କୋଭିଡ୍‌–୧୯ ପରିଚାଳନାରେ ଗଣମାଧ୍ୟମର ଭୂମିକା ସମ୍ପର୍କରେ ୱେବିନାର

ସକାରାତ୍ମକ ଖବର ପ୍ରସାରଣ ସପକ୍ଷରେ ମତ ରଖିଲେ ଗଣମାଧ୍ୟମ ବୁଦ୍ଧିଜୀବୀ

ଭୁବନେଶ୍ବର : କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ଅଧୀନ ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି), ଭୁବନେଶ୍ବର ପକ୍ଷରୁ ‘କୋଭିଡ–୧୯ ପରିଚାଳନାରେ ଗଣମାଧ୍ୟମ’ର ଭୂମିକାକୁ ନେଇ ଏକ ‌େୱବିନାର ଅନୁଷ୍ଠିତ ହୋଇଯାଇଛି। ପିଆଇବିର ଅତିରିକ୍ତ ମହାନି‌େର୍ଦ୍ଦଶକ ଶୈଳେଶ କୁମାର ମାଲବ୍ୟ ଏଥିରେ ଅଧ୍ୟକ୍ଷତା କରିଥିଲେ। ବର୍ତମାନର ସଙ୍କଟପୂର୍ଣ୍ଣ ସମୟରେ ମିଥ୍ୟା ଖବର ବ୍ୟାପକ ପ୍ରସାରଣ ହେଉଥିବାରୁ ଗଣମାଧ୍ୟମ ଦାୟିତ୍ବସମ୍ପନ୍ନ ହୋଇ ଖବର ପରିବେଷଣ କରିବା ଲାଗି ସେ ଆହ୍ବାନ କରିଥିଲେ। ଏହି ଭର୍ଚୁଆଲ୍‌ ଆଲୋଚନା ଏବଂ ପ୍ରଶ୍ନୋତ୍ତେର କାର୍ଯ୍ୟକ୍ରମରେ ରାଜ୍ୟ ଗଣମାଧ୍ୟମ ଜଗତର ବିଶିଷ୍ଟ ବ୍ୟକ୍ତିବିଶେଷମାନେ ଅଂଶଗ୍ରହଣ କରି କରୋନା ମହାମାରୀ ସମୟରେ ଗଣମାଧ୍ୟମର ଗୁରୁତ୍ବପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରିବା ସହିତ ସକାରାତ୍ମକ ଖବର ପ୍ରସାରଣ ଉପରେ ଗୁରୁତ୍ବାରୋପ କରିଥିଲେ।

କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ‘ଧରିତ୍ରୀ’ ଏବଂ ‘ଓଡ଼ିଶା ପୋଷ୍ଟ’ର ସମ୍ପାଦକ ତଥାଗତ ସତପଥୀ କହିଥିଲେ ଯେ, ଆମେ ସମସ୍ତେ ଏକ ବୈଶ୍ବିକ ସଙ୍କଟ ଦେଇ ଗତି କରୁଛୁ। ବର୍ତମାନ ମହାମାରୀ ସହିତ ତାଳଦେଇ ‘ସୂଚନା ମହାମାରୀ’ (ଇନଫୋଡେମିକ) ମଧ୍ୟ ଦେଖାଦେଇଛି। ଗଣମାଧ୍ୟମ କେତେକ କ୍ଷେତ୍ରରେ ଅନିୟନ୍ତ୍ରିତ ହୋଇପଡ଼ିଛି, ଯାହା ଏହାର ଛବିକୁ ପ୍ରଭାବିତ କରିବା ସହିତ ବିଶ୍ବସନୀୟତାର ସଙ୍କଟ ସୃଷ୍ଟି କରୁଛି। ଏଭଳି ସମୟରେ ଗଣମାଧ୍ୟମ ଦାୟିତ୍ବସମ୍ପନ୍ନ ହୋଇ ଖବର ପ୍ରସାରଣ କରିବା ଆବଶ୍ୟକ। ଅସମ୍ପୂର୍ଣ୍ଣ ତଥ୍ୟ ଉପରେ ଅତ୍ୟଧିକ ଖବର ପ୍ରସାରଣ ଦ୍ବାରା ଜନସାଧାରଣଙ୍କ ଉପରେ ମାନସିକ ଚାପ ସୃଷ୍ଟି ହେବାର ଆଶଙ୍କା ରହିଛି। ଗଣମାଧ୍ୟମରେ କେବଳ କୋଭିଡ୍‌–୧୯ ମହାମାରୀ ସମ୍ପର୍କରେ ଖବର ପ୍ରସାରଣ କରାନଯାଇ ଅନ୍ୟ ଗୁରୁତ୍ବପୂର୍ଣ୍ଣ ଖବର ପ୍ରସାରଣ ଉପରେ ମଧ୍ୟ ଜୋର ଦିଆଯିବା ଆବଶ୍ୟକ ବୋଲି ଶ୍ରୀ ସତପଥୀ ମତପ୍ରକାଶ କରିଥିଲେ।
କାର୍ଯ୍ୟକ୍ରମରେ ସ୍ବତନ୍ତ୍ର ଅତିଥି ଭାବେ ଯୋଗ ଦେଇଥିବା ଓଡ଼ିଶା ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗର ନି‌େର୍ଦ୍ଦଶକ କୃପାସିନ୍ଧୁ ମିଶ୍ର କହିଥିଲେ ଯେ, କରୋନା ମହାମାରୀ ସମୟରେ ଗଣମାଧ୍ୟମ ଏକ ପ୍ରଶଂସନୀୟ ଭୂମିକା ନିର୍ବାହ କରୁଛି। ବର୍ତମାନର ଆହ୍ବାନପୂର୍ଣ୍ଣ ସମୟରେ ସରକାରୀ ବ୍ୟବସ୍ଥା ଚାପଗ୍ରସ୍ତ ରହିଛି। ଗଣମାଧ୍ୟମ ସୂଚନାର ପ୍ରସାରଣ ମାଧ୍ୟମରେ ବ୍ୟବସ୍ଥାକୁ ସହଯୋଗ ଯୋଗାଇ ଦେଉଛି। ତେବେ ଗଣମାଧ୍ୟମ ନକାରାତ୍ମକ ନୁହେଁ, ବରଂ ସକାରାତ୍ମକ ଖବର ପ୍ରସାରଣ କରିବା ଆବଶ୍ୟକ। ଖୁବ୍‌ଶୀଘ୍ର ମହାମାରୀର ସଙ୍କଟ ଦୂର ହେବ। ଏହି ସଙ୍କଟପୂର୍ଣ୍ଣ ସମୟରେ ସରକାର ଓ ପ୍ରଶାସନ ଗଣମାଧ୍ୟମ ସହ ରହିଛି ବୋଲି ସେ କହିଥିଲେ।

କାର୍ଯ୍ୟକ୍ରମରେ ଅନ୍ୟତମ ଆଲୋଚକ ଭାବେ ଅଂଶଗ୍ରହଣ କରି ‘ସମ୍ବାଦ’ର ଫିଚର ସମ୍ପାଦକ ତଥା ‘ସମ୍ବାଦ ସ୍କୁଲ ଅଫ ମିଡିଆ ଆଣ୍ତ କଲଚର’ (ସୋମାକ୍‌)ର ଅଧ୍ୟକ୍ଷ ତଥା ବିଶିଷ୍ଟ କଥାକାର ଡ. ଗୌରହରି ଦାସ କହିଥିଲେ ଯେ, ଗଣମାଧ୍ୟମ ବିଶେଷ କରି ସମ୍ବାଦପତ୍ରଗୁଡ଼ିକ ଗୁରୁତର ସଙ୍କଟ ଦେଇ ଗତି କରୁଛନ୍ତି। ଏସବୁ ସଂସ୍ଥା ତିଷ୍ଠି ରହିବା ଲାଗି ସଂଘର୍ଷ କରୁଛନ୍ତି। ତେବେ ମହାମାରୀ ସମୟରେ କେବଳ ନକାରାତ୍ମକ ଖବର ପ୍ରସାରଣ ନକରି ସକାରାତ୍ମକ ସୂଚନା ଲୋକମାନଙ୍କ ନିକଟରେ ପହଞ୍ଚାଇବା ଉଚିତ ବୋଲି ସେ ମତପ୍ରକାଶ କରିଥିଲେ। ବିଶେଷକରି ଗ୍ରାମାଞ୍ଚଳରେ ଘଟୁଥିବା ଘଟଣା, ଦୁର୍ଘଟଣା ବିଷୟରେ ଖବର ପ୍ରସାରଣ ଉପରେ ସେ ଗୁରୁତ୍ବାରୋପ କରିଥିଲେ।

ବରିଷ୍ଠ ସାମ୍ବାଦିକ ତଥା ‘ଓଡ଼ିଶା ବାଇଟ୍ସ ଡଟ୍‌କମ, ଓଡ଼ିଶା ସମ୍ବାଦ ଡଟ୍‌ଇନ’ର ଗ୍ରୁପ ସମ୍ପାଦକ ସନ୍ଦୀପ ମିଶ୍ର କହିଥିଲେ ଯେ, ବର୍ତମାନ ଗଣମାଧ୍ୟମ ଜଗତ ବିଭିନ୍ନ ପ୍ରକାରର ସଙ୍କଟ ମଧ୍ୟ ଦେଇ ଗତି କରୁଛି। ରାଜସ୍ବ କ୍ଷତି ସହିତ ଖବର ସଂଗ୍ରହ ମଧ୍ୟ ବାଧାପ୍ରାପ୍ତ ହୋଇଛି। ଏଭଳି ପ୍ରତିକୂଳ ପରିସ୍ଥିତି ସତ୍ବେ ସୂଚନା ପ୍ରସାରଣ ନିରପେକ୍ଷ ଏବଂ ବିଶ୍ବସନୀୟ ହେବା ଜରୁରୀ ବୋଲି ସେ ମତବ୍ୟକ୍ତ କରିଥିଲେ।

ବରିଷ୍ଠ ସାମ୍ବାଦିକ ତଥା ନନ୍ଦିଘୋଷ ଟିଭିର ସମ୍ପାଦକ ଶିଶିର ଭଟ୍ଟମିଶ୍ର କାର୍ଯ୍ୟକ୍ରମରେ ଅନ୍ୟତମ ଆଲୋଚକ ଭାବେ ଅଂଶଗ୍ରହଣ କରି ସାମ୍ବାଦିକମାନେ ମହାମାରୀ ଦ୍ବାରା ଆକ୍ରାନ୍ତ ହେଉଥିବା ଯୋଗୁଁ ଖବର ସଂଗ୍ରହ ବାଧାପ୍ରାପ୍ତ ହେଉଛି। ଏହା ସତ୍ବେ ସକାରାତ୍ମକ ଖବର ସଂଗ୍ରହ କରିବା ବର୍ତମାନ ସମୟର ଆବଶ୍ୟକତା ବୋଲି କହିଥିଲେ।

କାର୍ଯ୍ୟକ୍ରମ ଶେଷରେ ଏକ ପ୍ରଶ୍ନୋତ୍ତର ଅଧିବେଶନ ଆୟୋଜିତ ହୋଇଥିଲା। ଆଲୋଚନାରେ ଅଂଶଗ୍ରହଣ କରିଥିବା ଅତିଥିମାନେ ଅଂଶଗ୍ରହଣକାରୀମାନଙ୍କର ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଥିଲେ।

ଖବରକାଗଜ ଦ୍ବାରା ସଂକ୍ରମଣ ଆଶଙ୍କା ଥିବା ନେଇ ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚା ହେବା ପରେ ବିଭିନ୍ନ ସମ୍ବାଦପତ୍ରର ପ୍ରକାଶନ ଓ ମୁଦ୍ରଣ ପ୍ରଭାବିତ ହୋଇଛି। ଏଭଳି ସ୍ଥିତିରେ ଛାପା ଗଣମାଧ୍ୟମର ଭବିଷ୍ୟତ କ’ଣ ସେ ସମ୍ପର୍କରେ ପଚରାଯାଇଥିବା ଏକ ପ୍ରଶ୍ନର ଉତ୍ତର ଦେଇ ‘ଧରିତ୍ରୀ’ ସମ୍ପାଦକ ଶ୍ରୀ ସତପଥୀ କହିଥିଲେ ଯେ, ଛାପା ଗଣମାଧ୍ୟମର ଏକ ସ୍ବତନ୍ତ୍ର ବିଶ୍ବସନୀୟତା ରହିଛି। ବର୍ତମାନ କିଛି ଲୋକ ଡିଜିଟାଲ ଗଣମାଧ୍ୟମ ମୁହାଁ ହୋଇଥିଲେ ବି ଭାରତ ଭଳି ଦେଶରେ ସବୁ ଲୋକଙ୍କ ପାଖରେ ଇଣ୍ଟରନେଟ ସଂଯୋଗ, କମ୍ପ୍ୟୁଟର, ସ୍ମାର୍ଟଫୋନ ଭଳି ସମ୍ବଳ ନଥିବାରୁ ଛାପା ଗଣମାଧ୍ୟମର ଗୁରୁତ୍ବ ଅତି କମରେ ଆହୁରି ଦୁଇ ଦଶନ୍ଧି ପର୍ଯ୍ୟନ୍ତ ବଜାୟ ରହିବ। ଏହାଛଡ଼ା ଡିଜିଟାଲ ଗଣମାଧ୍ୟମରେ ବିଭିନ୍ନ ସମୟରେ ମିଥ୍ୟା ଖବର ପ୍ରସାରଣ ହେଉଥିବାରୁ ଛାପା ଗଣମାଧ୍ୟମର ଏକ ସ୍ବତନ୍ତ୍ର ବିଶ୍ବସନୀୟତା ପାଠକଙ୍କ ମନରେ ବଜାୟ ରହିଛି ବୋଲି ଶ୍ରୀ ସତପଥୀ କହିଥିଲେ।

ପିଆଇବି, ଭୁବନେଶ୍ବରର ଗଣଯୋଗାଯୋଗ ଅଧିକାରୀ ପ୍ରଦୀପ କୁମାର ଚୌଧୁରୀ ଅତିଥି ପରିଚୟ ଦେବା ସହିତ ‌େୱବିନାରକୁ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମରେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନସ୍ଥ ରାଜ୍ୟର ବିଭିନ୍ନ କାର୍ଯ୍ୟାଳୟର ଅଧିକାରୀ, ଗଣମାଧ୍ୟମର ପ୍ରତିନିଧି, ଛାତ୍ରଛାତ୍ରୀ, ଗବେଷକ ଓ ବୁଦ୍ଧିଜୀବୀମାନେ ଅଂଶଗ୍ରହଣ କରିଥିଲେ।

ସମ୍ବନ୍ଧିତ ଖବର