ଭୁବନେଶ୍ବର: ବର୍ଷାରେ ବେହାଲ ଫୁଲେଶ୍ବରୀ ବସ୍ତି। ବର୍ଷା ପାଣି ନିଷ୍କାସନ ଲାଗି ନିର୍ଦ୍ଦିଷ୍ଟ ବ୍ୟବସ୍ଥା ନଥିବାରୁ ଅସ୍ବାସ୍ଥ୍ୟକର ତଥା ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି ହୋଇଛି। ୪୯ନମ୍ବର ୱାର୍ଡ ଅନ୍ତର୍ଗତ ଜାତୀୟ ରାଜପଥ ପାର୍ଶ୍ବସ୍ଥ ଏହି ବସ୍ତିର ଜନସଂଖ୍ୟା ୫ହଜାରରୁ ଅଧିକ। ରାସ୍ତା ଅଣଓସାରିଆ ରହିଥିଲା ବେଳେ ବିଭିନ୍ନ ସ୍ଥାନରେ ରାସ୍ତାକୁ ଜବରଦଖଲ କରି ରଖାଯାଇଛି। ଡ୍ରେନ୍ ନଥିବା ତଥା ନିର୍ଦ୍ଦିଷ୍ଟ ପ୍ଲାନିଂରେ ବସ୍ତିର ଘରଗୁଡ଼ିକ ନିର୍ମାଣ ନହେବା ଫଳରେ ବର୍ଷାପାଣି ରାସ୍ତାରେ ଲହଡ଼ି ମାରୁଛି।
ଘର ଆଗରେ ଦିନଦିନ ଧରି ପାଣି ଜମିରହି ଶିଉଳି ସୃଷ୍ଟି ହେଉଛି। ପ୍ରତିଦିନ ଶିଶୁମାନେ ବିଦ୍ୟାଳୟକୁ ଯାଉଥିଲା ବେଳେ ସେମାନଙ୍କର ଗୋଡ଼ ଖସି ଅଘଟଣ ଘଟିବାର ଆଶଙ୍କା ରହିଛି। ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ବସ୍ତିର ଶେଷମୁଣ୍ଡ ତଥା କଳିଙ୍ଗବିହାରକୁ ସଂଯୋଗ କରୁଥିବା ରାସ୍ତାରେ କୃତ୍ରିମ ହ୍ରଦ ସୃଷ୍ଟି ହୋଇଛି। ପରିସ୍ଥିତି ଏପରି ଯେ ଗାଡ଼ି ଭର୍ତ୍ତି କଲେ ଗାଡ଼ିରେ ପାଣି ପଶି ଖରାପ ହୋଇଯାଉଛି। ଏହି ସ୍ଥାନରେ ଆବର୍ଜନା ଓ ବର୍ଜ୍ୟଜଳ ଜମି ରହିବା ଫଳରେ ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି ହୋଇଛି। ଫଳରେ କଳିଙ୍ଗବିହାର ଯିବା ପାଇଁ ଦେଢ଼ କିଲୋମିଟର ବୁଲି କରି ପାତ୍ରପଡ଼ା ଶନିମନ୍ଦିର ଅଣ୍ଡର୍ପାସ୍-ରେଗାଲିଆ ଛକ ଦେଇ କଳିଙ୍ଗବିହାର ଯିବାକୁ ପଡ଼ୁଛି। ଦିନଦିନ ଧରି ପାଣି ଜମି ରହିବା ଫଳରେ ଚର୍ମରୋଗ ବ୍ୟାପିବାର ଆଶଙ୍କା ଦେଖାଦେଇଛି। ଏନେଇ ଅଭିଯୋଗ ପରେ ଖୁବ୍ଶୀଘ୍ର ପାଣି ନିଷ୍କାସନ କରାଯିବ ବୋଲି ସ୍ଥାନୀୟ ଜନପ୍ରତିନିଧି କହିଛନ୍ତି।