ଫୋନ – ଇନ୍‌ – ପ୍ଲିଜ୍‌: ‌ମତଦାନ ହାର କମିବା ପଛରେ ନେତା, ଜନତା ଉଭୟ ଦାୟୀ?

ନୋଟ୍‌ ଦେଇ ଭୋଟ୍‌ କିଣା, ବସ୍ତି ବାସିନ୍ଦାଙ୍କୁ ଆୟୁଧ କରି ନିର୍ବାଚନ ଲଢ଼ିବା, ଜନଜୀବନ ସହ ଜଡ଼ିତ ନଥିବା ବ୍ୟକ୍ତିଙ୍କୁ ପ୍ରାର୍ଥୀ କରାଯିବା, ରାଜନୀତିରେ ଗୁଣ୍ଡା ବଦମାସ୍‌ ଭାଗ ନେବା, ଭୋଟିଂ ପାଇଁ ସାଧାରଣରେ ସଚେତନତା ସୃଷ୍ଟି କରା ନଯିବା ଆଦି ରାଜଧାନୀରେ ମତଦାନ ହାର କମିବା ପଛର ମୁଖ୍ୟ କାରଣ। ସମ୍ବାଦ ଫୋନ୍‌-ଇନ୍‌-ପ୍ଲିଜ୍‌ରେ କିଛି ପାଠକ ଏଭଳି ମତ ରଖିଥିବା ବେଳେ ଆଉ କିଛି ପାଠକ ରାଜଧାନୀର ତଥାକଥିତ ଶିକ୍ଷିତ ବର୍ଗଙ୍କୁ ଦାୟୀ କରିଛନ୍ତି। ଅଳସୁଆମି, ଖାମଖିଆଲି, ଧାଡ଼ିରେ ଠିଆ ହୋଇ ଭୋଟ୍‌ ଦେବାକୁ ସମୟ ଅପଚୟ ବୋଲି ଭାବି ସେମାନେ ଭୋଟ୍‌ ଦିଅନ୍ତି ନାହିଁ ବୋଲି କହିଛନ୍ତି। ଚଳିତଥରର ପ୍ରସଙ୍ଗ ‘ରାଜଧାନୀବାସୀ ଭୋଟ୍ ପ୍ରତି ଏତେ ବୀତସ୍ପୃହ କାହିଁକି?’‌‌ରେ ଆଜି ଏଭଳି ମିଶ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

‌ରାଜଧାନୀରେ ନୋଟ୍‌ ଦେଇ ଭୋଟ୍‌ କିଣାଯାଉଛି। ଭୋଟ୍‌ ପୂର୍ବରୁ ବସ୍ତିବାସିନ୍ଦାଙ୍କୁ ନେତା ବିଭିନ୍ନ ପ୍ରତିଶ୍ରୁତି ନ ହେଲେ ଧମକଚମକ ଦେଇ ଭୋଟ୍‌ ହାତଉଛନ୍ତି। ଖାଲି ସେତିକି ନୁହେଁ, ଖୁଲମ୍‌ଖୁଲା ଟଙ୍କାବଣ୍ଟା ବି ଚାଲେ। ଅଞ୍ଚଳ ଭିତ୍ତିରେ ୱାର୍ଡଗୁଡ଼ିକୁ ଏମିତି ଭାଗ କରାଯାଇଛି ଯେ ସେଥିରେ ନିଶ୍ଚିତ ଭାବେ ଗୋଟିଏ, ଦୁଇଟି ବସ୍ତି ନିଶ୍ଚିତ ଥିବ। ଆଉ ଗୁରୁତ୍ବପୂର୍ଣ୍ଣ କଥା ହେଲା, ବସ୍ତିବାସିନ୍ଦାଙ୍କ ଭୋଟ୍‌ ହିଁ ନିର୍ବାଚନରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଥାଏ। ତେଣୁ ନିର୍ବାଚନ ପୂର୍ବରୁ କିଏ ହାରିବ, କିଏ ଜିତିବ; ତାହା ଏକପ୍ରକାର ବାରି ହୋଇପଡ଼ିଥାଏ। ତେଣୁ ଭଦ୍ରବ୍ୟକ୍ତିମାନେ ଭୋଟ୍‌ ପାଇଁ ଧାଡ଼ିରେ ଠିଆ ହୋଇ ଅଯଥାରେ ସମୟ ଅପଚୟ କରିବାକୁ ଉଚିତ ମଣନ୍ତି ନାହିଁ। ଏହାବ୍ୟତୀତ ବୁଥ୍‌ଗୁଡ଼ିକରେ ହିଂସାକାଣ୍ଡର ବି ଭୟ ଥାଏ।
-ଶ୍ରୀବାସ ମହାନ୍ତି, ରତ୍ନାକରବାଗ

ରାଜଧାନୀବାସୀଙ୍କୁ ଭୋଟ୍‌ ଦେବାକୁ ଲାଜ ଲାଗେ। ଅହଂ ଭାବ ଫଳରେ ସେମାନେ ଭୋଟ୍‌କୁ ଗୁରୁତ୍ଵ ଦିଅନ୍ତି ନାହିଁ। ନିଜ ରାଜ୍ୟ, ଦେଶ କଥା ଚିନ୍ତା କରିବାକୁ ସେ ଚାହାନ୍ତି ନାହିଁ।
-ନୀଳମଣି ମିଶ୍ର, ସୁନ୍ଦରପଦା, ଛାୟାକାନ୍ତ ମିଶ୍ର

‌ବାପାର ଗୋଟିଏ ବୁଥ୍‌, ମା’ର ଆଉ ଗୋଟେ ଓ ପୁଅର ୨ କିଲୋମିଟର ଦୂରରେ। ଭୋଟ୍‌ ଦାନ ପାଇଁ ଯଦି ପ୍ରଶାସନିକସ୍ତରରେ ଯଦି ଏମିତି ବ୍ୟବସ୍ଥା କରାଯାଏ, କିଏ ଭଲା ଭୋଟ୍‌ ଦେବାକୁ ଯିବ? ବହୁ ସଂଖ୍ୟାରେ ଲୋକ ଭୋଟ୍‌ ନ ଦେବାର ଏହା ଅନ୍ୟତମ କାରଣ। ତେଣୁ ଗୋଟିଏ ପରିବାରର ଲୋକଙ୍କ ଗୋଟିଏ ବୁଥ୍‌ରେ ଭୋଟଦାନର ବ୍ୟବସ୍ଥା କରାଯିବା ଆବଶ୍ୟକ।
-କମଳାକାନ୍ତ ସେନାପତି, ନାଗେଶ୍ଵର ଟାଙ୍ଗି

‌ନିର୍ବାଚନ ପୂର୍ବରୁ ନେତାମାନେ ଯେମିତି ମାମୁଁ ପୁଅ ଭଳି ଘରକୁ ଘର ବୁଲି ପ୍ରତିଶ୍ରୁତି ଅଜାଡ଼ି ଦିଅନ୍ତି, ନିର୍ବାଚନ ସରିଗଲେ ଆଉ ତାଙ୍କର ଦେଖା ମିଳେନି। ସବୁ ପ୍ରତିଶ୍ରୁତି ବି ଧୂଆଁବାଣ ହୋଇଯାଏ। ଅତୀତରେ ଏମିତି ବାରମ୍ବାର ପ୍ରତାରିତ ହେବାର ରେକର୍ଡ ଥିବା ଯୋଗୁଁ ରାଜଧାନୀବାସୀ ଭୋଟ୍‌ଦାନରୁ ନିବୃତ୍ତ ରହିବାକୁ ଶ୍ରେୟ ମଣନ୍ତି।
-ବୀରେନ୍ଦ୍ର ଭୂଷଣ ହୋତା, ପୁରୀ

‌ରାଜଧାନୀର ତଥାକଥିତ ଭଦ୍ର, ପାଠୁଆ ବ୍ୟକ୍ତିମାନେ ଜାଣିଛନ୍ତି ଯେ ଯିଏ ବି ନିର୍ବାଚନ ଜିତିଲେ, ତାଙ୍କ ସମସ୍ୟା ସମାଧାନ ହେବ ନାହିଁ। ଏଇଟା ଗାଁ ନୁହେଁ ଯେ ପ୍ରତିଶ୍ରୁତି ଦେଇ ଠକିଦେବ, ଆଉ ଲୋକ ତାକୁ ଭୁଲିଯିବେ। ଅତୀତରେ ରାଜଧାନୀବାସୀ ଏମିତି ବାରମ୍ବାର ପ୍ରତାରିତ ହୋଇଥିବାରୁ ଏବେ ତା’ର ପ୍ରତିଫଳନ ଦେଖିବାକୁ ମିଳୁଛି। ଭୋଟ୍‌ ଦେବା ପାଇଁ ସେମାନ‌େ ଆସୁନାହାନ୍ତି।
-ଆହ୍ବାନ କୁମାର ପାଇକରାୟ, ୟୁନିଟ୍‌-୩

‌ଅଳସୁଆମି ଓ ଖାମଖିଆଲି ବ୍ୟତୀତ ଭୋଟ୍‌ ଦେବାର ଆଉ କିଛି କାରଣ ନାହିଁ। ଭୋଟ୍‌ ଦେଉନଥିବା ବ୍ୟକ୍ତି, ପରିବାର କିମ୍ବା ସୋସାଇଟିକୁ ଯଦି ମୌଳିକ ସୁବିଧାରୁ ବଞ୍ଚିତ କରାଯାଆନ୍ତା, ତେବେ ଭୋଟ୍‌ ହାର ଏମିତି ଦୟନୀୟ ହୁଅନ୍ତା ନାହିଁ। ଭୋଟ୍‌ ଦିଅନ୍ତୁ ବା ନ ଦିଅନ୍ତୁ, ହାତପାହାନ୍ତାରେ ସବୁ ସୁବିଧା ମିଳି ଯାଉଥିବାରୁ ସେମାନେ ଭୋଟ୍‌ଦାନ କରିବା ଏକ ବିକଳ୍ପ ବୋଲି ଭାବୁଛନ୍ତି।
-କିଶୋର ସ୍ବାଇଁ, ଭିଏସ୍‌ଏସ୍‌ନଗର

ତ୍ରୁଟିପୂର୍ଣ୍ଣ ଭୋଟର୍‌ ତାଲିକା ପାଇଁ ଏ ଅବସ୍ଥା ସୃଷ୍ଟି ହୋଇଛି। ଗୋଟିଏ ନିର୍ଦ୍ଦିଷ୍ଟ ରାଜନୈତିକ ଦଳ ଏତେବର୍ଷ ଧରି ଶାସନ କ୍ଷମତାରେ ରହିବା ପରେ ମଧ୍ୟ ରାଜଧାନୀ ଭଳି ଜାଗାରେ ମୌଳିକ ସମସ୍ୟାଗୁଡ଼ିକର ସମାଧାନ ହୋଇପାରୁ ନଥିବାରୁ, ଲୋକେ ନେତାଙ୍କୁ ବିଶ୍ବାସ କରୁନାହାନ୍ତି। ତେଣୁ ଭୋଟ୍‌ଦାନ କମ୍‌ ହେବା ପଛରେ ନେତାମାନେ ବି ସମପରିମାଣରେ ଦାୟୀ।
ଏଠି ପାଠୁଆଙ୍କ ସଂଖ୍ୟା ବେଶି। ତେଣୁ ତାଙ୍କୁ ୫ଶହ, ହଜାରେ ଟଙ୍କା ଧରାଇ କିମ୍ବା ଭୋଜିଭାତ କରି ବୁଥ୍‌କୁ ଆଣିବା ସମ୍ଭବପର ନୁହେଁ।
-ରମେଶ ଚନ୍ଦ୍ର ମହାପାତ୍ର, ଡୁମୁଡୁମା

‌ଭୁବନେଶ୍ବର ବାସିନ୍ଦା ବୀତସ୍ପୃହ ନୁହନ୍ତି। ଭୋଟ ଦାନ ହାର ବି କମି ନାହିଁ। ରାଜଧାନୀ‌ରେ ଲୋକସଂଖ୍ୟା ଅନୁସାରେ, ସେତିକି ଭୋଟର୍‌ ନାହାନ୍ତି। ବହୁତ ଲୋକ ରାଜଧାନୀରେ ରହୁଛନ୍ତି, ହେଲେ ସେମାନଙ୍କ ବୁଥ୍‌ ଗାଁରେ ଅଛି।
-ପ୍ରଭାକର ଆଚାର୍ଯ୍ୟ, ଶାସ୍ତ୍ରୀନଗର

‌ଗାଁ ପରି ସହରରେ ଭାଇଚାରା ନାହିଁ, ଆଉ ଭୁବନେଶ୍ବରରେ ତ ଏହାର ଘୋର୍‌ ଅଭାବ। ରାଜଧାନୀବାସୀ ବିଳାସପୂର୍ଣ୍ଣ ଜୀବନ ଜିଇଁବାରେ ବିଶ୍ବାସ କରନ୍ତି। ତେଣୁ ସେମାନେ ରାଜନୀତି ପଙ୍କରେ ଅଯଥାରେ ଗୋଡ଼ ପୂରେଇବାକୁ ଚାହାନ୍ତି ନାହିଁ।
-ଶେଖ୍ ୟାକୁବ, ଗୋପ ପୁରୀ
-ସୁରଞ୍ଜନ୍ ରାଉତ, ଯାଜପୁର

‌ଆଶ୍ଚର୍ଯ୍ୟର କଥା ହେଲା, ରାଜ୍ୟର ରାଜଧାନୀ ଭୁବନେଶ୍ବରରେ କେଉଁ ଦଳ ଜିତିବ, ତାହା ବସିବସିନ୍ଦାଙ୍କ ଭୋଟ୍‌ ଉପରେ ନିର୍ଭର କରେ। ଦୀର୍ଘ ଦିନ ଧରି ପରିଶ୍ରମ କରି ନେତାମାନେ ଏମିତି ଏକ ବ୍ୟବସ୍ଥା ବିକଶିତ କରି ସାରିଛନ୍ତି। ତେଣୁ ଅନ୍ୟ ଭୋଟର୍‌ ଭୋଟ୍‌ ଦିଅନ୍ତୁ କି ନ ଦିଅନ୍ତୁ, ସେମାନଙ୍କୁ କିଛି ଫରକ୍‌ ପଡ଼େନା। ତେଣୁ ନିର୍ବାଚନ ସମୟରେ ବସ୍ତିରେ ପ୍ରଚାର ଜମ‌େ। ୫ବର୍ଷ ଯାକ ବସ୍ତି ମାଟି ମାଡ଼ି ନଥିବା ନେତା ବି ସେଇଠି ଦେଖାଦିଅନ୍ତି। ଟଙ୍କା ବଣ୍ଟାଠାରୁ ଆରମ୍ଭ କରି ଭୋଜିଭାତ, ମଦର ଆସର‌ରେ ବସ୍ତି ଭାସିଥାଏ। ରାଜନୈତିକ ଦଳଗୁଡ଼ିକର ଏଇ ଚକ୍ରାନ୍ତ ପାଇଁ ବି ରାଜଧାନୀର ଶିକ୍ଷିତ ଭୋଟର୍‌ ଭୋଟ୍‌ ଦେବାକୁ ଯାଆନ୍ତି ନାହିଁ। କାରଣ ମଦ, ଟଙ୍କା ବଣ୍ଟା ଆଗରେ ସେମାନଙ୍କ ମତ କିଛି ମାନେ ରଖେନା।
-ଅଜୟ କୁମାର ମିଶ୍ର, ୟୁନିଟ୍‌-୭

ଭୋଟର୍‌ ନିଜ ନାମକୁ ଭୋଟର୍‌ ତାଲିକାରେ ପଞ୍ଜୀକରଣ କରିବାକୁ ଅକ୍ଷମ ହେଉଛନ୍ତି। ଫଳରେ ଲୋକେ ଭୋଟ୍‌ ଦେଇ ପାରୁନାହାନ୍ତି। ୨୨ବର୍ଷ ବିତିଗଲାଣି, କିନ୍ତୁ ମୋର ୬ନମ୍ବର ୱାର୍ଡରେ ଭୋଟର୍‌ ତାଲିକାରେ ମୋ ପରିବାରର ନାଁ ଆସିପାରିଲା ନାହିଁ।
-ସୂର୍ଯ୍ୟ ମହାନ୍ତି, ସ୍ବର୍ଣ୍ଣପୁରୀ କଲୋନି

‌ଭୋଟ୍‌ଦାନ ବେଳେ ଛୁଟି ନେବାର ସରକାରୀ ପ୍ରାବଧାନ ଥିବାରୁ ଭୁବନେଶ୍ଵରରେ ରହୁଥିବା ସବୁ ଚାକିରିଆ ଗାଆଁକୁ ପଳାନ୍ତି। ଆଉ ଯୋଉମାନେ ରହିଯାଆନ୍ତି, ଅଳସୁଆପଣ ଯୋଗୁଁ ସେମାନେ ଭୋଟ୍‌ ଦେବାକୁ ଯାଆନ୍ତି ନାହିଁ। ଏଇଥିପାଇଁ ରାଜଧାନୀରେ ଭୋଟ୍‌ ହାର ବଢ଼େନି।
-କୈଳାସ ଚନ୍ଦ୍ର ପୃଷ୍ଟି, ଖୋର୍ଦ୍ଧା

‌କେଉଁଠି ମଧ୍ୟ ଶତପ୍ରତିଶତ ଭୋଟ୍‌ ହୋଇନାହିଁ। ଦୁଇ ଦୁଇଟି ଜାଗାରେ ଭୋଟର୍‌ ତାଲିକାରେ ନାମ ଥିବାରୁ ଲୋକେ ଭୋଟ୍‌ ଦେଇ ପାରନ୍ତି ନାହିଁ।
-ସୁରେନ୍ଦ୍ର କୁମାର ନାୟକ, ନିଆଳି, କଟକ

‌ଭୋଟ୍‌ ଦେଉନଥିବା ଲୋକମାନେ ଜଣେ ଜଣେ ରାଷ୍ଟ୍ରଦୋହୀ। କାରଣ ସେମାନଙ୍କ ଗଣତନ୍ତ୍ର ଉପରେ ବିଶ୍ବାସ ନାହିଁ। ଆଶ୍ଚର୍ଯ୍ୟର ବିଷୟ ହେଲା, ଅଧିକାଂଶ ଶିକ୍ଷିତ ଓ ଭଦ୍ରବ୍ୟକ୍ତିମାନେ ହିଁ ଭୋଟ୍‌ ଦେବାକୁ ପସନ୍ଦ କରନ୍ତି ନାହିଁ।
-ସୁଧାକର ଦାସ, ପ୍ରାଣନାଥ ସ୍ୱୟଂଶାସିତ ମହାବିଦ୍ୟାଳୟ

କଳୁଷିତ ରାଜନୀତି ପାଇଁ ଲୋକେ ଭୋଟ୍‌ଦାନ ପାଇଁ ବୀତସ୍ପୃହ ହେଉଛନ୍ତି। ଖାଲି ନିର୍ବାଚନ ବେଳେ, ନେତମାନେ ବେକରେ ଫୁଲମାଳ ପକାଇ ଘରକୁ ଘର ବୁଲି ପ୍ରତିଶ୍ରୁତି ଅଜାଡ଼ି ଦିଅନ୍ତି। ତା’ପରଠାରୁ ଆଉ ତାଙ୍କ ଦେଖା ମିଳେନି। ନିର୍ବାଚନ ବେଳେ ଯାହା ବି ପ୍ରତିଶ୍ରୁତି ଦେଇଥା’ନ୍ତି, ତାହା ବି ସେମାନେ କେବେ ପୂରଣ କରିନଥା’ନ୍ତି। ରାଜନେତାଙ୍କ ଉପରେ ଲୋକଙ୍କ ଆଉ ବିଶ୍ବାସ ନାହିଁ। ତେଣୁ ଖାଲି ରାଜଧାନୀ ନୁହେଁ, ରାଜ୍ୟର ଅନ୍ୟସ୍ଥାନରେ ଭୋଟ୍‌ ହାର କମିବା ପଛରେ ଏହା ଏକ ମୁଖ୍ୟ କାରଣ ବୋଲି ମୁଁ ଭାବୁଛି।
-ଅଶୋକ କୁମାର ଆଢ଼୍ୟ, ମରୀଚିକୋଟ ଗଳି, ପୁରୀ

‌ରାଜଧାନୀ‌ରେ ରହୁଥିବା ଅଧିକାଂଶ ଲୋକ ଏଠାକାର ମୂଳ ବାସିନ୍ଦା ନୁହଁନ୍ତି। ସରକାରୀ ଓ ବେସରକାରୀ ଚାକିରି ପାଇଁ ଏଠାକୁ ଆସନ୍ତି। ଅବସର ନେବା ପାଇଁ ଏଇଠି ଘରଦ୍ବାର କରି ରହିଯାଆନ୍ତି। ରାଜଧାନୀରେ ରହୁଥିବାରୁ ସବୁ ମୌଳିକ ସୁବିଧା ତାଙ୍କୁ ହାତପାହାନ୍ତାରେ ମିଳିଯାଏ। ନିର୍ବାଚନରେ କୋଉ ଦଳ ଜିତିଲେ କି ହାରିଲେ, ସେମାନଙ୍କ କିଛି ଯାଏ ଆସେ ନାହିଁ। ତେଣୁ ସେମାନେ ଭୋଟ୍‌ ଦେବାକୁ ଅଯଥା ସମୟ ଅପଚୟ ବୋଲି ମନେ କରନ୍ତି।
-ଦିନାନାଥ ଦାସ, ଲକ୍ଷ୍ମୀସାଗର

‌ଚଳିତବର୍ଷ ବହୁ ଭୋଟର୍‌ଙ୍କର ନିଜର ବୁଥ୍‌ ପରିବର୍ତ୍ତନ ହୋଇଯାଇଛି। ବହୁ ବରିଷ୍ଠ ନାଗରିକ ବି ଭୋଟ୍‌ ଦେବାକୁ ଇଚ୍ଛା ପ୍ରକାଶ କରିନାହାନ୍ତି। ଏଥିପାଇଁ ଭୋଟ୍‌ଦାନ ହାର କମିଛି।
-ଗୋଲକ ଚନ୍ଦ୍ର ସାହୁ, ବରମୁଣ୍ଡା

‌ଭୋଟର୍‌ ଲିଷ୍ଟରେ ନାମ ନଥିବା, ଦୂରରେ ବୁଥ୍‌ ପଡ଼ିବା ଆଦି ବିଭିନ୍ନ କାରଣ ଯୋଗୁଁ ଲୋକ ଭୋଟ୍‌ ଦେଇନାହାନ୍ତି।
-ଜଲିଲ ଖାଁ

‌ବୁଦ୍ଧିଜୀବୀ ବୀତସ୍ପୃହ ହୋଇଛନ୍ତି। ତେଣୁ ଭୋଟ୍‌ ଦେବାକୁ ଯାଇ ନାହାନ୍ତି।
-ସୁରେଶ ଚନ୍ଦ୍ର ତ୍ରିପାଠୀ, ପଟିଆ,
-ଶେଷଦେବ ସାହୁ, ପଟିଆ

ଯେଉଁଭଳି ଭାବେ ନୋଟ୍‌ ଦେଇ ଭୋଟ୍‌ କିଣାଯାଉଛି, ଏହା ଦେଖି ଗଣତନ୍ତ୍ର ଉପରୁ ରାଜଧାନୀବାସୀଙ୍କ ଭରସା ଉଠି ଯାଇଛି। ତେଣୁ ସେମାନେ ଭୋଟ୍‌ ଦେବାକୁ ଜରୁରୀ ବୋଲି ଭାବୁନାହାନ୍ତି। ଏଥିପାଇଁ ଅସାଧୁ ନେତାମାନେ ହିଁ ଦାୟୀ।
-ଯୋଗାନନ୍ଦ ସାହୁ, ପ୍ରତାପପୁର

‌ରାଜଧାନୀବାସୀ ଆଦୌ ବୀତସ୍ପୃହ ନୁହନ୍ତି। ସେମାନଙ୍କ କର୍ମଜଞ୍ଜାଳ ଯୋଗୁଁ ମତଦାନରେ ସାମିଲ୍‌ ହୋଇପାରୁନାହାନ୍ତି। ଆଉ କିଛି ଭୋଟର୍‌ ରାଜ୍ୟ ତଥା ଦେଶ ବାହାରେ ରହୁଛନ୍ତି। ମତଦାନ ହାର କମିବାର ଏସବୁ ପ୍ରମୁଖ କାରଣ।
-ଭାଗୀରଥି ଦାଶ, ସତ୍ୟବିହାର

‌ସ୍ମାର୍ଟସିଟିର ଶିକ୍ଷିତ ନାଗରିକ ଏବଂ ବିଭିନ୍ନ ଆବାସିକ ଅଞ୍ଚଳରେ ରହୁଥିବା ଲୋକମାନେ ବସ୍ତିବାସିନ୍ଦାଙ୍କ ଭଳି ସମସ୍ତ ସରକାରୀ ସୁବିଧା ସୁଯୋଗ ପାଉନାହାନ୍ତି। ତେଣୁ ସେମାନେ ଭୋଟ ଦେବା ପାଇଁ ଇଚ୍ଛା ପ୍ରକାଶ କରୁନାହାନ୍ତି।
-ରମେଶ ଚନ୍ଦ୍ର ନାୟକ, ବକ୍ସିବଜାର, କଟକ

‌ବର୍ତ୍ତମାନ ଆମ ରାଜ୍ୟରେ ଗଣତନ୍ତ୍ର ନାଁରେ ରାଜତନ୍ତ୍ରର ଶାସନ ଚାଲିଛି। ଏଥିରେ ‌ଭୋଟ୍‌ ଦେବାର କୌଣସି ଆବଶ୍ୟକତା ନାହିଁ। ଏଥିରେ ରାଜା ସ୍ବତଃ ନିର୍ବାଚିତ ହୋଇଯାଉଛନ୍ତି। ଯେବେ ଏହା ଗଣତନ୍ତ୍ରର ରୂପ ନେବ, ସେତେବେଳେ ଲୋକମାନେ ଭୋଟ୍‌ ଦେବେ।
-ବ୍ରଜରାଜ ରଥ, ଡେଲ୍‌ଟା ଛକ

ଚଳିତ ପୌର ନିର୍ବାଚନରେ ଅଧା ରାଜଧାନୀ ଭୋଟ୍‌ ନଦେବାର କାରଣ ହେଉଛି, ପ୍ରାର୍ଥୀମାନେ ଶିକ୍ଷିତ ଭୋଟର୍‌ଙ୍କ ନିକଟରେ ପହଞ୍ଚିଲେ ନାହିଁ। ସେମାନଙ୍କୁ ଚିରିକୁଟ୍‌ ମଧ୍ୟ ଦେଲେନି। ଏଥିସହ ଭୋଟ୍‌ ବୁଥ୍ ମଧ୍ୟ ଅନେକ ଦୂରରେ ପଡ଼ିଲା। ଏସବୁ କାରଣ ପାଇଁ ଲୋକମ‌ାନେ ଭୋଟ୍‌ ଦେବା ପାଇଁ ଅନିଚ୍ଛା ପ୍ରକାଶ କଲେ।
-ଭୁବନାନନ୍ଦ ମହାନ୍ତି, ପୁରୁଣା ଭୁବନେଶ୍ବର
-ନିହାର ରଞ୍ଜନ ପରିଡ଼ା, ଖୋର୍ଦ୍ଧା

ରାଜଧାନୀବାସୀ ଭୋଟ୍‌ ଦେବା ପ୍ରତି ବୀତସ୍ପୃହ ହେବାର କାରଣ ହେଲା, ଏକ ଅମୂଳକ ଏବଂ ବ୍ୟାଧିଗ୍ରସ୍ତ ମାନସିକତା। ଏମାନେ ଶିକ୍ଷିତ ହୋଇଥିଲେ ମଧ୍ୟ ଗଣତନ୍ତ୍ର ପ୍ରତି ଏମାନଙ୍କର ସମ୍ମାନ ନାହିଁ।
-ଉଲ୍ଲାସ ବେହେରା, ମୈତ୍ରୀ ବିହାର

ରାଜଧାନୀବାସୀ ନିଜକୁ ମାତ୍ରାଧିକ ଜ୍ଞାନୀ ବୋଲି ବିବେଚନା କରନ୍ତି। ନେତାମାନଙ୍କ ବିଭିନ୍ନ ଦୋଷଦୁର୍ବଳତା ବାହାର କରନ୍ତି। ସେମାନେ ଉପଯୁକ୍ତ ପ୍ରାର୍ଥୀ ନୁହେଁ ବୋଲି ଯୁକ୍ତି ବାଢ଼ନ୍ତି। ଆଉ ଏସବୁ ଦିଗକୁ ଆଳ କରି ମତ ଦେବା ପାଇଁ ଯାଆନ୍ତି ନାହିଁ। ନିର୍ବାଚନକୁ ଏକ ସରକାରୀ ଛୁଟି ବୋଲି ଭାବି ଅୟସ୍‌ କରନ୍ତି।
-ଲୋକନାଥ ପୁହାଣ, ଭୁବନେଶ୍ବର
-ଚକ୍ରଧର ନାୟକ, କୋଣାର୍କ

‌ଅଧା ରାଜଧାନୀ ନିଜକୁ ଗଣତନ୍ତ୍ର ପ୍ରକ୍ରିୟାରେ ସାମିଲ୍‌ କରିବାକୁ ଚାହୁନାହାନ୍ତି। ଏହା ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ।
-ଦେବାଶିଷ ସାହୁ, ଭୁବନେଶ୍ବର

‌ରାଜଧାନୀରେ ମତଦାନ ହାର କମିବାର ପ୍ରମୁଖ କାରଣ ହେଉଛି, ଭୋଟର ତାଲିକାରେ ବହୁତ ମୃତ ବ୍ୟକ୍ତିଙ୍କ ନାଁ ରହିଛି। ଅନେକ ଲୋକଙ୍କର ଦୁଇଟି ସ୍ଥାନରେ ଭୋଟର ତାଲିକା ରହିଥିବା ‌ବେଳେ କିଛି ଲୋକ ବାହାର ଦେଶରେ ରହୁଛନ୍ତି। ଫଳରେ‌ ‌ଭୋଟ୍‌ ହାର କମ ହେଉଛି।
-ସୁଶାନ୍ତ ଶେଖର ମହାନ୍ତି, ଆ‌ଇଆରସି ଭିଲେଜ

‌ବିଭିନ୍ନ ରାଜନୈତିକ ଦଳ ଦେଉଥିବା ପ୍ରାର୍ଥୀମାନଙ୍କୁ ରାଜଧାନୀର ଶିକ୍ଷିତ ଭୋଟର୍‌ ପସନ୍ଦ କରୁନାହାନ୍ତି। ଅନେକ ଜାଗାରେ ଦେଖାଯାଉଛି ଯେ ଲୋକଙ୍କ ଜନଜୀବନ ସହ ସାମିଲ ନଥିବା ଲୋକଙ୍କୁ ପ୍ରାର୍ଥୀ କରିଦିଆଯାଉଛି। ଆଉ କେଉଁଠି ଗୁଣ୍ଡା, ବଦମାସ୍‌ ଲୋକ ବି ପ୍ରାର୍ଥୀ ହୋଇଯାଉଛନ୍ତି। ତେଣୁ ସେମାନେ ଯେ ବିଜୟୀ ହେବା ପରେ ଅଞ୍ଚଳର ବିକାଶ କଥା ଚିନ୍ତା କରିବେ, ତାହା ଶିକ୍ଷିତ ଭୋଟର୍‌ ବିଶ୍ବାସକୁ ନେଇପାରୁନାହାନ୍ତି। ତେଣୁ ସେମାନେ ଭୋଟ୍‌ ଦେବାକୁ ଯାଉନାହାନ୍ତି।
-ସନା‌ତନ ସ୍ବାଇଁ, ଘାଟିକିଆ
-ପ୍ରଦୀପ ମହାନ୍ତି, ଖୋର୍ଦ୍ଧା

ସମ୍ବନ୍ଧିତ ଖବର