ଭୁବନେଶ୍ୱର: ପ୍ରଦୂଷଣ ବୋର୍ଡର ନିର୍ଦ୍ଦେଶ ଅଛି ଓ ବିଏମ୍ସି ମଧ୍ୟ ନିୟମ କରିଛି, ରାସ୍ତା ଉପରେ ବା କଡ଼ରେ ନିର୍ମାଣ ସାମଗ୍ରୀ ବା ନିର୍ମାଣ ବର୍ଜ୍ୟ ଗଦା କଲେ କାର୍ଯ୍ୟାନୁଷ୍ଠାନ ହେବ। କେବଳ ସେତିକି ନୁହେଁ, ଜରିମାନା ଆଦାୟ କରାଯିବା ସହ ନିର୍ମାଣ ସାମଗ୍ରୀକୁ ଉଠାଇ ନିଆଯିବ ବୋଲି ନିୟମ ରହିଛି। ବିଏମ୍ସି ପକ୍ଷରୁ ସେଥିପାଇଁ ଗତ ୧୬ ତାରିଖରେ ଏକ ଘରୋଇ ରେସ୍ତୋରାଁରୁ ୫୦ ହଜାର ଓ ୭ ତାରିଖରେ ଜଣେ ବିଲଡର୍ଙ୍କ ନିକଟରୁ ୫ ହଜାର ଟଙ୍କା ଜରିମାନା ମଧ୍ୟ ଆଦାୟ ହୋଇଛି। କିନ୍ତୁ ସହରସାରା ଏହାର ସ୍ଥିତିରେ କିଛି ଉନ୍ନତି ଆସିନି। ଏବେ ମଧ୍ୟ ଅନେକ ସ୍ଥାନରେ ବାହାରୁଥିବା ନିର୍ମାଣ ସାମଗ୍ରୀ ରାସ୍ତାରେ ଗଦା ହେଉଛି। କେବଳ ବେସରକାରୀ ନୁହେଁ, ସରକାରୀ କାର୍ଯ୍ୟ ବା ପ୍ରକଳ୍ପରେ ମଧ୍ୟ ଏଭଳି ହେଉଥିବା ଦେଖା ଯାଉଛି। ଉଦାହରଣ ଭାବରେ ସିଆର୍ପିଛକକୁ ନିଆଯାଇପାରେ। ଏଠାରେ ତିଆରି ହେଉଥିବା ନୂଆ ଟଏଲେଟ୍ ଓ ମୁକ୍ତା ଅଧିନରେ ସୋନ୍ଦର୍ଯ୍ୟୀକରଣ କାମ ଚାଲିଛି। ଏହି କାମଯୋଗୁଁ ଗୋଟେପଟେ ରାସ୍ତା ଛୋଟ ହୋଇଯାଇଥିବା ବେଳେ ଅନ୍ୟପଟେ କାମରେ ବ୍ୟବହୃତ ହେଉଥିବା ସାମଗ୍ରୀ ସହିତ ବର୍ଜ୍ୟବସ୍ତୁ ମଧ୍ୟ ପାଖଆଖରେ ଖୋଲାମେଲା ଗଦା ହୋଇ ପଡ଼ିଛି।
ସେହିପରି ସହିଦନଗର ସ୍ଥିତ କଲ୍ୟଣମଣ୍ଡପ ସାମ୍ନା ଗଳିରେ ପାହାଡ଼ ଭଳି ଅନ୍ୟ ଆବର୍ଜନା ସହିତ ନିର୍ମାଣ ବର୍ଜ୍ୟ ଗଦା ହୋଇରହିଛି। ଆଖପାଖରେ ଯେଉଁଠୁ କାମ ହେଉଛି, ସମସ୍ତେ ଯେମିତି ବର୍ଜ୍ୟ ଆଣି ସେହିଠାରେ ହିଁ ଗଦା କରିଦେଇ ଯାଉଛନ୍ତି! ସହିଦନଗରର ହାଟ ଓ ଅନ୍ୟାନ୍ୟ ଗଳିରେ ମଧ୍ୟ ବିଭିନ୍ନ ସ୍ଥାନରେ ଏହି ବର୍ଜ୍ୟବସ୍ତୁ ଗଦା ହୋଇରହିଛି। ଏକାମ୍ର ପାର୍କ ନିକଟରେ ରାସ୍ତାକାମ ଅନେକ ଦିନ ଧରି ଚାଲୁଥିବାରୁ ରାସ୍ତା ନିର୍ମାଣ ସାମଗ୍ରୀ ସହିତ ବର୍ଜ୍ୟ ଗଦାହୋଇ ଟ୍ରାଫିକ ସମସ୍ୟାକୁ ଆହୁରି ବଢ଼େଇ ଦେଇଛି। ବିଶେଷ କରି ସନ୍ଧ୍ୟା ସମୟରେ ଏକାମ୍ର ପାର୍କ ଛକରୁ ଜୟଦେବ ବିହାର ଛକକୁ ଗାଡ଼ିରେ ଆସିବାଲାଗି ଅଧଘଣ୍ଟା ଲାଗିଯାଉଛି। ବାପୁଜୀ ନଗର ଓ ଖାରବେଳ ନଗର ଆଦି ଅଞ୍ଚଳରେ କନ୍ଜର୍ଭେନ୍ସି ଲେନ୍ କାମ ଚାଲୁଥିବାରୁ ସେ ଅଞ୍ଚଳର ବିଭିନ୍ନ ସ୍ଥାନରେ ନିର୍ମାଣ ସାମଗ୍ରୀ ପଡ଼ିରହିଛି। ନୂଆସାହିରୁ ଜାଗମରା ଯାଇଥିବା ରାସ୍ତାର ମଧ୍ୟ ସମାନ ସ୍ଥିତି। ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନ କାମ କରି ରାସ୍ତାରେ ଆବର୍ଜନା ପକାଇ ଦେଇଛନ୍ତି। ଶତାବ୍ଦୀ ନଗର, ଡେଲଟା ଛକରେ ମଧ୍ୟ ବିଭିନ୍ନ ସ୍ଥାନରେ ଏହି ବର୍ଜ୍ୟବସ୍ତୁ ଗଦା ହୋଇରହିଛି। ଏହି ଆବର୍ଜନାଗୁଡ଼ିକୁ ହଟାଇବା ପାଇଁ ସମସ୍ତେ ବିଏମ୍ସିକୁ ଅନେଇଛନ୍ତି। ବିଏମ୍ସି ଠିକାସଂସ୍ଥାଙ୍କୁ ଦାୟିତ୍ବ ଦେଇ ବସି ଯାଇଛି। ସ୍ଥିତି ଦିନକୁ ଦିନ ଖରାପ ହୋଇ ଚାଲିଛି। ଏଥିରେ କିଛି ସୁଧାର ହେବାର ଆଶା ଦେଖା ଯାଉନି, କାରଣ ସହରର ସବୁ ଅଞ୍ଚଳରେ ନିର୍ମାଣ କାମ ବଢ଼ି ଚାଲିଛି।
ଏ ବିଷୟରେ ସହିଦନଗରରେ ରହୁଥିବା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ନବଘନ ମିଶ୍ର କହିଲେ, ‘‘ଠିକାସଂସ୍ଥା ଠିକ୍ରେ କାମ କଲେ ସୁଦ୍ଧା ସ୍ଥିତିରେ ବିଶେଷ ଉନ୍ନତି ହେବନାହିଁ। କାରଣ ଲୋକେ ସଚେତନ ବା ଦାୟିତ୍ବବାନ ନୁହନ୍ତି। ପ୍ରଥମତଃ ଲୋକେ ସଚେତନ ହୋଇ ନିଜ କର୍ତ୍ତବ୍ୟ କରିବା ଉଚିତ। ତା’ପରେ ଯେଉଁମାନେ ତାହା କରୁ ନାହାନ୍ତି ବା କରିବାକୁ ରାଜି ନୁହନ୍ତି, ସେମାନଙ୍କୁ ବାଟକୁ ଆଣିବାଲାଗି କଡ଼ା ନିୟମ କରାଯିବା ଉଚିତ। ଏ ବାବଦରେ ସରକାରୀ ଓ ବେସରକାରୀ କାମ ଭିତରେ କିଛି ପାତରଅନ୍ତର ହେବା ଉଚିତ ନୁହେଁ।’’