ଏକ ଫଟୋ, ଗୋଟେ କାହାଣୀ। ଯେଉଁ କାହାଣୀ ଶବ୍ଦରେ ବୟାନ କରିହୁଏନି, ତାହା ଫଟୋଟିଏ କହିଦିଏ। କେବେ ଏହା ଅତୀତର ମୂକସାକ୍ଷୀ ସାଜେ ତ କେବେ ଭବିଷ୍ୟତକୁ ବାଟ ଦେଖାଏ। ଖାସ୍ ସେଇଥି ପାଇଁ କୁହାଯାଏ, ହଜାରେ ଶବ୍ଦର କଥା କୁହେ ଫଟୋ। ଡିଜିଟାଲ୍ ଦୁନିଆରେ ପାଦ ଦେବା ପରେ ଫଟୋ ଏବେ ଯେମିତି ମାୟା ଲଗାଇଛି। କେବେ ପେସା ଥିବା ଫଟୋଗ୍ରାଫି ଆଜି ନିଶାରେ ପରିଣତ ହୋଇଛି। ବଡ଼ବଡ଼ ପ୍ରଫେସନ୍ରେ ଥିବା ଯୁବପିଢ଼ି ଫଟୋଗ୍ରାଫିକୁ ହବି ଭାବେ ଆଦରି ନେଇଛନ୍ତି। ସେମାନେ ନୁହେଁ, ତାଙ୍କ ଲେନ୍ସ ଏବେ ସାରା ଦୁନିଆର କଥା ବଖାଣୁଛି… ରିପୋର୍ଟ: ସତ୍ୟନାରାୟଣ ରାଉତରାୟ
ହଂସଙ୍କ ପରେଡ୍
ଓ୍ଵାଇଲ୍ଡ ଲାଇଫ୍ ଫଟୋଗ୍ରାଫି ଯେତିକି ଚ୍ୟାଲେଞ୍ଜିଙ୍ଗ୍, ସେତିକି ଧୈଯ୍ୟ ଆବଶ୍ୟକ କରେ। ଶିକ୍ଷାଦାନକୁ ପେସା କରିଥିବା ଜିତେନ୍ଦ୍ର ପତି କୁହନ୍ତି, ପିମ୍ପୁଡ଼ି ହେଉ କି ବାଘ, ଏଣ୍ଡୁଅ ହେଉ କି ଜିରାଫ; ନିଜର ସୃଜନୀ ମନ ସହ ପ୍ରତ୍ୟେକ ଜନ୍ତୁଙ୍କୁ ଏକ ନିର୍ଦିଷ୍ଟ ସମୟରେ ପରିବେଶ ସହ ଲେନ୍ସ ଭିତରକୁ ଆଣିପାରିଲେ, ତାହା ଦେଖେଣାହାରୀଙ୍କୁ ବାରମ୍ବାର ଦେଖିବାକୁ ବାଧ୍ୟ କରେ। ଏକ ବାଘର ଫଟୋ ପାଇଁ ୩-୪ ଘଣ୍ଟା ଲାଗିଯାଇପାରେ। ପୁଣି କୋରଡ଼ରେ ଚାହିଁଥିବା ପକ୍ଷୀଟିଏ ବି ଗୋଟେ ମୁହୂର୍ତରେ ଲେନ୍ସ ଭିତରେ କଏଦ ହୋଇପାରେ। ହଂସ ଚାଲୁଥିଲେ ହେଁ ସେସବୁକୁ ପରେଡ୍ର ଭ୍ରମର ସ୍ୱରୂପ ଦିଆଯାଇପାରେ ବୋଲି ଜିତେନ୍ଦ୍ର କହିଛନ୍ତି।
ଫଟୋରେ ସଂସ୍କୃତି ଗାଥା
ସାଂସ୍କୃତିକ ଉତ୍ସବ ଦେଖି ପିଲାବେଳୁ ବିଭୋର୍ ହେଉଥିଲେ। ଯେବେ ବଡ଼ ହେଲେ, ସଂସ୍କୃତିର ରଙ୍ଗକୁ ସାଇତିବାକୁ ସେ ଫଟୋ ନିଶାରେ ପଡ଼ିଗଲେ। ଦୋଳ ଯାତ୍ରାଠୁ ଫଗୁ ଖେଳ, କାର୍ତିକ ପୂର୍ଣ୍ଣିମା ଡଙ୍ଗା ଭସାଠୁ ନେଇ ବୃଦ୍ଧାଙ୍କ କାର୍ତିକ ବ୍ରତ ସମୟର ହସକାନ୍ଦର ମୁହୂର୍ତ। ପୁଣି ୨୫୦ ବର୍ଷର ରାମଲୀଳା ହେଉ କି ମନ୍ଦିର କାନ୍ଥରେ ଓଡ଼ିଶୀ ଭଙ୍ଗୀ ଦେଖିଲେ ତାଙ୍କ ଲେନ୍ସ କଥା କହୁଥିଲା। ଦି ଓରିଏଣ୍ଟାଲ୍ ଇନ୍ସ୍ୟୁରାନ୍ସ କମ୍ପାନି ଲିମିଟେଡ୍ରେ ସହ ପ୍ରବନ୍ଧକ ଭାବେ କାର୍ଯ୍ୟରତ ତାପସ ରାଉତଙ୍କ କହିବା ମୁତାବକ, ସଂସ୍କୃତି ସମ୍ବନ୍ଧୀୟ ଫଟୋ ସିରିଜ ଭିତ୍ତିକ ହେଲେ ଅଧିକ ବୁଝାପଡ଼େ। ସଂସ୍କୃତି ବିଷୟରେ ଜ୍ଞାନ ଥିଲେ ଫଟୋ ବେଶି ଜୀବନ୍ତ ଦିଶେ।
ଲେନ୍ସରେ ଟ୍ରାଭେଲ୍
ଟ୍ରାଭେଲ୍ ଫଟୋଗ୍ରାଫି ଏକ ବ୍ୟାପକ ଜିନିଷ। ଏଠି ବିଭିନ୍ନ ଚରିତ୍ରକୁ ନିଆଯାଇପାରେ। ତେବେ ସେସବୁ ଏକ ନିର୍ଦିଷ୍ଟ ସ୍ଥାନକୁ ବୟାନ କରୁଥିବା ଉଚିତ୍ ବୋଲି କହନ୍ତି ସିଦ୍ଧାର୍ଥ ମହାନ୍ତି। ଏଥିପାଇଁ ସ୍ଥାନ ସମ୍ବନ୍ଧୀୟ ଜ୍ଞାନ, ନିର୍ଦିଷ୍ଟ ଦିନର ବିଶେଷତ୍ୱ, ସମୟ ବି ଗୁରୁତ୍ୱ ରଖେ। ସେ ଦାର୍ଜିଲିଂ, ହମ୍ପି, ବିରୁପାକ୍ଷ ମନ୍ଦିର, ୫୨ ମହଲାରୁ ବୁର୍ଜ ଖଲିଫା ରାତିର ଦୃଶ୍ୟ, ଲଦାଖର ଶାନ୍ତସ୍ତପ, ମେଣ୍ଢାକୁ କୋଳରେ ଧରିଥିବା ମହିଳାଙ୍କୁ ଲେନ୍ସରେ କଏଦ କରିବା ବେଳେ ତାହା ଏକ ନିର୍ଦିଷ୍ଟ ସ୍ଥାନକୁ ବୟାନ କରୁଥିଲା ବୋଲି କହିଛନ୍ତି ଟେଲିକମ ଇଂଜିନିୟର ସିଦ୍ଧାର୍ଥ।
ସତେଜ ବାହାଘର ପର ସ୍ମୃତି
ଟେଲିକମ୍ ଇଂଜନିୟର ସତ୍ୟବ୍ରତ ମହାପାତ୍ର ପିଲାବେଳୁ ପେଣ୍ଟିଂରେ ରୁଚି ରଖିଥିବା ବେଳେ ବାହାଘରର ସ୍ମୃତିକୁ ସୃଜନ ଲେନ୍ସରେ ସାଇତିବାରେ ମାହିର୍। ଆଗରୁ ବାହାଘର ଡକ୍ୟୁମେଣ୍ଟେସନ୍ରେ ସୀମିତ ଥିଲେ ହେଁ ଏବେ ଏ ଧାରା ଭାଙ୍ଗିଛି। ପୁଅ ଦେଖାଠୁ ପୋଷ୍ଟ୍ େଓ୍ଵଡିଂର ନିଆରା ମୁହୂର୍ତକୁ ଲେନ୍ସରେ ସତେଜ ରଖିବାରେ ସେ ବେଶ୍ ଧୂରୀଣ। ଝିଅକୁ ଭାଇମାନେ ଫୁଲର ଚାଦର ତଳେ ବେଦିକୁ ଆଣିବାର ଦୃଶ୍ୟଠୁ ନେଇ ଝିଅ ପିନ୍ଧୁଥିବା ଶାଢ଼ି ଓ ଅଳଙ୍କାର; ସବୁ କିଛି ଫଟୋ ମହଜୁଦ ରଖେ। ପ୍ରି ଓ ପୋଷ୍ଟ୍ ଓ୍ଵଡିଂକୁ ଅଧିକ ଆକର୍ଷଣୀୟ କରିବା ପାଇଁ ଅନେକ ଦୃଶ୍ୟକୁ ୧୦ରୁ ୧୫ଥର ନେବାକୁ ପଡ଼େ ବୋଲି ସେ କହନ୍ତି।