ଫୋନ୍‌-ଇନ୍‌-ପ୍ଲିଜ୍‌: ଯୋଜନା ପୂର୍ବରୁ ଆଲୋଚନା ଜରୁରୀ

ଆଗପଛ ବିଚାର ନ କରି, ସଦନରେ ଆଲୋଚନା ନ କରି ଏମିତି ଯୋଜନା କରାଗଲେ, ବିରୋଧ ହେବା ସ୍ବାଭାବିକ। କୃଷି ଆଇନ ପ୍ରଣୟନକୁ ନେଇ ମଧ୍ୟ ଦେଶରେ ଏମିତି ଅସ୍ଥିରତା ସୃଷ୍ଟି ହୋଇଥିଲା। କିନ୍ତୁ ସରକାର ସେଥିରୁ କିଛି ବି ଚେତିଲେ ନାହିଁ। ଏବେ ‘ଅଗ୍ନିପଥ’ ଯୋଜନା କରି ପୁଣି ସେମିତି ଏକ ଅପ୍ରୀତିକର ପରିସ୍ଥିତିକୁ ନିମନ୍ତ୍ରଣ ଦେଇଛନ୍ତି। ଏହାର‌ କୁଫଳ ସାରା ଦେଶ ଏବେ ଭୋଗୁଛି। ଅଯଥାରେ ଗୁଡ଼ାଏ ସରକାରୀ ସଂପତ୍ତି ନଷ୍ଟ ହେଉଛି। ଚଳିତଥର ‘ସମ୍ବାଦ’ ଫୋନ୍-ଇନ୍-ପ୍ଲିଜ୍‌ର ପ୍ରସଙ୍ଗ ‘ଅଗ୍ନିପଥ ଏକ କଣ୍ଟକିତ ପଥ’ରେ କିଛି ପାଠକ ଏପରି ମତ ଦେଇଥିବା ବେଳେ ଆଉ କିଛି ଯୋଜନା ଓ ସରକାରଙ୍କ ସପକ୍ଷରେ ମତ ଦେଇଛନ୍ତି। ସେମାନଙ୍କ କହିବା କଥା, ଯୋଜନା ଭଲ। ଏହାଦ୍ବାରା ଦେଶରୁ ବେକାରୀ ଦୂର ହେବ। କିନ୍ତୁ ଏହାକୁ ଠିକ୍‌ ଭାବେ ପ୍ରଚାର ପ୍ରସାର କରାଯାଇପାରି ନଥିବାରୁ ଏଭଳି ସ୍ଥିତି ଉପୁଜିଛି।

ସରକାରଙ୍କର ଏହି ‘ଅଗ୍ନିପଥ’ ଯୋଜନା ଏକ ଯୁଗାନ୍ତକାରୀ ପଦକ୍ଷେପ। ଏହାଦ୍ବାରା ବ୍ୟାପକ ନିଯୁକ୍ତି ସୃଷ୍ଟି ହୋଇପାରିବ ଏବଂ ବେକାରୀ ସଂଖ୍ୟା ହ୍ରାସ ପାଇବ। ଚାକିରିରୁ ଜଣେ ଅବସର ନେଲା ପରେ ତାଙ୍କ ପାଖରେ ଥିବା ଅବସରକାଳୀନ ଭତ୍ତାକୁ ବ୍ୟବହାର କରି ଜଣେ ଭଲ ବ୍ୟବସାୟ କରିପାରିବ। ମାତ୍ର ୨୩ବର୍ଷ ବୟସରୁ ଜଣେ ଉଦ୍ୟୋଗପତି ହେବାର ସୁଯୋଗ ପାଇବ। ଏହାସହ ବିଭିନ୍ନ ସରକାରୀ ଚାକିରିରେ ପ୍ରାଥମିକତା ମିଳିବ, ଯାହା ପୂର୍ବରୁ ମିଳୁନଥିଲା। ତେଣୁ ଏହାକୁ ବିରୋଧ କରାନଯାଇ ଏହାର ସୁବିଧା ସୁଯୋଗ ବିଷୟରେ ବ୍ୟାପକ ପ୍ରଚାରପ୍ରସାର କରାଯାଉ।
ପ୍ରଭୁଦତ୍ତ ଦାସ, ଲକ୍ଷ୍ମୀସାଗର/ସ୍ମିତା ସାମନ୍ତ, ବରମୁଣ୍ଡା
ରଘୁନାଥ ଶତପଥୀ, ବମିଖାଲ/ଅଶୋକ ସାହୁ, ବରଗଡ଼

‘ଅଗ୍ନିପଥ’କୁ ନେଇ ଯେଉଁ ବିରୋଧାଭାଷ ଜାରି ରହିଛି, ତାହା ନିନ୍ଦନୀୟ। ସରକାର ବେକାରୀ ସଂଖ୍ୟା ହ୍ରାସ କରିବା ପାଇଁ ଏଭଳି ଏକ ପଦକ୍ଷେପ ଗ୍ରହଣ କରିଛନ୍ତି। ମାତ୍ର ଏହା ଚୁକ୍ତିଭିତ୍ତିକ ନିଯୁକ୍ତି ହୋଇଥିବାରୁ ଯୁବବର୍ଗଙ୍କ ଭିତରେ ଏକ ନିରାଶାଭାବ ଦେଖାଦେଇଛି। ତେଣୁ ଯୁବକମାନଙ୍କ ଭବିଷ୍ୟତ କେମିତି ସୁରକ୍ଷିତ ହୋଇପାରିବ, ତାକୁ ଆଖି ଆଗରେ ରଖି ସରକାର ଏହି ଯୋଜନାର ସଫଳ ରୂପାୟନ କରନ୍ତୁ।
ଶ୍ରୀଧର ବଳିୟାରସିଂହ, ବରମୁଣ୍ଡା

‘ଅଗ୍ନିପଥ’ ଦ୍ବାରା ମାତ୍ରାଧିକ ଯୁବପିଢ଼ିଙ୍କୁ ସେନାରେ ସାମିଲ୍ କରିବା ସରକାରଙ୍କ ଲକ୍ଷ୍ୟ। ଏଥିରେ ବେକାରୀ ସମସ୍ୟା ଅନେକାଂଶରେ ହ୍ରାସ ପାଇବ। କିନ୍ତୁ, ଯୁବକମାନଙ୍କ ଭିତରେ ଏକ ଯୁଦ୍ଧଖୋର୍‌ ମନୋବୃତ୍ତି ସୃଷ୍ଟି ହେବ। ଏହାଦ୍ବାରା ଭବିଷ୍ୟତ ପିଢ଼ି ସମ୍ବେଦନହୀନ ହୋଇ କଠୋରପନ୍ଥୀ ହୋଇଯିବେ, ଯାହା ସମାଜ ପାଇଁ ଶୁଭଙ୍କର ନୁହେଁ।
ଦିଲ୍ଲୀପ ମିଶ୍ର, ଲିଙ୍ଗରାଜ ବିହାର

ଏହା ଏକ ଦିଗହରା ଯୋଜନା। ୨୦୨୪ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ସରକାର ଏଭଳି କରିଛନ୍ତି। ସରକାରଙ୍କୁ ଅନୁରୋଧ, ଦୟା କରି ସେନାକୁ ନେଇ ରାଜନୀତି କରନ୍ତୁ ନାହିଁ। ଏଥିସହ ଏଭଳି ଯୋଜନା କରି ଦେଶ ପାଇଁ ବିପଦ ସୃଷ୍ଟି କରନ୍ତୁ ନାହିଁ। କାରଣ ଯେଉଁମାନେ ସେନାରେ ୪ବର୍ଷ ତାଲିମ ନେଇ ଆସିଥିବେ, ସେମାନେ ଆଗାମୀ ଦିନରେ ସମସ୍ତ ଗୁପ୍ତତଥ୍ୟ ମଧ୍ୟ ବାହାରେ ପ୍ରକାଶ କରିବା ପାଇଁ ପଛଘୁଞ୍ଚା ଦେବେ ନାହିଁ। ଏଥିସହ ସେମାନେ ହନିଟ୍ରାପ୍‌ର ଶିକାର ମଧ୍ୟ ହୋଇପାରନ୍ତି। ସେହିଭଳି ସେ ରଣକୌଶଳ ମନ୍ଦ ଉଦ୍ଦେଶ୍ୟରେ ମଧ୍ୟ ବ୍ୟବହାର କରପାରନ୍ତି। ତେଣୁ ଏହାକୁ ସରକାର ତୁରନ୍ତ ପ୍ରତ୍ୟାହାର କରନ୍ତୁ।
ଆହ୍ବାନ ପାଇକରାୟ, ୟୁନିଟ୍-୩ /ରବୀନ୍ଦ୍ର ନନ୍ଦ, ଶିଶୁପାଳଗଡ଼

ସରକାର ଲୋକଙ୍କ ହିତ ପାଇଁ ଚିନ୍ତା ନ କରି ସବୁବେଳେ ଏମିତି ମନ୍ଦ ଯୋଜନା ପଛରେ କାହିଁକି ପଡ଼ିଛନ୍ତି? ପୂର୍ବରୁ ଚାଷୀମାନଙ୍କ ପାଇଁ ଏକ ଯୋଜନା ପ୍ରଣୟନ କଲେ, ତାହାକୁ ବି ପ୍ରବଳ ବିରୋଧ କରାଯାଇଥିଲା। ସେହିଭଳି ଏବେ ଯୁବକମାନଙ୍କ ପାଇଁ ଏକ ଭୁଲ୍ ଯୋଜନା କରିଛନ୍ତି। ତେଣୁ ସରକାର ଯାହା ବି ଯୋଜନା କରୁଛନ୍ତି ଭଲ ଭାବେ ବିଚାରବିମର୍ଶ କରି ଲୋକମାନଙ୍କ ମତକୁ ସମ୍ମାନ ଜଣାଇ କରନ୍ତୁ।
ବ୍ରଜରାଜ ରଥ, ଡେଲ୍‌ଟା ଛକ

ଭାରତୀୟ ସେନାରେ ମାତ୍ରାଧିକ ଯୁବକଙ୍କ ନିଯୁକ୍ତି ଆମ ସେନାକୁ ସୁଦୃଢ଼ କରିବା ସହ ଦେଶର ଗୁଣାତ୍ମକ ବିକାଶରେ ସହାୟକ ହେବ। ତେଣୁ ଆମ ଦେଶର ନାଗରିକମାନେ ହିଂସା ସୃଷ୍ଟି କରିବା ପରିବର୍ତ୍ତେ ଯୋଜନା ବିଷୟରେ ଭଲ ଭାବେ ବୁଝି ଏକ ସମୃଦ୍ଧ ଦେଶ ଗଠନ କରିବାରେ ସରକାରଙ୍କୁ ସାହାଯ୍ୟ କରନ୍ତୁ। ନଚେତ୍ କେବଳ ଜାତୀୟ ସମ୍ପତ୍ତି ନଷ୍ଟ ହେବ।
ସୁଧାକର ଦାସ, ଖୋର୍ଦ୍ଧା

ଯେଉଁମାନେ ହିଂସା ସୃଷ୍ଟିକାରୀ, ସେମାନେ କେବେ ଭାରତୀୟ ସେନାରେ କାର୍ଯ୍ୟ କରିବା ପାଇଁ ଯୋଗ୍ୟ ନୁହଁନ୍ତି।
ବ୍ରଜକିଶୋର ସାହୁ, ଚନ୍ଦନପୁର/ଅମରେଶ୍ବର ବଡ଼ଜେନା, ଭୁବନେଶ୍ବର

ବେରୋଜଗାରୀକୁ ସମୂଳେ ନାଶ କରିବା ପାଇଁ ସରକାର ‘ଅଗ୍ନିପଥ’ର ପରିକଳ୍ପନା କରିଛନ୍ତି। ଏହା ଗରୀବ ଶ୍ରେଣୀର ଯୁବପିଢ଼ିଙ୍କ ଆର୍ଥିକ ମେରୁଦଣ୍ଡକୁ ଶକ୍ତ କରିବା ସହ ଭବିଷ୍ୟତକୁ ସୁରକ୍ଷିତ କରିବା ଦିଗରେ ସହାୟକ ହେବ। ତେଣୁ ଏହାକୁ କଣ୍ଟକିତ ପଥ ନ ଭାବି ସ୍ବାଗତ କରନ୍ତୁ।
ରମେଶ ଚନ୍ଦ୍ର ନାୟକ, କଟକ

‘ଅଗ୍ନିପଥ’ ସରକାରଙ୍କ ଏକ ଭୁଲ୍ ନିଷ୍ପତ୍ତି। ସେନା ବାହିନୀରେ କାମ କରିବା ପାଇଁ ସମସ୍ତଙ୍କ ମନରେ ଏକାଗ୍ରତାର ଆବଶ୍ୟକତା ରହିଛି। ହେଲେ ସରକାର ଏହାକୁ ଚୁକ୍ତିଭିତ୍ତିକ କରି ସେ ଏକାଗ୍ରତା ଭଙ୍ଗ କରୁଛନ୍ତି।
ଦୀନନାଥ ଦାସ, ଲକ୍ଷ୍ମୀସାଗର/ନୀଳମଣି ମିଶ୍ର, ସୁନ୍ଦରପଦା

ସରକାର ପ୍ରଥମେ ଯୋଜନାର ନାମକରଣ ହିଁ ଭୁଲ୍ କରିଛନ୍ତି। ‘ଅଗ୍ନିପଥ’ ନାଁ ରଖିବା ଦ୍ବାରା ପିଲାମାନେ ପୋଡ଼ା ଜଳା କରି ବ୍ୟାପକ ହିଂସା ସୃଷ୍ଟି କରୁଛନ୍ତି। ଏହାକୁ ‘ସେବାପଥ’ ଭାବେ ନାମିତ କରାଯାଉ।
ମହାବୀର ପ୍ରସାଦ ଶର୍ମା, ଭୁବନେଶ୍ବର

‘ଅଗ୍ନିପଥ’ କେବେ ହେଲେ କଣ୍ଟକିତ ପଥ ନୁହେଁ। ଏହା ସରକାରଙ୍କର ଏକ ଭଲ ଯୋଜନା। ହେଲେ ସରକାର ଏଥିରେ ଚୁକ୍ତିଭିତ୍ତିକ ନିଯୁକ୍ତି ରଖିଥିବାରୁ ବ୍ୟାପକ ହିଂସା ସୃଷ୍ଟି ହେଉଛୁ। ତେଣୁ ସରକାର ଏହାକୁ ସ୍ଥାୟୀ ନିଯୁକ୍ତି ଦେବାର ବ୍ୟବସ୍ଥା କରନ୍ତୁ।
ସୁରେନ୍ଦ୍ର ନାୟକ, କଟକ

ଏହି ଯୋଜନା ଛାତ୍ର ଏବଂ ଯୁବ ସମାଜକୁ ସଂପୂର୍ଣ୍ଣ ପଙ୍ଗୁ କରିଦେବ। ଏହାସହ ସେନାରୁ ବିଭିନ୍ନ ପ୍ରତିରକ୍ଷା କୌଶଳ ଶିକ୍ଷା କରି ଆସିଥିବା ୨୩ ବର୍ଷୀୟ ଯୁବକ ଯେତେବେଳେ ଅନ୍ୟ କିଛି ଚାକିରି ନ ପାଇବ, ବାଧ୍ୟ ହୋଇ ସେହି କୌଶଳର ଦୁରୁପଯୋଗ କରିବ।
ସୁଶୀଲ ଦାସ, ବାଲିପାଟଣା

ଆଗାମୀ ନିର୍ବାଚନରେ ଭୋଟ୍‌ ହାତେଇବା ପାଇଁ ସରକାର ‘ଅଗ୍ନିପଥ’ ଭଳି ଯୋଜନା କରିଛନ୍ତି। ସରକାରଙ୍କର ଯଦି ପ୍ରକୃତରେ ଦେଶରୁ ବେକାରୀ ଲୋପ କରିବାର ଉଦ୍ଦେଶ୍ୟ ଅଛି, ତେବେ ପୂର୍ଣ୍ଣକାଳୀନ ଯୋଜନା କରନ୍ତୁ।
ଶ୍ରୀବତ୍ସ ମହାନ୍ତି, ଯାଆଁଳା

ଆଜିର ଯୁବଗୋଷ୍ଠୀ ସଠିକ କଥା ଜାଣିବା ପାଇଁ ଚେଷ୍ଟା କରୁନାହାନ୍ତି। ସରକାର ଗୋଟିଏ ଯୋଜନା କରିଛନ୍ତି, ତାର ସଫଳତା ଓ ବିଫଳତା ଦୁଇଟି ଦିଗକୁ ବିଚାର କରିବାର ଶକ୍ତି ଏମାନଙ୍କର ପାଖରେ ନାହିଁ। ଏହାର ଫାଇଦା ଉଠାଉଛନ୍ତି ବିରୋଧୀ ଦଳ। ଭଲ ଯୋଜନାକୁ ମଧ୍ୟ ଯୁବଗୋଷ୍ଠୀଙ୍କୁ ମତାଇ ବିରୋଧ ପ୍ରଦର୍ଶନ କରିବା ସହ ହିଂସା ସୃଷ୍ଟି କରୁଛନ୍ତି।
ଅଶୋକ ମହାରଣା, ସୁନ୍ଦରପଦା

ସରକାର କେବଳ ଯୋଜନା କରିଦେଇ ଚୁପ୍ ରହିଗଲେ ହେବ ନାହିଁ। ଏହାର ବ୍ୟାପକ ପ୍ରଚାରପ୍ରସାର କରି ପିଲାମାନଙ୍କୁ ବୁଝାଇବା ମଧ୍ୟ ସରକାରଙ୍କ ଦାୟିତ୍ବ। ଏହାସହ ତରବରିଆ ଭାବେ କୌଣସି ଯୋଜନାର ପ୍ରଣୟନ କରାନଯାଉ।
ରମେଶ ଚନ୍ଦ୍ର ମହାପାତ୍ର, ଡୁମୁଡୁମା

ସରକାରଙ୍କ ଏହି ଯୋଜନାକୁ ମୁଁ ପୂର୍ଣ୍ଣ ସମର୍ଥନ କରୁଛି। ହେଲେ ଏହି ଯୋଜନା କରିବା ପୂର୍ବରୁ ଲୋକସଭାରେ ଆଲୋଚନା କରିବା ଉଚିତ ଥିଲା। ଏଥିସହ ଅତ୍ୟାଧୁନିକ ଜ୍ଞାନକୌଶଳ ବ୍ୟବହାର କରି ପିଲାମାନଙ୍କ ମତ ଲୋଡ଼ିବାର ମଧ୍ୟ ଆବଶ୍ୟକତା ଥିଲା। ଯୋଜନା ପ୍ରଣୟନ କରିବା ପରେ ଗଣାମଧ୍ୟମରେ ଏହାର ସକାରାତ୍ମକ ଦିଗଗୁଡ଼ିକ ଦେଖାଇବାର ବ୍ୟବସ୍ଥା କରିବାର ଥିଲା।
ଭରତ ବେହେରା, ରସୁଲଗଡ଼

ସମ୍ବନ୍ଧିତ ଖବର