ଭୁବନେଶ୍ୱର: ସୋମବାର ବିଳମ୍ବିତ ରାତିରେ ଜୟଦେବବିହାରସ୍ଥିତ ପାଲ ହାଇଟ୍ସ ଛକ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ସୂର୍ଯ୍ୟାଂଶ ହୋଟେଲର କିଛି କର୍ମଚାରୀଙ୍କୁ ନେଇ ଯାଉଥିବା ଏକ ପିକ୍-ଅପ୍ ଭ୍ୟାନ୍କୁ ପଛପଟୁ ଏକ ହାଇୱା ଧକ୍କା ଦେବାରୁ ୬ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନେ ହେଲେ, ହୋଟେଲର କର୍ମଚାରୀ ମୁରଲୀଧର ସିଂହ, ଆଦିତ୍ୟ ପ୍ରସାଦ ବେହେରା, ସତ୍ୟରଂଜନ ସେଠୀ, ଜଗନ୍ନାଥ ପ୍ରସାଦ ପାଢ଼ୀ, ରତିକାନ୍ତ ଓଝା ଓ ଚମ୍ପକ ବାରିକ। ସେମାନଙ୍କୁ ଚିକିତ୍ସା ଲାଗି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ୨ ସଂକଟାପନ୍ନ ମୁରଲୀଧର ଓ ଆଦିତ୍ୟଙ୍କୁ ପରିବାରଲୋକ ସ୍ଥାନୀୟ ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରିଛନ୍ତି।
ଦୁର୍ଘଟଣା ପରେ ସେଠାରେ ପ୍ରବଳ ଉତ୍ତେଜନା ଦେଖାଦେଇଥିଲା। ଉତ୍ତ୍ୟକ୍ତ ସ୍ଥାନୀୟ ଲୋକେ ହାଇୱାକୁ ପଥର ମାରି କାଚ ଭାଙ୍ଗି ଦେଇଥିବା ସହ ଚାଳକଙ୍କୁ ମାଡ଼ ମାରିଥିଲେ। ତେବେ ଲୋକଙ୍କ ଆକ୍ରୋଶରୁ ବର୍ତ୍ତିବା ପାଇଁ ଚାଳକ ଗାଡ଼ିକୁ କିଛି ବାଟ ଆଗକୁ ନେଇଯିବା ପରେ ହାଇୱା ଛାଡ଼ି ଫେରାର୍ ହୋଇଯାଇଥିଲା। ସହିଦନଗର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗାଡ଼ିକୁ ଜବତ କରିଥିଲା।
ସୂଚନା ଅନୁସାରେ, ଆଜି ରାତି ପ୍ରାୟ ସାଢେ଼ ୧୨ଟା ବେଳେ ପିକ୍-ଅପ୍ଟି ଜାଭିୟର୍ସ ପଟୁ ଜୟଦେବବିହାର ଛକ ଆଡ଼େ ଯାଉଥିଲ। ପାଲ ହାଇଟ୍ସ ମଲ୍ ନିକଟରେ ଥିବା ଛକରେ ୟୁ-ଟର୍ଣ୍ଣ ନେଉଥିବା ବେଳେ ଅପରପାର୍ଶ୍ବରୁ ଦ୍ରୁତ ଗତିରେ ଆସୁଥିବା ହାଇୱାଟି ଶକ୍ତ ଧକ୍କା ଦେଇ ଭ୍ୟାନ୍ ଉପରେ ମାଡ଼ି ଯାଇଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ପିକ୍-ଅପ୍ଟି ଓଲଟି ରାସ୍ତା ଆରପଟକୁ ଚାଲି ଯାଇଥିଲା ଓ ସେଥିରେ ବସିଥିବା ୬ ହୋଟେଲ କର୍ମଚାରୀ ଗୁରୁତର ଆହତ ହୋଇଥିଲେ। ସେମାନଙ୍କ ମୁଣ୍ଡ, ଗୋଡ଼, ହାତ ଓ ଶରୀରର ବିଭିନ୍ନ ସ୍ଥାନରେ ଗଭୀର ଆଘାତ ଲାଗିଛି।