ଫୋନ୍‌-ଇନ୍‌-ପ୍ଲିଜ୍‌ : ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ

୪ ଦିନ ହେଲା ବିଧାନସଭା ଶୀତ ଅଧିବେଶନ ଆରମ୍ଭ ହୋଇଥିଲେ ହେଁ ଗୃହ ମାତ୍ର ଘଣ୍ଟାଏ ବି ଚାଲି ପାରିନାହିଁ। ମମିତା ମେହେର ହତ୍ୟା ମାମଲାରେ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ୍‌ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ପାଇଁ ବିରୋଧୀ ଅଡ଼ି ବସିଥିବାରୁ ଗୃହ ବାରମ୍ବାର ମୁଲତବୀ ହେଉଛି। ବିଧାନସଭା ଅଧିବେଶନ ପାଇଁ ସରକାରଙ୍କ ରାଜସ୍ବରୁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ବିଧାୟକମାନଙ୍କ ଏପରି ଆଚରଣ ପାଇଁ ସେସବୁ ପାଣିରେ ପଡ଼ୁଛି। ଖାଲି ଚଳିତଥର ନୁହେଁ, ଏହା ପୂର୍ବରୁ ମଧ୍ୟ ବିଭିନ୍ନ ସମୟ‌‌ରେ ହଟ୍ଟଗୋଳ ପାଇଁ ଗୃହ ଚାଲି ନପାରିବାର ଅନେକ ଉଦାହରଣ ରହିଛି। ତେଣୁ ଏଥିରୁ ସ୍ପଷ୍ଟ ଯେ ବିତର୍କ ପାଇଁ କୌଣସି ରାଜନୈତିକ ଦଳର ସାମାନ୍ୟତମ ଆଗ୍ରହ ନାହିଁ। ଚଳିତ ଥରର ସମ୍ବାଦ ଫୋନ୍‌-ଇନ୍‌-ପ୍ଲିଜ୍‌ର ପ୍ରସଙ୍ଗ ‘ବିଧାନସଭାରେ ବିତର୍କ ପାଇଁ କୌଣସି ଦଳର ଆଗ୍ରହ ନାହିଁ’‌‌ରେ ଅଧିକାଂଶ ପାଠକ ଏପରି ମତ ରଖିଛନ୍ତି।

ବିଧାନସଭାରେ ବିତର୍କ ପାଇଁ କୌଣସି ରାଜନୈତିକ ଦଳର ସାମାନ୍ୟତମ ଆଗ୍ରହ ଥିବା ଭଳି ମନେ ହେଉନାହିଁ। ଗତ ଚାରି ଦିନ ଧରି ବିଧାୟକମାନେ ଯେଉଁଭଳି ଆଚରଣ ପ୍ରଦର୍ଶନ କରୁଛନ୍ତି, ତାହା ବିଧାନସଭାର ଗୌରବ ଓ ମହତ୍ତ୍ବକୁ କ୍ଷୁଣ୍ଣ କରୁଛି।
-ଉଲ୍ଲାସ ବେହେରା, ଚନ୍ଦ୍ରଶେଖରପୁର, ଭୁବନେଶ୍ୱର

ବିରୋଧୀଦଳଙ୍କ ଆଚରଣ ଏବଂ ସରକାରଙ୍କ ଜିଦ୍‌ ଯୋଗୁଁ ସାଧାରଣ ଜନତାଙ୍କର ହିଁ କ୍ଷତି ହେଉଛି। ନେତା, ମନ୍ତ୍ରୀମାନେ ଭୁଲି ଯାଉଛନ୍ତି ଯେ ଗୃହ ଚାଲିବା ପାଇଁ ସରକାରୀ ରାଜସ୍ବରୁ ଅର୍ଥ ଖର୍ଚ୍ଚ ହେଉଛି। ତେଣୁ ବିଧାନସଭା କେମିତି ସୁରୁଖୁରୁରେ ଚାଲିବ, ସରକାର ସେ ଦିଗରେ ବିହିତ ପଦକ୍ଷେପ ଗ୍ରହଣ କରନ୍ତୁ।
-ରାକେଶ ବଳ, ବଡ଼ଗଡ଼, ଭୁବନେଶ୍ବର

ବିଧାନସଭା ଭଳି ପବିତ୍ର ଗୃହ‌ରେ ସାଧାରଣ ଲୋକଙ୍କ ସମସ୍ୟା ଉପରେ ଆଲୋଚନା କରାଯାଉ। ବିଧାୟକମାନେ ଏଭଳି ବିଶୃଙ୍ଖଳିତ ଆଚରଣ ପ୍ରଦର୍ଶନ କରିବା ବନ୍ଦ କରନ୍ତୁ। ନଚେତ ସରକାର ସେମାନଙ୍କ ଦରମା, ଭତ୍ତା ଆଦି ବନ୍ଦ କରିଦିଅନ୍ତୁ। ତେବେ ଯାଇ ହଟ୍ଟଗୋଳ ପରିବର୍ତ୍ତେ ସାଧାରଣ ଲୋକଙ୍କ ସମସ୍ୟା ଉପରେ ଆଲୋଚନା ହୋଇପାରିବ।
-ଧରଣୀ ଆଚାର୍ଯ୍ୟ, କଳିଙ୍ଗ ବିହାର, ଭୁବନେଶ୍ବର

ବିଧାନସଭାରେ ଆଲୋଚନା ମାଧ୍ୟମରେ ହିଁ ସମସ୍ତ ଘଟଣାର ସମାଧାନ ହୋଇପାରିବ। ଏଭଳି ହୀନ ଆଚରଣ ପ୍ରଦର୍ଶନ କଲେ କୌଣସି ସମସ୍ୟାର ସମାଧାନ ହୋଇପାରିବ ନାହିଁ। ବିଧାନସଭାକୁ ଜ୍ଞାନୀ ଲୋକମାନେ ଯାଆନ୍ତି, ସେଠାରେ ନିଜ ଜ୍ଞାନର ପରାକାଷ୍ଠା ଦେଖାଇ ସାଧାରଣ ଲୋକଙ୍କ ସ୍ବର ହୁଅନ୍ତି। କିନ୍ତୁ ବର୍ତ୍ତମାନ ଯେଭଳି ଆଚରଣ ପ୍ରଦର୍ଶନ କରାଯାଉଛି, ଏହା ଜ୍ଞାନୀ ଲୋକମାନଙ୍କ କାର୍ଯ୍ୟ ନୁହେଁ।
-ଦିଲ୍ଲୀପ ଦାଶଶର୍ମା, ଭିଏସ୍‌ଏସ୍‌ ନଗର, ଭୁବନେଶ୍ବର

ବିଧାନସଭାର ସଦସ୍ୟମାନେ ବିତର୍କ ପାଇଁ ଆ‌ଗ୍ରହ ପ୍ରକାଶ କରୁନାହାନ୍ତି। ଫଳରେ ସରକାର ଗୃହକୁ ଗୁରୁତ୍ବ ଦେଉନାହାନ୍ତି। କେବଳ ସରାକର ନିଜର ସଂଖ୍ୟାଗରିଷ୍ଠତା ହାସଲ କରି ଶାସନଗାଦିରେ ବସି ତା’ର ଦୁରୁପଯୋଗ କରୁଛନ୍ତି।
-ସ୍ମୃତିରଞ୍ଜନ ପଟ୍ଟନାୟକ

ବର୍ତ୍ତମାନ ସମୟରେ ଗଣତନ୍ତ୍ରର ମୂଳମନ୍ତ୍ର ହେଉଛି, ବାହୁବଳ ପ୍ରଦର୍ଶନ କରିବା। ଏଥିରେ କୌଣସି ଆଲୋଚନା ବା ଗଠନମୂଳକ କାର୍ଯ୍ୟର ଆବଶ୍ୟକତା ନାହିଁ। ଯାହା ଚାରି ଦିନ ଧରି ବିଧାନସଭା ଗୃହରେ ଦେଖିବାକୁ ମିଳୁଛି।
-ହୃଷୀକେଶ ମିଶ୍ର, ସାକ୍ଷୀଗୋପାଳ

ବର୍ତ୍ତମାନ ବିଧାନସଭାରେ ବହୁ ଅଜ୍ଞାନୀ ଲୋକ ପଶି ଯାଇଛନ୍ତି। ତେଣୁ ସେମାନେ ଜନତାଙ୍କ ସ୍ବାର୍ଥ ପରିବ‌ର୍ତ୍ତେ ଦଳୀୟ ସ୍ବାର୍ଥ୍ୟକୁ ବିଶେଷ ଗୁରୁତ୍ବ ଦେଉଛନ୍ତି। ଏହାର ଫାଇଦା ପ୍ରଶାସକମାନେ ନେଉଛନ୍ତି। ସେମାନେ ବେଲଗାମ୍‌ ହୋଇ ମନଇଚ୍ଛା କାର୍ଯ୍ୟ କରୁଛନ୍ତି।
-ହରିଶଙ୍କର ମିଶ୍ର, ପୁରୀ

ବିଧାୟକମାନେ ନିଜକୁ ଦଳୀୟ କର୍ମୀ ପରିବର୍ତ୍ତେ ଜନପ୍ରତିନିଧି ବୋଲି ଭାବନ୍ତୁ। ସମସ୍ତେ ଏଭଳି ହୀନ କାର୍ଯ୍ୟରୁ ଦୂରେଇ ରହି, ଆଲୋଚନା କରନ୍ତୁ। ତେବେ ଯାଇ ସାଧାରଣ ଲୋକଙ୍କ ସ୍ବାର୍ଥରକ୍ଷା ଉଦ୍ଦେଶ୍ୟରେ ନିଷ୍ପତ୍ତି ହୋଇପାରିବ। ଏଭଳି ହଟ୍ଟଗୋଳ କରି ବାରମ୍ବାର ଗୃହକୁ ଅଚଳ କଲେ କେବଳ ସମୟ ଏବଂ ରାଜସ୍ବ କ୍ଷତି ହେବ।
-ଯୋଗାନନ୍ଦ ସାହୁ, ଭୁବନେଶ୍ବର

ରାଜ୍ୟରେ ବେକାରୀ, ଦାରିଦ୍ର୍ୟ, କୃଷି ଭଳି ଅନେକ ସମସ୍ୟା ରହିଛି, ଯାହାକୁ ଗୃହ‌ରେ ବ୍ୟବସ୍ଥିତ ଢଙ୍ଗରେ ଆଲୋଚନା କରି ସରକାରଙ୍କୁ ଅକଳରେ ପକାଇ ହେବ। କିନ୍ତୁ ବିରୋଧୀ ଖାଲି ମମିତା ମେହେର ଘଟଣାରେ ମାତିଛନ୍ତି। ମନ୍ତ୍ରୀଙ୍କ ବହିଷ୍କାର ଦାବି କରୁଛନ୍ତି। ଶାସକ ଦଳକୁ ବି ଏହା ଖୁବ୍‌ ସୁହାଉଛି। ସେମାନେ ବି ଦରବୃଦ୍ଧି ନାଁରେ ହଟ୍ଟ‌ଗୋଳ କରୁଛନ୍ତି। ଏଥିରୁ କିଛି ନିଷ୍କର୍ସ ତ ବାହାରିବ ନାହିଁ, ଜନତାଙ୍କ ହିଁ କ୍ଷତି ହେବ। ଜନତାଙ୍କ ଟିକସ ଏମିତି ଅଯଥାରେ ଶ୍ରାଦ୍ଧ ହେଉଥିବ।
-ମମତା ଦାଶ, ନୂଆପଲ୍ଲୀ, ଭୁବନେଶ୍ବର

ସ୍ୱାଧୀନତାର ଅର୍ଥ ସ୍ୱେଚ୍ଛାଧୀନ ନୁହେଁ। ଗଣତନ୍ତ୍ରର ମନ୍ଦିର ବିଧାନସଭା। କିନ୍ତୁ ସେଠାରେ ରାଜ୍ୟର ବିକାଶ ନେଇ ଆଲୋଚନା କରିବା ପରିବର୍ତ୍ତେ ଅଯଥାରେ ହଟ୍ଟଗୋଳ କରିବା ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ। ଏହା ଆମ ସଭିଁଙ୍କ ପାଇଁ ଲଜ୍ଜାଜନକ।
-ଅଶୋକ କୁମାର ଆଢ଼୍ୟ, ପୁରୀ

ବିଧାନସଭାର ବିତର୍କ ପାଇଁ କୌଣସି ଦଳର ଆଗ୍ରହ ନାହିଁ। ଖାଲି ଶସ୍ତା ରାଜନୀତି କରି ଗଣମାଧ୍ୟମରେ ପରିଚିତ ହେବା ପାଇଁ ଡ୍ରାମା କରୁଛନ୍ତି।
-କୈଳାସ ଚନ୍ଦ୍ର ପୃଷ୍ଟି, ଖୋର୍ଦ୍ଧା

ବିଧାନସୌଧ ଗଣତନ୍ତ୍ରର ମନ୍ଦିର ଏବଂ ବିତର୍କ ଗଣତନ୍ତ୍ରର ପ୍ରାଣ। ଓଡ଼ିଶା ବିଧାନସଭାରେ ଗୋଟିଏ କାର୍ଯ୍ୟଦିବସ ପାଇଁ ୫୦ ଲକ୍ଷ ଟଙ୍କା ଖର୍ଚ୍ଚ ହୁଏ। ଯାହା ସାଧାରଣ ଜନତାଙ୍କଠାରୁ ଆଦାୟ କରାଯାଇଥାଏ। ହେଲେ ଏଠାରେ ଦଳୀୟ ସ୍ବାର୍ଥ ଏବଂ କ୍ଷମତା ମୋହରେ ବିତର୍କଠାରୁ ଦୂରେଇ ରହି ଗୃହ କାର୍ଯ୍ୟକୁ ଅଚଳ କରୁଛନ୍ତି। ଗଣତନ୍ତ୍ର ପାଇଁ ଏହା ମଙ୍ଗଳମୟ ନୁହେଁ।
-ଅଧ୍ୟାପକ ପ୍ରମୋଦ ବିଶ୍ବାଳ, ଶୈଳଶ୍ରୀବିହାର
-ଗଙ୍ଗାଧର ରଥ, ବଡ଼ଗଡ଼ ବ୍ରିଟ୍‌ କଲୋନି

ବାସ୍ତବିକ ବିଧାନସଭାରେ ବିତର୍କ କରିବା ପାଇଁ କୌଣସି ରାଜନୈତିକ ଦଳର ଆଗ୍ରହ ନାହିଁ। ଆଜିକାଲି ବିଧାନସଭାକୁ ବିଧାୟକମାନେ ନିଜର ପ୍ରଚାର ପାଇଁ ଆସୁଛନ୍ତି। କିଏ ପଛରେ ବସି ଅଶ୍ଳୀଳ ଭିଡିଓ ଦେଖିଲାଣି ତ ଆଉ କିଏ ବାଚସ୍ପତିଙ୍କ ଉପରକୁ କାଗଜ, ଚପଲ ପକାଉଛି।
-ଆହ୍ବାନ କୁମାର ପାଇକରାୟ, ୟୁନିଟ୍‌-୩

ବିଧାୟକମାନେ ଶୀଘ୍ରଶୀଘ୍ର ବିଧାନସଭାର କାର୍ଯ୍ୟ ଦିବସକୁ ସାରିବାକୁ ଉଦ୍ୟମ କରୁଛନ୍ତି। ବିରୋଧୀ ଓ ଶାସକ ଦଳ ମଧ୍ୟରେ ଭିତିରିଆ ସମ୍ପର୍କ ରହୁଛି।
-ନୀଳମଣି ମିଶ୍ର, ସୁନ୍ଦରପଦା

ଶାସକ ଦଳର ସଂଖ୍ୟାଗରିଷ୍ଠତା ଆଗରେ ବିରୋଧୀ ନିରାଶ ହେଉଛନ୍ତି। ତେଣୁ ବିତର୍କ କରିବା ଅପେକ୍ଷା ହଟ୍ଟଗୋଳ କରିବାକୁ ଶ୍ରେୟ ମଣୁଛନ୍ତି।
-ଶେଖ ୟାକୁବ, ଗୋପ, ପୁରୀ

ବିଧାନସଭା ଏବେ ଆଖଡ଼ାଶାଳା ପାଲଟିଛି। ଏହ କ’ଣ ଆମ ଗଣତନ୍ତ୍ରର ବିଧି ବ୍ୟବସ୍ଥା ? ତିନି ଦଳ ଅଯଥା ବାକ୍ ବିତଣ୍ଡା ନ କରି ଲୋକମାନଙ୍କ ସମସ୍ତ ପ୍ରସଙ୍ଗକୁ ଉତ୍‌ଥାପନ କରନ୍ତୁ।
-ଦେବାଶିଷ ସାହୁ, ଏକାମ୍ର କଲେଜ, ଭୁବନେଶ୍ବର

ବିଧାନ ସଭାରେ ବିତର୍କ ପାଇଁ କୌଣସି ଦଳର ଆଗ୍ରହ ନାହିଁ। ତେଣୁ ବିତର୍କଠାରୁ ପରସ୍ପରକୁ ଆକ୍ରମଣ କରିବା ଭଳି ସ୍ଥିତି ଦେଖାଯାଉଛି।
-ଡା.ଦୀନନାଥ ଦାସ, ଲକ୍ଷ୍ମୀସାଗର ଭୁବନେଶ୍ବର
-ନଗେନ୍ଦ୍ର ନାଥ ମିଶ୍ର, ସାମନ୍ତରାପୁର

ବିଧାନସଭା ହେଉଛି ଗଣତନ୍ତ୍ରର ମନ୍ଦିର। ସେଠାରେ ବିରୋଧୀ କଂଗ୍ରେସ ଓ ବିଜେପି ଗୃହରେ ଯେମିତି ଆଚରଣ କରୁଛନ୍ତି, ତାହା ନିନ୍ଦନୀୟ।
-ରାଜୀବ ଲୋଚନ ବରାଡ଼, ଓଡ଼ଗାଁ, ନୟାଗଡ଼

ସରକାର ଆଗ୍ରହ କରିଲେ ସୁଦ୍ଧା ବିରୋଧୀ ଦଳମାନେ ଚାହୁନାହାନ୍ତି ବିତର୍କ ହେଉ।
-ରବୀନ୍ଦ୍ର କୁମାର ନନ୍ଦ, ଶିଶୁପାଳଗଡ଼

ବିଧାନସଭାରେ ଆଲୋଚନା, ତର୍କବିତର୍କ ମାଧ୍ୟମରେ ଆଇନ ପ୍ରଣୟନ ହୋଇଥାଏ। କିନ୍ତୁ ବର୍ତ୍ତମାନ ଯାହା ଚାଲିଛି, ତାହା ଗଣତନ୍ତ୍ର ପାଇଁ ହିତକର ନୁହେଁ।
-ଇଂ କମଳାକାନ୍ତ ସେନାପତି, ନାଗେଶ୍ବର ଟାଙ୍ଗୀ

ସମ୍ବନ୍ଧିତ ଖବର