ଫୋନ୍‌ ଇନ୍‌ ପ୍ଲିଜ: ଦରଦାମ୍‌ ନିୟନ୍ତ୍ରଣରେ ରାଜ୍ୟଗୁଡ଼ିକର ସହଯୋଗ ନିହାତି ଆବଶ୍ୟକ

ରାଜ୍ୟ ଓ କେନ୍ଦ୍ର ସରକାର ପେଟ୍ରୋଲ, ଡିଜେଲ୍‌ ଉପରୁ ବହୁତ ଟିକସ ନେଇ ଆସୁଥିଲେ ଓ ଏବେ ବି ନେଉଛନ୍ତି। କିନ୍ତୁ ବର୍ତ୍ତମାନ ଦରଦାମ୍‌ ଯେଉଁ ହାରରେ ବୃଦ୍ଧି ପାଉଛି, ତାହାକୁ ନିୟନ୍ତ୍ରଣ କରିବାକୁ ହେଲେ ତେଲ ଦରକୁ ନିୟନ୍ତ୍ରଣ କରିବାକୁ ପଡ଼ିବ ଅନ୍ୟ କିଛି ରାସ୍ତା ନାହିଁ। ନଚେତ୍‌ ଗରିବଟିଏ ଖାଇବାକୁ ପାଇବ ନାହିଁ। ଏମିତି ନୁହେଁ ଯେ ତେଲ ଉପରୁ ଟିକସ କମାଇଲେ ଦେଶର ଅର୍ଥନୀତିରେ କିଛି ଗୋଟାଏ ବଡ଼ ଫରକ୍‌ ପଡ଼ିବ। କେନ୍ଦ୍ର ସରକାର ଉତ୍ପାଦ ଶୁଳ୍କ ହ୍ରାସ କରି ନିଜ ଦାୟିତ୍ବ କରିଦେଇଛନ୍ତି। ଏବେ ରାଜ୍ୟମାନେ ବି ଭାଟ୍‌ ହ୍ରାସ କରନ୍ତୁ। ସମ୍ବାଦ ଫୋନ୍‌-ଇନ୍‌-ପ୍ଲିଜ୍‌ର ଚଳିତଥରର ପ୍ରସଙ୍ଗ ‘ଟ୍ରୋଲ ଦର ନିୟନ୍ତ୍ରଣରେ କେନ୍ଦ୍ରକୁ ରାଜ୍ୟମାନେ ସହଯୋଗ କରୁନାହାନ୍ତି’‌ରେ ଭାଗ ନେଇଥିବା ଅଧିକାଂଶ ପାଠକ/ପାଠିକାମାନେ ଏପରି ମତ ଦେଇଛନ୍ତି।

କେନ୍ଦ୍ର ସରକାରଙ୍କ ପରି ରାଜ୍ୟ ସରକାର ମଧ୍ୟ ପେଟ୍ରୋଲ୍‌ ଓ ଡିଜେଲ୍ ଦରରୁ ଭାଟ୍‌ କମାଇବା ଦରକାର। ଏହାଦ୍ବାରା ଆହୁରି ତୈଳ ଦର ଆହୁରି କମିବ ଏବଂ ସାଧାରଣ ଲୋକ ଉପକୃତ ହେବେ।
-ଇନ୍ଦ୍ରକନ୍ଦ ପାଣି, ରାୟଗଡ଼ା

କେନ୍ଦ୍ର ସରକାର ତୈଳ ଦର ଉପରୁ ଟିକସ କମାଇବା ସ୍ବାଗତଯୋଗ୍ୟ ପଦେକ୍ଷେପ। ଏହାକୁ ଅନୁରୂପ ଭାବେ ରାଜ୍ୟ ସରକାର ଅନୁସରଣ କରି ପେଟ୍ରୋଲ ଓ ଡିଜେଲ୍‌ ଦର ଉପରୁ ଭାଟ୍‌ କମାଇବା ଦରକାର। ନହେଲେ ରାଜ୍ୟରେ ଜନଅନ୍ତୋଷ ପ୍ରକାଶ ପାଇବ।
-ରମେଶ ନାୟକ, ବକ୍ସି ବଜାର, କଟକ

ରାଜ୍ୟଗୁଡ଼ିକର ଅସହଯୋଗ ପାଇଁ ପେଟ୍ରୋଲ୍‌ ଓ ଡିଜେଲ୍‌ ଦର ୧୦୦ ତଳକୁ ଖସୁନି। ଫଳରେ ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ୍‌‌ ବି ଖସୁନି। ତେଣୁ ରାଜ୍ୟ ସରକାର ତୁରନ୍ତ ଭାଟ୍‌ ହ୍ରାସ୍‌ କରନ୍ତୁ।
-ଭାଗୀରଥି ଦାସ, ସତ୍ୟବିହାର
-ନଗେନ୍ଦ୍ରନାଥ ମିଶ୍ର, ଭୁବନେଶ୍ବର
-ସେକ୍‌ ୟାକୁବ୍‌, ଗୋପ

ରାଜ୍ୟ ସରକାର କାହିଁକି ଭାଟ୍‌ ହ୍ରାସ କରିବେ। ତେଲ ଦାମ୍‌ ବଢ଼ାଇବା ବେଳେ କେନ୍ଦ୍ର ସରକାର ତ ଏକପାଖିଆ ନିଷ୍ପତ୍ତି ନେଉଛନ୍ତି। ତେଣୁ ତେଲ ଦରକୁ କେନ୍ଦ୍ର ସରକାର ଆହୁରି କମାନ୍ତୁ।
-ଆହ୍ବାନ କୁମାର ପାଇକରାୟ, ଖାରବେଳ ନଗର

ଓଡ଼ିଶାରେ ପେଟ୍ରୋଲ୍‌ ଉପରେ ୩୨ଟଙ୍କା ଓ ଡିଜେଲ୍‌ ଉପରେ ୨୮ଟଙ୍କା ଭାଟ୍‌ ନିଆଯାଉଛି। କିନ୍ତୁ ତୁଳନାତ୍ମକ ଭାବେ ଅନ୍ୟ ରାଜ୍ୟ ସରକାରମାନେ କମ୍‌ ଭାଟ୍‌ ନେଉଛନ୍ତି। ତେଣୁ ଆମ ରାଜ୍ୟରେ ତେଲ ଉପରୁ ଭ୍ୟାଟ୍‌ କମାଯାଉ।
-ଦୀନନାଥ ଦାସ, ଲକ୍ଷ୍ମୀସାଗର

ତେଲ ଉପରୁ ଭ୍ୟାଟ୍‌ କମାଇବା ପାଇଁ ରାଜ୍ୟ ଉପରେ କେନ୍ଦ୍ର ସରକାର ଚାପ ପକାନ୍ତୁ।
-ନୀଳମଣି ମିଶ୍ର, ସୁନ୍ଦରପଦା
-ନିରୋଜ କୁମାର ସିଂହ, କଳିଙ୍ଗ ବିହାର

କେନ୍ଦ୍ରରେ କଂଗ୍ରେସ ନେତୃତ୍ବାଧୀନ ଉପା ସରକାର ଅମଳରେ ଅନ୍ତର୍ଜାତୀୟ ବଜାରରେ ଯେତେବେଳ ଅଶୋଧିତ ତୈଳର ଦର ବ୍ୟାରେଲ୍‌ ପ୍ରତି ୨୦୦ ଡଲାର ଥିଲା, ଭାରତରେ ପେଟ୍ରୋଲ ଲିଟର ୭୦ ଟଙ୍କା ଥିଲା। ଏବେ ପାଖାପାଖି ୧୦୫ରୁ ୧୧୦ ଡଲାର୍‌ ଥିବା ବେଳେ ଦର କାହିଁକି ଏତେ ଅଧିକ। ସରକାର କାହିଁକି ଅଧିକ ଟିକସ ଅସୁଲ କରୁଛନ୍ତି। ସେହିପରି କେନ୍ଦ୍ର ସରକାର ସବୁଥିରେ ଜିଏସ୍‌ଟି ଲାଗୁ କରିଥିବା ବେଳେ ତୈଳଦର ଉପରେ କାହିଁକି ଲାଗୁ କରୁନାହାନ୍ତି।
-ଅନନ୍ତ ପାଣିଗ୍ରାହୀ, ଭୁବନେଶ୍ବର

ପେଟ୍ରୋଲ, ଡିଜେଲ୍‌ ଉପରୁ ଉତ୍ପାଦ ଶୁଳ୍କ କମାଇ କେନ୍ଦ୍ର ସରକାର ନିଜ କାମ କରିସାରିଛନ୍ତି। କେନ୍ଦ୍ର ନିଜ ଧର୍ମ ପାଳନ କରିଛି। ଏବେ ରାଜ୍ୟଗୁଡ଼ିକର ପାଳି।
-ବୁଲୁ ପଟ୍ଟନାୟକ,ରସୁଲଗଡ଼

ପେଟ୍ରୋଲ, ଡିଜେଲ୍‌ ଦର ବଢ଼ିଲେ ସବୁ ପ୍ରକାର ଅତ୍ୟାବଶ୍ୟକ ସାମଗ୍ରୀର ଦର ବଢ଼ିବ। ଗରିବ ଲୋକ ଅଯଥାରେ ଅନାହାରରେ ମରିବ। ତେଣୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ମିଳିମିଶି କାମ କରିବା ଆବଶ୍ୟକ।
-ଅରୁଣ କୁମାର ଦାସ, କେଉଁଝର

ଗରିବକଲ୍ୟାଣ ନାଁରେ ସ୍ଵତନ୍ତ୍ର ଯୋଜନା କରି ବହୁ ରାଜ୍ୟ ନିଜର ବାହାବା ନେଉଛନ୍ତି। ହେଲେ ପେଟ୍ରୋଲ ଦର କମ୍ କରାଇବା ଦିଗରେ ଆଗ୍ରହ ପ୍ରକାଶ କରୁନାହାନ୍ତି।
-ସୁରେନ୍ଦ୍ରକୁମାର ନାୟକ, କଟକ

କେନ୍ଦ୍ର ସରକାରଙ୍କ ପ୍ରୟାସ ବଳରେ ପେଟ୍ରୋଲ ଦର ଟିକିଏ କମିଛି। ହେଲେ ରାଜ୍ୟମାନେ ସହଯୋଗ ନକଲେ ସ୍ଥିତି ସୁଧୁରିବ କେମିତି?
-ଦେବାଶିଷ ସାହୁ, ଏକାମ୍ର କଲେଜ୍
-ସୁରଞ୍ଜନ ରାଉତ, ପଟିଆ

ପେଟ୍ରୋଲ, ଡିଜେଲ୍‌ର ଦରବୃଦ୍ଧି ସବୁ ବର୍ଗର ଲୋକଙ୍କୁ ସିଧାସଳଖ ପ୍ରଭାବିତ କରୁଛି। ଏହାକୁ ନେଇ ଦେଶରେ ଅସନ୍ତୋଷ ବଢ଼ିବାରେ ଲାଗିଛି। କେନ୍ଦ୍ର ସରକାର ଦର କମାଇ ସାରିଛନ୍ତି। ତେଣୁ ରାଜ୍ୟଗୁଡ଼ିକ କି ଭ୍ୟାଟ୍‌ ହ୍ରାସ କରି ନିଜ କର୍ତ୍ତବ୍ୟ କରନ୍ତୁ।
-ଶ୍ରୀଧର ବଳିୟାରସିଂ, ବରମୁଣ୍ଡା

କେନ୍ଦ୍ର ସରକାର ଅଧିକ ଟିକସ ନେଉଥିବାରୁ ସେ କିଛି ମାତ୍ରାରେ କମ୍‌ କରିପାରିଲେ। ରାଜ୍ୟମାନେ ବି କିଛି ତେଲରୁ କିଛି କମ୍‌ ପଇସା ନେଉନାହାନ୍ତି। ତେଣୁ ରାଜ୍ୟଗୁଡ଼ିକ ବି ଟିକସ କମ୍‌ କଲେ ସାଧାରଣ ଲୋକ ଆଶ୍ବସ୍ତ ହେବେ।
-ଜଗମୋହନ ପଟ୍ଟନାୟକ

ସମ୍ବନ୍ଧିତ ଖବର