ଆଜାଦି କା ଅମୃତ ମହୋତ୍ସବ ଉପଲକ୍ଷେ ଫଟୋ ପ୍ରଦର୍ଶନୀ

ପ୍ରଦର୍ଶିତ ହେଉଛି ସ୍ବାଧୀନତା ସଂଗ୍ରାମୀଙ୍କ କଥାବସ୍ତୁ ସମ୍ବଳିତ ଫଟୋଚିତ୍ର

ଭୁବନେଶ୍ୱର: ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଆଜାଦି କା ଅମୃତ ମହୋତ୍ସବର ପ୍ରାକ୍‌ କାର୍ଯ୍ୟକ୍ରମକୁ ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦ୍‌ଘାଟନ କରିଥିଲେ। ଆଜି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର ଦେଶର ବିଭିନ୍ନ ସ୍ଥାନରେ ଆୟୋଜିତ ଫଟୋ ପ୍ରଦର୍ଶନୀକୁ ଭର୍ଚୁଆଲ ମାଧ୍ୟମରେ ଉଦ୍‌ଘାଟନ କରିଛନ୍ତି। ଅମୃତ ମହୋତ୍ସବର ଅଂଶବିଶେଷ ସ୍ୱରୂପ ଭୁବନେଶ୍ୱର ସମେତ ଦେଶର ୭ଟି ସ୍ଥାନରେ ଏହି ଫଟୋ ପ୍ରଦର୍ଶନୀ ଆୟୋଜନ କରାଯାଇଛି। ଏହି କ୍ରମରେ ଆଜି ଭୁବନେଶ୍ବରସ୍ଥିତ ଜୟଦେବ ଭବନରେ କେନ୍ଦ୍ର ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ଆଞ୍ଚଳିକ ଜନସମ୍ପର୍କ କାର୍ଯ୍ୟାଳୟ (ଆର୍‌ଓବି) ଭୁବନେଶ୍ବର, ବ୍ୟୁରୋ ଅଫ୍‌ ଆଉଟ୍‌ରିଚ୍‌ କମ୍ୟୁନିକେସନ୍‌(ବିଓସି) ଓ ଓଡ଼ିଶା ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ମିଳିତ ଆନୁକୂଲ୍ୟରେ ମଧ୍ୟ ଏହି ଫଟୋ ପ୍ରଦର୍ଶନୀ ଆୟୋଜିତ ହୋଇଯାଇଛି।

ଏହି ଅବସରରେ ଶ୍ରୀ ଜାଭଡେକର କହିଥିଲେ, ଆଜାଦି କା ଅମୃତ ମହୋତ୍ସବ ଦେଶର ୭୫ଟି ସ୍ଥାନରେ ଆୟୋଜନ କରାଯାଉଛି। ଆମ ଦେଶକୁ ସ୍ୱାଧୀନତା ଦେଇଥିବା ଜାତିର ପିତା ମହାତ୍ମା ଗାନ୍ଧୀ, ସର୍ଦ୍ଦାର ପଟେଲ, ସୁଭାଷ ଚନ୍ଦ୍ର ବୋଷ, ଆମ୍ବେଦକର, ଖୁଦିରାମ ବୋଷ, ଭଗତ ସିଂହ, ରାଜଗୁରୁ ଓ ସୁଖଦେବ ପ୍ରମୁଖଙ୍କ ସମେତ ଅଗ୍ରଣୀ ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ଉଦ୍ଦେଶ୍ୟରେ ଅମୃତ ମହୋତ୍ସବର ଆୟୋଜନ କରାଯାଉଛି।

ଶ୍ରୀ ଜାଭଡେକର ଆହୁରି କହିଥିଲେ, ଲୋକମାନଙ୍କୁ ସେମାନଙ୍କ ନିଜ ଭାଷାରେ ସ୍ବାଧୀନତାର ଗାଥା ସମ୍ପର୍କରେ ସଚେତନ କରାଇବା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ଆଗାମୀ ଦିନରେ ଆଜାଦି କା ଅମୃତ ମହୋତ୍ସବ ବ୍ୟାପକ ଆକାରରେ ଆୟୋଜନ କରାଯିବ। ଏହି ପ୍ରଦର୍ଶନୀରେ ୧୮୫୭ ମସିହାରୁ ଆରମ୍ଭ କରି ଦେଶର ସ୍ବାଧୀନତା ସଂଗ୍ରାମର ଗାଥା ପ୍ରଦର୍ଶିତ ହେଉଛି। ମହାତ୍ମା ଗାନ୍ଧୀ, ସୁଭାଷ ଚନ୍ଦ୍ର ବୋଷ, ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ସମେତ ରାଜ୍ୟର ସ୍ବାଧୀନତତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏ, ରମାଦେବୀ ପ୍ରମୁଖଙ୍କର ଯୋଗଦାନକୁ ୩୯ଟି ପ୍ୟାନେଲ ମାଧ୍ୟମରେ ଫଟୋ ଓ ସୂଚନା ଦିଆଯାଇ ପ୍ରଦର୍ଶିତ କରାଯାଇଛି। ଏହି ପ୍ରଦର୍ଶନୀ ଆସନ୍ତା ୧୬ ତାରିଖ ଯାଏ ଚାଲିବ। ପ୍ରଦର୍ଶନୀର ଉଦ୍‌ଘାଟନୀ ଉତ୍ସବରେ ଭୁବନେଶ୍ବର ଆର୍‌ଓବି ଭୁବନେଶ୍ବରର ନିର୍ଦ୍ଦେଶକ ଅଖିଳ କୁମାର ମିଶ୍ର, ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗ ଉପନିର୍ଦ୍ଦେଶକ ସୁବୋଧ କୁମାର ଆଚାର୍ଯ୍ୟ, ସଞ୍ଚୟ କୁମାର ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର