ଫୋନ ଇନ ପ୍ଲିଜ: ଢାଞ୍ଚା‌ଗତ ପରିବର୍ତ୍ତନ ଜରୁରୀ

ରାଜନୀତିରେ ମହିଳାଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ରହିଛି। ପୁରୁଷ ସହ କାନ୍ଧରେ କାନ୍ଧ ମିଳାଇ ମହିଳାଟିଏ ବି ନିଜ ଅଞ୍ଚଳର ଯେମିତି ସେବା କରିବ, ଶାସନକଳ ସହ ଯୋଡ଼ି ହେବ, ସେଥିପାଇଁ ଏହି ବ୍ୟବସ୍ଥା କରାଯାଇଛି। କିନ୍ତୁ ପ୍ରକୃତରେ ସେମିତି ହେଉ ନାହିଁ। ହାତଗଣତି କିଛି ମହିଳା ଜନପ୍ରତିନିଧିଙ୍କୁ ଛାଡ଼ି ଦେଲେ, ବାକି ସ୍ଥାନରେ ମହିଳାଙ୍କ ସ୍ବାମୀ ହିଁ ପ୍ରକୃତ କ୍ଷମତା ଉପଭୋଗ କରୁଛନ୍ତି। ସେମାନେ କେବଳ ରବର୍‌ ଷ୍ଟାମ୍ପ୍‌ ଭଳି କାମ କରୁଛନ୍ତି। ଏମିତି ଚାଲିଲେ ଯୁଗ ପରେ ଯୁଗ ବିତିଯିବ ସିନା, ନାରୀ ସଶକ୍ତୀକରଣ ହୋଇପାରିବ ନାହିଁ। କେବଳ ପ୍ରହସନ ହୋଇ ରହିଯିବ। ତେଣୁ ରାଜନୀତିରେ ମହିଳାଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥାରେ ଢାଞ୍ଚାଗତ ପରିବର୍ତ୍ତନ ଅଣାଯିବା ଜରୁରୀ ହୋଇପଡ଼ିଛି। ଅପରପକ୍ଷେ ଦଳଗୁଡ଼ିକ ମଧ୍ୟ ମହିଳାଙ୍କ ଯୋଗ୍ୟତା ପରଖି ସେମାନଙ୍କୁ ଟିକେଟ୍‌ ଦିଅନ୍ତୁ। ସମ୍ବାଦ ଫୋନ୍‌-ଇନ୍‌-ପ୍ଲିଜ୍‌ର ଚଳିତଥରର ବିଷୟ ‘ଅନେକ କ୍ଷେତ୍ରରେ ମହିଳା ଜନପ୍ରତିନିଧିଙ୍କ କ୍ଷମତା ସ୍ବାମୀମାନଙ୍କ ହାତରେ ରହିବ’ରେ ଅଂଶଗ୍ରହଣ କରିଥିବା ପାଠକମାନେ ଏପରି ମତ ଦେଇଛନ୍ତି।

ଆମେ ନାରୀ ସଶକ୍ତୀକରଣ କଥା କହୁଛେ। ସବୁ କ୍ଷେତ୍ରରେ ମହିଳାଙ୍କୁ ସାଥିରେ ନେଇ ଚାଲିବା ଉପରେ ଗୁରୁତ୍ବାରୋପ କରୁଛେ। କିନ୍ତୁ ରାଜନୀତିରେ ଏହା ସଫଳ ହୋଇପାରୁନାହିଁ। ରାଜନୀତିରେ ମହିଳାଙ୍କୁ ସାମିଲ୍‌ କରିବା ପାଇଁ ସରକାର ସଂରକ୍ଷଣ ବ୍ୟବସ୍ଥା କରିଛନ୍ତି। କିନ୍ତୁ ବିଜୟୀ ହେବା ପରେ ସଂପୃକ୍ତ ମହିଳା ପ୍ରତିନିଧିଙ୍କ କ୍ଷମତା ତାଙ୍କ ସ୍ବାମୀ ଅଘୋଷିତ ଭାବେ ଭୋଗ କରୁଛନ୍ତି। ଏମିତି କରି କିଛି ଲାଭ ହେଉନାହିଁ। ଏଥିପାଇଁ ଢାଞ୍ଚାଗତ ପରିବର୍ତ୍ତନ ଜରୁରୀ।
ବୁଲୁ ପଟ୍ଟନାୟକ, ରସୁଲଗଡ଼

ମହିଳା ଜନପ୍ରତିନିଧିମାନେ ନିଜ କର୍ତ୍ତବ୍ୟ ଓ ଦାୟିତ୍ୱ ନିଜେ ନେବା ଆବଶ୍ୟକ। ସ୍ବାମୀଙ୍କ ଉପରେ ନିର୍ଭର କରିବା ଠିକ୍ ନୁହେଁ।
ଯୋଗେନ୍ଦ୍ର ନାଥ ସାହୁ, ପୁରୀ/ନୀଳମଣି ମିଶ୍ର, ସୁନ୍ଦରପଦା

ଏମିତି ବହୁ ଉଦାହରଣ ଅଛି, ଯେଉଁଠି ମହିଳାମାନେ ନିଜ କର୍ତ୍ତବ୍ୟକୁ ଠିକ୍‌ ଭାବେ ବୁଝିବା ସହ ତଦନୁଯାୟୀ ଦାୟିତ୍ବ ତୁଲାଇଛନ୍ତି। ସ୍ବାମୀଙ୍କ ଉପରେ ନିର୍ଭର କରିନାହାନ୍ତି। ତେଣୁ ଏଥର ପୌର ଓ ପଞ୍ଚାୟତ ନିର୍ବାଚନରେ ବିଜୟୀ ହୋଇଥିବା ମହିଳାମାନେ ମଧ୍ୟ ତାହା କରିବେ ବୋଲି ମୋର ଆଶା।
କମଳାକାନ୍ତ ସେନାପତି/ସୁ ରଞ୍ଜନ ରାଉତ, ଯାଜପୁର ଟାଉନ

ଯୋଗ୍ୟତା ନଥାଇ ଯେଉଁ ମହିଳାମାନେ ଜନପ୍ରତିନିଧି ଭାବେ ନିର୍ବାଚିତ ହୋଇଛନ୍ତି, ସେମାନଙ୍କ ସ୍ବାମୀ ହିଁ ପ୍ରକୃତ କ୍ଷମତା ଉପଭୋଗ କରିବେ। ସେମାନେ କେବଳ ରବର୍ ଷ୍ଟାମ୍ପ ହୋଇ ରହିଯିବେ।
ଶ୍ରୀବାସ ମହାନ୍ତି, ରତ୍ନାକରବାଗ

କ୍ଷମତା ଯଦି ସ୍ବାମୀମାନଙ୍କ ହାତରେ ରହିବ, ତେବେ ସମାଜରେ ନାରୀ ସଶକ୍ତୀକରଣ କେବଳ ଏକ ପ୍ରହସନ ହୋଇ ରହିଯିବ। ଏଥିପ୍ରତି ସରକାର ଦୃଷ୍ଟି ଦେବା ଆବଶ୍ୟକ।
ଭୀମସେନ ସ୍ବାଇଁ, ବ୍ରହ୍ମଗିରି

ସଦ୍ୟ ସମାପ୍ତ ହୋଇଥିବା ପୌର ଓ ପଞ୍ଚାୟତ ନିର୍ବାଚନରେ ଯେଉଁ ମହିଳାମାନେ ଚଳିତ ବର୍ଷ ଶାସନ ଗାଦିକୁ ଆସିଛନ୍ତି, ସେମାନଙ୍କ ମଧ୍ୟରୁ ଅନେକ ଦୁଇପଦ କଥା ବି ଠିକ୍‌ରେ କହି ପାରୁନାହାନ୍ତି। ସେମାନେ ଲୋକଙ୍କ କଥା କ’ଣ ବୁଝିବେ।
କାବୁ ମିଶ୍ର, ଗୌତମ ବିହାର

ଯେଉଁ ମହିଳାମାନେ ପ୍ରଥମଥର ପାଇଁ ପ୍ରାର୍ଥୀ ହୋଇ ବିଜୟ ଲାଭ କରିଛନ୍ତି, ସେମାନଙ୍କ ଉପରେ ତାଙ୍କ ସ୍ବାମୀଙ୍କ ପ୍ରଭୁତ୍ବ ରହିବ। କିନ୍ତୁ ପୁରୁଣା ନେତ୍ରୀମାନେ ଖୁବ୍‌ ଭଲ ଭାବେ ନିଜ ଦାୟିତ୍ବ ତୁଲାଇବା ଜାଣିଛନ୍ତି।
ଆଶୁତୋଷ ଦାସ, ପ୍ରଶାନ୍ତି ବିହାର

ମହିଳା ସଂରକ୍ଷଣ ବ୍ୟବସ୍ଥା ଯୋଗୁଁ ବହୁ ଆଶାୟୀ ତଥା ପୂର୍ବରୁ ପ୍ରତିନିଧିତ୍ବ କରିଆସୁଥିବା ପୁରୁଷ ନେତାମାନେ ପ୍ରାର୍ଥୀ ହେବାରୁ ବଞ୍ଚିତ ହେଉଛନ୍ତି। ତେଣୁ ସେମାନେ ନିଜ ପତ୍ନୀଙ୍କୁ ନିର୍ବାଚନରେ ଛିଡ଼ା କରାଇ ସମସ୍ତ କାର୍ଯ୍ୟ ନିଜେ ହିଁ ତୁଲାଉଛନ୍ତି। ଏହା ଗଣତନ୍ତ୍ର ଓ ନାରୀ ସମାଜ ପାଇଁ ଆଦୌ ଶୁଭଙ୍କର ନୁହେଁ।
ରମେଶ ଚନ୍ଦ୍ର ନାୟକ, ବକ୍ସିବଜାର
ସୁଧାକର ଦାସ, ପ୍ରାଣନାଥ ସ୍ୱୟଂଶାସିତ ମହାବିଦ୍ୟାଳୟ

ବହୁ କ୍ଷେତ୍ରରେ ଅନଭିଜ୍ଞ ମହିଳା ପ୍ରତିନିଧି ନିଜ ସ୍ବାମୀଙ୍କ ସହାୟତାରେ ରାଜନୀତିକ କାମ ଓ ସରକାରୀ କାମ କରନ୍ତି। ଏଥିରେ କିଛି ଅସୁବିଧା ନାହିଁ।
ପ୍ରକାଶ ଚନ୍ଦ୍ର ବାରିକ

ରାଜନୈତିକ, ସାମାଜିକ, ଅର୍ଥନୈତିକ ବିକାଶ ଓ ସଶକ୍ତୀକରଣରେ ମହିଳା ଜନପ୍ରତିନିଧିମାନଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ। ତେଣୁ ସେମାନଙ୍କ କ୍ଷମତା ସଂକୁଚିତ ନକରି ସେମାନଙ୍କୁ ପୂର୍ଣ୍ଣ ସ୍ୱାଧୀନତା ପ୍ରଦାନ କରିବା କଥା। କିନ୍ତୁ ତାହା ହେଉନାହିଁ।
ଅଶୋକ କୁମାର ଆଢ଼୍ୟ, ମରୀଚିକୋଟ ଗଳି, ପୁରୀ
ସୁରେନ୍ଦ୍ର କୁମାର ନାୟକ, ନିଆଳି
ଶ୍ରୀଧର ବଳିୟାରସିଂ, ବରମୁଣ୍ଡା

ଅନେକ ମହିଳା ଜନପ୍ରତିନିଧିଙ୍କ ରାଜନୀତି ଓ ଶାସନ ବ୍ୟବସ୍ଥା ଉପରେ ସାମାନ୍ୟତମ ଜ୍ଞାନ ନାହିଁ। ସ୍ବାମୀଙ୍କ ରାଜନୈତିକ ଇଚ୍ଛା ପୂରଣ ପାଇଁ ବାଧ୍ୟ ହୋଇ ସେମାନେ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି। ଏହା ଅତ୍ୟନ୍ତ ଲଜ୍ଜାର ବିଷୟ। ଏମିତି ହେଲେ ନାରୀ ସଶକ୍ତୀକରଣ କେମିତି ହେବ।
ଆହ୍ବାନ କୁମାର ପାଇକରାୟ, ୟୁନିଟ୍‌-୩
ଜଲିଲ୍ ଖାଁ, ନୂଆପଲ୍ଲୀ/ଶେଖ୍‌ ୟାକୁବ, ଗୋପ, ପୁରୀ

ମହିଳାଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ ଯେ ସେ ପରିବାର କଥା ବୁଝିବା ପରେ ନିଜ ପଦ ମର୍ଯ୍ୟାଦା କଥା ବୁଝିବେ।
ଭାଗୀରଥି ଦାଶ, ସତ୍ୟବିହାର

ସରକାର ମହିଳାମାନଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା କରି ସେମାନଙ୍କୁ ପୁରୁଷଙ୍କ ସହ ସମକକ୍ଷ କରିବା ପାଇଁ ଚେଷ୍ଟା କରୁଛନ୍ତି। ହେଲେ ସେମାନଙ୍କ ଶିକ୍ଷାଗତ ଯୋଗ୍ୟତା ପ୍ରତି ଧ୍ୟାନ ଦେଉନାହାନ୍ତି।
ଦିବ୍ୟ‌ଲୋଚନ ଭାରୀମଲ୍ଲ, ଖୋର୍ଦ୍ଧା

ମହିଳାମାନେ କ୍ଷମତା ଜାହିର୍‌ କରିବାକୁ ଚାହୁନାହାନ୍ତି। ସ୍ବାମୀମାନେ ବାଧ୍ୟ ହୋଇ ତାଙ୍କ ଜାଗାରେ କାମ କରୁଛନ୍ତି। ଏଥିପାଇଁ ସାଧାରଣଲୋକ ଦୁର୍ଦ୍ଦଶା ଭୋଗୁଛନ୍ତି।
ରାହୁଲ ସାହୁ, ପୁରୀ

ମହିଳାମାନେ ଏବେ ସଚେତନ ହେଲେଣି। ଧୀରେ ଧୀରେ ସ୍ବରଉତ୍ତୋଳନ କରିବା ଆରମ୍ଭ କଲେଣି। ତେଣୁ ଆଗାମୀ ଦିନରେ ଏ ଧାରାରେ ନିଶ୍ଚିତ ଭାବେ ପରିବର୍ତ୍ତନ ହେବ।
ଅଶୋକ କୁମର ରଥ, ଗୁଣପୁର
ଦୀନନାଥ ଦାସ, ଲକ୍ଷ୍ମୀସାଗର

ମହିଳା ଜନପ୍ରତିନିଧି ଦଳକୁ ବଳ, ମାତ୍ର ନେତ୍ରୀ ଦୁର୍ବଳ। ସେ ଦୃଷ୍ଟିରେ ସ୍ବାମୀମାନେ ତାଙ୍କ ପରିଶ୍ରମ କରି କ୍ଷମତା ହାସଲ କରୁଛନ୍ତି। ତେଣୁ କ୍ଷମତା ସ୍ବାମୀମାନଙ୍କ ହାତରେ ରହିବା ସ୍ବାଭାବିକ।
ଛାୟାକାନ୍ତ ନାୟକ, ବାଲିଘାଟ, ପୁରୀ

ସଂରକ୍ଷଣ ଦୃଷ୍ଟି‌ରୁ ମହିଳା ଲୋକପ୍ରତିନିଧି ହେଉଛନ୍ତି। କିନ୍ତୁ ଉନ୍ନୟନମୂଳକ କାର୍ଯ୍ୟ ସୂଚାରୁରୂପେ ହୋଇପାରୁନି। ଏ ବ୍ୟବସ୍ଥାରେ ପରିବର୍ତ୍ତନ କରାଯିବା ଆବଶ୍ୟକ।
-ଶିବସୁନ୍ଦର ମିଶ୍ର, ପୁରୀ

ଗଣତାନ୍ତ୍ରିକ ପ୍ରକ୍ରିୟାରେ ଜନପ୍ରତିନିଧି ‌ହେବା ପାଇଁ ପ୍ରଥମେ ଶିକ୍ଷାଗତ ଯୋଗ୍ୟତାକୁ ନେଇ ଏକ ମାନଦଣ୍ଡ ସୃଷ୍ଟି କରାଯାଉ। ତେବେ ଯାଇ ମହିଳା ହୁଅନ୍ତୁ ଅବା ପୁରୁଷ; ସମସ୍ତେ ସୂଚାରୁରୂପେ କାର୍ଯ୍ୟ କରିପାରିବେ।
-ଶ୍ରୀବତ୍ସ ମହାନ୍ତି, ଯାଁଳା

ଶିକ୍ଷିତ ମହିଳା ଜନପ୍ରତିନିଧି ହେଲେ କ୍ଷମତା ନିଜ ହାତରେ ରଖିବେ। ତେଣୁ ଏ ଦିଗରେ ସରକାର ଦୃଷ୍ଟି ଦେବା ଆବଶ୍ୟକ।
-ଡା. ନଗେନ୍ଦ୍ରନାଥ ମିଶ୍ର, ସାମନ୍ତରାପୁର, ଭୁବନେଶ୍ବର

ସମୟ ବଦଳିବା ସହ ମହିଳାମାନେ ଶିକ୍ଷିତ ଏବଂ ସଚେତନ ହେଉଛନ୍ତି। ‌ତେଣୁ ଏବେ ସେମାନେ ନିଜ କାର୍ଯ୍ୟ ନିଜେ କରିବା ଆରମ୍ଭ କଲେଣି। ଆଗାମୀ ଦିନରେ ସେମାନେ ସଂପୂର୍ଣ୍ଣରୂପେ ନିଜ କାମ ନିଜେ କରିବେ।
-ସଂଗ୍ରାମ କେଶରୀ ମଲ୍ଲିକ, ବାଲିଅନ୍ତା

ମହିଳାମାନେ ଯଦି ଗଣତାନ୍ତ୍ରିକ ପ୍ରକ୍ରିୟାରେ ସାମିଲ୍‌ ହେବେ, ତେବେ ଘର ଏବଂ ପରିବାର କଥା କିଏ ବୁଝିବ। ତେଣୁ ‌ଏ ସଂରକ୍ଷଣ ବ୍ୟବସ୍ଥାରେ ସରକାର ପରିବର୍ତ୍ତନ ଅଣାଯାଉ।
-ଯୁଧିଷ୍ଠିର ବେହେରା‌, ଭୁବନେଶ୍ବର

ସମ୍ବନ୍ଧିତ ଖବର