ଭୁବନେଶ୍ବର : ଦୀର୍ଘ ଦିନ ଧରି ରାଜଧାନୀରେ ଲୁଟ୍ପାଟ୍ କରି ଆତଙ୍କ ଖେଳାଇଥିବା ଜଣେ ଲୁଟେରାକୁ ଗିରଫ କରିଛି ଖାରବେଳ ନଗର ଥାନା ପୁଲିସ। ସେ ହେଉଛି ଯଦୁପୁରର ସେକ୍ ସାବିଦ୍ ଓରଫ୍ ଗୋଲ୍ଡେନ୍। ତା’ଠାରୁ ଲୁଟ୍ ମୋବାଇଲ ସହ ଏକ ବାଇକ୍ ଜବତ କରାଯାଇଛି। ତା’ ନାମରେ କ୍ୟାପିଟାଲ, ଖଣ୍ଡଗିରି, ନୂଆପଲ୍ଲୀ ଥାନାରେ ବହୁ ମାମଲା ରହିଛି ଓ ଏଥିପାଇଁ ସେ ୬ ଥର ଜେଲ୍ ଯାଇଛି।
ସୂଚନାନୁସାରେ ଗତ ଜାନୁଆରି ୧୧ ତାରିଖ ଦିନ କୋରା ସେଠୀ ତାଙ୍କ ୟୁନିଟ୍-୩ ସ୍ଥିତ ସରକାରୀ ବାସଭବନ ସାମ୍ନାରେ ଫୋନ୍ରେ କଥା ହେଉଥିଲେ। ଏତିକିବେଳେ ଗୋଲ୍ଡେନ୍ ଏକ ବାଇକ୍ରେ ଆସି ତାଙ୍କ ଠାରୁ ମୋବାଇଲ ଝାମ୍ପି ନେଇ ପଳାଇଥିଲା। ଅଭିଯୋଗ ପରେ ଖାରବେଳନଗର ଥାନା ପୁଲିସ ତଦନ୍ତ କରି ଏହା ଗୋଲ୍ଡେନ୍ କାଣ୍ଡ ବୋଲି ଜାଣିପାରିଥିଲା। ଗତରାତିରେ ଖାରବେଳ ନଗର ଥାନା ପୁଲିସ ଯଦୁପୁରରେ ଚଢ଼ଉ କରି ତାକୁ ଗିରଫ କରିଛି।