ଯୁବତୀଙ୍କ ଫୋନ୍ ଝାମ୍ପିନେଲେ

ଭୁବନେଶ୍ୱର : ରବିବାର ସକାଳୁ ସକାଳୁ ରବି ଟକିଜ୍‌ ଛକରେ ଜଣେ ଯୁବତୀ ଲୁଟ୍‌ର ଶିକାର ହୋଇଛନ୍ତି। ଏକ ବାଇକ୍‌ରେ ଥିବା ତିନି ଜଣ ଦୁର୍ବୃତ୍ତ ଯୁବତୀଙ୍କ ହାତରୁ ମୋବାଇଲ୍‌ ଫୋନ୍ ଝାମ୍ପି ନେଇ ଫେରାର୍ ହୋଇଯାଇଛନ୍ତି। ଏନେଇ ଯୁବତୀ ଜଣକ ବଡ଼ଗଡ଼ ଥାନାରେ ଅଭିଯୋଗ କରିଛନ୍ତି ଓ ପୁଲିସ ସ୍ଥାନୀୟ ଅଞ୍ଚଳର ସିସିଟିଭି ଫୁଟେଜ୍‌ ସଂଗ୍ରହ କରି ତଦନ୍ତ ଜାରି ରଖିଛି। ସୂଚନାନୁସାରେ ମଲ୍‌ରେ କାମ କରୁଥିବା ଏହି ଯୁବତୀ ଜଣକ ଡ୍ୟୁଟି କରିବା ପାଇଁ ଯାଉଥିଲେ। ଏତିକିବେଳେ ତାଙ୍କ ମା’ ଫୋନ୍ କରିବାରୁ ସେ ‌କଥା ହୋଇ ହୋଇ ଚାଲିଥିଲେ। ଏତିକିବେଳେ ପଛରୁ ଦୁର୍ବୃତ୍ତମାନେ ଆସି ତାଙ୍କ ଫୋନ୍‌ ଝାମ୍ପି ନେଇଥିଲେ।

ଛଡ଼ାଇନେଲେ ନାବାଳକଙ୍କ ମୋବାଇଲ୍‌ ଫୋନ୍‌, ଜଣେ ଅଟକ
ଭୁବନେଶ୍ବର : ଚତୁରତାର ସହ ଜଣେ ନାବାଳକଠାରୁ ମୋବାଇଲ୍ ଫୋନ୍‌ ଛଡ଼ାଇ ନେଇଥିବା ଦୁଇ ଜଣଙ୍କ ମଧ୍ୟରୁ ଜଣକୁ ସ୍ଥାନୀୟ ଲୋକେ କାବୁ କରି ଖଣ୍ଡଗିରି ଥାନା ପୁଲିସ ଜିମା ଦେଇଛନ୍ତି। ତେବେ ଫେରାର୍ ହୋଇ ଯାଇଥିବା ଦୁର୍ବୃତ୍ତ ପାଖରେ ମୋବାଇଲ୍‌ ଫୋନ୍‌ଟି ଥିବାରୁ ପୁଲିସ ତାହା ଉଦ୍ଧାର କରିପାରିନାହିଁ। ଅଟକ ଦୁର୍ବୃତ୍ତଠାରୁ ସୂଚନା ପାଇ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି। ଗତକାଲି ୟୁନିଟ୍-୮ ସରକାରୀ ଉଚ୍ଚ ବିଦ୍ୟାଳୟ ପଡ଼ିଆରେ ନାବାଳକ ଜଣକ ବୁଲୁଥିଲେ। ଏହି ସମୟରେ ଦୁର୍ବୃତ୍ତଦ୍ବୟ ତା’ ପାଖକୁ ଆସି ଏକ ଫୋନ୍‌ କଲ୍‌ କରିବାକୁ କହିଥିଲେ। ମାତ୍ର ନମ୍ବର ନ ଲାଗିବାରୁ ଜଣେ ଦୁର୍ବୃତ୍ତ ନିଜେ ଚେଷ୍ଟା କରିବାକୁ କହି ନାବାଳକ ହାତରୁ ମୋବାଇଲ୍‌ ଫୋନ୍‌ ଛଡ଼ାଇ ନେଇଥିଲା ଓ ସଙ୍ଗେ ସଙ୍ଗେ ସେମାନେ ବାଇକ୍‌ରେ ପଳାଇଥିଲେ। ନାବାଳକ ସେମାନଙ୍କୁ ସାଇକେଲ୍‌ରେ ପିଛା କରିଥିଲା, କିନ୍ତୁ ପାଇନଥିଲା। ସେ ସ୍ଥାନୀୟ କିଛି ଯୁବକଙ୍କୁ ଏହା କହିବା ପରେ ଯୁବକମାନେ ଦୁର୍ବୃତ୍ତଦ୍ବୟଙ୍କୁ ଖୋଜିଥିଲେ। ଜଣଙ୍କ ନାଲି ଚୁଟି ଥିବାରୁ ସେମାନେ ସହଜରେ ତାକୁ ଠାବ କରି ପୁଲିସ ଜିମା ଦେଇଥିଲେ।

ଟେଣ୍ଟ୍‌ ହାଉସ୍‌ରୁ ଚୋରି, ଜଣେ ଗିରଫ
ଭୁବନେଶ୍ବର : ନିକୋ ପାର୍କ ପାଖରେ ଥିବା ଏକ ଟେଣ୍ଟ୍‌ ହାଉସ୍‌ରୁ କାଟାରିଂ ଉପକରଣ ଚୋରି କରିଥିବା ଅଭିଯୋଗରେ ସହିଦନଗର ଥାନା ପୁଲିସ ଜଣେ ଯୁବକକୁ ଗିରଫ କରିଛି। ଅଭିଯୁକ୍ତ ହେଲା ୟୁନିଟ୍-୩ ଅଞ୍ଚଳର ମୁଜାଫିର୍ ମଲ୍ଲିକ(୩୨)। ଟେଣ୍ଟ୍‌ ହାଉସ୍‌ ମାଲିକ ଦିଲ୍ଲୀପ ସାହୁଙ୍କ ଅଭିଯୋଗକ୍ରମେ ପୁଲିସ ତଦନ୍ତ କରି ମୁଜାଫିର୍‌କୁ ଗିରଫ କରିବା ସହ ତା’ ନିକଟରୁ ଚୋରି ସାମଗ୍ରୀ ଜବତ କରିଛି।

ସମ୍ବନ୍ଧିତ ଖବର