ଫୋନ୍‌-ଇନ୍‌-ପ୍ଲିଜ୍‌: ପ୍ରତିଶୋଧ ରାଜନୀତି ଦେଶ ଓ ଗଣତନ୍ତ୍ର ପାଇଁ ବଡ଼ ବିପଦ

ବିଜେପି ସରକାର ପ୍ରତିଶୋଧପରାୟଣ ହୋଇ ବିରୋଧୀଙ୍କୁ ମୂଳପୋଛ କରିବା ପାଇଁ ଚେଷ୍ଟା କରୁଛି। ସିବିଆଇ, ଇଡି ଭଳି ସରକାରୀ ସଂସ୍ଥାର ଅପବ୍ୟବହାର କରି ବିରୋଧୀଙ୍କ ଅଣ୍ଟା ଭାଙ୍ଗିବାକୁ ଚେଷ୍ଟା କରୁଛି। ନ୍ୟାସନାଲ ହେରାଲ୍‌ଡ ଅର୍ଥ ତୋଷରପାତ ଘଟଣାରେ ପ୍ରଥମେ ରାହୁଲ ଗାନ୍ଧୀ ଓ ଏବେ ସୋନିଆ ଗାନ୍ଧୀଙ୍କୁ ଇଡି ଜେରା କରି ହଇରାଣ କରିବା, ଏହାର ଉଦାହରଣ। ଏହା ଉଭୟ ଦେଶ ଓ ଗଣତନ୍ତ୍ର ପାଇଁ ବଡ଼ ବିପଦ। ଚଳିତଥରର ‘ସମ୍ବାଦ’ ଫୋନ୍‌-ଇନ୍‌-ପ୍ଲିଜ୍‌ର ପ୍ରସଙ୍ଗ ‘ରାହୁଲଙ୍କ ପରେ ସୋନିଆଙ୍କ ପାଳି: ପ୍ରତିଶୋଧ ପାଇଁ ଇଡିକୁ କେନ୍ଦ୍ର ବ୍ୟବହାର କରୁଛି’‌ରେ ଭାଗ ନେଇଥିବା ପାଠକଙ୍କ ମଧ୍ୟରୁ ଅଧିକାଂଶ ଏପରି ମତ ଦେଇଛନ୍ତି।

ପ୍ରତିଶୋଧ ପରାୟଣ ହୋଇ ବିଜେପି ସରକାର ‘ଇଡି’କୁ ବ୍ୟବହାର କରି କଂଗ୍ରେସକୁ ମୂଳପୋଛ କରିବା ପାଇଁ ଚେଷ୍ଟା କରୁଛି। ଗଣତନ୍ତ୍ର ପାଇଁ ଏହା ଆଦୌ ଶୁଭଙ୍କର ନୁହେଁ। ଗଣତନ୍ତ୍ରରେ ବିରୋଧୀ ଦଳ ରହିଲେ ହିଁ ସୁସ୍ଥ ଗଣତନ୍ତ୍ର ଗଠନ ସମ୍ଭବ। ଜାତୀୟ ସ୍ବାର୍ଥକୁ ଦୃଷ୍ଟିରେ ରଖି ସରକାର ଏଭଳି ପ୍ରତିଶୋଧ ପରାୟଣରୁ ନିବୃତ୍ତ ରୁହନ୍ତି। ନଚେତ୍‌ ସୁସ୍ଥ ଗଣତନ୍ତ୍ରର ପରିକଳ୍ପନା ଅସମ୍ଭବ।
ଡାକ୍ତର ଦୀନନାଥ ଦାସ, ଲକ୍ଷ୍ମୀସାଗର/ଦେବାଶିଷ ସାହୁ, ଜାଗମରା
ବୃନ୍ଦାବନ ପ୍ରଧାନ/ଲକ୍ଷ୍ମୀସାଗର

ମୋଦି ସରକାର ଅକ୍ରୋଶମୂଳକ ଏଭଳି କାର୍ଯ୍ୟ କରୁଛନ୍ତି କହିବାଟା ଠିକ୍‌ ହେବ ନାହିଁ। ନ୍ୟାସନାଲ୍‌ ହେରାଲ୍ଡ ଅର୍ଥ ତୋଷରପାତ ମାମଲାରେ ରାହୁଲ ଗାନ୍ଧୀଙ୍କ ସମ୍ପୃକ୍ତି ରହିଥିଲା, ସେ ଦୃଷ୍ଟିରୁ ତାଙ୍କୁ ଜେରା କରାଯାଇଥିଲା। ଏହି ମାମଲାର ଖିଅ ସୋନିଆ ଗାନ୍ଧୀଙ୍କ ସହ ଜଡ଼ିତ ଥିବାରୁ ତାଙ୍କୁ ମଧ୍ୟ ଜେରା କରାଯାଉଛି। ତେଣୁ ଏଥିରେ କିଛି ଅସୁବିଧା ନାହିଁ। କିନ୍ତୁ କଂଗ୍ରେସ ଏହାକୁ ରାଜନୈତିକ ପ୍ରସଙ୍ଗ କରି ଲୋକଙ୍କ ସହାନୁଭୂତି ଗୋଟାଇବାକୁ ଚାହୁଛି।
ରମେଶ ଚନ୍ଦ୍ର ନାୟକ, କଟକ

ଆଜି ପର୍ଯ୍ୟନ୍ତ ଇଡି ଜେରା କରିପାରୁ ନଥିଲା। ବିଜେପି ସରକାର କ୍ଷମତାକୁ ଆସିଲା ପରେ କାହିଁକି କରୁଛି? ତେଣୁ ସନ୍ଦେହ ହେବା ସ୍ବାଭାବିକ। ‘ଇଡି’ ଏ ସଂପର୍କରେ ସ୍ପଷ୍ଟୀକରଣ ଦେଉ। ଯଦି ମୋଦି ସରକାର ଜାଣିଶୁଣି ଏଭଳି ହୀନ କାର୍ଯ୍ୟ କରୁଥିଲେ, ତେବେ ଲୋକେ ନିଶ୍ଚୟ ଏହାର ଜବାବ ଦେଇଦେବେ।
ଶ୍ରୀବାସ ମହାନ୍ତି, ଭୁବନେଶ୍ବର

ବିଜେପି ସରକାର ଏଭଳି ହୀନ କାର୍ଯ୍ୟରୁ ନିବୃତ୍ତ ରୁହନ୍ତୁ। ନଚେତ୍‌ ଇତିହାସ କେବେ କ୍ଷମା ଦେବନି। ବିରୋଧୀ ଦଳ ସହ ନିର୍ବାଚନରେ ଲଢ଼େଇ କରାଯିବା ଆବଶ୍ୟକ। ପଛରୁ ଛୁରି ମାରିବା ଭଳି କାର୍ଯ୍ୟ କରି ତାଙ୍କୁ ଧରାଶାୟୀ କରିବା ଠିକ୍‌ ନୁହେଁ।
ଉଦୟ ସାହୁ, ଅଶୋକ ନଗର

କେନ୍ଦ୍ର ଓ ରାଜ୍ୟ ସରକାର ଏବେ କ୍ଷମତାର ଅପବ୍ୟବହାର କରିବା ଆରମ୍ଭ କରି ଦେଇଛନ୍ତି। ଯିଏ ସରକାରବିରୋଧୀ ମନ୍ତବ୍ୟ ଦେଲା, ସଙ୍ଗେ ସଙ୍ଗେ ତା’ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି। ଗଣତନ୍ତ୍ରରେ ଏଭଳି ଚାଲିଲେ ଆଗକୁ ଜନସାଧାରଣ ହିଁ କ୍ଷତିଗ୍ରସ୍ତ ହେବେ।
ନୀଳମଣି ମିଶ୍ର, ସୁନ୍ଦରପଦା

କେବଳ ସୋନିଆ କି ରାହୁଲ ଗାନ୍ଧୀଙ୍କ କ୍ଷେତ୍ରରେ ନୁହେଁ। କେନ୍ଦ୍ର ସରକାର ଏବେ ଏତେମାତ୍ରାରେ ପ୍ରତିଶୋଧପରାୟଣ ହୋଇପଡ଼ିଛନ୍ତି ଯେ ଅଣବିଜେପି ଶାସିତ ରାଜ୍ୟରେ ଅମଲାମାନଙ୍କୁ ଲଗାଇ ‌ସରକାର ଭାଙ୍ଗିବାକୁ ଚେଷ୍ଟା କରୁଛନ୍ତି। ଏହା ଗଣତନ୍ତ୍ର କିମ୍ବା ଦେଶ ପାଇଁ ଠିକ୍‌ ନୁହେଁ। ତେଣୁ ଲୋକମା‌ନେ ଏବେଠୁ ସଚେତନ ହୁଅନ୍ତି। ସରକାର ବାଛିବା ବେଳେ କୌଣସି ପ୍ରଲୋଭନର ଶିକାର ହୁଅନ୍ତୁ ନାହିଁ।
ଆହ୍ବାନ ପାଇକରାୟ, ୟୁନିଟ୍‌-୩

ଇଡି ଏକ ନିରପେକ୍ଷ ସଂସ୍ଥା, ସେ ତଦନ୍ତ କରୁଛି। ତେଣୁ ଅଯଥାରେ ଏହାକୁ ରାଜନୈତିକ ରଙ୍ଗ ‌ଦେବା ଉଚିତ ନୁହେଁ। ଏମିତି ହେଲେ ଲୋକମାନଙ୍କ ଭିତରେ ସରକାରଙ୍କ ଉପରୁ ଆସ୍ଥା ତୁଟିଯିବ। ଆଉ ଗୋଟେ କ୍ଷମତାଶୀନ ସରକାର ବିରୋଧ‌ରେ ଏମିତି ଷଡ଼ଯନ୍ତ୍ର କରନ୍ତୁ ନାହିଁ।
ଭାଗୀରଥି ଦାସ, ସତ୍ୟବିହାର/ଅଭୟ ସାହୁ, ଚକେଇସିହାଣୀ

କ୍ଷମତାର ଅପବ୍ୟବହାର ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ। କେନ୍ଦ୍ର ସରକାରଙ୍କ ପାଖରେ କିଛି ଅପରାଗ ଅଧିକାରୀ ଅଛନ୍ତି, ଯେଉଁମାନେ ଅନୈତିକ ଉପାୟ‌ରେ ଚାକିରି କରିଛନ୍ତି। ଆଉ ସେମାନେ ହିଁ ଗଣତନ୍ତ୍ରକୁ ଭୁଲି ସରକାରଙ୍କ ନିର୍ଦ୍ଦେଶରେ ଅନୈତିକ କାର୍ଯ୍ୟକଳାପ କରୁଛନ୍ତି। ଫଳରେ ନିରୀହ ଜନସାଧାରଣ ଏବଂ ବିରୋଧୀ ଦଳ ନେତା ହଇରାଣ ହେଉଛନ୍ତି। ଦୟା କରି ସରକାର ଏଥିରୁ ନିବୃତ୍ତ ରୁହନ୍ତୁ। ସ୍ବଚ୍ଛ ଶାସନ କରିବା ପାଇଁ ‌ସର୍ବଦା ଚେଷ୍ଟା କରନ୍ତୁ।
ସୁ‌ରେନ୍ଦ୍ର ନାୟକ, ନିଆଳି

କେନ୍ଦ୍ର ସରକାର ଇଡିକୁ ବ୍ୟବହାର କରିବା କଥା ସଂପୂର୍ଣ୍ଣ ଭୁଲ୍‌। ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କ ନାମରେ ବ୍ୟାପକ ଅର୍ଥ ହେର୍‌ଫେର୍‌ ଅଭିଯୋଗ ରହିଛି। ଇଡି କେବଳ ତାର ତଦନ୍ତ କରୁଛି। ତେଣୁ ସରକାରଙ୍କ ଉପରେ ମିଥ୍ୟା ଆରୋପ ଲଗାନଯାଉ।
ନଗେନ୍ଦ୍ରନାଥ ମିଶ୍ର, ସାମନ୍ତରାପୁର

ଇଡି ରାହୁଲ ଓ ସୋନିଆଙ୍କୁ ଜେରା କରିଛି, ଗିରଫ କରିନି। ନ୍ୟାୟପାଳିକା ମଧ୍ୟ ସେମାନଙ୍କୁ ଦୋଷମୁକ୍ତ କରିନାହିଁ। ତେଣୁ କେନ୍ଦ୍ରକୁ ଅଯଥାରେ ଦୋଷ ଦେବା ଉଚିତ ହେବ ନାହିଁ। ଯଦି ସେମାନେ ନିର୍ଦ୍ଦୋଷ, ତେବେ କେହି ସେମାନଙ୍କର କ୍ଷତି କରିପାରିବେ ନାହିଁ।
ବ୍ରଜକିଶୋର ପଟ୍ଟନାୟକ, ଆଇଆରସି ଭିଲେଜ୍
ରଜନୀକାନ୍ତ ରାଉଳ, କେନ୍ଦ୍ରାପଡ଼ା

ଦେଶର ପ୍ରମୁଖ ବିରୋଧୀ ଦଳର ସଭାପତି ଓ ତାଙ୍କ ପୁଅକୁ ଇଡି ଜେରା କରିବା ସାଧାରଣ କଥା ନୁହେଁ। ମୋତେ ଲାଗୁନି, ପ୍ରଧାନମନ୍ତ୍ରୀଙ୍କ ବିନା ନିର୍ଦ୍ଦେଶରେ ଇଡି ଏମିତି ଦୁହିଁଙ୍କୁ ଜେରା କରିପାରିବ।
ବ୍ରଜରାଜ ରଥ, ଡେଲ୍‌ଟା ଛକ

ରାଜନୀତି ଓ ନିର୍ବାଚନରେ ଅଧିକ ଟଙ୍କା ଆବଶ୍ୟକ ହେଉଥିବାରୁ ରାଜନେତାଙ୍କ ସ୍ବଭାବ ଖରାପ ହୋଇଯାଉଛି। ଇଡିର ଯାହା କାମ ସେ କରୁଛି। କାହାକୁ ହଇରାଣ କରିବା ତା’ର ଉଦ୍ଦେଶ୍ୟ ନୁହେଁ।
ଦାଶରଥୀ ସେନାପତି, ଭୁବନେଶ୍ବର

ଦେଶରେ ଏବେ ରାଜନୀତି ବହୁ ନୀଚସ୍ତରକୁ ଚାଲି ଗଲାଣି। ଏହା ଭାରତ ଭଳି ଗାଣତାନ୍ତ୍ରିକ ରାଷ୍ଟ୍ର ପାଇଁ ଶୁଭଙ୍କର ନୁହେଁ। ବିରୋଧୀ ଦଳ ଅଭିଯୋଗ ଅନୁସାରେ, ଶାସକ ଦଳ ଚାପରେ ଯଦି ଇଡି ଏମିତି କାମ କରୁଥାଏ, ତାହା ନିଶ୍ଚିତ ଭାବେ ଚିନ୍ତାର କାରଣ। ଇଡି କୌଣସି ରାଜନୈତିକ ଚାପର ବଶବର୍ତ୍ତୀ ନ ହୋଇ ସତ ପଦାକୁ ଆଣିବା ଦରକାର।
ରଜନୀକାନ୍ତ ରାଉଳ କେନ୍ଦ୍ରାପଡା

ଇଡିକୁ ବ୍ୟବହାର କରି କେନ୍ଦ୍ର ସରକାର କଂଗ୍ରେସକୁ ହଇରାଣ କରୁଛନ୍ତି।
ରବୀନ୍ଦ୍ର କୁମାର ନନ୍ଦ, ଶିଶୁପାଳଗଡ଼

ପ୍ରତିଶୋଧ ପରାୟଣ ହୋଇ ଏକ ସରକାରୀ ସଂସ୍ଥାର ଅପବ୍ୟବହାର କରାଯିବା ଦେଶ ପାଇଁ ଶୁଭଙ୍କର ନୁହେଁ।
ରମେଶ ଚନ୍ଦ୍ର ମହାପାତ୍ର, ଡୁମୁଡୁମା

ବିଜେପି ସରକାର ଚାପରେ ଇଡି ଏ କାମ କରୁଛି ବୋଲି ମୋତେ ଲାଗୁନାହିଁ। ନ୍ୟାସନାଲ ହେରାଲ୍ଡ ଅର୍ଥ ତୋଷରପାତ ମାମଲାରେ ସୋନିଆ ଓ ରାହୁଲଙ୍କ ବିରୋଧରେ ଅନେକ ତଥ୍ୟ ରହିଛି। ସେମାନେ ତଦନ୍ତରେ ଇଡିକୁ ସହଯୋଗ କରିବା ଦରକାର।
ଅମ୍ବିକା ପ୍ରସାଦ ମିଶ୍ର, ସତ୍ୟନଗର

ପ୍ରତିଶୋଧ ପରାୟଣ ହୋଇ କେନ୍ଦ୍ର ସରକାର ଇଡି ଦ୍ବାରା ବିଭିନ୍ନ ରାଜନେତାଙ୍କୁ ଏପରି ହଇରାଣ କରୁଛନ୍ତି।
ଶ୍ରୀବତ୍ସ ମହାନ୍ତି, ଯାଁଳା

ବିଜେପି ସରକାର ପ୍ରତିଶୋଧ ପରାୟଣ ହୋଇ ଯେଉଁଭଳି ଭାବେ ଇଡିକୁ ବ୍ୟବହାର କରୁଛନ୍ତି, ତାହା ଦେଶ କିମ୍ବା ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ।
ସୁଧାକର ଦାସ, ପ୍ରାଣନାଥ ସ୍ୱୟଂଶାସିତ ମହାବିଦ୍ୟାଳୟ

ସମ୍ବନ୍ଧିତ ଖବର