ଫୋନ ଇନ ପ୍ଲିଜ: ଆମେରିକା, ବ୍ରିଟେନ୍‌ ନିଆଁରେ ଘିଅ ଢାଳିବା ବନ୍ଦ କରନ୍ତୁ

ୟୁକ୍ରେନ୍‌ ନରସଂହାରରେ ବିଶ୍ବ ନିରବଦ୍ରଷ୍ଟା ହେବା ନିନ୍ଦନୀୟ ଘଟଣା। କିନ୍ତୁ ସମସ୍ତେ ଚୁପ୍‌ ବସି ନାହାନ୍ତି। କୂଟନୈତିକସ୍ତରରେ ଚେଷ୍ଟା ଜାରି ରହିଛି। ତେବେ ଯେ ପର୍ଯ୍ୟନ୍ତ ଆମେରିକା, ବ୍ରିଟେନ୍‌ ଭଳି ରାଷ୍ଟ୍ର ନିଆଁରେ ଘିଅ ଢାଳିବା ଭଳି କାମ କରୁଥିବେ, ସେ ପର୍ଯ୍ୟନ୍ତ ଯୁଦ୍ଧ ବନ୍ଦ ହେବ ନାହିଁ। ଆଉ ଗୋଟିଏ କଥା ହେଲା, ବାରମ୍ବାର ଧୋକା ଖାଇବା ପରେ ୟୁକ୍ରେନ୍‌ ରାଷ୍ଟ୍ରପତି ଜେଲେନ୍‌ସ୍କି ଆମେରିକା ଓ ପଶ୍ଚିମ ରାଷ୍ଟ୍ରମାନଙ୍କ ପକ୍ଷରେ ରହି ରୁଷ୍‌କୁ ଆହୁରି ତତାଉଛନ୍ତି। ଏମିତି ଜାରି ରହିଲେ, ଯୁଦ୍ଧ ବନ୍ଦ ହେବ ନାହିଁ। ଚଳିତଥରର ‘ସମ୍ବାଦ’ ଫୋନ୍‌-ଇନ୍‌-ପ୍ଲିଜ୍‌ର ପ୍ରସଙ୍ଗ ‘ୟୁକ୍ରେନ୍‌ ନରସଂହାର: ବିଶ୍ବ ନିରବଦ୍ରଷ୍ଟା ହେବା ନିନ୍ଦନୀୟ’‌‌‌ରେ ପାଠକମାନେ ଏପରି ମତାମତ ଦେଇଛନ୍ତି।

ୟୁକ୍ରେନ୍‌ରେ ଭୀଷଣ ନରସଂହାର ଓ ରୁଷ୍‌ ସେନାର ବର୍ବତାର ଯେଉଁ ଦୃଶ୍ୟ ଏବେ ସାମ୍ନାକୁ ଆସୁଛି, ସେଥିପାଇଁ କେବଳ ଆଉ କେବଳ ନାଟୋ, ଆମେରିକା ଓ ବ୍ରିଟେନ୍‌ ଦାୟୀ। ସେମାନେ ନିଆଁରେ ଘିଅ ଢାଳିବା ଭଳି କାମ କରୁଛନ୍ତି। ୟୁକ୍ରେନ୍‌କୁ ଅସ୍ତ୍ରଶସ୍ତ୍ର ସହାୟତା କରିବା ସହ ରୁଷ୍‌‌ ଉପରେ କଠୋର୍‌ କଟକଣା ଲାଗୁ କରି ପୁଟିନ୍‌ଙ୍କୁ ଆହୁରି ରଗାଉଛନ୍ତି। ନିଜ ଦେଶରେ ଧ୍ବଂସର ତାଣ୍ଡବଲୀଳା ଦେଖିବା ପରେ ବି ୟୁକ୍ରେନ୍‌ ରାଷ୍ଟ୍ରପତି ନିଜ ଜିଦ୍‌ରେ ଅଡି ବସିଛନ୍ତି। ନାଟୋର ବିଶ୍ବାସଘାତକତା ସତ୍ତ୍ବେ ଜେଲନସ୍କିଙ୍କ ମୁଣ୍ଡରେ ଚେତା ପଶୁନି। ଚୁପ୍‌ ରହିବା ବଦଳରେ ସେ ରୁଷ୍‌ ଓ ପୁଟିନ୍‌ଙ୍କ ବିରୋଧରେ ବିଭିନ୍ନ ବୟାନବାଜି କରି ରୁଷ୍‌କୁ ତତାଉଛନ୍ତି। ଏମିତି ପରିସ୍ଥିତି ଲାଗି ରହିଲେ, କେବେ ବି ଯୁଦ୍ଧ ବନ୍ଦ ହେବନି। ପୂରା ବିଶ୍ବ ଚାହିଲେ କ’ଣ ହେବ? ଯେପର୍ଯ୍ୟନ୍ତ ଆମେରିକା ଓ ବ୍ରିଟେନ୍‌ ନ ଚାହିଛନ୍ତି, ଏ ଯୁଦ୍ଧକୁ ଅଟକା ଯାଇପାରିବ ନାହିଁ।
ଶ୍ରୀଦିଶା ମହାନ୍ତି, ଡୁମୁଡୁମା

ବିଶ୍ବ ଶାନ୍ତି ନିମନ୍ତେ ମିଳିତ ଜାତିସଂଘ ଗଠନ କରାଯାଇଛି। ମାତ୍ର ଜାତିସଂଘ ଏବେ ନିରବଦ୍ରଷ୍ଟା ସାଜିଛି। ରୁଷ୍‌-ୟୁ‌କ୍ରେନ୍‌ ମଧ୍ୟରେ ଶାନ୍ତି ପ୍ରତିଷ୍ଠା କରିବା ଦିଗରେ କୌଣସି ପଦକ୍ଷେପ ନେଉନାହିଁ। ଫଳରେ ଏ ଜଘନ୍ୟ ନରସଂହାର ବିଶ୍ବ ମାନବାଧିକାରକୁ ଉଲଂଘନ କରୁଛି। ତେଣୁ ବିଶ୍ବର ସମସ୍ତ ଦେଶ ଏକତ୍ରିତ ହୋଇ ଏ ନରସଂହାର ଉପରେ ସ୍ବର ଉତ୍ତୋଳନ କରନ୍ତୁ ଏବଂ ଦୁଇ ଦେଶ ଭିତରେ ଶାନ୍ତି ପ୍ରତିଷ୍ଠା ପାଇଁ ଉଦ୍ୟମ କରନ୍ତୁ। ନଚେତ୍‌ ଭବିଷ୍ୟତପିଢ଼ି ଏହାକୁ ଘୋର ନିନ୍ଦା କରିବେ।
ଦିବ୍ୟଲୋଚନ ଭାରୀମଲ୍ଲ, ଖୋର୍ଧା
ରାକେଶ ବଳ, କେନ୍ଦ୍ରାପଡ଼ା

ଭୟ ଓ ଦ୍ବନ୍ଦ୍ବରେ ବିଶ୍ବ। ଯୁଦ୍ଧ ପାଇଁ ରୁଷ୍‌ ବହୁ ଆଗରୁ ପ୍ରୟାସ ଚଳାଇଥିଲା। ସେ‌‌ତେବେଳେ କେହି ଏ କଥାକୁ ଗୁରୁତ୍ବର ସହ ନେଲେ ନାହିଁ। କୌଣସି ରାଷ୍ଟ୍ର ତାକୁ ବୁଝାଇବାକୁ ଚେଷ୍ଟା କଲେ ନାହିଁ। ଓଲଟି, ଆମେରିକା ଓ ନାଟୋ ନିଆଁରେ ଘିଅ ଢାଳିବା ଭଳି କାମ କଲେ। ଫଳସ୍ୱରୂପ ଏବେ ୟୁକ୍ରେନ୍‌ରେ ନରସଂହାର ଚାଲିଛି।
ଅଖିଳ ଚନ୍ଦ୍ର ବାରିକ, ମୟୂରଭଞ୍ଜ

ଦୁଇ ଦେଶ ମଧ୍ୟରେ ଯୁଦ୍ଧ ପୂରା ବିଶ୍ବ ପାଇଁ ସଂକଟ ସୃଷ୍ଟି କରିଛି। ସବୁ ଦେଶ ଏହା ଦ୍ବାରା ପରୋକ୍ଷ ଓ ପ୍ରତ୍ୟକ୍ଷ ଭାବେ ପ୍ରଭାବିତ ହେଉଛନ୍ତି। ରୁଷ୍‌ ଓ ୟୁକ୍ରେନ୍‌, ଦୁଇଟି ଯାକ ସମୃଦ୍ଧ ଦେଶ। ଏହି ଦୁଇ ଦେଶରୁ ଯେଉଁ ଦ୍ରବ୍ୟ ଆମଦାନି ହେଉଥିଲା, ଯୁଦ୍ଧ ଫଳରେ ସେଥିରେ ପ୍ରତିବନ୍ଧକ ସୃଷ୍ଟି ହୋଇଛି। ତେଣୁ ମାନବଜାତିର ସୁରକ୍ଷା ପାଇଁ ତୁରନ୍ତ ଏ ଯୁଦ୍ଧ ବନ୍ଦ କରାଯିବା ପାଇଁ ସବୁ ଦେଶ ମିଳିତ ଭାବେ ଉଦ୍ୟମ କରିବା ଆବଶ୍ୟକ।
ନୀଳମଣି ମିଶ୍ର, ସୁନ୍ଦରପଦା

ଏ ନରସଂହାର ପାଇଁ ନାଟୋ ଓ ଜାତିସଂଘ ସଂପୂର୍ଣ୍ଣ ଭାବେ ଦାୟୀ। ଏମାନେ ଯୁଦ୍ଧକୁ ବନ୍ଦ କରିବା ଦିଗରେ କାର୍ଯ୍ୟ କରିବା ପରିବର୍ତ୍ତେ ନିରବ ରହି ନରସଂହାରର ମଜା ଦେଖୁଛନ୍ତି।
ଭାଗୀରଥି ଦାଶ, ସତ୍ୟବିହାର

ରୁଷ୍‌-ୟୁକ୍ରେନ୍‌ ପଛର ବଡ଼ କାରଣ ନାଟୋ। ନା ୟୁକ୍ରେନ୍‌ ରାଷ୍ଟ୍ରପତି, ପୁଟିନ୍‌ଙ୍କୁ ଆଶ୍ବସ୍ତ କରିପାରୁଛନ୍ତି ନା ନାଟୋ ତା’ ସଂପ୍ରସାରଣ ନୀତିରୁ ପଛଘୁଞ୍ଚା ଦେଉଛି। ତେଣୁ ଯୁଦ୍ଧ ବନ୍ଦ କେମିତି ହେବ? ତଥାପି ବି ବିଶ୍ବ ସମୁଦାୟ ଆଗେଇ ଆସି ଦୁଇ ରାଷ୍ଟ୍ର ମଧ୍ୟରେ ସନ୍ଧି ସ୍ଥାପନ ପାଇଁ ଚେଷ୍ଟା କରନ୍ତୁ। ନଚେତ୍‌ ଆଉ ଯେ କେତେ ନିରୀହ ଲୋକଙ୍କ ଜୀବନ ଯିବ, ତାହା ଆକଳନ କରିବା ମୁସ୍କିଲ ହୋଇପଡ଼ିବ।
ଶ୍ରୀଧର ବଳିୟାରସିଂ, ବରମୁଣ୍ଡା,
କୈଳାସ ଚନ୍ଦ୍ର ପୃଷ୍ଟି, ଖୋର୍ଦ୍ଧା

ଦ୍ବିତୀୟ ବିଶ୍ବଯୁଦ୍ଧ‌ରେ ଯେମିତି ହିରୋସୀମା ଓ ନାଗାସାକିର ଅବସ୍ଥା ହୋଇଥିଲା, ପୁଟିନ୍‌ ବର୍ତ୍ତମାନ ଏନେ ୟୁକ୍ରେନ୍‌ର ସେଇ ଅବସ୍ଥା କଲେଣି। ଏହାଦ୍ବାରା ଖାଲି ଧନଜୀବନ ନଷ୍ଟ ହେଉଛି। ସାଧାରଣ ଲୋକ ଦେଶ ଛାଡ଼ିବାକୁ ବାଧ୍ୟ ହେଉଛନ୍ତି। ଏହାକୁ ଆମେ ଖାଲି ୟୁକ୍ରେନ୍‌ ସଂକଟ କହିପାରିବା ନାହିଁ, ଏହା ପୂରା ମାନବଜାତି ପାଇଁ ସଂକଟ। ତେଣୁ ପୂରା ବିଶ୍ବ ଏକାଠି ହୋଇ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ଅଟକାଇବା ପାଇଁ ପ୍ରୟାସ କରନ୍ତୁ।
ନଗେନ୍ଦ୍ରନାଥ ମିଶ୍ର, ସାମନ୍ତରାପୁର

ଗୋଟିଏ ଶକ୍ତିଶାଳୀ ରାଷ୍ଟ୍ର ଅନ୍ୟ ଏକ ଦୁର୍ବଳ ରାଷ୍ଟ୍ରକୁ ଆକ୍ରମଣ କରି ସାଧାରଣ ଜନତାଙ୍କୁ ଅତି ନିର୍ଦୟ ଭାବେ ହତ୍ୟା କରୁଛି। ହେଲେ କୌଣସି ଦେଶ ଏନେଇ ମୁହଁ ଖୋଲୁନାହାନ୍ତି। ଏହାଠୁ ବଳି ନିନ୍ଦନୀୟ ଆଉ କ’ଣ ହୋଇପାରେ।
ପ୍ରମୋଦ ପଣ୍ଡା, ରସୁଲଗଡ଼

ରୁଷ୍‌-ୟୁକ୍ରେନ୍‌ ଯୁଦ୍ଧ ବନ୍ଦ ହେବା ପାଇଁ ସବୁ ଦେଶ ଚାହୁଛନ୍ତି। ହେଲେ ପ୍ରତ୍ୟକ୍ଷ ଭାବେ ହସ୍ତକ୍ଷେପ କରି ରୁଷ୍‌ କିମ୍ବା ୟୁକ୍ରେନ୍‌ ସହ ସମ୍ପର୍କ ଖରାପ କରିବାକୁ ଚାହୁ ନାହାନ୍ତି।
ସୁରେନ୍ଦ୍ର ନାୟକ, ନିଆଳି

ଏ ଯୁଦ୍ଧ ପଛରେ ରୁଷ୍‌ର ମନ୍ଦ ଉଦ୍ଦେଶ୍ୟ ଅଛି ବୋଲି ସମସ୍ତେ ଜାଣି ସାରିଲେଣି। ହେଲେ ରୁଷ୍‌ ଏକ ଶକ୍ତିଶାଳୀ ରାଷ୍ଟ୍ର ହୋଇଥିବାରୁ ତା’ ବିରୋଧରେ କେହି ମୁହଁ ଖୋଲୁନାହାନ୍ତି। ମୋ ମତରେ, ସମୂହ ସ୍ବରଉତ୍ତୋଳନ ହେଲେ ସବୁ ଦେଶ ରୁଷ୍‌ ବିପକ୍ଷରେ ହିଁ ଯିବେ।
ବ୍ରଜରାଜ ରଥ, ଡେଲ୍‌ଟା ଛକ

ଜାତିସଂଘ ନିରବଦ୍ରଷ୍ଟା ରହିବା ଦୁଃଖ ଏବଂ ଲଜ୍ଜାଜନକ ଘଟଣା। କାରଣ ରୁଷ୍‌ ନରସଂହାର କରି ଚାଲିଥିବା ବେଳେ ୟୁକ୍ରେନ୍‌ରେ ଘୋର ମାନବୀୟ ସଂକଟ ଦେଖାଗଲାଣି। ଏହା ଆଗାମୀ ଦିନରେ ମାନବ ଜାତି ପାଇଁ ଅନେକ କ୍ଷତି ପହଞ୍ଚାଇବ।
ପ୍ରକାଶ ଚନ୍ଦ୍ର ବାରିକ, ପୁରୀ

ବିଶ୍ବରେ ମିଳିତ ଜାତିସଂଘ ଭଳି ଏକ ସଂସ୍ଥା ରହିଥିବା ବେଳେ ୟୁକ୍ରେନ୍‌ ଉପରେ ରୁଷ୍‌ର ବର୍ବରୋଚିତ ଆକ୍ରମଣ ନେଇ ମୁହଁ ନ ଖୋଲିବା ଆଶ୍ଚର୍ଯ୍ୟଜନକ ବିଷୟ। ଆଉ କେତେ ଲୋକ ମଲେ, ଜାତିସଂଘ ଚେତିବ? ମୋ ମତରେ, ଏହି ଘଟଣାରେ ଜାତିସଂଘ କଠୋର ପଦକ୍ଷେପ ଗ୍ରହଣ କରିବା ଉଚିତ।
ବିଶ୍ବଜିତ୍‌ ପଟ୍ଟନାୟକ, ଭୁବନେଶ୍ବର

ତାଲିବାନ୍‌ ଆଫଗାନିସ୍ତାନ ଦଖଲ କଲା। ସେହିଭଳି ରୁଷ୍‌ ୟୁକ୍ରେନ୍‌ ଦଖଲ କରିବା ପାଇଁ ଚେଷ୍ଟା କରୁଛି। ହେଲେ ମିଳିତ ଜାତିସଂଘ ଏହା ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପରିବର୍ତ୍ତେ କେବଳ ଚିନ୍ତା ପ୍ରକଟ କରି ଚୁପ୍‌ ବସିଯାଇଛି। ଯାହାକୁ ବିଶ୍ବର ପ୍ରତ୍ୟେକଟି ନାଗରିକ ଘୋର ନିନ୍ଦା କରୁଛନ୍ତି।
ଛାୟାକାନ୍ତ ନାୟକ, ପୁରୀ

ବିଶ୍ବ ନିରବଦ୍ରଷ୍ଟା ହେବା ଆବଶ୍ୟକ। ନଚେତ୍‌ ତୃତୀୟ ବିଶ୍ବଯୁଦ୍ଧକୁ କେହି ଅଟକାଇପାରିବେ ନାହିଁ। ଫଳରେ ଏହା ସମଗ୍ର ବିଶ୍ବ ପାଇଁ ବଡ଼ ବିପଦ ସୃଷ୍ଟି କରିବ।
କାଶୀନାଥ ନାୟକ, ବ୍ରହ୍ମଗିରି

ରୁଷ୍-ୟୁକ୍ରେନ୍‌ ଭିତରେ ୫୪ଦିନ ହେଲାଣି ଯୁଦ୍ଧ ଚାଲିଛି। ଦିନକୁ ଦିନ ସ୍ଥିତି ଜଟିଳ ହେବାରେ ଲାଗିଛି। ଯୁଦ୍ଧ ବିରତି ପାଇଁ ବିଶ୍ବର ବହୁ ନେତାଙ୍କ ଉଦ୍ୟମ ଜାରି ରହିଛି। ହେଲେ ଏବେ ଯୁଦ୍ଧକୁ ନେଇ ବିଶ୍ବ ରାଜନୀତି ଯେଉଁ ଦିଗକୁ ଗତି କରୁଛି, ତାଦ୍ବାରା କେବଳ ୟୁକ୍ରେନ ନୁହେଁ, ବରଂ ସାରା ବିଶ୍ବ ପାଇଁ ସଙ୍କଟ ସୃଷ୍ଟି ହେବାର ଆଶଙ୍କା ଉପୁଜିଛି। ଏଥିପାଇଁ ସମଗ୍ର ବିଶ୍ୱ ନିରବଦ୍ରଷ୍ଟା ନ ହୋଇ ପରିସ୍ଥିତିର ସମାଧାନ ପାଇଁ ଆଗେଇ ଆସିବା ଜରୁରୀ ହୋଇପଡ଼ିଛି।

ରମେଶ ଚନ୍ଦ୍ର ନାୟକ, କେଶରପୁର କଟକ

‘ନିଜେ ବଞ୍ଚିଲେ ବାପର ନାଁ’ ନ୍ୟାୟରେ ସବୁ ରାଷ୍ଟ୍ର ଚାଲିଛନ୍ତି। ସବୁ ଦେଶ ନିଜ ସ୍ବାର୍ଥ ପାଇଁ କାମ କରୁଛନ୍ତି। ଯୁଦ୍ଧରେ ଅଯଥାରେ ମୁଣ୍ଡ ପୂରାଇ କାହାର ଶତ୍ରୁ ହେବାକୁ ଚାହୁନାହାନ୍ତି। ହେଲେ ସେମାନେ ଭୁଲି ଯାଉଛନ୍ତି ଯେ ଏହା ଖାଲି ୟୁକ୍ରେନ୍‌ ସଂକଟ ନୁହେଁ, ପୂରା ମାନବତାର ସଂକଟ ବୋଲି। ତେଣୁ ପୂରା ବିଶ୍ବ ଏକାଠି ହୋଇ ଦୁଇ ଦେଶ ମଧ୍ୟରେ ଶାନ୍ତି ପ୍ରତିଷ୍ଠା ଦିଗରେ ଉଦ୍ୟମ କରିବା ଜରୁରୀ
ଶ୍ରୀବାସ ମହାନ୍ତି, ଭୁବନେଶ୍ୱର

ବିଶ୍ବ ପାଇଁ ଏହା ନିନ୍ଦନୀୟ ଓ ଲଜ୍ଜାର ବିଷୟ। ପଡ଼ୋଶୀ ଘରେ ନିଆଁ ଲାଗିଲେ ଚୁପ୍ ବସିବା ଉଚିତ ନୁହେଁ। ଏପରି ଯୁଦ୍ଧ ଆଗକୁ ଲାଗି ରହିଲେ ତୃତୀୟ ବିଶ୍ବଯୁଦ୍ଧ ହେବ। ଯାହା ସମଗ୍ର ପୃଥିବୀ ପାଇଁ ବିପଦ ଡାକି ଆଣିବ।
ବିଶ୍ବନାଥ ଷଡ଼ଙ୍ଗୀ, ଭୁବନେଶ୍ୱର
ଅଶୋକ କୁମାର ଆଢ଼୍ୟ, ପୁରୀ

ରୁଷ୍‌ ବିରୋଧରେ କେହି ସ୍ୱର ଉତ୍ତୋଳନ କରିପାରୁ ନାହାନ୍ତି। ଜାତିସଂଘ କେବଳ ନାମକୁମାତ୍ର କାମ କରୁଛି। ସବୁ ଦେଶ ମିଶି ରୁଷ୍‌ ବିରୋଧରେ ଛିଡ଼ା ହେବା ଆବଶ୍ୟକ।
ଆରତ ସାହୁ, ବୌଦ୍ଧ

ସବୁ ଦେଶ ମିଶି ରୁଷ୍‌କୁ ବୁଝାଇବା ଆବଶ୍ୟକ।
ଦିଲ୍ଲୀପ କୁମାର ନାୟକ, କେନ୍ଦ୍ରାପଡ଼ା

ୟୁକ୍ରେନ୍‌ରେ ନରସଂହାର ଚାଲିଥିବା ବେଳେ ବିଶ୍ବ ନିରବଦ୍ରଷ୍ଟା ହେବା ନିନ୍ଦନୀୟ।
ଶ୍ରୀବତ୍ସ ମହାନ୍ତି, ଯାଆଁଳା

ରୁଷ୍‌-ୟୁକ୍ରେନ୍‌ ମଧ୍ୟରେ ଯୁଦ୍ଧ ଆଜି ପର୍ଯ୍ୟନ୍ତ ସରିଲା ନାହିଁ। ଦୁଇ ଦେଶ ନିଜ ଜିଦ୍‌ରେ ଅଟଳ ରହିଛନ୍ତି, କେହି ହାର୍‌ ମାନିବାକୁ ରାଜି ନୁହଁନ୍ତି। ଏବେ ୟୁକ୍ରେନ୍‌ରୁ ଯେଉଁ ନରସଂହାରର ଚିତ୍ର ଆସୁଛି, ତାହା ଅତ୍ୟନ୍ତ ଭୟଙ୍କର। ତେଣୁ ଏ ଯୁଦ୍ଧ ଶୀଘ୍ର ବନ୍ଦ ନ ହେଲେ କେତେ ଯେ ନିରୀହ ଜନତା ବଳି ପଡ଼ିବେ, ତାହା କୁହାଯାଇପାରିବ ନାହିଁ। ତେଣୁ ପୂରା ବିଶ୍ବର ନେତାମାନେ ଏକାଠି ହୋଇ ଦୁଇ ଦେଶ ମଧ୍ୟରେ ବୁଝାମଣା କରାଇବାକୁ ଚେଷ୍ଟା କରନ୍ତି। ଆଉ ଚୁପ୍‌ ବସିବା ଉଚିତ ନୁହେଁ।
-ସୁଧାକର ଦାସ, ପ୍ରାଣନାଥ ସ୍ୱୟଂଶାସିତ ମହାବିଦ୍ୟାଳୟ
-ରାକେଶ ବଳ, ବିଜେବି କଲେଜ
-ଆହ୍ବାନ କୁମାର ପାଇକରାୟ

ସମ୍ବନ୍ଧିତ ଖବର