ଫୋନ୍‌ ଇନ ପ୍ଲିଜ: ଆଶଙ୍କା ଅମୂଳକ, କିନ୍ତୁ ଏକ ଶିକ୍ଷା ହେଉ

ଶ୍ରୀଲଙ୍କା ସହ ଭାରତର ଅର୍ଥନୀତିକୁ ତୁଳନା କରାଯିବା ଠିକ୍‌ ହେବନି। ଭାରତୀୟ ବଜାର ଉପରେ ବିଶ୍ବର ବଡ଼ବଡ଼ ଦେଶର ଆଖି। ଏଠି ଆସି ବ୍ୟବସାୟ କରିବାକୁ ସେମାନେ ବ୍ୟଗ୍ର। ଆମର ବୈଦେଶିକ ମୁଦ୍ରାଭଣ୍ଡାର ବି ସୁଦୃଢ଼। ଅର୍ଥନୈତିକ ବିଶାରଦଙ୍କ କହିବା କଥା, ଆମ ଦେଶ ୨୦୨୬ ସୁଦ୍ଧା ୫ଟ୍ରିଲିୟନ୍‌ ଡଲାର୍‌ର ଅର୍ଥନୀତି ପାଲଟିଯିବ। ଏସବୁ ଦୃଷ୍ଟିରୁ ବିଚାର କଲେ ଶ୍ରୀଲଙ୍କା ଅବସ୍ଥା ଭାରତରେ ହେବା ଆଶଙ୍କା ଅମୂଳକ। ଏତେ ବଡ଼ ଅର୍ଥନୀତି ସହଜରେ ଭୁଶୁଡ଼ିବା ଅସମ୍ଭବ। କିନ୍ତୁ ୟା’ର ମାନେ ନୁହେଁ ଯେ ସରକାର ମାଗଣା ଯୋଜନା ନାଁରେ ରାଜକୋଷକୁ ବରବାଦ କରି ଚାଲିଥିବେ। ତେଣୁ ଶ୍ରୀଲଙ୍କାର ପରିସ୍ଥିତି ଆମ ପାଇଁ ଏକ ଶିକ୍ଷା ହେଉ। ଚଳିତ ଥରର ‘ସମ୍ବାଦ’ ଫୋନ୍‌-ଇନ୍‌-ପ୍ଲିଜ୍‌ର ବିଷୟବସ୍ତୁ ‘ଶ୍ରୀଲଙ୍କା ଅବସ୍ଥା ଭାରତରେ ହେବା ଆଶଙ୍କା ଅମୂଳକ’ରେ ଭାଗ ନେଇଥିବା ଅଧିକାଂଶ ପାଠକ/ପାଠିକାମାନେ ଏପରି ମତ ରଖିଛନ୍ତି।

କରୋନା ପରବର୍ତ୍ତୀ ଅବସ୍ଥାରେ ଅତ୍ୟଧିକ ଋଣଭାର, ବୈଦେଶିକ ମୁଦ୍ରା ଭଣ୍ଡାରର ଅବନ୍ନତି, ଅସମୟରେ ଟିକସ ଭାର ହ୍ରାସ, ଆୟ ତୁଳନାରେ ବ୍ୟୟ ବଢ଼ି ଯାଇଥିବାରୁ ଶ୍ରୀଲଙ୍କାରେ ଚରମ ଆର୍ଥିକ ଦୁର୍ଗତି ଦେଖାଦେଇଛି। ଯଦିଓ ଭାରତରେ ଏଭଳି ସ୍ଥିତି ଉପୁଜି ନାହିଁ, ତଥାପି ସରକାର ଏବେଠୁ ସଜାଗ ହୋଇଯିବା ଉଚିତ। ନଚେତ ଶ୍ରୀଲଙ୍କା ଭଳି ଅବସ୍ଥା ହେବାକୁ ବେଶି ସମୟ ଲାଗିବନି।
ଡାକ୍ତର ଦୀନନାଥ ଦାସ, ଲକ୍ଷ୍ମୀସାଗର/ଶିବରାମ, ଜାମୁଝରୀ, ଖୋର୍ଦ୍ଧା

ବର୍ତ୍ତମାନ ଭାରତରେ ଦରଦାମ୍ ବୃଦ୍ଧି ହେଉଛି, ଋଣ ବଢ଼ି ଚାଲିଛି, ବେରୋଜଗାର ବଢ଼ି ଚାଲିଛି, ବୈଦେଶିକ ପୁଞ୍ଜି ନିବେଶ ବି କମି କମି ଯାଉଛି। ତେଣୁ ଭାରତ ମଧ୍ୟ ଖୁବ୍‌ଶୀଘ୍ର ଏଭଳି ପରିସ୍ଥିତି ସାମ୍ନା କରିବ। ଏବେଠୁ ସଜାଗ ହୋଇଯିବା ଉଚିତ।
ଆହ୍ବାନ ପାଇକରାୟ, ୟୁନିଟ୍-୩

ରାଜନୈତିକ ଦଳମାନେ ଭୋଟ୍‌ବ୍ୟାଙ୍କ ପାଇଁ ମାଗଣା ଯୋଜନା କରି ପୁଳାପୁଳା ସରକାରୀ ଅର୍ଥ ବ୍ୟୟ କରୁଛନ୍ତି। ଏହାର ପ୍ରତ୍ୟକ୍ଷ ପ୍ରଭାବ ଆମ ଅର୍ଥନୀତି ଉପରେ ପଡ଼ୁଛି। ତେଣୁ ଆଗାମୀ ଦିନରେ ଭାରତର ଅବସ୍ଥା ମଧ୍ୟ ଶ୍ରୀଲଙ୍କା ଭଳି ହେବା ଅମୂଳକ ନୁହେଁ।
ଶ୍ରୀବାସ ମହାନ୍ତି, ରତ୍ନାକରବାଗ

ଶ୍ରୀଲଙ୍କା ସରକାରଙ୍କ ଦୂରଦୃଷ୍ଟି ଅଭାବରୁ ଆଜି ତାଙ୍କ ଦେଶ ଆର୍ଥିକ ଅନଟନ ଦେଇ ଗତି କରୁଛି। ହେଲେ ଭାରତରେ ସେଭଳି କିଛି ଘଟିବାର ଆଶଙ୍କା ନାହିଁ। କାରଣ ଆମ ସରକାର ସବୁ କିଛି ସ୍ଥିର ନିଶ୍ଚିତ ହୋଇ କରୁଛନ୍ତି।
ସୁରେନ୍ଦ୍ର ନାୟକ, ନିଆଳି

ଭାରତର ଋଣଭାର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ପ୍ରତିବର୍ଷ ଭାରତ ଯେତିକି ଋଣ କରୁଛି, ସେହି ତୁଳନାରେ ପରିଶୋଧ କରାଯାଉନାହିଁ। ତେଣୁ ସରକାରଙ୍କ ଅର୍ଥନୈତିକ ବିଶାରଦମାନେ ଏବେଠୁ ଖସଡ଼ା ପ୍ରସ୍ତୁତ କରନ୍ତୁ। ନଚେତ୍ ଆଗାମୀ ଦିନରେ ଶ୍ରୀଲଙ୍କା ଭଳି ଭାରତର ଅବସ୍ଥା ହେବ।
ରବୀନ୍ଦ୍ର ନନ୍ଦ, ଶିଶୁପାଳଗଡ଼

ଶ୍ରୀଲଙ୍କାରେ ସରକାରୀ ଅର୍ଥର ଠିକ୍‌ ଭାବେ ପରିଚାଳନା କରାନଯିବାରୁ ଆଜି ସେଠାକାର ଜନସାଧାରଣଙ୍କୁ ଏଭଳି ଦିନ ଦେଖିବାକୁ ପଡ଼ୁଛି। ତେଣୁ ଭାରତ ପାଇଁ ଏହା ଗୋଟିଏ ଶିକ୍ଷା ଓ ଚେତାବନୀ ହେଉ। ମାଗଣା ଯୋଜନା ଦ୍ବାରା ବ୍ୟୟ ହେଉଥିବା ସରକାରୀ ଅର୍ଥକୁ ଠିକ ବାଟରେ ବ୍ୟବହାର କରି ଦେଶର ଅର୍ଥନୀତିକୁ କିପରି ସମୃଦ୍ଧ କରାଯାଇପାରିବ, ସେ ଦିଗରେ ସରକାର କାମ କରନ୍ତୁ।
ଅରୁଣ ଦାସ, ସତ୍ୟବିହାର

ଭାରତରେ ଯେପର୍ଯ୍ୟନ୍ତ ଏନ୍‌ଡିଏ ନେତୃତ୍ବାଧୀନ ସରକାର ଥିବ, ଶ୍ରୀଲଙ୍କା ଭଳି ଅବସ୍ଥା ଉପୁଜିବାର ଆଶଙ୍କା ନାହିଁ। ଆମ ପ୍ରଧାନମନ୍ତ୍ରୀ ଜଣେ ଦୂରଦୃଷ୍ଟିସମ୍ପନ୍ନ ବ୍ୟକ୍ତି। ଦେଶ ଚଳାଇବା କଳା ତାଙ୍କୁ ଭଲ ଭାବେ ମାଲୁମ୍‌। ବିଜେପି ଶାସନକୁ ଆସିବା ପରେ ଦେଶର ଅର୍ଥନୀତି ସୁଦୃଢ଼ ହୋଇଛି। ତେଣୁ ଶ୍ରୀଲଙ୍କା ଭଳି ଭାରତର ପରିସ୍ଥିତି ହେବା ସମ୍ଭବ ନୁହେଁ।
ନଗେନ୍ଦ୍ରନାଥ ମିଶ୍ର, ସାମନ୍ତରାପୁର

ବିଶ୍ବ ବଜାରରୁ ମାତ୍ରାଧିକ ଋଣ ପାଇଁ ଶ୍ରୀଲଙ୍କା ଭଳି ଭାରତରେ ଘୋର ଆର୍ଥିକ ଦୁରବସ୍ଥା ଦେଖାଯିବ। ଯାହାକୁ ନିୟନ୍ତ୍ରଣ କରିବାରେ ଆମ ଦେଶ ସକ୍ଷମ ହୋଇପାରିବନି।
ପ୍ରମୋଦ ମହାନ୍ତି, ଚକେଇସିହାଣୀ

ଅନ୍ୟ ଦେଶ ତୁଳନାରେ ଆମ ଅର୍ଥନୀତି ସୁଦୃଢ଼। ତେଣୁ ଶ୍ରୀଲଙ୍କାର ଆର୍ଥିକ ଦୁସ୍ଥିତି ସହ ଭାରତକୁ ତୁଳନା କରାଯିବା ଅନୁଚିତ। ଭାରତର ଅର୍ଥନୀତିଜ୍ଞମାନେ ଦେଶର ଆର୍ଥିକ ଉନ୍ନତି, ଋଣଭାର ହ୍ରାସ ଓ ସର୍ବୋପରି ଦେଶକୁ ସମୃଦ୍ଧ କରିବା ପାଇଁ କେନ୍ଦ୍ର ସରକାରଙ୍କ ତତ୍ତ୍ବାବଧାନରେ ଅହରହ ଉଦ୍ୟମ ଜାରି ରଖିଛନ୍ତି।
ଭାଗୀରଥି ଦାଶ, ପୋଖରୀପୁଟ

ଶ୍ରୀଲଙ୍କା ଭଳି ପରିସ୍ଥିତିକୁ ଏଡ଼ାଇବାକୁ ହେଲେ ଆମ ଦେଶରେ ଆଗ ମାଗଣା ଯୋଜନାଗୁଡ଼ିକୁ ବନ୍ଦ କରାଯିବା ଉଚିତ। ଏହି ମାଗଣା ଯୋଜନା ଭବିଷ୍ୟତରେ ଆମ ପାଇଁ ଘାତକ ହେବ। ଏମିତି କରି ସରକାର ପୁଳାଏ କୋଢ଼ିଆ ସୃଷ୍ଟି କରୁଛନ୍ତି।
କାବୁ ମିଶ୍ର, ଗୌତମ ନଗର

ଶ୍ରୀଲଙ୍କାରେ ପରିବାରବାଦ ସରକାର ଚାଲିଥିବାରୁ ସେଠାକାର ଲୋକଙ୍କୁ ଆଜି ଏପରି ଦିନ ଦେଖିବାକୁ ପଡ଼ୁଛି। ତେବେ ଆମ ଦେଶରେ ଯେପରି ଶ୍ରୀଲଙ୍କା ଭଳି ପରିସ୍ଥିତି ନ ଉପୁଜିବ, ସେ ଆଶଙ୍କାକୁ ପୂରା ଏଡ଼ାଇବାକୁ ହେଲେ ସରକାର ଆଗ ମାଗଣା ଯୋଜନାଗୁଡ଼ିକ ବନ୍ଦ କରନ୍ତୁ। ନିଯୁକ୍ତି କ୍ଷେତ୍ରରେ ଅଧିକରୁ ଅଧିକ ସୁଯୋଗ ସୃଷ୍ଟି କରନ୍ତୁ। ଏହାଦ୍ବାରା ଦେଶର ଆର୍ଥିକ ପରିସ୍ଥିତି ସୁଦୃଢ଼ ହେବ।
ପ୍ରଦୀପ କୁମାର ନାୟକ, ନୀଳାଦ୍ରି ବିହାର

ସବୁ କ୍ଷେତ୍ରରେ ଭାରତ ଆଗକୁ ବଢ଼ି ଚାଲିଛି। ୨୦୩୦ ବେଳକୁ ପୂରା ବିଶ୍ବ ଏକ ନୂଆ ଭାରତ ଦେଖିବାକୁ ପାଇବ। ଶ୍ରୀଲଙ୍କା ନିଜ ଭୁଲ୍‌ର ପରିମାଣ ଭୋଗୁଛି। କିନ୍ତୁ ଆମ ଦେଶରେ କେବେ ହେଲେ ସେଭଳି ପରିସ୍ଥିତି ସୃଷ୍ଟି ହେବ ନାହିଁ।
ନୀଳମଣି ମିଶ୍ର, ସୁନ୍ଦରପଦା

ଭାରତର ବହୁତ ବଡ଼ ଅର୍ଥନୀତି। ତେଣୁ ଆମକୁ ସେତେ ‌ବେଶି ଚିନ୍ତା କରିବାର ଆବଶ୍ୟକତା ନାହିଁ। କିନ୍ତୁ ପଡ଼ୋଶୀ ଶ୍ରୀଲଙ୍କାର ଏ ଦୁରବସ୍ଥାରୁ ଆମକୁ ବହୁତ କିଛି ଶିଖିବାକୁ ପଡ଼ିବ। ଭୋଟ୍‌ ବ୍ୟାଙ୍କ ପାଇଁ ରାଜନୈତିକ ଦଳଗୁଡ଼ିକ ଯେପରି ରାଜକୋଷର ଦୁରୁପଯୋଗ କରୁଛନ୍ତି, ସେଥିରୁ ସେମାନଙ୍କୁ ନିବୃତ୍ତ ରହିବାକୁ ପଡ଼ିବ।
ଦିନବନ୍ଧୁ ଷଡ଼ଙ୍ଗୀ, ପଞ୍ଚସଖା ନଗର

ଶ୍ରୀଲଙ୍କା ଭଳି ଅବସ୍ଥା ଭାରତର ହେବ ନାହିଁ। ଶ୍ରୀଲଙ୍କା, ପାକିସ୍ତାନ ଆଦି ରାଷ୍ଟ୍ର ପରି ଭାରତ ନୁହେଁ। ସେମାନଙ୍କ ନିଅଣ୍ଟିଆ ବଜେଟ୍ ଯୋଗୁଁ ଏଭଳି ଅବସ୍ଥା। ଭାରତରେ ସେଭଳି ଅବସ୍ଥା କେବେ ହେବ ନାହିଁ। କିନ୍ତୁ ଭାରତକୁ ସତର୍କତା ଅବଲମ୍ବନ କରିବା ଆବଶ୍ୟକ।
ଅର୍ଜୁନ ପାତ୍ର, ମୟୂରଭଞ୍ଜ

ଶ୍ରୀଲଙ୍କା ଏବଂ ଭାରତ ଭିତରେ ବହୁତ ବଡ଼ ଫରକ୍‌ ଅଛି। ଶ୍ରୀଲଙ୍କା ପରି ଭାରତ ଦୁର୍ବଳ ନୁହେଁ। ତେଣୁ ସେଭଳି ପରିସ୍ଥିତି ଭାରତରେ କେବେ ହେବ ନାହିଁ।
ବୃନ୍ଦାବନ ପ୍ରଧାନ, ଲକ୍ଷ୍ମୀସାଗର

ଭୁଲ୍‌ ନୀତିର ପରିଣାମ ଭୋଗୁଛି ଶ୍ରୀଲଙ୍କା। ତେଣୁ ଶ୍ରୀଲଙ୍କା ଅବସ୍ଥା ଭାରତରେ ହେବା ଆଶଙ୍କା ଅମୂଳକ।
ଶୁଭ୍ରାଶୁଂ ସେନାପତି, ଭଦ୍ରକ

ଭାରତ ଋଣ କରି ଘିଅ ପିଉଛି। ତେଣୁ ଆଗାମୀ ଦିନରେ ଏହା ଏକ ବଡ଼ ଆଶଙ୍କାକୁ ଡାକି ଆଣିପାରେ।
କମଳାକାନ୍ତ ସେନାପତି, ନାଗେଶ୍ବର ଟାଙ୍ଗି

ସମ୍ବନ୍ଧିତ ଖବର