ଉପାଡ଼ି ନେଇଗଲେ ପାଇପ୍‌ ଡିଭାଇଡର୍‌, ଶିଶୁଭବନ ଓଭରବ୍ରିଜ୍‌ରେ ପୁଣି ଟ୍ରାଫିକ୍ ଜାମ୍‌

ଭୁବନେଶ୍ବର: ଶିଶୁଭବନ ଛକ ଓଭରବ୍ରିଜରେ ପୁଣି ଟ୍ରାଫିକ୍ ବିଶୃଙ୍ଖଳା ସୃଷ୍ଟି ହୋଇଛି। ୪ ମାସ ତଳେ ଟ୍ରାଫିକ୍‌ ନିୟନ୍ତ୍ରଣ ପାଇଁ ଏଠାରେ ତିଆରି କରାଯାଇଥିବା ଲୁହା ପାଇପ୍ ଡିଭାଇଡର୍‌କୁ କେହି ଉପାଡ଼ି ନେଇଯାଇଥିବାରୁ ସେଠ‌ାରେ ପୁଣି ଟ୍ରାଫିକ୍ ଜାମ୍‌ ସମସ୍ୟା ଉପୁଜିଛି। ରାଜଧାନୀର ଏକ ପ୍ରମୁଖ ରାସ୍ତା ଉପରୁ ଟ୍ରାଫିକ୍‌ ପକ୍ଷରୁ ଲଗାଯାଇଥିବା ଲୁହା ପାଇପ୍‌ ସବୁକୁ କେହି କିଭଳି ଉପାଡ଼ି ନେଲା ଓ ପୁଲିସ ନଜରରେ ପଡ଼ିଲାନି, ତାହାକୁ ନେଇ ଚର୍ଚ୍ଚା ହେଉଛି।

ସୂଚନାଯୋଗ୍ୟ, ଶିଶୁଭବନ ଛକରେ ଟ୍ରାଫିକ୍‌ ସମସ୍ୟାକୁ ନିୟନ୍ତ୍ରଣ କରିବାକୁ ଚାରି ମାସ ପୂର୍ବେ ଲୁହା ପାଇପ୍‌ ଡିଭାଇଡର୍‌ ଲଗାଯାଇଥିଲା। ଫଳରେ ବାପୁଜୀନଗର ପଟୁ ଓଭରବ୍ରିଜ୍‌ ଚଢ଼ୁଥିବା ଯାନବାହାନକୁ ସହଜରେ ରାସ୍ତା ମିଳି ଯାଉଥିଲା। ସେହିଭଳି ମାଉସୀ ମା’ ଛକରୁ ଏହି ଓଭରବ୍ରିଜ୍‌ ଦେଇ ଆସୁଥିବା ଗାଡ଼ିମଟର ମଧ୍ୟ ଗୋଟିଏ ଲାଇନ୍‌ରେ ରହିବାକୁ ବାଧ୍ୟ ହେଉଥିଲେ। ଫଳରେ ଟ୍ରାଫିକ୍‌ ଜାମ୍‌ ବହୁ ପରିମାଣରେ ନିୟନ୍ତ୍ରଣ ହୋଇପାରିଥିଲା।

କିନ୍ତୁ ଏବେ ଏହି ଡିଭାଇଡର୍‌କୁ କେହି ଉପାଡ଼ି ନେବା ପରେ ପୁଣି ପୂର୍ବାବସ୍ଥା ଫେରିଛି। ଫଳରେ ଏଠାରେ ସବୁବେଳେ ଟ୍ରାଫିକ୍‌ ଜାମ୍ ରହୁଛି। ତେଣୁ କ୍ୟାପିଟାଲ ହସ୍ପିଟାଲକୁ ପୁରୁଣା ଭୁବନେଶ୍ବର ସମେୁତ ପୁରୀ, ବାଲିଅନ୍ତା ଓ ବାଲିପାଟଣାରୁ ଆସୁଥିବା ଆମ୍ବୁଲାନ୍ସଗୁଡ଼ିକ ଏଠାରେ ବହୁ ସମୟ ପର୍ଯ୍ୟନ୍ତ ଫସି ରହିବାକୁ ବାଧ୍ୟ ହେଉଛନ୍ତି। ଲୁହା ପାଇପ୍‌ ସବୁ ଚୋରି ହେବା ପରେ ଏହାର ମରାମତି କରାଯାଇନାହିଁ। ଫଳରେ ରାସ୍ତା ଉପରେ ଲଗାଯାଇଥିବା କଣ୍ଟାଗୁଡ଼ିକ ସେମିତି ଉପରକୁ ବାହାରି ରହିଛି। ଏହା ଦ୍ବାରା ଗାଡ଼ି ଚକ ଲିକ୍ ହୋଇଯାଉଛି ବୋଲି ଅଭିଯୋଗ ହେଉଛି। ତୁରନ୍ତ ଏଠାରେ ନୂଆ ଡିଭାଇଡର୍ ଲଗାଇବାକୁ ଦାବି ହେଉଛି।

ସମ୍ବନ୍ଧିତ ଖବର