ବନ୍ଦ ମଉକାରେ ଭୋଜିଭାତ, ବୁଲାବୁଲି

ଭୁବନେଶ୍ବର : ଭାରତ ବନ୍ଦ ଡାକରାକୁ ସ୍ବତଃ ସମର୍ଥନ ମିଳିଥିଲା। ରାସ୍ତାଘାଟ ଶୂନଶାନ ହୋଇଯାଇଥିଲା। ମଲ୍‌ରୁ ସିନେମା ହଲ୍‌; ସବୁ କିଛି ଠପ୍‌ ହୋଇଯାଇଥିଲା। କିନ୍ତୁ ବଣଭୋଜି ଫିକା ପଡ଼ି ନ ଥିଲା। ୧୦ଟି କେନ୍ଦ୍ରୀୟ ଶ୍ରମିକ ସଂଗଠନ ଭାରତ ବନ୍ଦ ଡାକରା ଦେଇଥିଲେ ହେଁ ବନ୍ଦକୁ ନେଇ କୌଣସି ସଂଗଠନ ପର୍ଯ୍ୟଟନସ୍ଥଳରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରି ନ ଥିଲେ। ତେଣୁ ଆଗରୁ ବୁଲାବୁଲି କରିବା ପାଇଁ ଦିନ ନିର୍ଧାରଣ କରିସାରିଥିବା ଲୋକେ ‘ବନ୍ଦ’ ଡାକରାକୁ ନେଇ ସଂଶୟରେ ଥିବା ବେଳେ ସକାଳେ ସ୍ଥିତି ଦେଖି ବୁଲାବୁଲି ପାଇଁ ବାହାରି ଯାଇଥିଲେ।

ଆଗରୁ ବୁକିଂ କରିଦେଇଥିବାରୁ ବ୍ୟକ୍ତିବିଶେଷ ଯଥା ସମୟରେ ଆସି ବଣଭୋଜି କରିଥିଲେ। କିଛି ଲୋକ ବନ୍ଦର ପ୍ରଭାବ ଏତେଟା ଜୋର୍‌ଦାର ନ ଥିବା ଦେଖିବା ପରେ ଡେରିରେ ବଣଭୋଜି ପାଇଁ ପହଞ୍ଚିଥିଲେ। ଜୟଦେବ ବାଟିକାର ଦାୟିତ୍ବରେ ଥିବା ଅଧିକାରୀ ଦୟାନିଧି ଦାଶଙ୍କ କହିବା ମୁତାବକ, ବାଟିକା ପରିସରରେ ଥିବା ମୋଟ ୨୨ ପିଣ୍ଡି ମଧ୍ୟରୁ ୨୧ ପିଣ୍ଡିରେ ବଣଭୋଜି ହୋଇଥିଲା। ଏହା ବ୍ୟତୀତ ୧୦୦ ମଧ୍ୟରୁ ‌ବୁକିଂ ହୋଇଥିବା ଅଧିକାଂଶ ବଣଭୋଜିସ୍ଥଳରେ ଭୋଜିଭାତ ହୋଇଥିଲା। ଜୟଦେବ ବାଟିକାକୁ ଆସୁଥିବା ନିୟମିତ ପର୍ଯ୍ୟଟକଙ୍କ ସଂଖ୍ୟା ବି କମ୍‌ ନଥିଲା।

ଧଉଳିରେ ମଧ୍ୟ ପିଣ୍ଡି ବୁକିଂ ସହ ଭୋଜିଭାତ ହୋଇଥିଲା। ଧଉଳି ପର୍ଯ୍ୟଟନକ୍ଷେତ୍ର ବୁଲିବା ପାଇଁ ପ୍ରାୟ ୧୫ହଜାର ପର୍ଯ୍ୟଟକଙ୍କ ସମାଗମ ହୋଇଥିବା ସ୍ଥାନୀୟ ଅଞ୍ଚଳର ସରପଞ୍ଚ ପୂର୍ଣ୍ଣିମା ସାହୁ କହିଛନ୍ତି। ଖଣ୍ଡଗିରି ଓ ଉଦୟଗିରିରେ ସକ‌ାଳୁ ପର୍ଯ୍ୟଟକଙ୍କ ଆଗମନ ହ୍ରାସ ପାଇଥିଲେ ହେଁ ଦିନ ୨ଟା ପରେ ସ୍ବାଭାବିକ ହୋଇଥିଲା। ତେବେ ବାହାର ପର୍ଯ୍ୟଟକଙ୍କ ଆଗମନ ନ ହେବାରୁ ନନ୍ଦନକାନନରେ ବୁଲାବୁଲି ପ୍ରଭାବିତ ହୋଇଛି। ୪ ଚକିଆ ଓ ଟ୍ରେନ୍‌ ଚଳାଚଳ ବାଧାପ୍ରାପ୍ତ ହୋଇଥିବାରୁ ପର୍ଯ୍ୟଟକଙ୍କ ଆଗମନ ଆଶାତୀତ ଭାବେ ହ୍ରାସ ପାଇଛି। ପର୍ଯ୍ୟଟନ ଋତୁ ଚାଲିଥିବାରୁ ବୁଧବାର ଭଳି ଦିନରେ ୨୦ ହଜାରରୁ ଅଧିକ ପର୍ଯ୍ୟଟକଙ୍କ ଆଗମନ ଆଶା ଥିଲେ ହେଁ ପାଖାପାଖି ୧୦ଗୁଣା ହ୍ରାସ ପାଇଛି। ମାତ୍ର ୨ହଜାର ୬୧୭ ଟିକେଟ୍‌ ବିକ୍ରି ହୋଇଥିବା ବେଳେ ୧ଲକ୍ଷ ୧୮ ହଜାର ୭୨୫ ଟଙ୍କାର ରାଜସ୍ବ ଆଦାୟ ହୋଇଛି। ସେହିଭଳି ରାଜ୍ୟ ଉଦ୍ଭିଦ ଉଦ୍ୟାନ ପ୍ରବେଶ ପାଇଁ ୫୬୩ ଟିକେଟ୍‌ ବିକ୍ରି ହୋଇଥିବା ବେଳେ ୩୧ ହଜାର ୪୦ଟଙ୍କା ରାଜସ୍ବ ଆଦାୟ ହୋଇଛି।

ସମ୍ବନ୍ଧିତ ଖବର