ଫୋନ ଇନ ପ୍ଲିଜ: ୨୪ରେ ମୋଦୀ ବନାମ ଗରିବୀ, ଦରବୃଦ୍ଧି

‌‌‌ଭୁବନେଶ୍ବର: ଦେଶରେ ବେଲଗାମ୍‌ ପେଟ୍ରୋଲ, ଡିଜେଲ୍‌ ଦର ସାଙ୍ଗକୁ ଅତ୍ୟାବଶ୍ୟକ ଦରଦାମ୍‌ ବୃଦ୍ଧି, ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡ଼ିକୁ ଘରୋଇ କମ୍ପାନି ହାତକୁ ଟେକିଦେବା, ନିଯୁକ୍ତି ସୁଯୋଗ ସୃଷ୍ଟି ନ ହେବା, ଜିଏସ୍‌ଟି ବୃଦ୍ଧି ଆଦି ଯୋଗୁଁ କେନ୍ଦ୍ର ସରକାରଙ୍କ ବିରୋଧରେ ଏକ ଜନଅସନ୍ତୋଷ ଦେଖାଦେଲାଣି। ତେଣୁ ଆଗାମୀ ଲୋକସଭା ନିର୍ବାଚନରେ ବିଜେପିକୁ ଏଥିପାଇଁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିପାରେ ବୋଲି ସାଧାରଣରେ ଏକ ଧାରଣା ସୃଷ୍ଟି ହେଲାଣି। କିନ୍ତୁ ମୋଦୀଙ୍କ ଲୋକପ୍ରିୟତାକୁ ଟକ୍କର୍‌ ଦେବା ଭଳି ନେତା ଦେଶରେ କିଏ, ତାହାକୁ ନେଇ ରାଜନୀତି ମହଲରେ ଚର୍ଚ୍ଚା, ଆଲୋଚନା ଜାରି ରହିଛି। ଚଳିତଥର ଫୋନ୍‌-ଇନ୍‌-ପ୍ଲିଜ୍‌ରେ ଏହି ପ୍ରସଙ୍ଗ ‘୨୪ରେ ମୋଦି ବନାମ କିଏ?’ର ଉତ୍ତର ଦେଇ ପାଠକମାନେ ଭିନ୍ନ ଭିନ୍ନ ମତପୋଷଣ କରିଛନ୍ତି।

‌ମୋଦୀ ଜଣେ କୃପଣ ନେତା। ସେ ଦେଶ ପରିବର୍ତ୍ତେ ନିଜ ସ୍ବାର୍ଥ କଥା ବେଶି ଚିନ୍ତା କରନ୍ତି। କ୍ଷମତାର ଅପବ୍ୟବହାର କରି ବିରୋଧୀ ଦଳ ନେତାଙ୍କ ପଛରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ, ସିବିଇଆ ଭଳି କେନ୍ଦ୍ରୀୟ ସଂସ୍ଥାକୁ ବ୍ୟବହାର କରୁଛନ୍ତି, ସେମାନଙ୍କୁ ବଦନାମ୍‌ କରିବାକୁ ଚେଷ୍ଟା କରୁଛନ୍ତି।
ଡା. ଦୀନନାଥ ଦାସ, ଲକ୍ଷ୍ମୀସାଗର

କଥାରେ ଅଛି, ରାଜନୀତିରେ ଘଡ଼ିକେ ଘୋଡ଼ା ଛୁଟେ। ତେଣୁ ୨୦୨୪ରେ ମୋଦୀଙ୍କ ସହ କିଏ ଲଢ଼ିବ, ତାହା ଏବେଠୁ କହିବା ଅସମ୍ଭବ। କିନ୍ତୁ ଯଦି ଆକଳନ କରିବାକୁ କୁହାଯାଏ, ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋଦୀଙ୍କୁ ଟକ୍କର୍‌ ଦେବା ଭଳି ଜଣେ ପ୍ରାର୍ଥୀ ହୋଇପାରନ୍ତି। ବିରୋଧୀ ମେଣ୍ଟ ଦ୍ବାରା ସେ ଯେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହୋଇ ନ ଲଢ଼ିବେ, ତାହା କିଏ କହିବ। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ନାମ ମଧ୍ୟ ଉଲ୍ଲେଖ କରାଯାଇପାରେ। ସେ ଧୀରେଧୀରେ ସାରା ଭାରତରେ ନିଜ ପତିଆରା ବିସ୍ତାର କରିବାରେ ଲାଗିଛନ୍ତି। ବିହାର ମୁଖ୍ୟମନ୍ତ୍ରୀ ନିତିଶ କୁମାର, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ପ୍ରଧାନମନ୍ତ୍ରୀ ପାର୍ଥୀ ପାଇଁ ଯୋଗ୍ୟ ନେତା। ଏମାନଙ୍କ ପାଖରେ ସମ୍ଭାବନା ରହିଛି।
କମଳାକାନ୍ତ ସେନାପତି, ନାଗେଶ୍ବରଟାଙ୍ଗୀ

ଦରଦାମ୍ ବୃଦ୍ଧି ଓ ସରକାରୀ ସଂସ୍ଥାକୁ ଘରୋଇ ଉଦ୍ୟୋଗ ହାତରେ ଟେକିଦେବା ନୀତି ଯୋଗୁଁ ମୋଦୀଙ୍କ ଉପରେ ସବୁ ଆଞ୍ଚଳିକ ଦଳଗୁଡ଼ିକ ଖପ୍ପା। ସେ ଦୃଷ୍ଟିରୁ ସେମାନେ ଏକ ବିରୋଧୀ ମେଣ୍ଟ ଗଠନ କରି ୨୦୨୪ରେ ମୋଦୀଙ୍କ ବିରୋଧରେ ପ୍ରାର୍ଥୀ ଛିଡ଼ା କରାଇବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇନପାରେ।
ରବୀନ୍ଦ୍ର ନନ୍ଦ, ଶିଶୁପାଳଗଡ଼/ସୁରେନ୍ଦ୍ର ନାୟକ, ନିଆଳି

୨୦୨୪‌ରେ ମୋଦୀ ବନାମ ଗରିବୀ, ଦରବୃଦ୍ଧିର ଲଢ଼େଇ ହେବ। ଯଦି ଏଥିରେ ସେ ସୁଧାର ଆଣିପାରିବେ, ତେବେ ପୁଣିଥରେ ତାଙ୍କ ବିଜୟ ସୁନିଶ୍ଚିତ।
କାବୁ ମିଶ୍ର, ଗୌତମନଗର

ମୋଦୀ ଦୀର୍ଘ ୮ବର୍ଷରୁ ଊର୍ଦ୍ଧ୍ବ ସମୟ ହେଲା ଶାସନ କଲେଣି। କିନ୍ତୁ, ଦେଶବାସୀଙ୍କୁ ଯେଉଁ ସ୍ବପ୍ନ ଦେଖାଇ ସେ ଶାସନ ଗାଦିକୁ ଆସିଥିଲେ, ସେଥିରୁ କାଣିଚାଏ ବି ପୂରା କରି ପାରିନାହାନ୍ତି। ତେଣୁ ୨୦୨୪ରେ ମୋଦୀଙ୍କୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ କଡ଼ା ଟକ୍କର୍‌ ଦେବେ ଓ ତାଙ୍କୁ ପରାସ୍ତ କରିବେ।
ଅଖିଳ ଚନ୍ଦ୍ର ବାରିକ, ମୟୂରଭଞ୍ଜ

ମୋଦୀ ବର୍ତ୍ତମାନ ରାଷ୍ଟ୍ରରେ ଏକଛତ୍ରବାଦ ଶାସନ କରୁଛନ୍ତି। ଏହାକୁ ନେଇ ଆଞ୍ଚଳିକ ଦଳମାନଙ୍କ ମଧ୍ୟରେ ଅସନ୍ତୋଷ କୁହୁଳିବାରେ ଲାଗିଛି। ଏହା ୨୦୨୪ରେ ବିସ୍ଫୋରକ ରୂପ ନେବ ଏବଂ ସେତେବେଳେ ଅରବିନ୍ଦ କେଜ୍ରିୱାଲ୍, ନିତୀଶ କୁମାର, ମମତା ବାନାର୍ଜୀଙ୍କ ଭଳି ନେତାମାନେ ସାମ୍ନାକୁ ଆସି ପ୍ରଧାନମନ୍ତ୍ରୀ ପଦ ପାଇଁ ଲଢ଼େଇ କରିବେ।
ଅରୁଣ ଦାସ, ସତ୍ୟବିହାର/ଅଭୟ ଦାସ, ବାରଙ୍ଗ

ଦୀର୍ଘ ୮ବର୍ଷର ଶାସନରେ ମୋଦୀ ଦରଦାମ୍ ଆକାଶଛୁଆଁ କରି ଦେଇଛନ୍ତି। ଯାହାକୁ ନେଇ ଗରିବ, ଖଟିଖିଆ ଅତିଷ୍ଠ ହୋଇ ପଡ଼ିଲେଣି। ତେଣୁ ସେମାନେ ପୁନର୍ବାର କଂଗ୍ରେସକୁ ଚୟନ କରିବେ ଏବଂ ୨୦୨୪ରେ କଂଗ୍ରେସ ସରକାର ହିଁ ବିଜୟ ଲାଭ କରିବ।
ନୀଳମଣି ମିଶ୍ର, ସୁନ୍ଦରପଦା

ନବୀନ ହିଁ ଜଣେ ଏଭଳି ନେତା ଯିଏ ମୋଦୀଙ୍କ ସହ ଲଢ଼ିବା ପାଇଁ ଯୋଗ୍ୟ ପ୍ରାର୍ଥୀ।
ଶ୍ରୀବତ୍ସ ମହାନ୍ତି, ଯାଆଁଳା

ମୋଦୀ ଅପ୍ରତିଦ୍ବନ୍ଦ୍ବୀ, ପରକ୍ରମଶାଳୀ, ତେଜସ୍ବୀ ରାଜନେତା। ତାଙ୍କ ଭଳି ବ୍ୟକ୍ତି ପୁନର୍ବାର ନିର୍ବାଚିତ ହେବା ଆବଶ୍ୟକ। ସେ ଦୃଷ୍ଟରୁ ୨୦୨୪ରେ ମୋଦୀଙ୍କ ବିଜୟ ସୁନିଶ୍ଚିତ।
ଗଙ୍ଗାଧର ମହାନ୍ତି, ଟଙ୍କପାଣି ରୋଡ୍‌

ମୋଦୀଙ୍କ ସମକକ୍ଷ କିମ୍ବା ତାଙ୍କ ବନାମ ହେବା ପାଇଁ ବର୍ତ୍ତମାନ ଦେଶରେ କେହି ନେତା ନାହାନ୍ତି। ମୋଦୀଙ୍କୁ ହରାଇବା ପାଇଁ ଯଦି ସବୁ ଦଳ ମିଶିଯିବେ, ତେବେ କିଛି ହୋଇପାରେ।
ମନୋଜ କୁମାର ଷଡ଼ଙ୍ଗୀ, ଉତ୍ତରା

୨୦୨୪ ନିର୍ବାଚନରେ ଯିଏ ସତ୍ୟ ଏବଂ ଅହିଂସାକୁ ସମ୍ମାନ ଦେବ, ସେ ନିଶ୍ଚୟ ଜିତିବ। ହେଲେ ଯିଏ ହିଂସାକୁ ଆପଣାଇବ ସେ ହାରିବ। ମହାତ୍ମା ଗାନ୍ଧୀଙ୍କୁ ଅସମ୍ମାନ କରି କିମ୍ବା ଭୁଲି କହି କେହି ଜିତିପାରିବେ ନାହିଁ।
କିଶୋର ସ୍ବାଇଁ, ଭିଏସ୍‌ଏସ୍‌ନଗର

ଭାରତର ପ୍ରଧାନମନ୍ତ୍ରୀ ହେଉଛନ୍ତି ବିରଳ। ନରେନ୍ଦ୍ର ମୋଦୀ ଭାରତକୁ ବିଶ୍ୱଗୁରୁରେ ପରିଣତ କରାଇଛନ୍ତି। ସେ ବିଶ୍ବ ଦରବାରରେ ରାଷ୍ଟ୍ରକୁ ଉପସ୍ଥାପନ କରିବା ପାଇଁ ଯେଉଁ ପ୍ରଚେଷ୍ଟା ଜାରି ରଖିଛନ୍ତି, ସେହି ନିଶା ଓ ପେସା ଆଗରେ ବିରୋଧୀମାନଙ୍କ ରଣନୀତି ପାଣିଫୋଟକା ପରି ମିଳେଇ ଯିବ। ଭାରତର ଜନସାଧାରଣ ଆଗାମୀ ଦିନରେ ନରେନ୍ଦ୍ର ମୋଦୀଙ୍କୁ ହିଁ ପ୍ରଧାନମନ୍ତ୍ରୀ ଭାବେ ଦେଖିବା ପାଇଁ ଚାହାନ୍ତି। ତେଣୁ ୨୦୨୪ରେ ବିରୋଧୀ ନାମକୁ ମାତ୍ର ହେବେ।
ରାଜୀବ ଲୋଚନ ବରାଡ଼, ଓଡ଼ଗାଁ ନୟାଗଡ଼

ମୋଦୀଙ୍କ ବିପକ୍ଷରେ କିଏ ଲଢ଼ିବ, ସେନେଇ ଏବେ ବିରୋଧୀ ଦଳ ତର୍ଜମା ଚଲାଇଛି। ସ୍ପଷ୍ଟ ରୂପେ କେଉଁ ନେତା ମୋଦୀଙ୍କ ବିରୋଧରେ ଲଢ଼ିବେ, ତାହା ଖୁବ୍‌ଶୀଘ୍ର ଜଣାପଡ଼ିବ।
ବୃନ୍ଦାବନ ପ୍ରଧାନ, ଲକ୍ଷ୍ମୀସାଗର

ମୋଦୀ ପ୍ରଧାନମନ୍ତ୍ରୀ ହେବା ପରେ ଏପରି କିଛି ନିଷ୍ପତ୍ତି ନେଇଛନ୍ତି, ଯାହା ସମଗ୍ର ବିଶ୍ୱର ନେତାଙ୍କୁ ଚମକାଇ ଦେଇଛି। ଭାରତର ଅର୍ଥନୀତିଠାରୁ ଆରମ୍ଭ କରି ସାମାଜିକ ବ୍ୟବସ୍ଥାରେ ମଧ୍ୟ ବଡ଼ ପରିବର୍ତ୍ତନ ଆସିଛି। ୨୦୨୪ରେ ମୋଦୀଙ୍କ ସହ ଯେତେ ରାଜନୈତିକ ଦଳ ଲଢ଼େଇ କଲେ ମଧ୍ୟ ପରାଜିତ ହେବେ।
ସୁଧାକର ଦାସ, ପ୍ରାଣନାଥ ସ୍ୱୟଂଶାସିତ ମହାବିଦ୍ୟାଳୟ

ନେତା ଭାବନ୍ତି, ସେମାନଙ୍କ ଭାଷଣରେ ଲୋକଙ୍କ ପେଟ ପୂରେ। କୌଣସି ନେତା ସତ୍ୟ ଓ ନୈତିକତାକୁ ନେଇ ଆଗକୁ ଯିବାକୁ ଚାହୁନାହାନ୍ତି।
ରମେଶ ଚନ୍ଦ୍ର ମହାପାତ୍ର, ଡୁମୁଡୁମା

୧୦ବର୍ଷ ହେଲା ଏନ୍‌ଡିଏ ସରକାର କେନ୍ଦ୍ରରେ ନିଜ ସ୍ଥିତିକୁ ଠିକ୍‌ ଭାବେ ଜାହିର୍‌ କରିପାରିଛି। ତେଣୁ ୨୦୨୪‌‌ରେ ମଧ୍ୟ ତାଙ୍କ ଦଳକୁ ବଳବତ୍ତର ରଖିବେ। ଅନ୍ୟ ଦଳ ମିଳିମିଶି କିଛି ସିଟ୍‌ ହାତେଇପାରନ୍ତି। ହେଲେ ମୋଦୀଙ୍କ ସମକକ୍ଷ କେହି ନୁହନ୍ତି।
ଦେବାଶିଷ ସାହୁ, ଏକାମ୍ର କଲେଜ୍

ସମ୍ବନ୍ଧିତ ଖବର