ୟୁନିଟ୍‌-୧ ହାଟରେ ୫୦୭ ପିଣ୍ଡିର ବେଆଇନ ମ୍ୟୁଟେସନ୍‌ ଘଟଣା: କୋଟି କୋଟି ଟଙ୍କା ଲାଞ୍ଚ କାରବାର ଅଭିଯୋଗ

ତଦନ୍ତ ନିର୍ଦ୍ଦେଶ ଦେଲେ କମିସନର୍‌

ଭୁବନେଶ୍ୱର : ୟୁନିଟ୍‌-୧ ହାଟରେ ୫୦୭ ପିଣ୍ଡିର ବେଆଇନ ମ୍ୟୁଟେସନ୍‌ ଘଟଣା ନୂଆ ମୋଡ଼ ନେଇଛି। ଗତ ମାସ ୨୫ ତାରିଖରେ ‘ସମ୍ବାଦ’ରେ ପ୍ରକାଶିତ ବିସ୍ତୃତ ଖବରକୁ ଆଧାର କରି ବିନାୟକ ରଥ ନାମକ ଜଣେ ବ୍ୟକ୍ତି ବିଏମ୍‌ସି କମିସନରଙ୍କୁ ଅଭିଯୋଗ କରିଛନ୍ତି। ଘଟଣାର ତଦନ୍ତ କରି ଦୋଷୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସ‌େ ଦାବି କରିଛନ୍ତି। ତାଙ୍କ ଅଭିଯୋଗ ଅନୁଯାୟୀ, ହାଟ ପିଣ୍ଡିକୁ ମ୍ୟୁଟେସନ୍‌ କରି ବ୍ୟବସାୟୀଙ୍କ ନାମରେ ଆଲଟ୍‌ କରିବା ସଂପୂର୍ଣ୍ଣ ଭାବେ ବେଆଇନ୍‌। ଏଥିପାଇଁ ମୋଟା ଅଙ୍କର ଲାଞ୍ଚ କାରବାର ହୋଇଥିବା ସେ ଅଭିଯୋଗରେ ଦର୍ଶାଇଛନ୍ତି। କମିସନର୍‌ ବିଜୟ ଅମୃତା କୁଲାଙ୍ଗେ ଅଭିଯୋଗକୁ ଗୁରୁତ୍ବର ସହ ନେଇ ଏହାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସଂପୂର୍ଣ୍ଣ ବିବରଣୀ ସହ ଉପସ୍ଥିତ ହୋଇ ଉତ୍ତର ରଖିବାକୁ ସେ ଡେପୁଟି କମିସନର୍‌ (ମାର୍କେଟ୍‌) ପ୍ରମୋଦ ପୃଷ୍ଟିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଅପରପକ୍ଷେ ଅଭିଯୋଗକାରୀ ଶ୍ରୀ ରଥ ଏହି ଘଟଣାରେ ଲୋକାୟୁକ୍ତଙ୍କ ଦ୍ବାରସ୍ଥ ହେବେ ବୋଲି କହିଛନ୍ତି। ଫଳରେ ଦାୟିତ୍ବରେ ଥିବା ଅଧିକାରୀଙ୍କ ଚିନ୍ତା ବଢ଼ିଯାଇଛି।

Sambad English

ଶ୍ରୀ ରଥଙ୍କ ଅଭିଯୋଗ ମୁତାବକ, ୟୁନିଟ୍‌-୧ ମାର୍କେଟ୍‌ ଗଢ଼ି ଉଠିଥିବା ଜମିର ମାଲିକ ସରକାରଙ୍କ ଜିଏ ବିଭାଗ। ୧୯୮୪ ମସିହାରେ ଜିଏ ବିଭାଗ ଏହି ମାର୍କେଟ୍‌ର ରକ୍ଷଣାବେକ୍ଷଣ ଓ ଭଡ଼ା ଆଦାୟ ଦାୟିତ୍ବ ବିଏମ୍‌ସିକୁ ଦେଇଥିଲା। କୌଣସି ଦୋକାନୀଙ୍କ ନାମରେ ମ୍ୟୁଟେସନ୍‌ ହୋଇପାରିବ ନାହିଁ ବୋଲି ସର୍ତ୍ତ ରଖିଥିଲା। କିନ୍ତୁ ନିର୍ବାଚିତ ଜନପ୍ରତିନିଧି ନଥିବାର ସୁଯୋଗ ନେଇ ଅଧିକାରୀମାନେ ୨୦୧୯ରୁ ୨୦୨୧ ମଧ୍ୟରେ ତିନିଦଫାରେ ଏଭଳି ବେଆଇନ କାମ କରିଛନ୍ତି। ନିୟମ ମୁତବାକ, ଏହି ମାର୍କେଟ୍‌ର ସବୁ ବ୍ୟବସାୟୀ ‘ଲାଇସେନ୍ସ ହୋଲ୍ଡର୍‌’। ଲାଇସେନ୍ସ କାହା ନାମକୁ ସ୍ଥାନାନ୍ତର କରାଯାଇପାରିବ ନାହିଁ। କିନ୍ତୁ ଅଧିକାରୀମାନେ ୫୦ଟି ପିଣ୍ଡିକୁ ବେଆଇନ ଭାବେ ମ୍ୟୁଟେସନ୍‌ କରି ଦୋକାନୀଙ୍କୁ ପିଣ୍ଡିଗୁଡ଼ିକ ‘ଆଲଟ୍‌’ କରିଦେଇଛନ୍ତି। ଚୁକ୍ତି କଲା ବେଳେ ‘ଲାଇସେନ୍ସ ହୋଲ୍ଡର୍‌’ ଶବ୍ଦକୁ ହଟାଇ ‘ଆଲଟି’ ଶବ୍ଦ ବ୍ୟବହାର କରାଯାଇଛି। ଏଥିପାଇଁ ପିଣ୍ଡି ପିଛା ୪୦ହଜାର ଲେଖାଏଁ ହିସାବରେ ପ୍ରାୟ ୨ କୋଟି ଟଙ୍କା ଲାଞ୍ଚ କାରବାର ହୋଇଛି ବୋଲି ସେ ଅଭିଯୋଗ କରିଛନ୍ତି।

ସୂଚନାଯୋଗ୍ୟ, ପୂର୍ବରୁ ଝାରପଡ଼ା ଗଣେଶ ମାର୍କେଟ୍‌ରେ ଦୋକାନୀଙ୍କ ସର୍ଭେ ଓ ଭିଏସ୍‌ଏସ୍‌ ନଗର ହାଟରେ ଦୋକାନୀଙ୍କ ସଂଖ୍ୟାକୁ ନେଇ ବିଏମ୍‌ସିର ମାର୍କେଟ୍‌ ଉପବିଭାଗ ବିବାଦରେ ରହିଥିଲା। ନିକଟ ଅତୀତରେ ମାର୍କେଟ୍‌ ପରିଚାଳନା ଦାୟିତ୍ବ ମାର୍କେଟ୍‌ ଉପବିଭାଗରୁ ହଟାଯାଇ ସମ୍ପୃକ୍ତ ଜୋନାଲ ଡେପୁଟି କମିସନର(ଜେଡ୍‌ଡିସି)ମାନଙ୍କୁ ଦିଆଯାଇଥିଲା। ଏହା ପରେ ପରେ ଅତିରିକ୍ତ କମିସନର ଭାବେ ଆଇଏଏସ୍‌ ଅଫିସର ସୂର୍ଯ୍ୟବଂଶୀ ମୟୂର ବିକାଶ କାର୍ଯ୍ୟରେ ଯୋଗ ଦେବା ପରେ ଅତିରିକ୍ତ କମିସନର ବିନୟ କୁମାର ଦାସଙ୍କୁ ମାର୍କେଟ୍‌ ଦାୟିତ୍ବରୁ ହଟାଯାଇ ଶ୍ରୀ ମୟୂରଙ୍କୁ ଦିଆଯାଇଥିଲା। କିନ୍ତୁ ମାର୍କେଟ୍‌ ଦାୟିତ୍ବରେ ଥିବା ଡେପୁଟି କମିସନର ପ୍ରମୋଦ ପୃଷ୍ଟିଙ୍କୁ ତାଙ୍କ ସ୍ଥାନରୁ ହଟା ଯାଇନାହିଁ।

ସମ୍ବନ୍ଧିତ ଖବର