ଖଣ୍ଡଗିରି: ଭରତପୁର ଥାନା ଅନ୍ତର୍ଗତ ଫୁଲେଶ୍ବରୀ ବସ୍ତିରେ ବୋମାମାଡ଼ ହୋଇଛି। ଏକ ନିର୍ମାଣାଧୀନ କ୍ଲବ୍ଘର ଉପରକୁ କିଛି ଦୁର୍ବୃତ୍ତ ବୋମାମାଡ଼ କରିଛନ୍ତି। ଆଗକୁ ଗଣେଶ ପୂଜା ଆସୁଥିବାରୁ ନିଜର ପତିଆରା ଜାହିର କରିବା ଲାଗି ଦୁର୍ବୃତ୍ତମାନେ ଏଭଳି କାଣ୍ଡ ଭିଆଇଥିବା ଜଣାପଡ଼ିଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଦୁଇଜଣଙ୍କୁ ପଚରାଉଚରା କରିଛି। ପୂର୍ବରୁ ଦାଦାବଟି ଆଦାୟ ନେଇ ବସ୍ତିରେ ଅଶାନ୍ତ ପରିବେଶ ଲାଗିରହିଥିବା ବେଳେ ବର୍ତ୍ତମାନ ବୋମାମାଡ଼ କମିସନରେଟ୍ ପୁଲିସର ଚିନ୍ତା ବଢ଼ାଇଦେଇଛି। ବିଶେଷ କରି ପାର୍ବଣ ପୂର୍ବରୁ ପତିଆରା ଜାହିର କରିବା ଓ ଦାଦାବଟି ଆଦାୟ ପାଇଁ ନୂଆ ନୂଆ ଗ୍ୟାଙ୍ଗ୍ ମୁଣ୍ଡ ଟେକୁଥିବାରୁ, ଉଭୟ ସାଧାରଣ ଲୋକେ ଓ ପୁଲିସର ମୁଣ୍ଡବ୍ୟଥା ବଢ଼ିବାରେ ଲାଗିଲାଣି।
କମିସନରେଟ୍ ପୁଲିସର ମୁଣ୍ଡବିନ୍ଧା ବଢ଼ାଉଛି ଭରତପୁର ଥାନା
ଜାମିନରେ ଫେରି ବସ୍ତିକୁ ଅଶାନ୍ତ କରୁଛନ୍ତି: ବସ୍ତିବାସିନ୍ଦା
ଗତକାଲି ରାତି ପ୍ରାୟ ୨ଟା ସମୟରେ ବସ୍ତିରେ ପ୍ରଚଣ୍ଡ ଶବ୍ଦ ହୋଇଥିଲା। ଶବ୍ଦ ଶୁଣି ଲୋକେ ଆତଙ୍କିତ ହୋଇପଡ଼ିଥିଲେ। ସ୍ଥାନୀୟ ଲୋକେ ଘର ବାହାରକୁ ଆସି କ୍ଲବ୍ ଘର ଉପରକୁ ବୋମାମାଡ଼ ହୋଇଥିବା ଜାଣିବାକୁ ପାଇଥିଲେ। ଗତ ମାସେ ହେବ ଏହି ବସ୍ତିର ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଛକାପଞ୍ଝା ଲାଗିରହିଛି। ବିଭିନ୍ନ ସମୟରେ ବସ୍ତିରେ ଛୁରାମାଡ଼, ଖଣ୍ଡାରେ ହାଣକାଟ ଭଳି ଘଟଣା ସାମ୍ନାକୁ ମଧ୍ୟ ଆସିଛି। ଆଗକୁ ଗଣେଶ ପୂଜା ଆସୁଥିବାରୁ କିଏ ପୂଜା କରିବ ସେ ନେଇ ଉଭୟ ଗୋଷ୍ଠୀ ମୁହାଁମୁହିଁ ଅବସ୍ଥାରେ ଅଛନ୍ତି। ଜୁଲାଇ ୨୯ ତାରିଖ ରାତିରେ ବସ୍ତିର ଟୁଙ୍ଗିଘର ନିକଟରେ ଦାଦାବଟି ନଦେବାରୁ ୮ରୁ ୧୦ଜଣ ଦୁର୍ବୃତ୍ତ ଜଣେ ଯୁବକଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ। ଏନେଇ ବସ୍ତିର ୫୦ରୁ ଅଧିକ ମହିଳା ଭରତପୁର ଥାନା ଘେରଉ କରିଥିଲେ। ଏହି ମାମଲାରେ ପୁଲିସ ତିନିଜଣଙ୍କୁ ଗିରଫ ମଧ୍ୟ କରିଥିଲା। ତେବେ ଦୁଇଦିନ ତଳେ ଅଭିଯୁକ୍ତମାନେ ଜାମିନରେ ଆସି ପୁଣି ଥରେ ବସ୍ତିକୁ ଅଶାନ୍ତ କରିବା ଆରମ୍ଭ କରିଦେଇଛନ୍ତି। ‘ଆମ କଥା ନ ମାନିଲେ ହଣାଖାଇବ’' ବୋଲି ଦୁର୍ବୃତ୍ତମାନେ ଧମକଚମକ ଦେଇ ଖୋଲାରେ ବୁଲୁଥିବା ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି। ଏନେଇ ବସ୍ତିରେ ଚାପା ଉତ୍ତେଜନା ଲାଗିରହିଛି। ବାରମ୍ବାର ପୁଲିସକୁ କହିବା ସତ୍ତ୍ବେ ପୁଲିସ ଶୁଣୁନାହିଁ ବୋଲି ଅଭିଯୋଗ ହୋଇଛି।
ଫୁଲେଶ୍ବରୀ ବସ୍ତି ଅଞ୍ଚଳରେ ଗତ କିଛି ଦିନ ଧରି ଅପରାଧ ବଢ଼ି ଚାଲିଥିବା ବେଳେ ଭରତପୁର ଥାନା ପୁଲିସ ହାତବାନ୍ଧି ବସିଛି। କେବଳ ଫୁଲେଶ୍ବରୀ ବସ୍ତି ନୁହେଁ, ଭରତପୁର ଥାନା ଅନ୍ତର୍ଗତ ପଣ୍ଡାକୁଦିଆ ଅଞ୍ଚଳରେ ମଧ୍ୟ କିଛିଦିନ ତଳେ ୪୦ରୁ ୫୦ ଜଣ ଯୁବକ ମିଶି ୫ରୁ ଅଧିକ ବୋମାମାଡ଼ କରିଥିଲେ। ସେହି ଘଟଣାରେ ୪ଟି ବାଇକ୍ ଜଳିଯାଇଥିଲା। ସେହିପରି ଘାଟିକିଆ ଅଞ୍ଚଳରେ ବ୍ୟାବସାୟିକ ଶତ୍ରୁତାରୁ କିଛିଦିନ ତଳେ ୪ଟି ବୋମା ଫୁଟିଥିଲା। ବସ୍ତି ଅଞ୍ଚଳକୁ ପୁଲିସ ଗାଡ଼ି ଯାଉନଥିବା ବେଳେ ରାତ୍ରକାଳୀନ ପାଟ୍ରୋଲିଂ ନାଁକୁ ଚାଲିଛି। ବାରମ୍ବାର ଏଭଳି ଘଟଣା ଚାଲିଥିଲେ ମଧ୍ୟ ଭରତପୁର ଥାନା ପୁଲିସ ଉପରେ ଏହାର କୌଣସି ପ୍ରଭାବ ପଡ଼ୁନାହିଁ। ଥାନାରେ ଥିବା ହେଲ୍ପଲାଇନ୍ ନମ୍ବରକୁ ଫୋନ୍ କଲେ ମଧ୍ୟ ପୁଲିସ ଉଠାଉନଥିବା ଭଳି ସଙ୍ଗିନ ଅଭିଯୋଗ ହୋଇଛି।