ଓଲଟିଲା ପିକ୍‌ଅପ୍ ଭ୍ୟାନ୍: ଉଦ୍ଧାର ବଦଳରେ ବୋହିନେଲେ ଜିଅନ୍ତା ମାଛ

ଖଣ୍ଡଗିରି: ଗୁରୁବାର ଅପରାହ୍ଣ ପ୍ରାୟ ୪ଟା ସମୟରେ ୧୬ ନମ୍ବର ଜାତୀୟ ରାଜପଥ ଗଙ୍ଗପଡ଼ା‌ ଠାରେ ଏକ ମାଛ ବୋଝେଇ ଗାଡ଼ି ଓଲଟି ପଡ଼ିବାରୁ ୬ କ୍ବିଣ୍ଟାଲ ଜିଅନ୍ତା ମାଛକୁ ଲୋକେ ବୋହି ନେଇଛନ୍ତି। ଗାଡ଼ି ଭିତରୁ ଡ୍ରାଇଭର ଓ ହେଲ୍‌ପର ବାହାରି ପାରୁ ନଥିବାବେଳେ ପଥଚାରୀମାନେ ମାନବିକତା ଶୂନ୍ୟ ଭାବରେ ରାସ୍ତାରେ ଛଟପଟ ହେଉଥିବା ମାଛକୁ ଗୋଟାଇ ନେଇଥିଲେ। ତେବେ ଏହି ଦୁର୍ଘଟଣାରେ ଡ୍ରାଇଭର କିମ୍ବା ହେଲ୍‌ପର କାହାରି କିଛି ବି କ୍ଷତି ହୋଇ ନଥିଲା। ମାଛ ଗୋଟାଇ ଧାଉଁଥିବା ଲୋକଙ୍କ ଦୃଶ୍ୟକୁ କିଛି ଲୋକ ମୋବାଇଲ୍‌ରେ ରେକର୍ଡିଂ କରିବାକୁ ଭୁଲି ନଥିଲେ। ଆଜି ରାତିରେ ବାଲୁଗାଁରୁ ୬ କ୍ବିଣ୍ଟାଲ ଜିଅନ୍ତା ମାଛ ନେଇ ଏକ ପିକ୍‌ ଅପ୍ ଭ୍ୟାନ୍‌(ଓଡି୧୩କେ-୪୩୩୪) ଭୁବନେଶ୍ବର ଦିଗରେ ଆସୁଥିଲା। ଗାଡ଼ି ଡାଲାରେ ପାଲ ଦ୍ବାରା କୃତ୍ରିମ ପୋଖରୀରେ ମାଛମାନଙ୍କୁ ଛଡ଼ା ଯାଇଥିଲା। ଏକ ମଟର ଯୋଗେ ପାଣି ତଳ ଉପର କରାଯାଉଥିଲା। ଗାଡ଼ିଟି ଗଙ୍ଗପଡ଼ା ପୁରୁଣା ଟୋଲ୍‌ଗେଟ୍ ପାର୍ ହେଉଥିବାବେଳେ କୌଣସି କାରଣରୁ ଓଲଟି ପଡ଼ିଥିଲା। ଫଳରେ ପାଣି ଓ ମାଛ ରାସ୍ତା ଉପରେ ଅଜାଡ଼ି ହୋଇ ପଡ଼ିଥିଲେ। ରାସ୍ତାରେ ପାଣି ସୁଅ ଛୁଟିବା ସହ ଜିଅନ୍ତା ମାଛା ଖେଳିବାକୁ ଲାଗିଲେ। ଏଭଳି ଘଟଣା ଦେଖିବା ମାତ୍ରେ ରାସ୍ତାର ଉଭୟ ଦିଗରୁ ଯାଉଥିବା ସବୁ ଗାଡ଼ି ମଟର ଅଟକିଗଲେ। ଗାଡ଼ିରୁ ଓହ୍ଲାଇ ସମସ୍ତେ ମାଛ ଗୋଟାଇବାରେ ଲାଗିଲେ। ପ୍ରାୟ ୧୦ ମିନିଟ୍‌ ପର୍ଯ୍ୟନ୍ତ ଜାତୀୟ ରାଜପଥ ଠପ୍ ହୋଇଗଲା। ଗାଡ଼ିରେ ଥିବା ପୂରା ୬ କ୍ବିଣ୍ଟାଲ ମାଛ ଖାଲି ହୋଇଗଲା। ଲୋକଙ୍କ ମାଛ ନେବା ନିଶା ଏମିତି ଜୋର୍‌ ଥିଲା ଯେ କେହି ବି ଗାଡ଼ି ଭିତରେ ରହିଯାଇଥିବା ଡ୍ରାଇଭର ଓ ହେଲ୍‌ପରକୁ ଉଦ୍ଧାର କରିବାକୁ ମନ କରି ନଥିଲେ। ଖବର ପାଇ ଯାଁଳା ଫାଣ୍ଡି ପୁଲିସ ଓ ସ୍ଥାନୀୟ ସେମାନଙ୍କୁ ଉଦ୍ଧାର କରିଥିଲେ।

ସମ୍ବନ୍ଧିତ ଖବର