ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ, ହାତବାନ୍ଧି ବସିଛନ୍ତି ଫଟୋଗ୍ରାଫର୍‌

ଧଉଳି: କରୋନା ଲକ୍‌ଡାଉନ ଯୋଗୁଁ ରାଜ୍ୟର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ବିଶେଷ ଭାବେ ପ୍ରଭାବିତ ହୋଇଛି। ଏହା ଉପରେ ନିର୍ଭର କରି ଚଳୁଥିବା ବ୍ୟବସାୟୀ, ଫଟୋଗ୍ରାଫର, ପୂଜକ ଓ ସେବାୟତବର୍ଗ ସେମାନଙ୍କ ରୋଜଗାର ହରାଇଛନ୍ତି। ଅନୁରୂପ ଭାବେ ପ୍ରସିଦ୍ଧ ପର୍ଯ୍ୟଟନ କ୍ଷେତ୍ର ଧଉଳି ଶାନ୍ତିସ୍ତୂପ ଅଞ୍ଚଳ ଜନଶୂନ୍ୟ ହୋଇପଡ଼ିଛି। ଶାନ୍ତିସ୍ତୂପ ପରିସର ଓ ଧଉଳି ବସଷ୍ଟାଣ୍ଡରେ ବ୍ୟବସାୟ କରି ପରିବାର ପ୍ରତିପୋଷଣ କରୁଥିବା ସ୍ଥାନୀୟ ଲୋକ ବଡ଼ ହୀନସ୍ତା ହେଉଛନ୍ତି।

ଲକ୍‌ଡାଉନ ଯୋଗୁଁ ଦୁଇମାସ ହେଲା ଏଠାରେ ଦୋକାନ ବଜାର ବନ୍ଦ ରହିଛି। ଧଉଳି ଧବଳେଶ୍ବର ବ୍ୟବସାୟୀ ସଂଘର ଜଣେ ପ୍ରମୁଖ ସଦସ୍ୟଙ୍କ ସୂଚନା ଅନୁଯାୟୀ ଏଠାରେ ୭୦ଟି ଛୋଟବଡ଼ ଦୋକାନ ରହିଛି। ପ୍ରଶାସନ ପକ୍ଷରୁ ଲକ୍‌ଡାଉନ ଘୋଷଣା ହେବା ପରେ ଦୋକାନ ବନ୍ଦ ହୋଇଗଲା। ଦୋକାନରୁ ଚୋରି ଯିବା ଆଶଙ୍କା କରି ବ୍ୟବସାୟୀମାନେ ବିଭିନ୍ନ ସାମଗ୍ରୀ ଘରକୁ ବୋହି ନେଇଥିଲେ। ଚୋର ଦାଉରୁ ରକ୍ଷା କରିବା ଲାଗି ମୂଲ୍ୟବାନ ଜିନିଷପତ୍ର ଓ ଖାଦ୍ୟସାମଗ୍ରୀ ସିନା ନେଇଗଲେ। ହେଲେ ଏବେ ଘରେ ଗଚ୍ଛିତ ଲକ୍ଷାଧିକ ଟଙ୍କାର ଏସବୁ ସାମଗ୍ରୀ ନଷ୍ଟ ହେବା ପରିସ୍ଥିତି ସୃଷ୍ଟି ହୋଇଛି। କାଜୁ, ପେସ୍ତା, କିସମିସ୍‌, ବୁଟ, ମଟର ଭଳି ଛଣା ଖାଦ୍ୟ ପ୍ୟାକେଟ ନଷ୍ଟ ହୋଇଗଲାଣି। ସେହିପରି ଅନ୍ୟାନ୍ୟ ମନୋହରୀ ସାମଗ୍ରୀ ବିକ୍ରି ନେଇ ସମସ୍ୟା ଦେଖାଦେଇଛି। କେବଳ ପର୍ଯ୍ୟଟନ କ୍ଷେତ୍ରରେ ବିକ୍ରି ଲାଗି ଏହା ଉଦ୍ଦିଷ୍ଟ ହୋଇଥିବାରୁ ସମସ୍ୟା ଦେଖାଦେଇଛି। ବ୍ୟବସାୟୀ ସଂଘର ସଭାପତି ସୁଶାନ୍ତ ପରିଡ଼ା ଓ ସଂପାଦକ ସୁମନ୍ତ ସୁବୁଦ୍ଧି, ରବୀନ୍ଦ୍ର ସ୍ବାଇଁ ଓ ଭୂବନ ପ୍ରଧାନଙ୍କ ସମେତ ଅନ୍ୟମାନଙ୍କ କହିବାନୁଯାୟୀ ଗାଁ ଗହଳି ଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ଦୋକାନ ଖୋଲିଗଲାଣି। ହେଲେ ପର୍ଯ୍ୟଟନ କ୍ଷେତ୍ର ବନ୍ଦ ଥିବାରୁ ବ୍ୟବସାୟ ଅନିଶ୍ଚିତତା ଭିତରେ ରହିଛି। ଶାନ୍ତିସ୍ତୂପ ଉପରେ ପର୍ଯ୍ୟଟକମାନଙ୍କ ଫଟୋ ଉଠାଉଥିବା ୩୦ ଜଣ ଫଟୋଗ୍ରାଫର ମଧ୍ୟ ବେକାର ହୋଇଯାଇଛନ୍ତି। ସେମାନଙ୍କ ମଧ୍ୟରୁ କିଏ ଜମିରେ କାମ କରୁଛି ତ ଆଉ କିଏ ପରିବା ବିକୁଛି। ସେହିପରି ଶାନ୍ତିସ୍ତୂପର ଅନ୍ୟତମ ମୁଖ୍ୟ ଆକର୍ଷଣ ଲାଇଟ ଆଣ୍ଡ ସାଉଣ୍ଡ ସୋ ଫନି ବାତ୍ୟାରେ କ୍ଷତିଗ୍ରସ୍ତ ହୋଇଥିଲା। ଗତ ମାର୍ଚ୍ଚ ମାସରେ ଏହାର ମରାମତି କାମ ସରିଥିଲା। ହେଲେ ଲକ୍‌ଡାଉନ ଯୋଗୁଁ ସୋ ପ୍ରଦର୍ଶନ ବନ୍ଦ ରହିଛି।

ସମ୍ବନ୍ଧିତ ଖବର