ସୁଟିଂ ବେଳେ ଅମିର ସାର‌ ପରିବେଶକୁ ଏତେ ସହଜ କରିଦେଉଥିଲେ ଯେ ଅଭିନୟ କରିବା ଲାଗି ଭୟ ଆସୁ ନଥିଲା : ସାନ୍ୟା

‘ଦଙ୍ଗଲ’, ‘ବଧାଇ ହୋ’, ‘ପଟଖା’ ଓ ‘ଫଟୋଗ୍ରାଫ୍’ ଭଳି ବଲିଉଡ୍ ଚଳଚ୍ଚିତ୍ରରେ ଅଭିନୟ କରି ଖ୍ୟାତି ଅର୍ଜନ କରିଛନ୍ତି  ଅଭିନେତ୍ରୀ ସାନ୍ୟା ମାଲହୋତ୍ରା। ଏକ ବ୍ୟାବସାୟିକ କାର୍ଯ୍ୟକ୍ରମରେ ଭୁବନେଶ୍ବର ଆସିଥିବା ବେଳେ ତାଙ୍କ ସହ ‘ସମ୍ବାଦ’ର ସ୍ବତନ୍ତ୍ର ସାକ୍ଷାତକାର।

ଅଭିନୟ ଜଗତକୁ କିପରି ଆସିଲେ?
ମୁଁ ସବୁବେଳେ ଜଣେ ଅଭିନେତ୍ରୀ ହେବାକୁ ହିଁ ଚାହୁଥିଲି। ସ୍ନାତକ ଶିକ୍ଷା ଶେ‌ଷ କରିବା ପରେ ଦିଲ୍ଲୀରୁ ମୁମ୍ବାଇ ଚାଲିଆସିଥିଲି। ବର୍ଷେ ସଂଘର୍ଷ କରିବା ପରେ ମୋତେ ଅମିର ଖାନ୍‌ଙ୍କ ‘ଦଙ୍ଗଲ୍‌’ରେ କାର୍ଯ୍ୟ କରିବାର ସୁଯୋଗ ମିଳିଥିଲା।
ଅମିରଙ୍କ ସହିତ ଅଭିନୟ କରିବା କଷ୍ଟକର ନା ସହଜ?
‌ମୋ ପାଇଁ ଅଭିନୟ କଷ୍ଟକର ନୁହେଁ। ସୁଟିଂ ବେଳେ ଅମିର ସାର‌ ପରିବେଶକୁ ଏତେ ସହଜ କରିଦେଉଥିଲେ ଯେ ଅଭିନୟ କରିବା ଲାଗି ଭୟ ଆସୁନଥିଲା। ଏତେ ବଡ଼ ଅଭିନେତାଙ୍କ ସହ କାମ କରିବାର ସୁଯୋଗ ପାଇ ଖୁସି ଲାଗୁଥିଲା। ନିଜର ଶ୍ରେଷ୍ଠତା ପ୍ରଦାନ କରିବା ଲାଗି ପ୍ରୟାସ କରିଥିଲି। ସେଥିରେ ସଫଳ ହେବି ନା ନାହିଁ ତାହାକୁ ନେଇ କିଛିଟା ଚିନ୍ତା ଥିଲା।
ଅଭିନୟ କରିଥିବା କେଉଁ ଚରିତ୍ରଟି ଭଲ ଲାଗେ?
ଫଟୋଗ୍ରାଫ୍ ସିନେମାରେ ମୁଁ ମିଲୋନି ଚରିତ୍ରରେ ଅଭିନୟ କରିଥିଲି। ମୋତେ ଲାଗିଥିଲା ମୁଁ ନିଜେ ହେଉଛି ମିଲୋନି। ସେହି ଚରିତ୍ର ଭଳି ମୁଁ ମଧ୍ୟ ସ୍ବଭାବରେ ବହୁତ ଶାନ୍ତ।
ହାତରେ ଆଉ କ’ଣ ସିନେମା ଅଛି?
‘ଶକୁନ୍ତଳାଦେବୀ’ ନାମକ ସିନେମାରେ ଅଭିନୟ କରୁଛି। ବିଶିଷ୍ଟ ଗାଣିତଜ୍ଞ ଶକୁନ୍ତଳା ଦେବୀଙ୍କ ଜୀବନୀ ଉପରେ ଆଧାରିତ ଏହି ସିନେମାର ମୁଖ୍ୟ ଚରିତ୍ରରେ ବିଦ୍ୟା ବାଲାନ୍‌ ଅଭିନୟ କରୁଛନ୍ତି। ତାଙ୍କ ସହିତ କାମ କରିବା ମୋ ପାଇଁ ଗର୍ବର ବିଷୟ। ସେ ମୋ ପାଇଁ ପ୍ରେରଣାର ଉତ୍ସ। କୌଣସି ସିନେମାରେ ଅଭିନୟ କରିବା ପୂର୍ବରୁ ମୁଁ ତାଙ୍କ ସହିତ ଆଲୋଚନା କରିବାକୁ ଭୁଲେ ନାହିଁ।

ସମ୍ବନ୍ଧିତ ଖବର