୨ ପିକ୍‌ନିକ୍‌ ପାର୍ଟି ପିଟାପିଟି

ଧଉଳି: ଆଜି ଧଉଳି ଶାନ୍ତିସ୍ତୂପକୁ ଆସିଥିବା ଦୁଇ ପିକ୍‌ନିକ ପାର୍ଟି ପିଟାପିଟି ହୋଇଛନ୍ତି। ଫଳରେ ଉଭୟ ପକ୍ଷରୁ ୪ଜଣ ଆହତ ହୋଇଛନ୍ତି। ଏନେଇ ଧଉଳି ଥାନାରେ ଅଭିଯୋଗ ହୋଇ ନଥିଲେ ମଧ୍ୟ ପୁଲିସ ଦୁଇ ଆହତଙ୍କ ଠିକଣା ପାଇଛି। ଭୋଜିସ୍ଥଳରେ ସାଉଣ୍ଡ ବକ୍ସ ସାଉଣ୍ଡ କମ୍‌ ବେଶିକୁ ନେଇ ଦୁଇ ପକ୍ଷଙ୍କ ମଧ୍ୟରେ ଏହି ସଂଘର୍ଷ ଘଟିଥିବା ପୁଲିସ ସୂଚନା ଦେଇଛି।

ସୂଚନାନୁଯାୟୀ ଆଜି ଧଉଳି ଗାର୍ଡେନ୍‌ ନିକଟରେ କିଛି ସ୍ଥାନୀୟ ଯୁବକ ଭୋଜି କରୁଥିଲେ। ସେମାନଙ୍କ ପାଖକୁ ଲାଗି ପୁରୁଣା ଭୁବନେଶ୍ୱର ଅଞ୍ଚଳର କିଛି ଯୁବକ ଭୋଜି କରୁଥିଲେ। ସ୍ଥାନୀୟ ଯୁବକମାନେ ନିଜ ସାଉଣ୍ଡ ବକ୍ସକୁ କମ୍‌ ତୀବ୍ରତାବିଶିଷ୍ଟ ଶବ୍ଦରେ ବଜାଉଥିବା ବେଳେ ପୁରୁଣା ଭୁବନେଶ୍ୱର ଯୁବକମାନେ ଅଧିକ ସାଉଣ୍ଡରେ ବଜାଉଥିଲେ। ତେଣୁ ସାଉଣ୍ଡ କମାଇବାକୁ ଧଉଳି ଯୁବକମାନେ ଅପରପକ୍ଷକୁ ଅନୁରୋଧ କରିଥିଲେ। ମାତ୍ର ପୁରୁଣା ଭୁବନେଶ୍ବରର ଯୁବକମାନେ ସେମାନଙ୍କ କଥାକୁ କର୍ଣ୍ଣପାତ ନକରି ଆହୁରି ଅଧିକ ଜୋର୍‌ରେ ସାଉଣ୍ଡ ବକ୍ସ ବଜାଇଥିଲେ। ଏହାକୁ କେନ୍ଦ୍ର କରି ଉଭୟପକ୍ଷ ମଧ୍ୟରେ ପ୍ରଥମେ ଯୁକ୍ତିତର୍କ ହୋଇଥିଲା ଏବଂ ପରେ ସେମାନେ ହାତାହାତି ହୋଇଥିଲେ। ପିଟାପିଟି ଓ ଧସ୍ତାଧସ୍ତିରେ ଉଭୟ ପକ୍ଷରୁ ୪ଜଣ ଗୁରୁତର ଆହତ ହୋଇଥିଲେ। ଖବର ପାଇ ଧଉଳି ଥାନା ପିସିଆର୍‌ ସେଠାରେ ପହଞ୍ଚିବା ବେଳକୁ ଦୁଇ ପକ୍ଷରୁ କିଛି ଯୁବକ ପଳାଇଥିଲେ। ତେବେ ଦୁଇଜଣ ଆହତ ରହିଯାଇଥିଲେ। ପୁଲିସ ସେମାନଙ୍କୁ ହସ୍ପିଟାଲ ପଠାଇଥିଲା।

ସମ୍ବନ୍ଧିତ ଖବର