ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀ, ସଂଗଠନ ଓ ଦଳ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଚରିତ୍ର ସଂହାର ପାଇଁ ଜୋରସୋର୍‌ରେ ଉଦ୍ୟମ ଚଳାଇଛନ୍ତି। ସୋସିଆଲ ମିଡିଆଠାରୁ ଆରମ୍ଭ କରି ବିଭିନ୍ନ ମାଧ୍ୟମରେ ସେମାନେ ଇତିହାସକୁ କଦର୍ଥ କରି ଗାନ୍ଧୀଜୀଙ୍କୁ ଖଳନାୟକ ଭାବେ ଚିତ୍ରଣ କରିବାକୁ ଉଦ୍ୟମ କରୁଛନ୍ତି। ତେବେ ଦୁଃଖର କଥା ହେଲା, ଗାନ୍ଧୀଜୀଙ୍କୁ ପଢ଼ି ନଥିବା, ଜାଣି ନଥିବା ଆଜିର ଯୁବପିଢ଼ି ସେମାନଙ୍କ କଥାରେ ଭାସି ଯାଉଛନ୍ତି ଓ ସେମାନଙ୍କ ସ୍ବରରେ ସ୍ବର ମିଳାଉଛନ୍ତି। କିନ୍ତୁ ଯେତେ କୋଇଲାରେ ମାଜିଲେ ବି ସୁନା ଯେପରି ତା’ର ଅସ୍ତିତ୍ବ ହରାଏ ନାହିଁ, ସେମିତି ଶତଚେଷ୍ଟା କଲେ ବି ସେମାନେ ମହାତ୍ମାଙ୍କ ଚରିତ୍ରକୁ ମଳିନ କରିପାରିବେ ନାହିଁ। ଭାରତକୁ ସ୍ବାଧୀନ କରିବାରେ ଗାନ୍ଧୀଙ୍କ ତପସ୍ୟା, ତାଙ୍କର ଅହିଂସା ଓ ସତ୍ୟକୁ ବି ଆଜି ସାରା ବିଶ୍ବ ସମ୍ମାନ କରେ। ଗୋଟିଏ ବାକ୍ୟରେ କହିବାକୁ ଗଲେ ଗାନ୍ଧୀଙ୍କ ବିନା ଭାରତ ଅଚିନ୍ତନୀୟ, ଅକଳ୍ପନୀୟ। ଚଳିତ ଥରର ଫୋନ୍‌-ଇନ୍‌-ପ୍ଲିଜ୍‌ର ବିଷୟବସ୍ତୁ ‘ଗାନ୍ଧୀଜୀଙ୍କୁ ଧୀରେ ଧୀରେ ଖଳନାୟକ ଚିତ୍ରଣ କରାଯାଉଛି’ର ଉତ୍ତରରେ ଅଧିକାଂଶ ପାଠକ ଏପରି ମତାମତ ଦେଇଛନ୍ତି।

Advertisment

ଗାନ୍ଧୀଜୀ ରକ୍ତ, ମାଂସ ଗଢ଼ା ଜଣେ ସାଧାରଣ ମଣିଷ ନଥିଲେ। ସେ ଥିଲେ ମାନବବାଦର ଜ୍ବଳନ୍ତ ଉଦାହରଣ। ଏହାକୁ ସମସ୍ତେ ନିର୍ବିବାଦରେ ସ୍ବୀକାର କରିବା ଦରକାର। ମୁକ୍ତି ସଂଗ୍ରାମରେ ଗାନ୍ଧୀଜୀଙ୍କ କିଛି ନିଷ୍ପତ୍ତି ଆମକୁ ଅଡୁଆରେ ପକାଇଛି ସତ। ହେଲେ କୌଣସି ବି ପରିସ୍ଥିତିରେ ଆମେ ଗାନ୍ଧୀଙ୍କୁ ଖଳନାୟକ ଚିତ୍ରଣ କରିପାରିବା ନାହିଁ। ଯେଉଁମାନେ ଏ କୁକର୍ମ କରୁଛନ୍ତି, ସେମାନଙ୍କ ଏ ଅପଚେଷ୍ଟା ବ୍ୟର୍ଥ ଯିବ।
ରମେଶ ଚନ୍ଦ୍ର ନାୟକ, ବକ୍ସି ବଜାର

ଗାନ୍ଧୀଜୀଙ୍କୁ ଖଳନାୟକ ଚିତ୍ରଣ କରିବା ସଂପୂର୍ଣ୍ଣ ବାଚଳାମି। ସେ ହେଉଛନ୍ତି ଜନନାୟକ, ଅହିଂସାର ପୂଜାରୀ ଓ ଆଦର୍ଶବାଦୀ ବ୍ୟକ୍ତିତ୍ବ। ତାଙ୍କ ନୀତି ଓ ଆଦର୍ଶକୁ ସାରା ବିଶ୍ବ ପ୍ରଶଂସା କରୁଛି। ସେଥିପାଇଁ ତାଙ୍କ ଜନ୍ମଦିନକୁ ‘ବିଶ୍ବ ଅହିଂସା ଦିବସ’ ଭାବେ ପାଳନ କରାଯାଉଛି।
କମଳାକାନ୍ତ ସେନାପତି, ନାଗେଶ୍ବରଟାଙ୍ଗି

ଗାନ୍ଧୀଜୀ ଆମ ରାଷ୍ଟ୍ରପିତା। ଗାନ୍ଧୀଜୀଙ୍କୁ ପଢ଼ିଥିବା, ଜାଣିବା ଲୋକ କେବେ ହେଲେ ତାଙ୍କୁ ଖଳନାୟକ କହିବ ନାହିଁ। ଆତତାୟୀ ଗଡ୍‌ସେଙ୍କ ସମର୍ଥକମାନେ ହିଁ ଏହି ଦୁଃସାହସ କରୁଛନ୍ତି। ହେଲେ ସେଥିପାଇଁ ବ୍ୟସ୍ତ ହେବାର କିଛି ଆବଶ୍ୟକତା ନାହିଁ। ସେମାନେ ଆପେଆପେ ଏହାର ଜବାବ ପାଇଯିବେ।
ନଗେନ୍ଦ୍ରନାଥ ମିଶ୍ର, ସାମନ୍ତରାପୁର

ବିଜେପି ଶାସନକୁ ଆସିବା ପରେ ଗାନ୍ଧୀଙ୍କ ପ୍ରତି ବିରୋଧାଭାଷ ବଢ଼ିବାରେ ଲାଗିଛି। କିଛି ମୁଷ୍ଟିମେୟ ଗୋଷ୍ଠୀ ଚାହୁଛନ୍ତି, ଦୁନିଆ ଆଗରେ ମହାତ୍ମାଙ୍କ ଚରିତ୍ର ମଳିନ ପଡ଼ୁ। ହେଲେ ଏଥିରେ ସେମାନେ ସଫଳ ହୋଇପାରୁନାହାନ୍ତି। ସମଗ୍ର ଦେଶବାସୀ ଗାନ୍ଧୀଙ୍କୁ ସମର୍ଥନ କରୁଛନ୍ତି।
ଶ୍ରୀବତ୍ସ ମହାନ୍ତି, ଯାଁଳା

ଯେଉଁମାନେ ଗାନ୍ଧୀଜୀଙ୍କ ଚରିତ୍ର ଉପରେ ଆକ୍ଷେପ କରୁଛନ୍ତି, ସେମାନେ ଗାନ୍ଧୀଙ୍କ ବିଷୟରେ କିଛି ଜାଣିନାହାନ୍ତି। ତାଙ୍କ ଆତ୍ମା ସେତିକି ମହାନ୍‌ ବୋଲି ତାଙ୍କୁ ମହାତ୍ମାର ଆଖ୍ୟା ଦିଆଯାଇଛି। ତେଣୁ ଖଳ ପ୍ରକୃତିରେ ଲୋକମାନଙ୍କୁ ମୁଁ ଜଣାଇ ଦେବାକୁ ଚାହିବି ଯେ ସେମାନେ ଅଯଥାରେ ଏ ଅପଚେଷ୍ଟା ନ କରନ୍ତୁ। କାରଣ ଯେତେ ଚେଷ୍ଟା କଲେ ବି ଗାନ୍ଧୀଙ୍କ ଭାବମୂର୍ତ୍ତିରେ କେବେ ଦାଗ ଲାଗିପାରିବନି। ସେ ସବୁବେଳେ ପବିତ୍ର ଓ ଅମର ହୋଇ ରହିବେ।
ହରମୋହନ ଶତପଥୀ, ରବି ଟକିଜ୍‌

ପିଲାଠୁ ପ୍ରାପ୍ତ ବୟସ୍କ ସମସ୍ତଙ୍କ ମନରେ ଗାନ୍ଧୀଙ୍କୁ ନେଇ ଏକ ସ୍ବତନ୍ତ୍ର ଭଲ ପାଇବା ଓ ସମ୍ମାନ ଅଛି। ତେଣୁ କିଛି ଖଳ ପ୍ରକୃତି‌ର ଲୋକ, ଯେଉଁମାନେ ହିଂସାର ଆଶ୍ରୟ ନିଅନ୍ତି, ସେମାନେ ଗାନ୍ଧୀଙ୍କ ବିରୋଧରେ ଯେତେ ପ୍ରଚାରପ୍ରସାର କଲେ ମଧ୍ୟ କିଛି ପ୍ରଭାବ ପଡ଼ିବନି।
ଆଶିଷ କୁମାର ପାଣି, ଭୁବନେଶ୍ବର

କିଏ ଚିତ୍ରଣ କରୁଛି? ଆର୍‌ଏସ୍‌ଏସ୍‌ ହିଁ ଦେଶରେ ଏହି ଅପଚେଷ୍ଟା ଚଳାଇଛି। କିନ୍ତୁ ଦେଶବାସୀ ଜାଣିଛନ୍ତି, ଗାନ୍ଧୀଙ୍କ ବିନା ଦେଶ କେବେ ବି ସ୍ବାଧୀନ ହୋଇ ପାରି ନଥା’ନ୍ତା। ଗାନ୍ଧୀଙ୍କ ପାଇଁ ଅଖଣ୍ଡ ଭାରତ ପ୍ରତିଷ୍ଠା ହୋଇଥିଲା। ହେଲେ ଏବେ ସେ ଦେଶ ବିଭାଜନ କରିଥିଲେ ବୋଲି କୁହାଯାଉଛି। ମହାତ୍ମାଙ୍କ ବିରୋଧରେ ଏଭଳି ଅପପ୍ରଚାର ନିନ୍ଦନୀୟ ଓ ଅକ୍ଷମଣୀୟ।
ସୁଭାଷ ଚନ୍ଦ୍ର ପ୍ରଧାନ, ଢେଙ୍କାନାଳ
ଦିନନାଥ ଦାସ, ଲକ୍ଷ୍ମୀସାଗର
ସୁରେନ୍ଦ୍ର କୁମାର ନାୟକ, ନିଆଳି କଟକ

ଗାନ୍ଧୀଜୀ ହିଁ କହିଥିଲେ, ଯିଏ ତୁମକୁ ଚାପୁଡ଼ାଟିଏ ମାରୁଛି, ତାକୁ ଆରପଟ ଗାଲ ଦେଖାଇଦିଅ। ଏଭଳି ଜଣେ ସନ୍ଥଙ୍କୁ କିଛି କୁଚକ୍ରୀ ଗୋଷ୍ଠୀ ଖଳନାୟକ ସଜାଇବା ପାଇଁ ଅପଚେଷ୍ଟା କରୁଛନ୍ତି। ଆଉ କିଛି ଉଦ୍‌ଭ୍ରାନ୍ତ ଯୁବକ ଇତିହାସ ନଜାଣି, ନପଢ଼ି ସେମାନଙ୍କ କଥାରେ ଭାସି ଯାଉଛନ୍ତି। କିନ୍ତୁ ସେମାନେ ମନେ ରଖିବା ଉଚିତ, ଯାହାର ନୀତି, ବିଚାରଧାରା, ଅହିଂସା ନୀତି ଆଗରେ ସାରା ବିଶ୍ବ ନତମସ୍ତକ ହୋଇଛି, ତା’ର ଗରିମାକୁ ଗୋଟିଏ ଗୋଷ୍ଠୀ, ଦଳ ବା ସଂଗଠନ, ଯେତେ‌ ଚେଷ୍ଟା କଲେ ବି ନଷ୍ଟ କରିପାରିବନି।
ରାକେଶ ବଳ, ବିଜେବି କଲେଜ

ଯେତେ ଯାହା କହିଲେ ବି ଗାନ୍ଧୀଜୀଙ୍କ ଅନେକ ଦୋଷତ୍ରୁଟି ଥିଲା। ସେ ପକ୍ଷପାତିତା କରିଥିଲେ, ହିନ୍ଦୁମାନଙ୍କ ପାଇଁ ତାଙ୍କ ମନରେ ବୈମାତୃକ ମନୋଭାବ ଥିଲା। ହିନ୍ଦୁ ଘରର ମହିଳାମାନେ ‘ରଘୁପତି ରାଘବ ରାଜାରାମ’ ଗୀତ ଗାଇ ସଂଧ୍ୟାରେ ଆଳତି କରୁଥିଲା ବେଳେ ସେଥିରେ ଈଶ୍ବର, ଆଲ୍ଲା ତେରା ନାମ ଯୋଡ଼ି ଗୀତର ପବିତ୍ରତାକୁ ନଷ୍ଟ କରିଥିଲେ। ଖାଲି ଏଇ ଗୋଟିଏ ଉଦାହରଣ ନୁହେଁ। ସ୍ବାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପାଇଁ ୧୪ଗୋଟି ପ୍ରାଦେଶିକ ଭୋଟ୍‌ ମଧ୍ୟରୁ ୧୨ଟି ସର୍ଦ୍ଦାର୍‌ ବଲ୍ଲଭଭାଇ ପଟେଲଙ୍କ ସପକ୍ଷରେ ମିଳିଥିଲେ ହେଁ ଗାନ୍ଧୀଜୀ ସେଠାରେ ନିଜ ମନମାନି କରିଥିଲେ। ଲୌହମାନବଙ୍କ ଉପରେ ଚାପ ପକାଇ ନେହରୁଙ୍କୁ ପ୍ରଧାନମନ୍ତ୍ରୀ କରିବାକୁ ଜିଦ୍‌ ଧରିଥିଲେ। ଏହା ଠିକ୍‌ ନଥିଲା। ତେଣୁ ଖାଲିଟାରେ ଲୋକେ ଗାନ୍ଧୀଜୀଙ୍କୁ ଖଳନାୟକ କହୁନାହାନ୍ତି।
ସୁଧାକର ଦାସ, ପ୍ରାଣନାଥ ସ୍ୱୟଂଶାସିତ ମହାବିଦ୍ୟାଳୟ

ବିନା ଯୁଦ୍ଧ, ରକ୍ତପାତରେ ସ୍ବାଧୀନତା ହାସଲ କରିବାରେ ଭାରତ ଏକ ବିରଳ ଦେଶ। ରାଷ୍ଟ୍ରପିତା ମହାତ୍ମା ଗାନ୍ଧୀଙ୍କ ସତ୍ୟ ଓ ଅହିଂସା ଯୋଗୁଁ ହିଁ ଏହି ଚମତ୍କାର ହୋଇପାରିଥିଲା। କିନ୍ତୁ ଆଜିକା ଦିନରେ କିଛି ସାଂପ୍ରଦାୟିକ ଶକ୍ତି ଗାନ୍ଧୀଙ୍କ ବିରୋଧରେ ଅପପ୍ରଚାର କରୁଛନ୍ତି, ତାଙ୍କୁ ଖଳନାୟକ କରିବାକୁ ଚେଷ୍ଟା କରୁଛନ୍ତି। ୟା’ଠାରୁ ଆଉ ନିନ୍ଦନୀୟ ଘଟଣା ଆଉ କ’ଣ ବା ଥାଇପାରେ। ଆଜି ବି ଗାନ୍ଧୀଙ୍କୁ ସାରା ବିଶ୍ବାସ ସମ୍ମାନ କରେ।
ଶ୍ରୀଧର ବଳିୟାରସିଂହ, ବରମୁଣ୍ଡା

ଗାନ୍ଧୀଜୀଙ୍କୁ ଖଳନାୟକ କହୁଥିବା ଲୋକଙ୍କୁ ଦଣ୍ଡ ମିଳିବା ଦରକାର।
ଶେଖ୍ ୟାକୁବ୍‌, ପୁରୀ