କରୋନାର ନୂଆ ଭାରିଆଣ୍ଟ୍ ଓମିକ୍ରନ୍ ଓଡ଼ିଶାରେ କାୟା ବିସ୍ତାର କରିବା ଆରମ୍ଭ କରିଦେଲାଣି। ଏପରିସ୍ଥଳେ ଏବେ ପ୍ରାଥମିକ ସ୍କୁଲ୍ ଖୋଲିବା ଠିକ୍ ନୁହେଁ। କାରଣ ଫେବ୍ରୁଆରି ମାସରେ ସମ୍ଭାବ୍ୟ ତୃତୀୟ ଲହର ଆସିବ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ କହୁଛନ୍ତି। ତେଣୁ ପ୍ରାଥମିକ ବିଦ୍ୟାଳୟରେ ପଢ଼ୁଥିବା ଛାତ୍ରଛାତ୍ରୀମାନେ ମାନସିକସ୍ତରରେ ଅପରିପକ୍ବ ହୋଇଥିବାରୁ କରୋନା କଟକଣାକୁ ପାଳନ କରିବା ସେମାନଙ୍କ ପକ୍ଷେ ସମ୍ଭବ ନୁହେଁ। ଏଥିସହ ଟିକାକରଣ ହୋଇନଥିବାରୁ ତୃତୀୟ ଲହର ସେମାନଙ୍କର ବିଶେଷ କ୍ଷତି କରିପାରେ ବୋଲି ଆଶଙ୍କା କରାଯାଉଛି। କରୋନାକୁ ନେଇ ଏଭଳି ଘଡ଼ିସନ୍ଧି ସମୟରେ ସରକାରଙ୍କର ଏ ନିଷ୍ପତ୍ତି ଗ୍ରହଣଯୋଗ୍ୟ ନୁହେଁ। ଚଳିତଥର ସମ୍ବାଦ ଫୋନ୍-ଇନ୍-ପ୍ଲିଜ୍ରେ ‘ଏବେ ଛୋଟ ପିଲାଙ୍କ ସ୍କୁଲ୍ ଖୋଲିବା କେତେ ଯର୍ଥାଥ?’ରେ ଅଧିକାଂଶ ପାଠକ ଏଭଳି ମତ ଦେଇଛନ୍ତି।
ଓମିକ୍ରନ୍ ଯେଉଁ ଭଳି ଭାବେ କାୟା ବିସ୍ତାର କରିଚାଲିଛି, ଏଭଳି ସ୍ଥିତିରେ ପ୍ରାଥମିକ ବିଦ୍ୟାଳୟ ଖୋଲିଲେ ଛୋଟ ପିଲାମାନଙ୍କ ଉପରେ ତା’ର ଗୁରୁତର ପ୍ରଭାବ ପଡ଼ିବ। ଯେପର୍ଯ୍ୟନ୍ତ ଛୋଟ ପିଲାଙ୍କ ଟିକାକରଣ କରାଯାଇ ନାହିଁ, ସେ ପର୍ଯ୍ୟନ୍ତ ସ୍କୁଲ ଖୋଲିବା ଅନୁଚିତ୍।
-ଶତ୍ରୁଘ୍ନ ସାହୁ, ଭଦ୍ରକ
-ଅନନ୍ତ ଚରଣ ରାଉତ
ପ୍ରାଥମିକ ସ୍କୁଲ୍ରେ ପଢୁଥିବା ଛାତ୍ରଛାତ୍ରୀମାନଙ୍କୁ ଟିକା ଦିଆ ଯାଇନାହିଁ। ତେଣୁ କରୋନାକୁ ପ୍ରତିହତ କରିବା ପାଇଁ ତାଙ୍କ ପାଖରେ ସାମର୍ଥ୍ୟ ନାହିଁ। ସେମାନେ ମାନସିକସ୍ତରରେ ଅପରିପକ୍ବ ହୋଇଥିବାରୁ ସାମାଜିକ ଦୂରତା ତଥା କରୋନା କଟକଣାକୁ ସଠିକ ଭାବେ ଅନୁପାଳନ କରିପାରିବେ ନାହିଁ। ତେଣୁ ସରକାରଙ୍କର ଏ ନିଷ୍ପତ୍ତି ଗ୍ରହଣଯୋଗ୍ୟ ନୁହେଁ। ବରଂ ଅନ୍ଲାଇନ୍ରେ କେମିତି ଉନ୍ନତମାନର ଶିକ୍ଷା ପ୍ରଦାନ କରି ହେବ ସରକାର ସେ ଦିଗରେ କାର୍ଯ୍ୟ କରନ୍ତୁ।
-ଦେବାଶିଷ ସାହୁ, ଭୁବନେଶ୍ବର
-ନଗେନ୍ଦ୍ର ନାଥ ମିଶ୍ର, ଭୁବନେଶ୍ବର
-ସସ୍ମିତା ମିଶ୍ର, ଭୁବନେଶ୍ବର
ପ୍ରଥମେ ସ୍ବାସ୍ଥ୍ୟ ତା’ ପରେ ଶିକ୍ଷା। କରୋନାର ନୂଆ ଭାରିଆଣ୍ଟ କାୟା ବିସ୍ତାର କରିବା ଆରମ୍ଭ କରିଦେଲାଣି। ଏ ସମୟରେ ବିଦ୍ୟାଳୟ ଖୋଲିବା ଠିକ୍ ପଦକ୍ଷେପ ନୁହେଁ। ଏଥିସହ ମାତ୍ର ତିନି ଘଣ୍ଟା ଭିତରେ ପିଲାମାନେ ଯାହା ପଢ଼ିଥାନ୍ତେ ସେମାନଙ୍କୁ ଅନ୍ଲାଇନ୍ରେ ସେହି ପାଠ ପଢ଼ାଇବାକୁ ସରକାର ଶିକ୍ଷା ବିଭାଗକୁ ନିର୍ଦ୍ଦେଶ ଦିଅନ୍ତୁ।
-ପ୍ରହଲ୍ଲାଦ ପତି, ଭୁବନେଶ୍ବର
ସରକାରଙ୍କ ସ୍କୁଲ୍ ଖୋଲିବା ନିଷ୍ପତ୍ତି ସ୍ବାଗତଯୋଗ୍ୟ। କାରଣ ଛୋଟ ପିଲାମାନେ ଘରେ ରହିବା ଦ୍ବାରା ସେମାନଙ୍କର ଶୈକ୍ଷିକ, ମାନସିକ ଓ ଶାରୀରିକ ବିକାଶରେ ବାଧା ସୃଷ୍ଟି ହେଉଛି। ତେଣୁ ସ୍କୁଲ୍ ଖୋଲି ଶିକ୍ଷକମାନେ ଦାୟିତ୍ବର ସହ କରୋନା ନିୟମକୁ ପାଳନ କରି ପିଲାମାନଙ୍କ ଶିକ୍ଷାଦାନ କରନ୍ତୁ।
-ବିଷ୍ଣୁ ପ୍ରସାଦ ଆଚାର୍ଯ୍ୟ, ପଞ୍ଚସଖା ନଗର, ଭୁବନେଶ୍ବର
-ରାଧାକାନ୍ତ ମହାନ୍ତି, ଭଦ୍ରକ
କରୋନାର ତୃତୀୟ ଲହର ପାଇଁ ସମଗ୍ର ବିଶ୍ବ ଚିନ୍ତାଶୀଳ ଥିବାବେଳେ ରାଜ୍ୟ ସରକାରଙ୍କ ପ୍ରାଥମିକ ସ୍କୁଲ୍ ଖୋଲିବା ନିଷ୍ପତ୍ତି ହାସ୍ୟାସ୍ପଦ। କାରଣ ବୟୋଜ୍ୟେଷ୍ଠ ଲୋକମାନେ ଦୁଇଟି ଡୋଜ୍ ଟିକା ନେଇ ସୁରକ୍ଷିତ ମଣୁନାହାନ୍ତି। ସେଭଳି ସ୍ଥିତିରେ ଆଦୌ ଟିକା ନେଇ ନଥିବା ଛୋଟ ପିଲାମାନେ ତ ସଂପୂର୍ଣ୍ଣ ଅସୁରକ୍ଷିତ।
-ଦୀପ୍ତିରଞ୍ଜନ ସାହୁ, ପୁରୀ
-ଶ୍ରୀଧର ବଳିଆରସିଂହ, ବରମୁଣ୍ଡା, ଭୁବନେଶ୍ବର
ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ମତ ଅନୁସାରେ ଆସନ୍ତା ଫେବ୍ରୁଆରି ମାସରେ ତୃତୀୟ ଲହର ବ୍ୟାପକ ହେବାର ସମ୍ଭାବନା ରହିଛି। ତେଣୁ ଏହାକୁ ଦୃଷ୍ଟିରେ ରଖି ସ୍କୁଲ୍ ଖୋଲିବା ନିଷ୍ପତ୍ତି ଠିକ୍ ହେବ ନାହିଁ।
-ଚତୁର୍ଭୁଜ ପାତ୍ର, କେନ୍ଦୁଝର
ଗୁଜୁରାଟ ସହରରେ ଗୋଟିଏ ମାସ ଭିତରେ ୧୦୦ଜଣ ଛାତ୍ରଛାତ୍ରୀ କରୋନରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଅନ୍ୟ ରାଜ୍ୟ ଗୁଡ଼ିକରେ ମଧ୍ୟ ପ୍ରାୟ ସମାନ ଅବସ୍ଥା। ଏ ସମୟରେ ସ୍କୁଲ୍ ଖୋଲିବା ନିଷ୍ପତ୍ତି ଗ୍ରହଣଯୋଗ୍ୟ ନୁହେଁ।
-ଆହ୍ବାନ କୁମାର ପାଇକରାୟ, ଭୁବନେଶ୍ବର
ବର୍ତ୍ତମାନ କରୋନାର ଭୟାବହତା ଭିତରେ ସ୍କୁଲ୍ ଖୋଲିବା ଠିକ୍ ନିଷ୍ପତ୍ତି ନୁହେଁ। ତେଣୁ ସରକାର ଉପଯୁକ୍ତ ସମୟକୁ ଅପେକ୍ଷା କରିବା ଆବଶ୍ୟକ।
-ଶେଖ୍ ୟାକୁବ୍, ଗୋପ, ପୁରୀ
ମହାମାରୀକୁ ଦ୍ବାହି ଦେଇ ଶିକ୍ଷାକୁ ଅବହେଳା କରିବା ଠିକ୍ ନୁହେଁ। ସ୍କୁଲ୍ ବନ୍ଦ କଲେ ପିଲାମାନଙ୍କର ପୁଣି ଗୋଟିଏ ବର୍ଷ କ୍ଷତି ହେବ। ତେଣୁ କରୋନା କଟକଣା ମଧ୍ୟରେ ସ୍କୁଲ୍ ଖୋଲି ସବୁକିଛି ସ୍ବାଭାବିକ କରିବାକୁ ଚେଷ୍ଟା କରିବା ଦରକାର।
-ପବିତ୍ର କୁମାର ସାହୁ, ଶୈଳଶ୍ରୀବିହାର, ଭୁବନେଶ୍ବର
ସ୍କୁଲ୍ ଖୋଲି ପିଲାମାନଙ୍କୁ ପ୍ରଥମେ ଗୋଟିଏ ସପ୍ତାହ କରୋନା କଟକଣା ବିଷୟରେ ଅବଗତ କରାଇବା ଦରକାର। ସେମାନେ ମାନସିକସ୍ତରରେ ସେହି ବାତାବରଣକୁ ଗ୍ରହଣ କରିବା ପରେ ପୂର୍ବ ଭଳି ପାଠ ପଢ଼ା ଚାଲୁ ରଖାଯିବା ଉଚିତ।
-ପୀତବାସ ଶାହା, ବାଳକାଟି, ଖୋର୍ଦ୍ଧା
ଦୀର୍ଘ ଦୁଇ ବର୍ଷ ଧରି ସ୍କୁଲ୍ ବନ୍ଦ ହୋଇ ଅନ୍ଲାଇନ୍ରେ ଶିକ୍ଷାଦାନ ଚାଲୁଥିବା ହେତୁ ପିଲାମାନେ ବହୁଳ ଭାବେ ମୋବାଇଲ୍ ବ୍ୟବହାର କରୁଛନ୍ତି। ତେଣୁ ପିଲାମାନେ ସ୍କୁଲ୍କୁ ଯାଇ ଶିକ୍ଷକଙ୍କ ସଂସ୍ପର୍ଶରେ ଆସିଲେ ସେମାନଙ୍କ ଶିକ୍ଷାରେ ଉନ୍ନତି ଆସିବ।
-ପବିତ୍ର ମୋହନ କର, ବରଗଡ଼
ବଡ଼ମାନଙ୍କ ତୁଳନାରେ ଛୋଟ ପିଲାମାନଙ୍କ ରୋଗ ପ୍ରତିରୋଧକ ଶକ୍ତି ଅଧିକ। ତେଣୁ ସତର୍କତା ଅବଲମ୍ବନ କରି ସେମାନଙ୍କୁ ସ୍କୁଲ୍ ଛାଡ଼ିବାରେ କୌଣସି ସମସ୍ୟା ନାହିଁ। ଶିକ୍ଷାକୁ ସୁଦୃଢ଼ କରିବାକୁ ହେଲେ ଅଭିଭାବକ ଏବଂ ଶିକ୍ଷା କ୍ଷେତ୍ରରେ କାର୍ଯ୍ୟ କରୁଥିବା କର୍ତ୍ତୃପକ୍ଷ ଦୃଢ଼ ନିଷ୍ପତ୍ତି ନେଇ ଦାୟିତ୍ବ ସମ୍ପାଦନ କରିବାକୁ ହେବ।
-ନୀଳମଣି ମିଶ୍ର, ସୁନ୍ଦରପଦା, ଭୁବନେଶ୍ବର
କରୋନା କଟକଣା ଯୋଗୁଁ ବହୁ ଦିନ ଧରି ସ୍କୁଲ୍ ବନ୍ଦ ରହିଲାଣି। ଅନ୍ଲାଇନ୍ ମାଧ୍ୟମରେ ଶିକ୍ଷା ଦିଆଯାଉଥିଲେ ମଧ୍ୟ ତାହା ସବୁ ବର୍ଗର ଛାତ୍ରଛାତ୍ରୀଙ୍କ ନିକଟରେ ପହଞ୍ଚି ପାରୁନି। ଯେଉଁ ପିଲାମାନେ ଅନ୍ଲାଇନ୍ ପାଠ ପଢ଼ୁଛନ୍ତି, ସେମାନେ ପାଠ ଅପେକ୍ଷା ବିଭିନ୍ନ ଗେମ୍ରେ ମନୋନିବେଶ କରୁଛନ୍ତି। ଫଳରେ ସେମାନେ ମାନସିକସ୍ତରରେ ଦୁର୍ବଳ ହୋଇ ପଡ଼ୁଛନ୍ତି। ତେଣୁ ଉପଯୁକ୍ତ ମାର୍ଗଦର୍ଶିକା ଜାରି କରି ସ୍କୁଲ୍ ଖୋଲାଯିବା ଉଚିତ।
-ସୁଧାକର ଦାସ, ଖୋର୍ଦ୍ଧା
ତରବରିଆ ଭାବେ ସ୍କୁଲ୍ ଖୋଲିବା ନିଷ୍ପତ୍ତି ଠିକ୍ ନୁହେଁ। ଅନ୍ୟପକ୍ଷରେ ସ୍କୁଲ ଗୁଡ଼ିକରେ ଅନେକ ଶିକ୍ଷକ ପଦ ଖାଲି ପଡ଼ିଥିବାବେଳେ ଉଭୟ ଅନ୍ଲାଇନ୍ ଏବଂ ଅଫଲାଇନ୍ ଶିକ୍ଷାଦାନ ଅସମ୍ଭବ।
-ନିରଞ୍ଜନ ପଣ୍ଡା, ଶିକ୍ଷକ, ଭୁବନେଶ୍ବର