ଭୁବନେଶ୍ବର : କେନ୍ଦ୍ର ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ଅଧୀନ ପତ୍ର ସୂଚନା କାର୍ଯ୍ୟାଳୟ(ପିଆଇବି), ଭୁବନେଶ୍ବର ପକ୍ଷରୁ ‘କୋଭିଡ-୧୯ ପରିଚାଳନାରେ ଅଗ୍ରଣୀ ଯୋଦ୍ଧାମାନଙ୍କ ଭୂମିକା’ ଶୀର୍ଷକ ୱେବିନାର ଅନୁଷ୍ଠିତ ହୋଇଯାଇଛି। ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ଓଡ଼ିଶା ପ୍ରାନ୍ତର ଅତିରିକ୍ତ ମହାନିେର୍ଦ୍ଦଶକ ଶୈଳେଶ କୁମାର ମାଲବ୍ୟଙ୍କ ଅଧ୍ୟକ୍ଷତାରେ ଏହି ୱେବିନାର ଅନୁଷ୍ଠିତ ହୋଇଥିଲା। ଶ୍ରୀ ମାଲବ୍ୟ କହିଥିଲେ ଯେ, କରୋନା ମହାମାରୀର ମୁକାବିଲା କରିବାରେ ଡାକ୍ତର, ନର୍ସ, ସ୍ବାସ୍ଥ୍ୟକର୍ମୀ, ପୋଲିସ କର୍ମଚାରୀ, ଆଶା, ଅଙ୍ଗନୱାଡ଼ି କର୍ମୀ, ଗଣମାଧ୍ୟମ ପ୍ରତିନିଧିମାନେ ଅଗ୍ରଣୀ ଯୋଦ୍ଧା ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି। ସେମାନେ ନିଜ ଜୀବନକୁ ବାଜି ଲଗାଇ କର୍ତବ୍ୟ ସମ୍ପାଦନ କରୁଛନ୍ତି।
ୱେବିନାରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ କଟକ–ଭୁବନେଶ୍ବର ଦ୍ବୈତନଗରୀ ପୁଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ। ସେ କହିଥିଲେ ଯେ, ଆମେ ଏକ ଅପ୍ରତ୍ୟାଶିତ ସଙ୍କଟର ସମ୍ମୁଖୀନ ହେଉଛୁ। ଯେପର୍ଯ୍ୟନ୍ତ କରୋନା ମହାମାରୀର ଟିକା କିମ୍ବା ଔଷଧ ନବାହାରିଛି ସେପର୍ଯ୍ୟନ୍ତ ଆମ ସମସ୍ତଙ୍କୁ ସଂଯମ ହେବାକୁ ପଡ଼ିବ। ଇତିହାସରେ ପ୍ରଥମଥର ପାଇଁ ପୁଲିସକୁ ଜନସାଧାରଣଙ୍କ ସମର୍ଥନ ମିଳିଛି। ଅଳ୍ପ କିଛି ଲୋକଙ୍କୁ ଛାଡ଼ି ଦେଲେ ଅଧିକାଂଶ ଲୋକ ପୋଲିସକୁ ସହଯୋଗ କରୁଛନ୍ତି। ଜନସାଧାରଣଙ୍କ ସମସ୍ୟା ପ୍ରତି ମଧ୍ୟ ଧ୍ୟାନ ଦେଇଛୁ। ଲୋକଙ୍କ ନିକଟରେ ଜରୁରୀ ସାମଗ୍ରୀ ପହଁଚିବା କ୍ଷେତ୍ରରେ କୌଣସି ପ୍ରତିବନ୍ଧକ ନାହିଁ। ଲକ୍ଡାଉନ ସମୟରେ ୨ ଲକ୍ଷ ପ୍ରବାସୀ ଶ୍ରମିକଙ୍କୁ ଆମେ ଖାଦ୍ୟ ଦେଇଛୁ। ଯେଉଁମାନେ କିଛି ଅସୁବିଧାରେ ପଡ଼ିଛନ୍ତି, କମିସନରେଟ ପୁଲିସ ସେମାନଙ୍କୁ ସହାୟତା ଯୋଗାଇ ଦେଇଛି ବୋଲି ଡ. ଷଡ଼ଙ୍ଗୀ କହିଥିଲେ।
କାର୍ଯ୍ୟକ୍ରମରେ ଅନ୍ୟତମ ବକ୍ତା ଭାବେ ଯୋଗ ଦେଇ ବରିଷ୍ଠ ସାମ୍ବାଦିକ ତଥା ସୁବାର୍ତାର ସମ୍ପାଦକ ପ୍ରଦ୍ୟୁମ୍ନ ଶତପଥୀ କହିଥିଲେ, ବର୍ତମାନ ସମଗ୍ର ମାନବ ସମାଜ ଏକ ଅଦୃଶ୍ୟ ଶକ୍ତି ବିରୋଧରେ ଯୁଦ୍ଧ କରୁଛି। ଏହି ସମୟରେ ଅଗ୍ରଣୀ କରୋନା ଯୋଦ୍ଧାମାନେ ସେମାନଙ୍କ ଜୀବନକୁ ବାଜି ଲଗାଇ କାମ କରୁଛନ୍ତି। ସେମାନେ ନିଜର ସାମାଜିକ ସେବା ଚରିତ୍ରର ପ୍ରଦର୍ଶନ କରିଛନ୍ତି। ଅନ୍ୟତମ ଅତିଥି ଭାବେ ଯୋଗ ଦେଇ ଡିଏମଇଟି ପ୍ରଫେସର ଡାକ୍ତର ସିବିକେ ମହାନ୍ତି କହିଥିଲେ, ଆମେ ଏକ ଅଦୃଶ୍ୟ ଏବଂ ନୂଆ ଶତ୍ରୁର ମୁକାବିଲା କରୁଛୁ। ଏ ମହାମାରୀର କୌଣସି ଚିକିତ୍ସା ନଥିବାରୁ ସତର୍କ ରହିବା ହିଁ ସବୁଠୁ ଉତ୍ତମ ମାର୍ଗ ବୋଲି ସେ କହିଥିଲେ। ଏହି ସମୟରେ ଆତ୍ମସଚେତନ ହେବାକୁ ସେ ଆହ୍ବାନ କରିଥିଲେ। ଅନ୍ୟତମ ଅତିଥି ଭାବେ ଯୋଗ ଦେଇଥିବା ଉତ୍କଳ ବିଶ୍ବବିଦ୍ୟାଳୟର ସମାଜ ବିଜ୍ଞାନ ବିଭାଗ ପ୍ରାଧ୍ୟାପିକା ଡ. ନବନୀତା ରଥ କହିଥିଲେ, ତୃଣମୂଳସ୍ତରରେ କାର୍ଯ୍ୟ କରୁଥିବା ଏହି କରୋନା ଯୋଦ୍ଧାଙ୍କ ସାମାଜିକ ଓ ଜୀବନ ଅଧିକାର ସୁରକ୍ଷା ପ୍ରତି ସରକାରୀ ସ୍ତରରେ ଦୃଷ୍ଟି ଦିଆଯିବା ଆବଶ୍ୟକ। ଅତିରିକ୍ତ ଡିଏମଇଟି ପ୍ରଫେସର ଡା. ବ୍ରଜକିଶୋର ଦାସ, ଆଞ୍ଚଳିକ ଜନସମ୍ପର୍କ କାର୍ଯ୍ୟାଳୟ, ଭୁବନେଶ୍ବରର ନିର୍ଦ୍ଦେଶକ ଅଖିଳ ମିଶ୍ର ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ୱେବିନାର ଅବସରରେ ବିଶେଷଜ୍ଞମାନେ ଅଂଶଗ୍ରହଣକାରୀଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଥିଲେ। ପିଆଇବିର ଗଣ ଯୋଗାଯୋଗ ଅଧିକାରୀ ଡ. ପ୍ରଦୀପ ଚୌଧୁରୀ ଏହି ୱେବିନାରକୁ ପରିଚାଳନା କରିଥିବାବେଳେ ବହୁ ଗଣମାଧ୍ୟମ ବୁଦ୍ଧିଜୀବୀ, ସୂଚନା ଓ ପ୍ରସାରଣ ମନ୍ତ୍ରାଳୟର ଅଧିକାରୀ ଓ କର୍ମଚାରୀଙ୍କ ସମେତ ଛାତ୍ରଛାତ୍ରୀ ଓ ଗବେଷକମାନେ ଏଥିରେ ଅଂଶଗ୍ରହଣ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/07/pib-a.jpg)