ଖଣ୍ଡଗିରି: ମଙ୍ଗଳବାର ଅପରାହ୍ଣ ପ୍ରାୟ ୨ଟାରେ ୧୬ ନମ୍ବର ଜାତୀୟ ରାଜପଥ ଯାଁଳା ଗଙ୍ଗପଡ଼ା ଛକରେ ଏକ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ନୟାଗଡ଼ ଟାଉନ୍ ଶଗଡ଼ିଆ ସାହିର ଶତ୍ରୁଘ୍ନ ମହାପାତ୍ରଙ୍କ ଏକ ମାତ୍ର ପୁଅ ଜିତେନ୍ଦ୍ର(୩୦)। ଯାଁଳା ଫାଣ୍ଡି ପୁଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଖୋର୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛି।
ସୂଚନାନୁସାରେ ଜିତେନ୍ଦ୍ର କିଛି ବର୍ଷ ହେଲା ଜଣେ ବରିଷ୍ଠ ବିଚାରପତିଙ୍କ ବ୍ୟକ୍ତିଗତ କାର୍ ଚାଳକଭାବେ କାମ କରୁଥିଲେ। ଆଜି କୌଣସି ଏକ ସରକାରୀ ବିଭାଗର ଡ୍ରାଇଭର୍ ପଦ ପାଇଁ ସାକ୍ଷାତକାର ଦେବାର ଥିଲା। ସେ ତାଙ୍କ ନୂଆ ନମ୍ବରବିହୀନ ସ୍କୁଟି ଯୋଗେ ଭୁବନେଶ୍ବର ଆସୁଥିଲେ। ସେ ପିତାପଲ୍ଲୀ-ବାରଙ୍ଗ ଛକରେ ପହଞ୍ଚିଥିବାବେଳେ ହଠାତ୍ ପଛରୁ ଦ୍ରୁତଗତିରେ ଆସୁଥିବା ଏକ ପିକ୍ଅପ୍ ଭ୍ୟାନ୍ (ଓଆର୍୦୨ଏଆର୍-୩୫୬୩) ତାଙ୍କୁ ଧକ୍କା ଦେଇଥିଲା। ଫଳରେ ସ୍କୁଟି ସହ ଜିତେନ୍ଦ୍ର ବେଶ୍ କିଛି ଦୂର ଛିଟିକି ପଡ଼ି ଗୁରୁତରଭାବେ ଆହତ ହୋଇଥିଲେ। ଯାଁଳା ଫାଣ୍ଡି ପୁଲିସ ତାଙ୍କୁ ଉଦ୍ଧାର କରି ଖୋର୍ଧା ହସ୍ପିଟାଲ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଉଲ୍ଲେଖଯୋଗ୍ୟ ଯେ ଜିତେନ୍ଦ୍ରଙ୍କ ମୃତ୍ୟୁରେ ବାପା, ମା, ସ୍ତ୍ରୀ ଓ ଶିଶୁକନ୍ୟାକୁ ନେଇ ଚାରିପ୍ରାଣୀ କୁଟୁମ୍ବ ଏବେ୍ ଘୋର ସଂକଟରେ ବୋଲି ସମ୍ପର୍କୀୟମାନେ କହିଛନ୍ତି।
ପିକ୍ଅପ୍ ଭ୍ୟାନ୍ ଧକ୍କାରେ ସ୍କୁଟି ଆରୋହୀ ମୃତ
ଅଧୁରା ରହିଗଲା ସ୍ଥାୟୀ ଚାକିରି ଆଶା
/sambad/media/post_attachments/wp-content/uploads/2019/06/Road-Accident.png)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)