‘ଫଟୋ ହଜାରେ ଶବ୍ଦର କଥା କହେ’

‘ଟିକିଏ ଖୁସି’ ପକ୍ଷରୁ ଫଟୋ ପ୍ରଦର୍ଶନୀ

ଭୁବନେଶ୍ୱର: ହଜାରେ ଶବ୍ଦରେ ଯାହା କହିହେବ ନାହିଁ, ଗୋଟିଏ ଫଟୋ ତା’ଠାରୁ ଅଧିକ କିଛି କହି ଦେଇପାରେ। ପୂର୍ବରୁ ଫଟୋ ଉଠାଇବା ପାଇଁ ସର୍ବନିମ୍ନ ଯନ୍ତ୍ରପାତିର ଆବଶ୍ୟକ ରହିଥିଲା। କିନ୍ତୁ ଏବେର ସ୍ମାର୍ଟଫୋନ୍‌ ଯୁଗରେ ଘରେ ଘରେ ଜଣେ ଫଟୋଗ୍ରାଫର୍ ବାହାରିଲେଣି। ସମସ୍ତେ ପ୍ରତିଦିନ ନିଜର କିମ୍ବା ଅନ୍ୟ କୌଣସି ଜିନଷର ଫଟୋ ଉଠାଉଛନ୍ତି ବୋଲି ‘ଟିକିଏ ଖୁସି’ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ଆୟୋଜିତ ଫଟୋ ପ୍ରଦର୍ଶନୀକୁ ଉଦ୍‌ଘାଟନ କରି ମୁଖ୍ୟ ଅତିଥି ‘ସମ୍ବାଦ’ର ସଂପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ କହିଛନ୍ତି।

ଏହି ପ୍ରଦର୍ଶନୀରେ ଅନ୍ୟତମ ଅତିଥି ଭାବେ ଟାଇମ୍ ପ୍ରେସ୍‌ ମାଗାଜିନ୍‌ର ପ୍ରତିଷ୍ଠାତା ସରୋଜ ବଳ, କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗର ଯୁଗ୍ମ ସଚିବ ଶୈଳେନ୍ଦ୍ର କୁମାର ଜେନା, ଓଡ଼ିଶା ଆଦର୍ଶ ବିଦ୍ୟାଳୟର ପ୍ରଶାସକ ମୋନାଲିସା ପଣ୍ଡା, ଓଡ଼ିଆଣୀ ପ୍ରତିଷ୍ଠାତା ଦିଲ୍ଲୀପ ପଣ୍ଡା, ତୁଳସୀ ବାବା ପ୍ରମୁଖ ଯୋଗଦେଇ ଯୋଗଗୁରୁ ତଥା ଟିକିଏ ଖୁସିର ପ୍ରତିଷ୍ଠାତା ରଂଜନ କୁମାର ପାତ୍ରଙ୍କ ଏହି ଉଦ୍ୟମକୁ ପ୍ରଶଂସା କରିଥିଲେ। କାର୍ଯ୍ୟକ୍ରମରେ ସମାଜର ବିଭିନ୍ନ କ୍ଷେତ୍ରରେ କାମ କରୁଥିବା ବିଶିଷ୍ଟ ଲୋକମାନଙ୍କ ଫଟୋ ଉଠାଯାଇ ସେଗୁଡିକୁ ବନ୍ଧାଇ କରି ସେମାନଙ୍କୁ ପ୍ରଦାନ କରାଯାଇଥିଲା।ଉଦ୍‌ଘାଟନୀ ଉତ୍ସବରେ ଓଡ଼ିଶୀ ନୃତ୍ୟଶିଳ୍ପୀ ଶ୍ରୀନିବାସ ଘଟୁଆରୀ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ପ୍ରତିଷ୍ଠାତା ଶ୍ରୀ ପାତ୍ର ଧନ୍ୟବାଦ ଦେଇଥିଲେ। ରଚିତା ସାହୁ, ଅସିତ ଶତପଥୀ, ଅଭିଷେକ ପ୍ରମୁଖ ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର