କାର୍ଯ୍ୟକ୍ଷମ ହେଲା ‘ପିକୁ’ କର୍ମଚାରୀଙ୍କ ଅଭାବ ପାଇଁ ବନ୍ଦ ହୋଇଥିଲା

ଭୁବନେଶ୍ବର: କ୍ୟାପିଟାଲ ହସ୍ପିଟାଲରେ ଶିଶୁମାନଙ୍କ ପାଇଁ ଉଦ୍ଦିଷ୍ଟ ପେଡିଆଟ୍ରିକ୍ ଆଇସିୟୁ ବା ‘ପିକୁ’ ଆଜିଠାରୁ କାର୍ଯ୍ୟକ୍ଷମ ହୋଇଛି। ଦୀର୍ଘଦିନ ପୂର୍ବରୁ ଏହାର ଉଦ୍‌ଘାଟନ ସରିଥିଲେ ହେଁ, କର୍ମଚାରୀଙ୍କ ଅଭାବ ଦୃଷ୍ଟିରୁ ଏହାକୁ ବନ୍ଦ କରି ଦିଆଯାଇଥିଲା। ତେବେ ନିକଟରେ ଏଥିପାଇଁ ଆବଶ୍ୟକ କର୍ମଚାରୀ କ୍ୟାପିଟାଲ ହସ୍ପିଟାଲ ଆସିବା ପରେ ପୁଣିଥରେ ଏହା କାର୍ଯ୍ୟ କରିବା ଆରମ୍ଭ କରିଛି। ପ୍ରଥମ ଦିନରେ ଆଜି ୪ଜଣ ଶିଶୁ ‘ପିକୁ’ରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି। କ୍ୟାପିଟାଲ ହସ୍ପିଟାଲରେ ଗତବର୍ଷ ‘ପିକୁ’ ଖୋଲିଥିଲା। ଜନ୍ମରୁ ୧୪ବର୍ଷ ପର୍ଯ୍ୟନ୍ତ ଶିଶୁ ଏଠାରେ ଚିକିତ୍ସା ପାଇପାରିବେ। ୬ ଶଯ୍ୟା ବିଶିଷ୍ଟ ଏହି ଆଇସିୟୁ ପାଇଁ ଆବଶ୍ୟକ ଷ୍ଟାଫନର୍ସଙ୍କୁ ନିଯୁକ୍ତି ଦିଆଯାଇ ନ ଥିଲା। କ୍ୟାପିଟାଲ ହସ୍ପିଟାଲର ଷ୍ଟାଫନର୍ସଙ୍କୁ ସେଠାରେ କାର୍ଯ୍ୟ କରିବା ପାଇଁ ନିର୍ଦେଶ ଦିଆଯାଇଥିଲା। ମାତ୍ର ହଠାତ୍ ହସ୍ପିଟାଲର ଅନ୍ୟାନ୍ୟ ୱାର୍ଡରେ ଷ୍ଟାଫନର୍ସଙ୍କ ଅଭାବ ଦେଖା ଦେବାରୁ ‘ପିକୁ’କୁ ବନ୍ଦ କରି ଦିଆଯାଇଥିଲା। କିଛିମାସ ଏଭଳି ବନ୍ଦ ରହିବା ପରେ ଆଜି ପୁଣିଥରେ ଏହା କାର୍ଯ୍ୟ କରିବା ଆରମ୍ଭ କରିଛି। ଏଥିପାଇଁ ୧୦ଜଣ ଷ୍ଟାଫନର୍ସ, ଜଣେ ମେଡିକାଲ ଅଧିକାରୀ ଓ ଅନ୍ୟ ବିଶେଷଜ୍ଞଙ୍କ ରାଜ୍ୟ ସରକାରଙ୍କ ପକ୍ଷରୁ ନିଯୁକ୍ତି ଦିଆଯାଇଛି। ଲୋକମାନଙ୍କୁ ଉତ୍ତମ ସ୍ବାସ୍ଥ୍ୟସେବା ପ୍ରଦାନ କରିବା ପାଇଁ ସରକାରଙ୍କ ପକ୍ଷରୁ ପ୍ରଚେଷ୍ଟା ଜାରି ରହିଥିବା କୁହାଯାଇଛି।

ଡିଇଆଇସିରେ ଖୋଲିଲା ଦନ୍ତ ଚେୟାର
କ୍ୟାପିଟାଲ ହସ୍ପିଟାଲରେ ଥିବା ଡିଷ୍ଟ୍ରିକ୍ଟ ୟର୍ଲି ଇଣ୍ଟରଭେନସନ ସେଣ୍ଟର ବା ଡାଇଆଇସିରେ ଏକ ଦନ୍ତ ଚେୟାର କାର୍ଯ୍ୟ କରିବା ଆରମ୍ଭ କରିଛି। ଏଥିପାଇଁ ଜଣେ ଦନ୍ତ ଡାକ୍ତର ଓ ଟେକ୍‌ନିସିଆନ୍ ନିଯୁକ୍ତ ହୋଇଛନ୍ତି। ଏହି କେନ୍ଦ୍ରରେ ଛୋଟ ପିଲାଙ୍କ ଦନ୍ତ, ନାକ ଓ ମସ୍ତିସ୍କର ସ୍କ୍ରିନିଂ କରାଯାଇଥାଏ। ତେବେ ‌ଡିଇଆଇସିରେ ପୂର୍ବରୁ ଦନ୍ତ ଚେୟାର ନ ଥିବା ବେଳେ ଏଥିପାଇଁ ସମସ୍ୟା ହେଉଥିଲା। ଏହାସହ ଚଳିତ ସପ୍ତାହରେ ହସ୍ପିଟାଲରେ ଥିବା କ୍ୟାନସର ଡେ‌ କେୟାର ସେଣ୍ଟରକୁ ରୋ‌ଜମେରି ‌ଗୃହକୁ ସ୍ଥାନାନ୍ତରିତ କରାଯିବ ବୋଲି ସୂଚନା ମିଳିଛି। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ଓ କର୍ମଚାରୀ ମଧ୍ୟ ନିଯୁକ୍ତ ହୋଇଥିବା ହସ୍ପିଟାଲର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର