ଭୁବନେଶ୍ବର: ବିଏମ୍ସି ଓ ସୁନ୍ଦରଗଡ଼ ଜିଲ୍ଲାର ହେମଗିରରେ ପଞ୍ଚାୟତ ଓ ୱାର୍ଡର ଡିଜିଟାଲ ତଥ୍ୟ ସଂଗ୍ରହ ହେବ। ଜାତୀୟ ଭୂସ୍ଥାନିକ ତଥ୍ୟ ସଂସ୍ଥାପନା ବା ଏନ୍ଏଫ୍ଏସ୍ଡି ଜରିଆରେ ପାଇଲଟ୍ ପ୍ରକଳ୍ପ ଜରିଆରେ ଏହି ଦୁଇ ସ୍ଥାନରେ ସର୍ବେକ୍ଷଣ କରାଯିବ। ପରବର୍ତୀ ସମୟରେ ଏହି ତଥ୍ୟ ଏକ ପୋର୍ଟାଲରେ ଛାଡ଼ି ଦିଆଯିବ। ଫଳରେ ସରକାରଙ୍କ ପକ୍ଷରୁ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଲୋକାଭିମୁଖୀ ଯୋଜନା ଠିକ୍ ଭାବେ ଚାଲିଛି କି ନାହିଁ, ତାହା ସ୍ପଷ୍ଟ ହୋଇପାରିବ। ଆସନ୍ତା ୨ ବର୍ଷ ମଧ୍ୟରେ ଏହାର କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ପରବର୍ତୀ ସମୟରେ ରାଜ୍ୟର ଅନ୍ୟାନ୍ୟ ସ୍ଥାନରେ ଏହା କାର୍ଯ୍ୟକାରୀ କରାଯିବ ବୋଲି କହିଛନ୍ତି ଓଡ଼ିଶା ମହାକାଶ ଉପଯୋଗ କେନ୍ଦ୍ର ବା ଓରସାକ୍ର ବୈଜ୍ଞାନିକ ପି.କେ ପରିଡ଼ା। ଶ୍ରୀ ପରିଡ଼ାଙ୍କ କହିବାନୁଯାୟୀ, ବିଏମ୍ସି ସହରାଞ୍ଚଳ ଓ ହେମଗିର ଗ୍ରାମାଞ୍ଚଳକୁ ପ୍ରଥମ ପର୍ଯ୍ୟାୟରେ ସାମିଲ କରାଯାଇଛି। କେନ୍ଦ୍ର ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ପକ୍ଷରୁ ଏଥିପାଇଁ ସହାୟତା ଯୋଗାଇ ଦିଆଯିବ। ଏଥିରେ ଆକାଶ ମାର୍ଗରୁ ଚିତ୍ର ଉତ୍ତୋଳନ କରାଯିବା ସହ ପରବର୍ତୀ ସମୟରେ ଏହାକୁ ଥ୍ରିଡି ଚିତ୍ରରେ ପରିଣତ କରାଯିବ। ଏହାର ସଠିକତା ୧୦ସେମି ରହିବ। ବିଭିନ୍ନ ସାଟେଲାଇଟ୍ ଜରିଆରେ ମହାକାଶରୁ ନିଆଯାଉଥିବା ଚିତ୍ରର ସଠିକତା ସର୍ବାଧିକ ୩୦ ସେମି ରହିଛି। ମାତ୍ର ଏନ୍ଏଫ୍ଏସ୍ଡିରେ ଅଧିକ ଠିକଣା ଭାବେ ତଥ୍ୟ ମିଳି ପାରିବ। ଏଥିପାଇଁ ବିମାନ, ଡ୍ରୋନ୍ର ସହୟତାରେ ଏହି ଫଟୋ ସଂଗ୍ରହ ହେବ। ରାଜ୍ୟର ସମସ୍ତ ବିଭାଗର ତଥ୍ୟ ଏଥିରେ ରହିବ। ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଭିନ୍ନ ଲୋକାଭିମୁଖୀ ଯୋଜନା କାର୍ଯ୍ୟକାରୀ ହେଉଛି। ତେବେ ଅନେକ ସମୟରେ ଏହାର ତଦାରଖରେ ସମସ୍ୟା ଦେଖା ଦେଉଛି। ତେବେ ଏନ୍ଏଫ୍ଏସ୍ଡିରେ ଏହି ସମସ୍ୟା ରହିବ ନାହିଁ। ଯେଉଁ ହିତାଧିକାରୀ ସରକାରୀ ଯୋଜନାରେ ଫାଇଦା ପାଇଛନ୍ତି, ସେମାନଙ୍କୁ ଏହାର ପ୍ରମାଣ ଦେବାକୁ ପଡ଼ିବ ନାହିଁ। ଥରେ ଚିତ୍ର ଉତ୍ତୋଳନ କରାଯିବା ପରେ କେଉଁ କେଉଁ ସ୍ଥାନରେ ସରକାରୀ ଯୋଜନାଗୁଡ଼ିକ କାର୍ଯ୍ୟକାରୀ ହେଉଛି, ତାହା ଏଥିରେ ସ୍ଥାନ ପାଇବ। ଫଳରେ ସରକାରୀ ଅଧିକାରୀମାନେ ସେ ସ୍ଥାନକୁ ନ ଯାଇ ମଧ୍ୟ ସରକାରୀ ଯୋଜନା ସଂପର୍କରେ ତଥ୍ୟ ପାଇପାରିବେ। ଏହାସହ ଏକ ଆପ୍ ଜରିଆରେ ଲୋକମାନେ ଚାହିଲେ ଯେଉଁ ସେବା ପାଇଛନ୍ତି, ତାହାର ଫଟୋ ଉତ୍ତୋଳନ କରି ଏଥିରେ ପଠାଇପାରିବେ। ଏହି ପାଇଲଟ୍ ପ୍ରକଳ୍ପ ପାଇଁ କେନ୍ଦ୍ର ସରକାରଙ୍କୁ ୬/୭ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି। ଅର୍ଥ ମଞ୍ଜୁର ହେବା ପରେ କାର୍ଯ୍ୟ ତ୍ବରାନ୍ବିତ ହେବ। ଏହି କାର୍ଯ୍ୟକ୍ରମ ଦେଶର ସମସ୍ତ ରାଜ୍ୟରେ କରାଯିବ ବୋଲି ଶ୍ରୀ ପରିଡ଼ା ସୂଚନା ଦେଇଛନ୍ତି।
ରାଜଧାନୀ ଓ ହେମଗିରରେ ହେବ ଭୂସ୍ଥାନିକ ତଥ୍ୟ ସଂସ୍ଥାପନା
୨ବର୍ଷରେ ଶେଷ ହେବ ପାଇଲଟ୍ ପ୍ରକଳ୍ପ
/sambad/media/post_attachments/wp-content/uploads/2018/10/BMC.jpg)
Advertisment

Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)