆଇନ ଭାବେ ସଂପତ୍ତି ଠୁଳ କରୁଛନ୍ତି। ତେଣୁ ତାଙ୍କର ଦରମା ବୃଦ୍ଧି କରାଯିବା ସଂପୂର୍ଣ୍ଣ ଅମୂଳକ।
-ଆହ୍ବାନ ପାଇକରାୟ, ୟୁନିଟ୍‌-୩
-ରବୀନ୍ଦ୍ର ମହାପାତ୍ର, ଭୁବନେଶ୍ବର

ଯେଉଁମାନେ ଅଭାବ ଦର୍ଶାଇ ଦରମା ବୃଦ୍ଧି କରିବାକୁ ଯୁକ୍ତି ବାଢ଼ୁଛନ୍ତି, ନିର୍ବାଚନ ବେଳେ ପୁଳାପୁଳା ଟଙ୍କା କୋଉଠୁ ଆଣୁଛନ୍ତି?
-ସୁରେନ୍ଦ୍ର ନାୟକ, ନିଆଳି

ବିଧାୟକମାନଙ୍କ ଦରମା ଯଦି ବୃଦ୍ଧି କରାଯିବ, ସେହି ତୁଳନାରେ ସରକାରୀ ଚାକିରିଆଙ୍କ ବି ବୃଦ୍ଧି କରାଯାଉ।
-ଆନନ୍ଦଚନ୍ଦ୍ର ପ୍ରଧାନ, କେଶୁରା

ବିଧାୟକମାନଙ୍କ ଦରମା ବୃଦ୍ଧି କରିବା ଯୁକ୍ତିଯୁକ୍ତ। ସେମାନେ ଆମ ସମାଜର ସେବକ। ଏହାସହ ତାଙ୍କୁ ମଧ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ୍‌ କରିଦେବାର ଆବଶ୍ୟକତା ରହିଛି।
-ଶ୍ରୀବତ୍ସ ମହାନ୍ତି, ଯାଆଁଳା
-ବୃନ୍ଦାବନ ପ୍ରଧାନ, ଲକ୍ଷ୍ମୀସାଗର

ବିଧାୟକମାନଙ୍କ ଦରମା ୨ଲକ୍ଷ ହେବା ଉଚିତ।
-ଜଗମୋହନ ପଟ୍ଟନାୟକ, ଖୋର୍ଦ୍ଧା

ବିଧାୟକମାନେ ଏତେ ଟଙ୍କା ପାଉଛନ୍ତି, ସେ ଅନାବଶ୍ୟକ ଭାବେ ମଦ ମାଂସରେ ବିପୁଳ ଅର୍ଥ ବ୍ୟୟ କରୁଛନ୍ତି। ତାଙ୍କର ଟଙ୍କା ବଢ଼ାଇବାର ଆବଶ୍ୟକତା ଆଦୌ ନାହିଁ।
-ରାହାସ ବିହାର ଦାସ, ଚନ୍ଦ୍ରଶେଖରପୁର

ଯେତିକି ଦରମା ଏବେ ଅଛି, ଜଣେ ବିଧାୟକ ଚଳିବା ପାଇଁ ଯଥେଷ୍ଟ। ସେ ଦୃଷ୍ଟିରୁ ତାଙ୍କର ଦରମା ବୃଦ୍ଧି ପରିବର୍ତ୍ତେ ସେହି ଅର୍ଥକୁ ଗ୍ରାମାଞ୍ଚଳ ସ୍ବାସ୍ଥ୍ୟାବସ୍ଥାରେ ବିନିଯୋଗ କରାଯାଉ।
-ଗଣେଶ୍ବର ବେହେରା, ଗୋପ

୩୩ ବର୍ଷ ସରକାରୀ ଚାକିରି କଲା ପରେ ବି ଜଣେ ‌ଯେତିକି ଟଙ୍କା ରୋଜଗାର କରିପାରୁନି, ମାତ୍ର ୫ ବର୍ଷ ଭିତରେ ଜଣେ ବିଧାୟକ ସେତିକି ଅର୍ଥ ଉପାର୍ଜନ କରୁଛି। ସେ ଦୃଷ୍ଟିରୁ ତାଙ୍କ ଦରମା ବୃଦ୍ଧି ନିଷ୍ପତ୍ତିକୁ ଗ୍ରହଣ କରାନଯାଉ।
-ସୁରେନ୍ଦ୍ର ଦାଶ, ରଘୁନାଥପୁର

ଆବଶ୍ୟକତାକୁ ଦୃଷ୍ଟିରେ ରଖି ବିଧାୟକଙ୍କ ଦରମା ବୃଦ୍ଧି କରାଯାଉ। ଏଥିରେ କୌଣସି ତାରତମ୍ୟ ରଖାନଯାଉ।
-ଦେବାଶିଷ ସାହୁ, ଭୁବନେଶ୍ବର

କରୋନା ପରବର୍ତ୍ତୀ ପରିସ୍ଥିତିରେ ବିଧାୟକଙ୍କ ଦରମା ବୃଦ୍ଧି ପ୍ରସ୍ତାବ ଆଦୌ ଯୁକ୍ତିଯୁକ୍ତ ମନେ ହେଉନାହିଁ। ବିଧାୟକଙ୍କ ଦାବି ନିହାତି ଭାବେ ହାସ୍ୟାସ୍ପଦ।
-ରାକେଶ ବଳ, ବିଜେବି କଲେଜ

ଜନପ୍ରତିନିଧିମାନେ ସେବା ଦେବା ବଦଳରେ ସୁଯୋଗ ନେବାରେ ବ୍ୟସ୍ତ। ସେମାନେ ଭତ୍ତା ପାଉଥିବାରୁ ସେମାନଙ୍କ କ୍ଷେତ୍ରରେ ଆୟକର ଲାଗୁ ହୋଇନଥାଏ। ସେମାନଙ୍କୁ ପେନସନ୍‌ ଦିଆଯାଉଥିଲେ ସୁଦ୍ଧା ସରକାରୀ କର୍ମଚାରୀମାନଙ୍କ ପାଇଁ ପେନସନ ସୁବିଧା ନାହିଁ।
-ଦିଲ୍ଲୀପ ମିଶ୍ର, ଲିଙ୍ଗରାଜ ବିହାର

ବର୍ତ୍ତମାନ ଗରିବ ମଧ୍ୟବିତ୍ତମାନେ ବହୁ କଷ୍ଟରେ ଚଳୁଛନ୍ତି। ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ବିଧାୟକମାନଙ୍କ ଦରମା ବୃଦ୍ଧି ଦାବି କରିବା ଯୁକ୍ତିଯୁକ୍ତ ନୁହେଁ।
-ପୂଜା ଗୌଡ଼, ଚକେଇସିଆଣି
-ଲୋକନାଥ ପୁହାଣ, ଭୁବନେଶ୍ୱର

ବିଧାୟକମାନେ ପ୍ରାୟ ସମସ୍ତେ କୋଟିପତି। ବିଧାୟକ ଦରମା ଏବେ ଯଥେଷ୍ଟ ଅଛି। ବର୍ତ୍ତମାନ୍ ସମୟରେ ଦରମା ବୃଦ୍ଧି କରାଯିବା ଆଦୌ ଯୁକ୍ତିଯୁକ୍ତ ନୁହେଁ।
-ଅମ୍ବିକା ସାହୁ, ଗୌତମ ନଗର
-ନଗେନ୍ଦ୍ର ନାଥ ମିଶ୍ର, ସାମନ୍ତରାପୁର
-ପି. ରାଜେନ୍ଦ୍ର, ସାନଖେମୁଣ୍ଡି

ବିଧାୟକଙ୍କ ଦରମା ବୃଦ୍ଧି ଜମାରୁ ଯୁକ୍ତିଯୁକ୍ତ ନୁହେଁ। ବର୍ତ୍ତମାନ ମୁଢ଼ି, ଚୁଡ଼ା ଉପରେ କର ଲାଗିଲାଣି। ଏଭଳି ସମୟରେ ସେହି ପଇସାରୁ ବିଧାୟକମାନଙ୍କ ଦରମା ବଢ଼ାଇବା ଠିକ୍ କଥା ନୁହେଁ। ଯଦି ଦରମା ବଢ଼ାଇବା କଥା, ତେବେ ଅଗ୍ନିପଥ ବୀରମାନଙ୍କ ଦରମା ବଢ଼ୁ ଓ ସେମାନଙ୍କୁ ପେନସନ୍‌ ମିଳୁ।
-ବ୍ରଜରାଜ ରଥ, ଡେଲ୍ଟା ଛକ

ବିଧାୟକଙ୍କ ଦରମା ବଢ଼ିଲେ, ସେମାନେ ପିସି କାରବାର ବନ୍ଦ କରିଦେବେ ବୋଲି ଗ୍ୟାରେଣ୍ଟି ଦେବେ କି?
-ବ୍ରଜକିଶୋର ସାହୁ, ଚନ୍ଦନପୁର

ବର୍ତ୍ତମାନ ସମୟରେ ବିଧାୟକଙ୍କ ଦରମା ବଢ଼ାଇ ରାଜକୋଷ ଉପରେ ଚାପ ସୃଷ୍ଟି କରିବା ଠିକ୍‌ ନୁହେଁ।
-ମମତା ଦାଶ, ସିଆରପି

ବିଧାୟକମାନଙ୍କର ଦରମା ବୃଦ୍ଧି ହେବା ଆବଶ୍ୟକ। ସେମାନେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ଭାଗ ନେଇ ସେଥିରେ ସାହାଯ୍ୟ ସହଯୋଗ କରିଥାନ୍ତି। ଏହା ସହ ସବୁଦିନ ବିଭିନ୍ନ ଅଞ୍ଚଳକୁ ଗସ୍ତ କରିଥାନ୍ତି।
-ଦିନାନାଥ ଦାସ, ଲକ୍ଷ୍ମୀସାଗର

ସମ୍ବନ୍ଧିତ ଖବର