ବନ୍ଦ ପଡ଼ିଛି ରାଜଧାନୀର ଶତାଧିକ ଫିଜିଓଥେରାପି କେନ୍ଦ୍ର, ୨୦ ତାରିଖ ପରେ ଓପିଡି ଖୋଲିବା ନେଇ ଆଶାବାଦୀ

ଭୁବନେଶ୍ବର : କରୋନା ପାଇଁ ରାଜଧାନୀରେ ଥିବା ଶତାଧିକ ଫିଜିଓଥେରାପି କେନ୍ଦ୍ର ବନ୍ଦ ରହିଛି। ଏସବୁ କେନ୍ଦ୍ରକୁ ବନ୍ଦ ରଖିବା ଲାଗି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ତେବେ ପ୍ରାୟ ୧ମାସ ଧରି ଏସବୁ କେନ୍ଦ୍ର ବନ୍ଦ ରହିବା ଫଳରେ ଏହାର ମାଲିକମାନେ ଆଶା ଓ ଆଶଙ୍କାରେ ରହିଛନ୍ତି। କେନ୍ଦ୍ର ପାଇଁ ଘର ଭଡ଼ାଠାରୁ ଆରମ୍ଭ କରି କର୍ମଚାରୀଙ୍କ ଦରମା ସେମାନଙ୍କ ଚିନ୍ତା ବଢ଼ାଇ ଦେଇଛି। ତେବେ ଆସନ୍ତା ୨୦ ତାରିଖ ପରେ କେନ୍ଦ୍ର ଖୋଲିବା ନେଇ ସେମାନେ ଆଶା ରଖିଛନ୍ତି।

ରାଜଧାନୀରେ ୬/୭ଟି ପଞ୍ଜୀକୃତ ଫିଜିଓଥେରାପି କେନ୍ଦ୍ରକୁ ବାଦ୍ ଦେଲେ ଶତାଧିକ ଏଭଳି କେନ୍ଦ୍ର କାର୍ଯ୍ୟ କରୁଛି। କ୍ଲିନିକାଲ ଏଷ୍ଟାବ୍ଲିସମେଣ୍ଟ ଆଇନରେ ପଞ୍ଜୀକରଣ କରିବାକୁ ହେଲେ ଯେଉଁ ନିମୟ ରହିଛି, ତାହା ଅନେକ କେନ୍ଦ୍ର ପାଇଁ ସମସ୍ୟା ସୃଷ୍ଟି କରୁଛି। ଏପରିକି ଯେଉଁ ଫିଜିଓଥେରାପି କେନ୍ଦ୍ର ପୂର୍ବରୁ ପଞ୍ଜୀକରଣ କରିଛନ୍ତି, ସେମାନଙ୍କ ନବୀକରଣ ନେଇ ମଧ୍ୟ ସମସ୍ୟା ସୃଷ୍ଟି ହେଉଥିବା କୁହାଯାଉଛି। ଏଭଳି ପରିପ୍ରେକ୍ଷୀ‌ରେ ଅନ୍ୟ ଲାଇସେନ୍‌ସ ବଳରେ ଏହି କେନ୍ଦ୍ରଗୁଡ଼ିକ କାର୍ଯ୍ୟ କରୁଥିବା କୁହାଯାଉଛି। ଗୋଟିଏ ଗୋଟିଏ ଫିଜିଓଥେରାପି କେନ୍ଦ୍ରକୁ ପ୍ରତି ମାସରେ ପ୍ରାୟ ୧୦/୨୦ରୁ ଅଧିକ ଲୋକ ଚିକିତ୍ସା ପାଇଁ ଆସିଛନ୍ତି। ‌ବିଭିନ୍ନ କେନ୍ଦ୍ର ନିଜ ନିଜର ଓପିଡି ଦର ଧାର୍ଯ୍ୟ କରିଛନ୍ତି। ତେବେ କରୋନା ପାଇଁ ଏହି କେନ୍ଦ୍ରଗୁଡ଼ିକୁ ବନ୍ଦ ରଖିବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ଏପରିକି କେନ୍ଦ୍ରରେ ଯେଉଁ ଚିକିତ୍ସକ ରହିଛନ୍ତି, ଲକ୍‌ଡାଉନ୍‌ ଯୋଗୁଁ ସେମାନେ ମଧ୍ୟ ଘରେ ଆବଶ୍ୟକ କରୁଥିବା ଲୋକଙ୍କୁ ଫିଜିଓଥେରାପି ଦେଇ ପାରୁ ନାହାନ୍ତି। ଏହାସହ କରୋନା ମହାମାରୀ ସମୟରେ ସାମାଜିକ ଦୂରତ୍ବକୁ ଅଧିକ ଗୁରୁତ୍ବ ଦିଆଯାଉଥିବା ବେଳେ ଫିଜିଓଥେରାପି ସମୟରେ ଏହାକୁ ବଜାୟ ରଖିବା ଏକପ୍ରକାର ଅସମ୍ଭବ। ଏଭଳି ପରିସ୍ଥିତିରେ ଅନେକ ଫିଜିଓଥେରାପି କେନ୍ଦ୍ର ନିଜ ତରଫରୁ ମଧ୍ୟ ଘରକୁ ଯାଇ ଫିଜିଓଥେରାପି କରିବା ଲାଗି ଅମଙ୍ଗ ହେଉଛନ୍ତି।

ରାଜଧାନୀର ଏକ ଫିଜିଓଥେରାପି କେନ୍ଦ୍ରର ମୁଖ୍ୟଙ୍କ କହିବାନୁଯାୟୀ, ରାଜ୍ୟ ସରକାରଙ୍କ ନିର୍ଦେଶ ପରେ ସଂଘ ସବୁ ଫିଜିଓଥେରାପି କେନ୍ଦ୍ରକୁ ବନ୍ଦ ରଖିବା ଲାଗି ଏକ ଚିଠି ଜାରି କରିଥିଲା। ଫିଜିଓଥେରାପି ଏକ ଛୋଟ ସଂସ୍ଥା ହୋଇଥିବା ବେ‌ଳେ ତାହା ବନ୍ଦ ହୋଇଥିବାରୁ ମାଲିକମାନଙ୍କ ପାଇଁ ବହୁ ସମସ୍ୟା ସୃଷ୍ଟି କରିଛି। ଲକ୍‌ଡାଉନ୍‌ ଯୋଗୁଁ ପ୍ରାୟ ଦେଢ଼ ଲକ୍ଷ ଟଙ୍କା କ୍ଷତି ହୋଇଥିବା ସେ କହିଛନ୍ତି। ଓଡ଼ିଶା ଫିଜିଓ‌ଥେରାପି ଆସୋସିଏସନ୍‌ର ସଭାପତି ସୌମେନ୍ଦ୍ର ପଣ୍ଡାଙ୍କ କହିବାନୁଯାୟୀ, ଗତ ମାସରେ ରାଜ୍ୟ ସରକାରଙ୍କ ନିର୍ଦେଶ ପରେ ଫିଜିଓଥେରାପି କେନ୍ଦ୍ର ବନ୍ଦ ରହିଛି। ଫିଜିଓଥେରାପି‌ ଏକ ଜରୁରୀକାଳୀନ ସେବା ହୋଇ ନ ଥିବାରୁ ଏହାକୁ ବନ୍ଦ ରଖାଯାଇଛି। ଆସନ୍ତା ୨୦ ତାରିଖ ପରେ ଫିଜିଓଥେରାପି କେନ୍ଦ୍ର ଖୋଲିବ ବୋଲି ଆଶା କରାଯାଉଛି। ରାଜଧାନୀର ଯେଉଁ ସଂକ୍ରମଣ ଅବରୋଧ ଅଞ୍ଚଳ ରହିଛି, ସେହି ସ୍ଥାନରେ ଥିବା ଫିଜିଓଥେରାପି କେନ୍ଦ୍ରଗୁଡ଼ିକ ହୁଏତ ଖୋଲି ନ ପାରେ। ତେବେ ରାଜ୍ୟ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ହିଁ ସବୁ ସ୍ପଷ୍ଟ ହୋଇପାରିବ ବୋଲି ଶ୍ରୀ ପଣ୍ଡା ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର