ଚନ୍ଦ୍ରଶେଖରପୁର: ଫେସ୍‌ବୁକ୍‌ରେ ଜଣେ ଯୁବକଙ୍କୁ ଅଶ୍ଳୀଳ ଫଟୋ ପଠାଇବା ଓ ଗାଳିଗୁଲଜ କରିବା ସହ ହତ୍ୟା ଧମକ ଦେବା ଅଭିଯୋଗରେ ଚନ୍ଦ୍ରଶେଖପୁର ଥାନା ପୁଲିସ୍ ଆଜି ଉଦୟ ଜେନା(୨୧) ନାମକ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଉଦୟର ଘର ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ସାହାପୁର ଗ୍ରାମ‌‌ରେ। ସେ ସାମାଜିକ ଗଣମାଧ୍ୟମରେ ନୀଳାଦ୍ରିବିହାରର ଅନିଲ୍ ମଲ୍ଲିକ ନାମକ ଜଣେ ଯୁବକଙ୍କୁ ହତ୍ୟା ଧମକ ଦେଇଥିଲା। ସୂଚନା ଅନୁଯାୟୀ, ଅନିଲ୍‌ କିଛି ଦିନ ପୂର୍ବେ ନିଜ ଫେସ୍‌ବୁକ୍‌ ଆକାଉଣ୍ଟରେ ଏକ ଫଟୋ ପୋଷ୍ଟ କରିଥିଲେ। ଯାହାକୁ ମିଥ୍ୟା ବୋଲି ଦର୍ଶାଇ ଅଭିଯୁକ୍ତ ଉଦୟ ସେହି ପୋଷ୍ଟର କମେଣ୍ଟ ବକ୍ସରେ ଅଶ୍ଳୀଳ ଫଟୋ ଛାଡ଼ିବା ସହ ଅସଭ୍ୟ ଭାଷା ଲେଖିଥିଲା। ପରେ ତାଙ୍କ ଆକାଉଣ୍ଟରୁ ମୋବାଇଲ ନମ୍ବର ଆଣି ହତ୍ୟା ଧମକ ଦେଇଥିଲା। ଏନେଇ ସ୍ଥାନୀୟ ଥନାରେ ଅଭିଯୋଗ ହେବାରୁ ଗତକାଲି ଚନ୍ଦ୍ରଶେଖରପୁର ଥାନା ପୁଲିସ୍ ଉଦୟର ମୋବାଇଲ୍ ନମ୍ବର ଟ୍ରାକ୍‌ କରି ପାଣିକୋଇଲିରୁ ଉଦୟକୁ ଗିରଫ କରିଥିଲା।