କ୍ୟାନସର୍‌ ପୀଡ଼ିତ ପିଣ୍ଟୁର ଚିକିତ୍ସା ଆରମ୍ଭ; ‘ସମ୍ବାଦ’କୁ ଧନ୍ୟବାଦ ଦେଲେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ବର: ମୁଖ କର୍କଟ ରୋଗରେ ପୀଡ଼ିତ କଟକ ନିଆଳି ଥାନା ବିଳାଶୁଣି ଗାଁର ପିଣ୍ଟୁ ଭୋଇ(୨୫)ଙ୍କ ଚିକିତ୍ସା ବ୍ୟବସ୍ଥା କରାଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର। ଏବେ ପିଣ୍ଟୁଙ୍କୁ କଟକ ଆଚାର୍ଯ୍ୟ ହରିହର ଆଞ୍ଚଳିକ କ୍ୟାନ୍‌ସର ଗବେଷଣା କେନ୍ଦ୍ର ଓ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ଓ ତାଙ୍କ ଚିକିତ୍ସା ଆରମ୍ଭ କରାଯାଇଛି। ଓରାଲ୍‌ କେମୋଥେରାପି, ରେଡିଏସନ୍‌ ଓ ସର୍ଜରି ପାଇଁ ଆବଶ୍ୟକ ପରୀକ୍ଷାନିରୀକ୍ଷା କରାଯାଉଛି। ଗରିବ ପିଣ୍ଟୁଙ୍କ ଏହି ଦୁର୍ଦ୍ଦଶାର କାହାଣୀ ପ୍ରକାଶ କରି ଲୋକଲୋଚନକୁ ଆଣିଥିବାରୁ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ‘ସମ୍ବାଦ’କୁ ଧନ୍ୟବାଦ ଜଣାଇବା ସହ ଚିକିତ୍ସା କରୁଥିବା ସମସ୍ତ ଡାକ୍ତର ଓ କର୍ମଚାରୀଙ୍କୁ ସାଧୁବାଦ ଜଣାଇଛନ୍ତି।

ପିଲାଟି ଦିନରୁ ବାପାଙ୍କୁ ହରାଇଥିବା ପିଣ୍ଟୁ ମୂଲପାତି ଲାଗି ବୃଦ୍ଧା ମା’ଙ୍କର ଯତ୍ନ ନେଉଥିଲେ। ମାତ୍ର ହଠାତ୍ ସେ ମୁଖ କର୍କଟ ରୋଗରେ ପୀଡ଼ିତ ହେବା ପରେ ତାଙ୍କ ପରିବାର ଉପରେ ଅକାଳ ଚଡ଼କ ପଡ଼ିଥିଲା। ଗୁଟ୍‌ଖା ଖାଇବାରୁ ତାଙ୍କ ଗାଲରେ କଣା ହୋଇଯାଇଥିଲା। ପ୍ରଥମେ କଟକ ବଡ଼ ମେଡିକାଲ ଓ ପରେ ସେ ଆଚାର୍ଯ୍ୟ ହରିହର କ୍ୟାନ୍‌ସର ହସ୍ପିଟାଲକୁ ଯାଇଥିଲେ। ମାତ୍ର ଅପରେସନ୍ ଜରୁରୀ ହୋଇପଡ଼ିଥିବା ବେଳେ ଅର୍ଥାଭାବ ପାଇଁ ସେ ମେଡିକାଲ ବାରଣ୍ଡାରେ ପଡ଼ି ଛଟପଟ ହେଉଥିଲେ। ଏ ନେଇ ଗତ ୪ ତାରିଖରେ ‘ସମ୍ବାଦ’ରେ ‘କଣା ହୋଇଗଲାଣି ଗାଲ, ଯନ୍ତ୍ରଣା ସହି ପାରୁନି ପିଣ୍ଟୁ’ ଶୀର୍ଷକରେ ଏକ ଖବର ପ୍ରକାଶ ପାଇଥିଲା। ଏହି ଖବର ଦୃଷ୍ଟିକୁ ଆସିବା ମାତ୍ରେ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ତୁରନ୍ତ କ୍ୟାନ୍‌ସର ହସ୍ପିଟାଲ୍‌ କର୍ତ୍ତୃପକ୍ଷଙ୍କୁ ପିଣ୍ଟୁଙ୍କ ଚିକିତ୍ସା ପାଇଁ ନିର୍ଦ୍ଦେଶ ଦେଇଥିଲେ। ତେଣୁ ନିର୍ଦ୍ଦେଶକ ଡାକ୍ତର ଏଲ୍‌ ଷଡ଼ଙ୍ଗୀ ତୁରନ୍ତ ପିଣ୍ଟୁଙ୍କୁ ଠାବ କରି ଚିକିତ୍ସା ପାଇଁ ସମସ୍ତ ପଦ‌କ୍ଷେପ ଗ୍ରହଣ କରିଛନ୍ତି।

ସମ୍ବନ୍ଧିତ ଖବର