କ୍ୟାପିଟାଲ ହସ୍ପିଟାଲରେ ଖୋଲିବ ଫିଜିଓଥେରାପି ସେଣ୍ଟର

ଯେଉଁଠି ଅଛି ଚାଲୁନି, ନୂଆ ଖୋଲିବାକୁ ପ୍ରସ୍ତାବ

0

ଭୁବନେଶ୍ୱର : ରାଜଧାନୀରେ ଥିବା ବିଭିନ୍ନ ସରକାରୀ ଡାକ୍ତରଖାନାରେ ଫିଜିଓଥେରାପି ସେଣ୍ଟର ଖୋଲିଛନ୍ତି ସରକାର। ୟୁନିଟ୍‌-୪ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ଡା.ଅଭିନ ଚନ୍ଦ୍ର ହୋମିଓପ୍ୟାଥି ମେଡିକାଲ କଲେଜ ଏଣ୍ଡ ହସ୍ପିଟାଲରେ ଚାଲିଛି ଫିଜିଓଥେରାପି ସେଣ୍ଟର। ଏହାସହ କ୍ୟାପିଟାଲ ହସ୍ପିଟାଲରେ ମଧ୍ୟ ଏକ ନୂତନ ଫିଜିଓଥେରାପି ସେଣ୍ଟର ଖୋଲିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି।

ମାତ୍ର ୟୁନିଟ୍‌-୪ ସିଏଚ୍‌ସି ଓ ଅଭିନ ଚନ୍ଦ୍ର ହୋମିଓପ୍ୟାଥି କଲେଜରେ ଫିଜିଓଥେରାପି ସେଣ୍ଟର ଅବ୍ୟବସ୍ଥା ଭିତରେ ଗତି କରୁଛି। କେଉଁଠି ଫିଜିଓଥେରାପିଷ୍ଟ ନାହାନ୍ତି ତ ଆଉ କେଉଁଠି କେତେବେଳେ ଫିଜିଓଥେରାପିଷ୍ଟ ଡାକ୍ତରଖାନାକୁ ଆସୁଛନ୍ତି ତାହା ରୋଗୀ ଜାଣିପାରୁ ନାହାନ୍ତି। ଦିନ ପରେ ଦିନ ବିତି ଚାଲିଥିବା ବେଳେ ଏଭଳି ଅବ୍ୟବସ୍ଥା ଲାଗି ରହିଛି ଏହି ଦୁଇ ଡାକ୍ତରଖାନାରେ। କିଭଳି ଏହାକୁ ବ୍ୟବସ୍ଥିତ କରାଯିବ ତାହା ସ୍ୱାସ୍ଥ୍ୟ ବିଭାଗ ଚିନ୍ତା କରିପାରୁନାହିଁ। ଏପେଟ ଗୋଟିଏ ପରେ ଗୋଟିଏ ନୂତନ ଫିଜିଓଫେରାପି କେନ୍ଦ୍ର ଖୋଲି ଭେଳିକି ଦେଖାଇବାରେ ବ୍ୟସ୍ତ।

ୟୁନିଟ୍‌-୪ ସିଏଚ୍‌ସିରେ ଗତବର୍ଷ ଡିସେମ୍ବର ମାସରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏକ ସ୍ପୋର୍ଟସ ମେଡିସିନ୍‌ ଏବଂ ପୁନର୍ବାସ କେନ୍ଦ୍ର ଖୋଲାଯାଇଛି। ଏଥିରେ ଫିଜିଓଥେରାପି କେନ୍ଦ୍ର ମଧ୍ୟ ରହିଛି। ଖେଳାଳି ମାନଙ୍କ ସ୍ପ୍ରେନ୍‌ କିମ୍ବା ଫ୍ରାକ୍ଚର ହେବା ସହିତ ରେଡିଏସନ୍‌ ମଧ୍ୟ ଏଠାରେ ଦିଆଯିବାର ବ୍ୟବସ୍ଥା କରାଯାଇଛି। ରାଜଧାନୀରେ ବିଭିନ୍ନ ସମୟରେ ହେଉଥିବା କ୍ରୀଡ଼ା ମହୋତ୍ସବକୁ ନଜରରେ ରଖି ସ୍ୱାସ୍ଥ୍ୟ ବିଭାଗ ଏଭଳି ନିଷ୍ପତ୍ତି ନେଇଛି। ଏଥିପାଇଁ ଜଣେ ଅସ୍ଥିଶଲ୍ୟ ବିଶେଷଜ୍ଞ ଓ ଫିଜିଓଥେପରାପିଷ୍ଟ ନିଯୁକ୍ତ ହୋଇଛନ୍ତି। ଏଥିପାଇଁ ସିଏଚ୍‌ସିରେ ୨ଟି ରୁମ୍‌କୁ ସଂରକ୍ଷିତ ରଖାଯାଇଛି। ମାତ୍ର ଆଜି ରୋଗୀଙ୍କ ଦେଖା ନାହିଁ। ହସ୍ପିଟାଲ ପରିସରରେ ହେବାକୁ ଥିବା ନୂତନ ବିଲ୍ଡିଂରେ ଏହା କାର୍ଯ୍ୟକାରୀ ହେବ ବୋଲି ଲକ୍ଷ୍ୟ ରହିଛି। ମାତ୍ର ନୂତନ ବିଲ୍ଡିଂ ନିର୍ମାଣ ହୋଇ ନ ଥିବାରୁ ଏହି କେନ୍ଦ୍ର ହସ୍ପିଟାଲ ପରିସରରେ ରହିଛି। ଯାହାକୁ ନେଇ ହସ୍ପିଟାଲ କାର୍ଯ୍ୟରେ ବାଧା ଉପୁଜୁଥିବାରୁ କର୍ମଚାରୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି।

ସେହିପରି ଡା.ଅଭିନ ଚନ୍ଦ୍ର ହୋମିଓପ୍ୟାଥିକ ମେଡିକାଲ କଲେଜ ଏଣ୍ଡ ହସ୍ପିଟାଲରେ ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳିଛି। ହସ୍ପିଟାଲର ଫିଜିଓଥେରାପିଷ୍ଟ କେନ୍ଦ୍ରରେ ପୂର୍ବରୁ ଜଣେ ଠିକା ଫିଜିଓଥେରାପିଷ୍ଟ ନିଯୁକ୍ତ ହୋଇଥିବା ବେଳେ ଏବେ ଅନ୍ୟ ଜଣଙ୍କୁ ନିଯୁକ୍ତି ଦିଆଯାଉଛି। ଯଦିଓ ଏଠାରେ ରୋଗୀଙ୍କ ସଂଖ୍ୟା ଅଧିକ ରହିଛି ତେବେ ଅନେକ ସମୟରେ ରୋଗୀଙ୍କୁ ଉପଯୁକ୍ତ ଚିକିତ୍ସା ମିଳିପାରୁ ନ ଥିବା ଅଭିଯୋଗ ହେଉଛି। ଏପରିକି ପୁରୁଣା ଯନ୍ତ୍ରପାତିର ବ୍ୟବହାର ହେଉଥିବା କିଛି ରୋଗୀ ଅଭିଯୋଗ କରିଛନ୍ତି।
ଅପରପକ୍ଷରେ କ୍ୟାପିଟାଲ ହସ୍ପିଟାଲରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏକ ଫିଜିଓଥେରାପି କେନ୍ଦ୍ର ଖୋଲିବାକୁ ନିଷ୍ପତ୍ତି ହୋଇଛି। କ୍ୟାପିଟାଲ ହସ୍ପିଟାଲ ପରିସରରେ ଥିବା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ବା ଏସ୍‌ଏସ୍‌ପିଡିର ବିଲ୍ଡିଂ ଓ ଅସ୍ଥିଶଲ୍ୟ ବିଭାଗ ନିକଟରେ ଥିବା ଏକ ଜାଗାରେ ଏହି କେନ୍ଦ୍ର ଖୋଲିବାକୁ ହସ୍ପିଟାଲ କର୍ତୃପକ୍ଷ ବିଚାର କରୁଛନ୍ତି। ଏସ୍‌ଏସ୍‌ପିଡି ବିଭାଗକୁ ଅନ୍ୟ ଏକ ବିଲ୍ଡିଂକୁ ସ୍ଥାନାନ୍ତର କରାଯିବାର ଲକ୍ଷ୍ୟ ରହିଥିବା ବେଳେ ଏଠାରେ ଫିଜିଓଥେରାପି କେନ୍ଦ୍ର ଖୋଲିବାର ଅଧିକ ସୁଯୋଗ ରହିଥିବା ଜଣାପଡ଼ିଛି। ଯଦିଓ ଏଥିପାଇଁ ଆବଶ୍ୟକ ଯନ୍ତ୍ରପାତି ରାଜ୍ୟ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯିବ ତେବେ ଏହା କିଭଳି ପରିଚାଳିତ ହେବ ସେଥିପାଇଁ ଜାତୀୟ ସ୍ୱାସ୍ଥ୍ୟ ମିସନ ପକ୍ଷରୁ ଗାଇଡଲାଇନ୍‌କୁ ଅପେକ୍ଷା କରାଯାଇଛି।

ଫିଜିଓଥେରାପି କେନ୍ଦ୍ରରେ ଦୁର୍ଘଟଣାଗ୍ରସ୍ତ ରୋଗୀ, ପକ୍ଷାଘାତ, ବୟସ୍କ ଓ ମାନସିକ ରୋଗୀଙ୍କ ଚିକିତ୍ସା କରାଯାଇଥାଏ। ଫଳରେ ଏହି ରୋଗୀ ମାଗଣାରେ ଏହି ଚିକିତ୍ସା ସୁବିଧା ପାଇପାରିବେ। କ୍ୟାପିଟାଲ ହସ୍ପିଟାଲର ନିର୍ଦେଶକ ଡା.ସି.ଆର ଦାସଙ୍କ କହିବାନୁଯାୟୀ, ହସ୍ପିଟାଲରେ ଏକ ଫିଜିଓଥେରାପି କେନ୍ଦ୍ର ଖୋଲିବା ପାଇଁ ପ୍ରସ୍ତାବ ରହିଛି। ଏଥିପାଇଁ ୨ଟି ଜାଗା ସ୍ଥିର ହୋଇଛି। ମାତ୍ର ଜାତୀୟ ସ୍ୱାସ୍ଥ୍ୟ ମିସନ ସହିତ ଏ ସଂପର୍କରେ ଆଲୋଚନା ପରେ କେନ୍ଦ୍ର ଖୋଲିବା ନେଇ ସ୍ଥିର କରାଯିବ ବୋଲି ଡା.ଦାସ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.