ଫୋନ୍‌-ଇନ୍‌-ପ୍ଲିଜ୍‌: ଖାଲି ନେତୃତ୍ବ ନୁହେଁ, ଗଣତନ୍ତ୍ରର ବି ହତ୍ୟା

ବର୍ତ୍ତମାନ, ରାଜ୍ୟ​ରେ କ୍ଷମତା ଅଳିନ୍ଦରେ ଥିବା ନେତା, ମନ୍ତ୍ରୀ, ବିଧାୟକଙ୍କ ମଧ୍ୟରୁ ଅଧିକାଂଶଙ୍କ ରାଜନୀତି ଜୀବନର ମୂଳଦୁଆ କଲେଜ, ବିଶ୍ବବିଦ୍ୟାଳୟ ଛାତ୍ରସଂସଦ ନିର୍ବାଚନରୁ ହିଁ ପଡ଼ିଥିଲା। ଛାତ୍ର ସଂସଦ ନିର୍ବାଚନ, ସମାଜର ଭବିଷ୍ୟତ ନେତୃତ୍ବକୁ ସୃଷ୍ଟି କରିଥାଏ। ଜେଏନ୍‌ୟୁ ଭଳି ଦେଶର ଅନ୍ୟ ବଡ଼ ବଡ଼ ଶିକ୍ଷାନୁଷ୍ଠାନରେ ଏହି ପ୍ରକ୍ରିୟା ଅବିରତ ଭାବେ ଚାଲି ଆସୁଛି। କିନ୍ତୁ ଆମ ରାଜ୍ୟ ସରକାର ସଂସ୍କାର ନାଁରେ ଏହାକୁ ବନ୍ଦ କରି ଭବିଷ୍ୟତ ନେତୃତ୍ବର ତଣ୍ଟି ଚିପି ଦେଇଛନ୍ତି। ଚଳିତଥରର ‘ସମ୍ବାଦ’ ଫୋନ୍‌-ଇନ୍‌-ପ୍ଲିଜ୍‌ର ପ୍ରସଙ୍ଗ ‘ଛାତ୍ରସଂସଦ ନିର୍ବାଚନ ବନ୍ଦ ନେତୃତ୍ବର ଭ୍ରୂଣହତ୍ୟା ଅଟେ’​​​ରେ ଭାଗ ନେଇଥିବା ଅଧିକାଂଶ ପାଠକ ଏପରି ମତ ଦେଇଛନ୍ତି।

ଛାତ୍ର ସଂସଦ ନିର୍ବାଚନ ନ ହେବା ଦ୍ବାରା ଗଣତନ୍ତ୍ରର ହତ୍ୟା ହେଉଛି। ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟ ହେଉଛି ନିର୍ବାଚନର ଏନ୍ତୁଡ଼ିଶାଳ। ଏହି ସ୍ଥାନରେ ନିର୍ବାଚନ ବନ୍ଦ କରିବା ଅର୍ଥ ଗଣତନ୍ତ୍ରର ଭ୍ରୂଣହତ୍ୟା। ତେଣୁ ସରକାର ଏଥିପ୍ରତି ଦୃଷ୍ଟି ଦେଇ ପୂର୍ବଭଳି ନିର୍ବାଚନକୁ ଅନୁମତି ଦିଅନ୍ତୁ। ନଚେତ୍‌ ଛାତ୍ରଛାତ୍ରୀମାନଙ୍କ ପ୍ରତି ଏହା ଅନ୍ୟାୟ ହେବ।
-ପ୍ରକାଶ ମିର୍ଦ୍ଦା, ସମ୍ବଲପୁର ବିଶ୍ବବିଦ୍ୟାଳୟ

ଦୀର୍ଘ ୪ବର୍ଷ ଧରି ବିଭିନ୍ନ ଆଳ ଦେଖାଇ କେବଳ ନିର୍ବାଚନ ବନ୍ଦ କରାଯାଉନି, ବରଂ ତୃଣମୂଳସ୍ତରରୁ ସୃଷ୍ଟି ହେବାକୁ ଥିବା ନେତୃତ୍ବର ତଣ୍ଟି ଚିପା ଯାଉଛି। ଆଗାମୀ ଦିନରେ ଏହା ଗଣତନ୍ତ୍ର ପାଇଁ ମହାବିପଦ ସୃଷ୍ଟି କରିବ। ତେଣୁ ଛାତ୍ରଛାତ୍ରୀମାନେ ଦଳମତ ନିର୍ବିଶେଷରେ ଏକ‌ ହୋଇ ସ୍ବ​​ରୋତ୍ତୋଳନ କରନ୍ତୁ। ସରକାରଙ୍କ ଉପରେ ଚାପ ସୃଷ୍ଟି କରି ନିର୍ବାଚନ କରିବା ପାଇଁ ସବୁପ୍ରକାର ଉଦ୍ୟମ କରନ୍ତୁ।
-କିରଣ ମହାରାଣା, ଚନ୍ଦ୍ରଶେଖରପୁର

ଛାତ୍ର ସଂସଦ ନିର୍ବାଚନ ବନ୍ଦ ଏକ ସ୍ବାଗତଯୋଗ୍ୟ ପଦକ୍ଷେପ। କାରଣ ଶିକ୍ଷାନୁଷ୍ଠାନରେ ନିର୍ବାଚନ ହେବାଦ୍ବାରା ବ୍ୟାପକ ହିଂସା ଉପୁଜୁଥିବାର ଅନେକ ନଜିର୍‌ ରହିଛି। ଏହାଦ୍ବାରା ମେଧାବୀ ଛାତ୍ରଛାତ୍ରୀଙ୍କ ପାଠ ପଢ଼ା ମଧ୍ୟ ବ୍ୟାହାତ ହୋଇଛି। ସେ ଦୃଷ୍ଟିରୁ ଏହାକୁ ସଂପୂର୍ଣ୍ଣ ବନ୍ଦ କରାଯିବା ସହ ଅନ୍ୟ କୌଣସି ଉପାୟରେ ନେତୃତ୍ବ ଚୟନ କରିବା ବ୍ୟବସ୍ଥା କରନ୍ତୁ ସରକାର।
-ରମେଶ ଚନ୍ଦ୍ର ମହାପାତ୍ର, ଡୁମଡୁମା

ଛାତ୍ରଛାତ୍ରୀମାନଙ୍କ ଅଧିକାର ହେଉଛି, ସେମାନେ ଶିକ୍ଷାନୁଷ୍ଠାନର ନିଜର ବିକାଶ ଏବଂ ଶୃଙ୍ଖଳାଗତ ପରିଚାଳନା ଲାଗି ନେତୃତ୍ବ ବାଛିବା। ସରକାର ବିରାଟ ଷଡ଼ଯନ୍ତ୍ର କରି ଏହାକୁ ବନ୍ଦ କରିଛନ୍ତି। ଯାହା ଛାତ୍ର ସମାଜ ଆଦୌ ବରଦାସ୍ତ କରିବନି। ସରକାର ଏହାର ପୁନଃବିଚାର କରି ଖୁବ୍‌ଶୀଘ୍ର ନିର୍ବାଚନ କରାନ୍ତୁ। ନଚେତ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପକ୍ଷରୁ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ।
-ରାଜାରାମ ଡଙ୍ଗରୀ, କଳାହାଣ୍ଡି

ଛାତ୍ରଛାତ୍ରୀମାନେ ବିଦ୍ୟାଳୟ ଓ ମହାବିଦ୍ୟାଳୟ ପାଠ ପଢ଼ିବା ତଥା ଜ୍ଞାନ ଆହରଣ କରିବା ପାଇଁ ଯା’ନ୍ତି। କିନ୍ତୁ ସେଠାରେ ନିର୍ବାଚନ କରି ଶିକ୍ଷାରେ ବାଧା ସୃଷ୍ଟି କରାଯାଏ। ନିର୍ବାଚନ ବନ୍ଦ କରିବା ସରକାରଙ୍କ ଠିକ୍‌ ନିଷ୍ପତ୍ତି। କାରଣ ନିର୍ବାଚନ ହେବା ଦ୍ବାରା ପାଠପଢ଼ା ପ୍ରଭାବିତ ହୁଏ। ମେଧାବୀ ଛାତ୍ରଛାତ୍ରୀମାନେ ବହୁ ସମସ୍ୟାରେ ପଡ଼ନ୍ତି। ଏଥିସହ ବହୁ ସମୟରେ ନିରୀହ ପିଲା ନିର୍ବାଚନୀ ହିଂସାର ଶିକାର ହେବାର ଅତୀତରେ ଅନେକ ନଜିର୍‌ ରହିଛି।
-ସୁରେନ୍ଦ୍ର ନାୟକ, ନିଆଳି

ଛାତ୍ର ଜୀବନରୁ ହିଁ ନେତୃତ୍ବଧାରୀ ତଥା ଉଦୀୟମାନ ଯୁବକମାନେ ହିଁ ଦେଶ, ରାଜ୍ୟ ତଥା ନିର୍ବାଚନମଣ୍ଡଳୀ ପରିଚାଳନାକୁ ଶିକ୍ଷା କରନ୍ତି। କିନ୍ତୁ ସରକାର ଏହାକୁ ବନ୍ଦ କରି ଛାତ୍ରଛାତ୍ରୀମାନଙ୍କ ପ୍ରତି ଅନ୍ୟାୟ କରୁଛନ୍ତି। ସେ ଦୃଷ୍ଟିରୁ ସରକାର ଛାତ୍ର ସଂସଦ ନିର୍ବାଚନ କରାନ୍ତୁ। ନଚେତ ଆଗାମୀ ଦିନରେ ଛାତ୍ରଛାତ୍ରୀମାନେ ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବେ।
-ସଂଗ୍ରାମ କେଶରୀ ମଲ୍ଲିକ‌, ଉତ୍ତରା

ଗଣତନ୍ତ୍ରର ଏନ୍ତୁଡ଼ିଶାଳକୁ ବନ୍ଦ କରିଦେବାକୁ ରାଜ୍ୟ ସରକାରଙ୍କ ଏହା ଏକ ଷଡ଼ଯନ୍ତ୍ର। ରାଜ୍ୟ ସରକାର କେବଳ ନେତା, ମନ୍ତ୍ରୀମାନଙ୍କ ପରିବାରବର୍ଗଙ୍କୁ ସୁଯୋଗ ଓ ଅମଲାତନ୍ତ୍ର ହାତକୁ ଶାସନ କଳ ଟେକି ଦେବାକୁ ଚାହୁଛନ୍ତି। ଜେଏନ୍‌ୟୁ ସମେତ ଦେଶରେ ଅନ୍ୟ ବଡ଼ବଡ଼ ବିଶ୍ୱବିଦ୍ୟାଳୟରେ ଯଦି ଶାନ୍ତିଶୃଙ୍ଖଳାରେ ନିର୍ବାଚନ ହୋଇପାରୁଛି, ତେବେ ଓଡ଼ିଶାରେ ଏମିତି କ’ଣ ଅସୁବିଧା ହୋଇଯିବ? ରାଜ୍ୟ ସରକାର କାହିଁକି ନିର୍ବାଚନ କରେଇ ଦେଉନାହାନ୍ତି? କଲେଜ୍ କ୍ୟାମ୍ପସ୍‌ ୟୁନିଟ୍‌ କେବଳ ନିରୀହ ଛାତ୍ରଛାତ୍ରୀଙ୍କୁ ଠକିବା କିମ୍ବା ସେମାନଙ୍କୁ ଥଇଥାନ କରିବାର ଏକ ବାହାନାମାତ୍ର। ଏଥିରେ କଲେଜର ଉନ୍ନତି ହୋଇପାରିବ ନାହିଁ କି ଛାତ୍ର ସମାଜରୁ ଆଗାମୀ ରାଜନେତା ବାହାରିବାରେ ସହାୟକ ହୋଇପାରିବ ନାହିଁ।
-ସଂଘମିତ୍ରା ଜେନା, ଭୁବନେଶ୍ୱର

ଛାତ୍ର ସଂସଦ ନିର୍ବାଚନ କଲେଜ୍ ପରିସରରେ ଅଶାନ୍ତ ବାତାବରଣ ଓ ଗଣ୍ଡଗୋଳର ମୁଖ୍ୟ କାରଣ। ବିଭିନ୍ନ ଦଳର ରାଜନୈତିକ ନେତାମାନେ ଛାତ୍ର ସମାଜକୁ ଉସୁକାଉଛନ୍ତି। ତେଣୁ କଲେଜ ପରିସରକୁ ଓ ଛାତ୍ରସମାଜକୁ ହୀନ ରାଜନୀତିରୁ ଦୂରେଇ ରଖିବା ଭଲ। ନିର୍ବାଚନ ବନ୍ଦ ନେତୃତ୍ବର ଭ୍ରୂଣହତ୍ୟା ନୁହେଁ।
-ଡା. ଦିନାନାଥ ଦାଶ, ଲକ୍ଷ୍ମୀସାଗର

ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି କୁହନ୍ତି, ଛାତ୍ର ନିର୍ବାଚନ ବନ୍ଦ କରିବା ଅର୍ଥ ଯୁବନେତୃତ୍ୱକୁ ମାରିଦେବା। ଛାତ୍ର ସଂସଦ ନିର୍ବାଚନ ବନ୍ଦ କରିଦେଲେ ଯେ ଶିକ୍ଷାର୍ଥୀ ରାଜନୀତିମୁକ୍ତ ଜୀବନ ବିତାଇବେ, ତାହା କେବଳ ଏକ ପ୍ରବଞ୍ଚନା ହୋଇପାରେ। ଯଦି ଛାତ୍ର ସଂସଦ ନିର୍ବାଚନ ବନ୍ଦ ରୁହେ, ତେବେ କଲେଜ ପଢ଼ୁଆ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଦଳୀୟ ଭାବନା ସୃଷ୍ଟି ହେବ କିପରି?
-ସୁଧାକର ଦାସ, ପି.ଏନ୍‌ କଲେଜ

ଛାତ୍ର ସଂସଦ ନିର୍ବାଚନ ବନ୍ଦ ନେତୃତ୍ୱର ଭ୍ରୂଣହତ୍ୟା; କଥାଟି ପୂରାପୂରି ଯଥାର୍ଥ। ଏଇଠାରୁ ହିଁ ଭବିଷ୍ୟତର ରାଜନେତା ଜନ୍ମ ନିଅନ୍ତି। ସାଧାରଣ ନିର୍ବାଚନ ସମୟରେ କ’ଣ ସମାଜରେ ଅସ୍ଥିରତା ସୃଷ୍ଟି ହେଉନାହିଁ କି? ତେଣୁ ସରକାର ଏହା ଉପରେ ପୁନଃବିଚାର କରି ନିର୍ବାଚନକୁ ଅନୁମତି ଦିଅନ୍ତୁ।
-ନଗେନ୍ଦ୍ରନାଥ ମିଶ୍ର, ସାମନ୍ତରାପୁର

୧୮ବର୍ଷର ସାବାଳକ ଭୋଟ୍‌ ଦେଇ ନିଜ ଅଞ୍ଚଳର ଜଣେ ଜନପ୍ରତିନିଧିଙ୍କୁ ଚୟନ କରୁଛି। ସେହି ସାବାଳକ ନିଜ ମହାବିଦ୍ୟାଳୟରେ ଜଣେ ଛାତ୍ର ପ୍ରତିନିଧିଙ୍କୁ ବାଛିବାରେ ଅସୁବିଧା କେଉଁଠି? କାହିଁକି ଜଣେ ଛାତ୍ରର ରାଜନୈତିକ ଅଧିକାରକୁ ଛଡ଼ାଇ ନିଆଯାଉଛି? କରୋନା ପୂର୍ବରୁ ଛାତ୍ର ସଂସଦ ନିର୍ବାଚନ ସମୟରେ କିଛି ମହାବିଦ୍ୟାଳୟରେ ଛାତ୍ର ବିଶୃଙ୍ଖଳା ସୃଷ୍ଟି ହେଉଥିଲା। ଏହା ସତ୍ତ୍ୱେ ଛାତ୍ରଛାତ୍ରୀମାନେ କିଛି ଶିକ୍ଷାଲାଭ କରିପାରୁଥିଲେ। ରାଜ୍ୟ ସରକାର ଚାହିଲେ, ଶୃଙ୍ଖଳାର ସହ ଛାତ୍ର ସଂସଦ ନିର୍ବାଚନ ହୋଇପାରିବ।
-ଦେବାଶିଷ ସାହୁ, ଏକାମ୍ର କଲେଜ

ଛାତ୍ର ସଂସଦ ନିର୍ବାଚନ ନ ହେବା ଦ୍ବାରା ରାଜ୍ୟର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସାମାଜିକ, ରାଜନୈତିକ ଚେତନାର ବିକାଶ ହୋଇପାରୁନାହିଁ। ରାଜ୍ୟ ଶାସକ ଦଳର ତୁଙ୍ଗ ନେତାମାନେ ଛାତ୍ର ରାଜନୀତିରୁ ଆସିଛନ୍ତି। କିନ୍ତୁ ପରିତାପର ବିଷୟ, ସେମାନେ ହିଁ ଭବିଷ୍ୟତ ନେତୃତ୍ୱର ସମ୍ଭାବନାକୁ କ୍ଷୀଣ କରୁଛନ୍ତି। ଫଳରେ ଗୁଣ୍ଡା, ମାଫିଆମାନଙ୍କର ରାଜନୀତିକୁ ଆସିବାର ରାସ୍ତା ପ୍ରଶସ୍ତ ହୋଇଛି। ଛାତ୍ର ସଂସଦ ନିର୍ବାଚନ କେକ୍, ପେଟିସ, ସିନେମା ଟିକେଟ୍‌ର ରାଜନୀତି ନହୋଇ ପେନ୍, ପେପର୍‌, ବକ୍ତୃତାରେ ରାଜନୀତି ହେବା ଦରକାର।
-ବିବେକ କୃଷ୍ଣ, ବିଜେବି କଲେଜ

କେବଳ ଯେ ଜଣେ ନିର୍ବାଚନରେ ଭାଗ ନେଇ ଛାତ୍ର ସମାଜର, କଲେଜର ଉନ୍ନତି କରିବ, ତାହା ଭାବିବା ଭୁଲ। ଛାତ୍ର ନିର୍ବାଚନରୁ ଦୂରରେ ରହି ମଧ୍ୟ ସମାଜ ପାଇଁ ବହୁତ କିଛି କରାଯାଇପାରିବ।
-ଗୌରବ ଚନ୍ଦ୍ର ଦାସ, ଓଡ଼ଗାଁ

ଛାତ୍ର ସଂସଦ ଗଠନ ହେଲେ ଛାତ୍ରଛାତ୍ରୀମାନେ ଏକତା, ଅଖଣ୍ଡତା ସଂପର୍କରେ ଜାଣିବାର ସୁଯୋଗ ପାଇଥା’ନ୍ତି। କିନ୍ତୁ ସରକାର ଏହାକୁ ବନ୍ଦ କରି ସେମାନଙ୍କ ଭିତରେ ଥିବା ଏକତାକୁ ନଷ୍ଟ କରିବାରେ ଲାଗିଛନ୍ତି। ସରକାରଙ୍କ ଏ ନିଷ୍ପତ୍ତି ଛାତ୍ର ସମାଜର ବୌଦ୍ଧିକ ଚେତନାକୁ ପଙ୍ଗୁ କରିଦେଉଛି।
-ନୀଳମଣି ମିଶ୍ର, ସୁନ୍ଦରପଦା

ସମ୍ବନ୍ଧିତ ଖବର