ଫୋନ – ଇନ୍‌ – ପ୍ଲିଜ: ୟୁକ୍ରେନ୍‌କୁ ସମର୍ଥନର ଅର୍ଥ ରୁଷ୍‌ ସହ ବିଶ୍ବାସଘାତ

ରୁଷ୍‌ ଭାରତର ଦୀର୍ଘ ଦିନର ବନ୍ଧୁ। ଆମର ୬୦ରୁ ୭୦ ପ୍ରତିଶତ ଅସ୍ତ୍ରଶସ୍ତ୍ର ରୁଷ୍‌ ନିର୍ମିତ। ଅତୀତ ସାକ୍ଷୀ ଅଛି, ଭାରତ ଉପରକୁ ଯେବେ ବି ବିପଦ ଆସିଛି, ରୁଷ୍‌ ଭାରତ ସହ ଛିଡ଼ା ହୋଇଛି, ଭାରତ ସପକ୍ଷ‌ରେ ବାହାରିଛି। ପାକିସ୍ତାନ ପାଇଁ ଯେତେବେଳେ ଆମେରିକା ଭାରତ ସହ ଯୁଦ୍ଧ କରିବା ପାଇଁ ସବୁ ସାଜସଂରଜାମ ସହ ପ୍ରସ୍ତୁତ ହୋଇ ଆସିଥିଲା, ସେତେବେଳେ ରୁଷ୍‌ ହିଁ ଭାରତକୁ ବଞ୍ଚାଇଥିଲା। ଭାରତ ଉପରେ ଆକ୍ରମଣକୁ ରୁଷ୍‌ ଉପରେ ଆକ୍ରମଣ ବୋଲି ବିବେଚନା କରାଯିବ ବୋଲି କହି ଆମେରିକାକୁ ଡରାଇଥିଲା। ପୂରା ବିଶ୍ବ ଭାରତ ବି‌ପକ୍ଷରେ ହୋଇଗଲେ ବି ରୁଷ୍‌ କେବେ ବି ଭାରତର ହାତ ଛାଡ଼ି ନାହିଁ କି ଆଗକୁ ବି ଛାଡ଼ିବ ନାହିଁ। ତେଣୁ ଜାତିସଂଘରେ ୟୁକ୍ରେନ୍‌ ସପକ୍ଷରେ ବାହାରି କାହିଁକି ରୁଷ୍‌ ଭଳି ଏକ ମିତ୍ରରାଷ୍ଟ୍ର ସହ ଅଯଥାରେ ବିଶ୍ବାସଘାତ କରିବା। ସମ୍ବାଦ ଫୋନ୍‌-ଇନ୍‌- ପ୍ଲିଜ୍‌ର ଚଳିତଥରର ପ୍ରସଙ୍ଗ ‘ଜାତିସଂଘରେ ଭାରତ ୟୁକ୍ରେନ୍‌କୁ ସମର୍ଥନ କରିବା ଉଚିତ’ର ଉତ୍ତରରେ ଅଧିକାଂଶ ପାଠକ ଏପରି ଯୁକ୍ତି ବାଢ଼ିଛନ୍ତି।

ଜାତିସଂଘରେ ଭାରତ ଆଦୌ ୟୁକ୍ରେନ୍‌କୁ ସମର୍ଥନ କରିବା ଉଚିତ ନୁହେଁ। ୟୁକ୍ରେନ୍‌କୁ ସମର୍ଥନ କରିବା ଅର୍ଥାତ୍‌ ଦୀର୍ଘ ଦିନର ବନ୍ଧୁ ରୁଷ୍‌ ସହ ବିଶ୍ବାସଘାତ କରିବା। ସବୁ ବିପଦ ଆପଦରେ ରୁଷ୍ ଭାରତ ସହ ଛିଡ଼ା ହୋଇଛି। ଆମର ୬୦ରୁ ୭୦ ପ୍ରତିଶତ ଅସ୍ତ୍ରଶସ୍ତ୍ର ବି ରୁଷ୍‌ ପ୍ରଦତ୍ତ। ହଁ ଭାରତ ଶାନ୍ତିପ୍ରିୟ ଦେଶ ଭାବେ ନିଜର ଗୌରବ ବଜାୟ ରଖିବାକୁ ହେଲେ ପୁଟିନ୍‌ଙ୍କ ସହ ଆଲୋଚନା କରି ଯୁଦ୍ଧବିରତି ପାଇଁ ଅନୁରୋଧ କରିପାରେ। କିନ୍ତୁ ବର୍ତ୍ତମାନର ପରିସ୍ଥିତିରେ ଆଦୌ ୟୁକ୍ରେନ୍‌କୁ ସମର୍ଥନ କରିବା ଉଚିତ ନୁହେଁ।
ଶ୍ରୀଦିଶା ମହାନ୍ତି, ଡୁମୁଡୁମା

ଏ ବିବାଦ ୟୁକ୍ରେନ୍‌ ଓ ରୁଷ୍‌ ମଧ୍ୟରେ। ବହୁ ଭାବିଚିନ୍ତି ରାଷ୍ଟ୍ରପତି ପୁଟିନ୍‌ ଏଭଳି ପଦକ୍ଷେପ ନେଇଛନ୍ତି। ତେଣୁ ଜାତିସଂଘରେ ୟୁକ୍ରେନ୍‌ର ପକ୍ଷ ନେବା ଭାରତ ପାଇଁ ଉଚିତ ହେବନି। ତେଣୁ କାହାକୁ ସମର୍ଥନ ନ କରି ଭାରତ ଯୁଦ୍ଧ ବନ୍ଦ ଦିଗରେ ନିଜର ମତ ରଖିବା ଦରକାର।
ଭାଗୀରଥି ଦାଶ, ସତ୍ୟବିହାର

ଜାତିସଂଘରେ ଭାରତ ୟୁକ୍ରେନ୍‌କୁ ସମର୍ଥନ କରିବା ଉଚିତ। କାରଣ ରୁଷ୍‌ ଯାହା କରୁଛି, ତାହା ଠିକ୍‌ ନୁହେଁ। ରୁଷ ଏବ‌େ ୟୁକ୍ରେନ୍‌ ଦଖଲ ପାଇଁ ଚେଷ୍ଟା ଚଳାଇଛି। ଏବେ ଯଦି ଭାରତ ଚୁପ୍‌ ରହିଯିବ, ତେବେ ଆଗାମୀ ଦିନରେ ଚୀନ୍‌ ବି ଆମ ସୀମାରେ ପଶି ଆମକୁ ଏମିତି ହାରକିନ୍‌ ଦେଖାଇବ। ସେତେବେଳେ ଆମେ ପାଟି ଖୋଲିଲେ, ଆମ ପାଇଁ କେହି ବାହାରିବେ ନାହିଁ।
ରଞ୍ଜନ ରାଉତ, ପଟିଆ

ଯଦି ଭାରତ ହସ୍ତକ୍ଷେପ କରିବାକୁ ଚାହିବ, ତାହେଲେ ମିଳିତ ଜାତିସଂଘ ର ସହମତିରେ ହସ୍ତକ୍ଷେପ କଲେ ଭଲ ହେବ।
ବୈଶାଳୀ ଜେନା ବରାଡ଼, ଓଡ଼ଗାଁ, ନୟାଗଡ଼

ଇତିହାସକୁ ଆମେ ଭୁଲିବା କଥା ନୁହେଁ। ରୁଷ୍‌ ଭାରତର ପୁରାତନ ବନ୍ଧୁ। ସାମରିକ କ୍ଷେତ୍ରଠାରୁ ଆରମ୍ଭ କରି ବିଶ୍ବ ରାଜନୀତିରେ ରୁଷ୍‌ ସବୁବେଳେ ଭାରତକୁ ସମର୍ଥନ କରିଆସିଛି। ଯେତେବେଳେ ପାକିସ୍ତାନକୁ ସାହାଯ୍ୟ କରିବାକୁ ଯାଇ ଆମେରିକା ଭାରତ ଉପରେ ଆକ୍ରମଣ କରିବାକୁ ପ୍ରସ୍ତୁତ ହୋଇ ଆସିଥିଲା, ସେତେ‌ବେଳେ ରୁଷ୍‌ ହିଁ ଆମକୁ ରକ୍ଷା କରିଥିଲା। ରୁଷ୍‌ ଚେତାବନୀ ଦେଇ କହିଥିଲା ଯେ ଭାରତ ଉପରେ ଆକ୍ରମଣକୁ ରୁଷ୍‌ ନିଜ ଉପରେ ଆକ୍ରମଣ ବୋଲି ବିବେଚନା କରିବ। ତେଣୁ ଜାତିସଂଘରେ ଭାରତ ୟୁକ୍ରେନ୍‌କୁ ଆଦୌ ସମର୍ଥନ କରିବା ଉଚିତ ନୁହେଁ।
ରମେଶ ଚନ୍ଦ୍ର ନାୟକ, ବକ୍ସିବଜାର, କଟକ

ଭାରତ ଶାନ୍ତିପ୍ରିୟ ଦେଶ। ତେଣୁ ସେ ତା’ ଗୌରବ ବଜାୟ ରଖୁ। ଯୁଦ୍ଧ ବିରତି ପାଇଁ ଜାତିସଂଘରେ ପ୍ରସ୍ତାବ ରଖୁ। କିନ୍ତୁ ୟୁକ୍ରେନ୍‌ର ପକ୍ଷ ନେଇ ରୁଷ୍‌ ସହ ସଂପର୍କ ଖରାପ କରିବା ଆଦୌ ଉଚିତ ନୁହେଁ। ମୋ ମତରେ, ନିରପେକ୍ଷ ରହିବା ହିଁ ଭାରତ ପାଇଁ ଉଚିତ ପଦକ୍ଷେପ ହେବ।
କମଳାକାନ୍ତ ସେନାପତି, ନାଗେଶ୍ବରଟାଙ୍ଗି

କୌଣସି ଦେଶକୁ ଭିଟୋ ପାୱାର ଦିଆନଯାଉ। ଏହି କ୍ଷମତା ଜାତିସଂଘର ସେକ୍ରେଟାରି ଜେନେରାଲଙ୍କ ପାଖରେ ରହୁ। କାରଣ ରୁଷ୍ ଭଳି ଦେଶ ଏହି ଭିଟୋ କ୍ଷମତାର ଅପବ୍ୟବହାର କରୁଛନ୍ତି। ଛୋଟ ଛୋଟ ଦେଶ ପାଇଁ ବିପଦ ସୃଷ୍ଟି କରୁଛନ୍ତି, ଯାହା ଆଦୌ ଗ୍ରହଣୀୟ ନୁହେଁ।
ଲକ୍ଷ୍ମଣ ବେହେରା, ନିମାପଡ଼ା

ରୁଷ୍‌ ଆମ ପ୍ରତି ଭଲ ଭାବ ନ ରଖିଲେ ଭବିଷ୍ୟତରେ ଆମକୁ ଅସୁବିଧା ହେବ। ଜାତିସଂଘରେ ଆମ ନିଷ୍ପତ୍ତି ସ୍ଵାଗତଯୋଗ୍ୟ। ମୋଦି କହିଛନ୍ତି, କୂଟନୀତି ମାଧ୍ୟମରେ ସମାଧାନ ହୋଇପାରିବ।
ନୀଳମଣି ମିଶ୍ର, ସୁନ୍ଦରପଦା

ୟୁକ୍ରେନ୍‌କୁ ସମର୍ଥନ କରିବାର କୌଣସି କାରଣ ହିଁ ନାହିଁ। ୟୁକ୍ରେନ୍‌ର ରାଷ୍ଟ୍ରପତି ଆମେରିକା ଓ ୟୁରୋପୀୟ ସଂଘ ଦ୍ବାରା ପରିଚାଳିତ ହେଉଛନ୍ତି। ରୁଷ୍‌ର ବାରମ୍ବାର ବିରୋଧ ସତ୍ତ୍ବେ ସେ ନାଟୋ ସଂଗଠନରେ ମିଶିବା ପାଇଁ ଚାହୁଛନ୍ତି। ଏମିତି ହେଲେ ରୁଷ୍‌ ପାଇଁ ଭବିଷ୍ୟତରେ ବିପଦ ସୃଷ୍ଟି ହେବ। ସେଥିପାଇଁ ରୁଷ୍‌ ଆଜି ଏ ପ୍ରକାରର ତାଣ୍ଡବ ଚଳାଇଛି। ଯଦିଓ ଯୁଦ୍ଧକୁ ଆମେ ସମର୍ଥନ କରିବା ଉଚିତ ନୁହେଁ, କିନ୍ତୁ ୟୁକ୍ରେନ୍‌କୁ ସମର୍ଥନ କରି ଅଯଥା‌ରେ ରୁଷ୍‌ ସହ କାହିଁକି ସଂପର୍କ ଖରାପ କରିବା? ରୁଷ୍‌ ଆମର ପୁରାତନ ବନ୍ଧୁ।
ଦୀନାନଥ ଦାସ, ଲକ୍ଷ୍ମୀସାଗର

ଏଯାବତ୍ ଭାରତ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିନାହିଁ। ହେଲେ ଭାରତ ୟୁକ୍ରେନ୍‌କୁ ସମର୍ଥନ କରିବା ଉଚିତ୍।
ଅମିତ କୁମାର ବବର୍ତ୍ତି, ବଲାଙ୍ଗୀର
ଶେଖ୍ ୟାକୁବ୍‌, ଗୋପ

ଅତୀତରେ ସୁରକ୍ଷା ପରିଷଦରେ ୟୁକ୍ରେନ୍‌ ଭାରତ ବିରୋଧରେ ମତଦାନ ଦେଇଥିଲା। ପାକିସ୍ତାନକୁ ଅନେକ ସମୟରେ ସାହାଯ୍ୟ କରିଥିଲା। କାଶ୍ମୀରରୁ ଧରା ୩୭୦ ଉଠିବା ସମୟରେ ମଧ୍ୟ ସେ ଭାରତ ବିରୋଧରେ ଆପତ୍ତିଜନକ କଥା କହିଥିଲା। ତେଣୁ ଯେସାକୁ ତେସା ନ୍ୟାୟରେ ଭାରତ ୟୁକ୍ରେନ୍‌କୁ ସହଯୋଗ କରିବା ଉଚିତ ନୁହେଁ।
ବିଜୟ କୁମାର ସାହୁ ବମିଖାଲ

ଭାରତ ଶାନ୍ତିପ୍ରିୟ ଦେଶ। ଭାରତ ଉଭୟ ଦେଶ ଭିତରେ କିପରି ସମସ୍ୟା ସମାଧାନ ହୋଇପାରିବ, ସେ ଦିଗରେ ଚେଷ୍ଟା କରିବା ଦରକାର। କାହା ପକ୍ଷ ନେବାର କୌଣସି ଆବଶ୍ୟକତା ନାହିଁ।
ସୁରେନ୍ଦ୍ର କୁମାର ନାୟକ, ନିଆଳି,
ଧୀରେନ୍ଦ୍ର ଭୂଷଣ ହୋତା, ପୁରୀ

ଭାରତ କାହାକୁ ସମର୍ଥନ କରିବା ଉଚିତ ନୁହେଁ। ନିରପେକ୍ଷ ରହି ନିଜର ଭାବମୂର୍ତ୍ତି ବଜାୟ ରଖିବା ଆବଶ୍ୟକ।
ପ୍ରକାଶ କୁମାର ବଳ, ଯାଜପୁର,
ଛାୟାକାନ୍ତ ନାୟକ, ପୁରୀ

ରୁଷ୍‌-ୟୁକ୍ରେନ୍‌ ବିବାଦରେ ଭାରତ ସାମିଲ ହୋଇନାହିଁ, ବରଂ ଏକ ପରିପକ୍ୱ ଓ ସନ୍ତୁଳିତ ଆଭିମୁଖ୍ୟ ଗ୍ରହଣ କରିଛି। ସମସ୍ତେ ଏକାଠି ହୋଇ ଶାନ୍ତିପୂର୍ଣ୍ଣ ଭାବେ ସମସ୍ୟାର ସମାଧାନ କଲେ, ପରମାଣୁ ଯୁଦ୍ଧର ଭୟାବହତାକୁ ଏଡ଼ାଇ ଦିଆଯାଇପାରିବ।
ସୁଧାକର ଦାସ, ପ୍ରାଣନାଥ ସ୍ୱୟଂଶାସିତ ମହାବିଦ୍ୟାଳୟ

ରୁଷ୍‌ ଆମର ବନ୍ଧୁ ରାଷ୍ଟ୍ର। ରୁଷ୍‌ ଯାହା କରୁଛି, ପୂରା ଠିକ୍‌ କରୁଛି। ଭାରତ ରୁଷ୍‌କୁ ସମର୍ଥନ ଦେଉ।
ସଂଗ୍ରାମ କେଶରୀ ସ୍ୱାଇଁ ପାରାଦୀପ

ଜାତିସଂଘର ଉଦ୍ଦେଶ୍ୟ ଆନ୍ତର୍ଜାତିକ ସହଯୋଗ, ଶାନ୍ତି ଏବଂ ସୁରକ୍ଷାକୁ ବଜାୟ ରଖିବା। ଯୁଦ୍ଧ କୌଣସି ସମସ୍ୟାର ବିକଳ୍ପ ନୁହେଁ। ଆନ୍ତର୍ଜାତିକସ୍ତରରେ ସବୁ ରାଷ୍ଟ୍ର ଶାନ୍ତି ପାଇଁ ସଭା ଆୟୋଜନ ସହ ୟୁକ୍ରେନ୍‌ ଏବଂ ରୁଷ୍‌ ମଧ୍ୟରେ ଶାନ୍ତି ପାଇଁ ଉଦ୍ୟମ କରିବା ଆବଶ୍ୟକ। ଭାରତ କୌଣସି ରାଷ୍ଟ୍ର ସପକ୍ଷରେ ନଯାଇ ନରପେକ୍ଷ ରହୁ।
ଶ୍ରୀଧର ବଳିଆର ସିଂ, ବରମୁଣ୍ଡା,
ଚିନ୍ମୟ ମିଶ୍ର, ନରସିଂହପୁର

ଏ ବିବାଦରେ ଭାରତ ରୁଷିଆକୁ ସିଧାସଳଖ ସମାଲୋଚନା କରିପାରିବ ନାହିଁ। କାରଣ ରୁଷିଆ ସହ ଭାରତର ଏକ ବନ୍ଧୁତ୍ବପୂର୍ଣ୍ଣ ସମ୍ପର୍କ ଅଛି। ଅତୀତରେ କାଶ୍ମୀର ପ୍ରସଙ୍ଗ ହେଉ କିମ୍ବା ଏକ ବୃହତ୍ତମ ଅସ୍ତ୍ର ପ୍ରଦାନକାରୀ ଦେଶ ହିସାବରେ ହେଉ, ଭାରତ ସହିତ ରୁଷ୍‌ର ଭଲ ସମ୍ପର୍କ ରହି ଆସିଛି। କିନ୍ତୁ ୟା’ମାନେ ନୁହେଁ ଯେ ୟୁକ୍ରେନ୍‌ବାସୀଙ୍କ ମୃତ୍ୟୁ ଏବଂ ଦୁଃଖକୁ ଭାରତ ଅଣଦେଖା କରିବ। ଆମର ବହୁ ଛାତ୍ରଛାତ୍ରୀ ୟୁକ୍ରେନ୍‌ରେ ଫସି ରହିଛନ୍ତି।

ସେମାନଙ୍କୁ ଉଦ୍ଧାର କରିବା ଗୁରୁତ୍ଵପୂର୍ଣ୍ଣ।
ରାକେଶ ବଳ, ବିଜେବି କଲେଜ,
ପ୍ରସନ୍ନ କୁମାର ଜେନା, ପୁରୀ

ୟୁକ୍ରେନ୍‌କୁ ଭାରତ ସମର୍ଥନ କରିବା ଉଚିତ। ୟୁକ୍ରେନ୍‌ ଆମକୁ ଅତୀତ‌େ କୌଣସି କ୍ଷେତ୍ରରେ ସମର୍ଥନ କରିନି ସତ, ହେଲେ ୟୁକ୍ରେନ୍‌କୁ ସମର୍ଥନ ନ କଲେ ବିଶ୍ଵଯୁଦ୍ଧ ହୋଇପାରେ।
ନଗେନ୍ଦ୍ର ନାଥ ମିଶ୍ର, ସସ୍ମିତା ମିଶ୍ର, ଅକ୍ଷୟ କୁମାର ଭୋଇ, ପୁରୀ

ଭାରତ ୟୁକ୍ରେନ୍‌କୁ ସହଯୋଗ କରିବା ବର୍ତ୍ତମାନ ପରିସ୍ଥିତିରେ ଠିକ୍ ନୁହେଁ। ଆମର ଅନେକ ସୀମା ବିବାଦ ରହିଥିଲେ ମଧ୍ୟ ଆମେ ସର୍ବଦା ନିରପେକ୍ଷତା ଅବଲମ୍ବନ କରିଛେ। ତେଣୁ ଏବେ ମଧ୍ୟ ନିରପେକ୍ଷତା ବଜାୟ ରଖିବା ଆବଶ୍ୟକ।
ରମେଶ ଚନ୍ଦ୍ର ମହାପାତ୍ର, ଡୁମୁଡୁମା,
ଉଲ୍ଲାସ ବେହେରା ଜୀବନବୀମା ନଗର

ଭାରତ କୌଣସି ପରିସ୍ଥିତିରେ ଜାତିସଂଘରେ ୟୁକ୍ରେନ୍‌କୁ ସମର୍ଥନ କରିବା ଉଚିତ ନୁହେଁ। ଭାରତର ବୈଦେଶିକ ନୀତି ସର୍ବଦା ବିଶ୍ବଶାନ୍ତି ଓ ନିରପେକ୍ଷତା ଉପରେ ଆଧାରିତ। ୟୁକ୍ରେନ୍‌ ଭାରତକୁ ଅତୀତରେ ସହଯୋଗ କରିନି।
ବୈକୁଣ୍ଠ ନାଥ ସାହୁ, ଭଦ୍ରକ
ସନ୍ତୋଷ ମହାପାତ୍ର ପୁରୀ

ଜାତିସଂଘରେ ଭାରତ ୟୁକ୍ରେନ୍‌କୁ ସମର୍ଥନ କରିବା ଉଚିତ। ନିରୀହ ୟୁକ୍ରେନ୍‌ବାସୀଙ୍କ ସ୍ୱାଧୀନତାକୁ ରୁଷ୍‌ ନଷ୍ଟ କରୁଛି। ୟୁକ୍ରେନ୍‌କୁ ବଳପୂର୍ବକ କବ୍‌ଜା କରିବାର ଚେଷ୍ଟା କରୁଛି। ଶୀଘ୍ର ଏହାକୁ ରୋକାନଗଲେ, ତୃତୀୟ ବିଶ୍ୱଯୁଦ୍ଧ ହୋଇଯାଇପାରେ।
ଦୀପ୍ତିରଞ୍ଜନ ସାହୁ, ଅବକାଶ ଲେନ୍‌, ପୁରୀ

ୟୁକ୍ରେନ୍‌କୁ ଜାତିସଂଘରେ ସମର୍ଥନ କରିବା ପ୍ରସଙ୍ଗରେ ନିଜକୁ ଦୂରେଇ ରଖିବା ଭାରତର ଉଚିତ ବୈଦେଶିକ ନୀତି ଭାବେ ପରିଗଣିତ ହେବ। ଭାରତ କେବେ ୟୁକ୍ରେନ୍‌କୁ ସମର୍ଥନ କରିବା ଉଚିତ ନୁହେଁ। ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ନେଇ ଭୋଟ ଦେବା ପ୍ରସଙ୍ଗରେ ୟୁକ୍ରେନ୍‌ ଭାରତ ବିରୋଧରେ ଭୋଟ ଦେଇଥିଲା। କାଶ୍ମୀର ପ୍ରସଙ୍ଗରେ, ପାକିସ୍ତାନର ସପକ୍ଷ ନେଇ ଜାତିସଂଘରେ ଭାରତ ବିରୋଧରେ ଭୋଟ୍ ଦେଇଥିଲା।
ଅଶୋକ କୁମାର ଆଢ଼୍ୟ, ପୁରୀ

ସମ୍ବନ୍ଧିତ ଖବର