ଖଣ୍ଡଗିରି: ରାଜଧାନୀ ଉପକଣ୍ଠ ତମାଣ୍ଡୋ ପଞ୍ଚାୟତ ଅନ୍ତର୍ଗତ ନୂଆସାହିରେ ଏବେ ବି ପାଇପ୍ ପାଣି ସାତ ସପନ ହୋଇଛି। ଆଶା ଥିଲା ୨୦୨୪ ମସିହା ଗ୍ରୀଷ୍ମଋତୁରେ ଏହି ଅପହଞ୍ଚ ପଞ୍ଚାୟତରେ ପାନୀୟ ଜଳ ପହଞ୍ଚିଯିବ। ଏହି ଲକ୍ଷ୍ୟ ନେଇ ଜଳ ଯୋଗାଣ ପାଇଁ ପାଇପ୍ ବିଛା ଯାଇଛି। ହେଲେ ପାଣି ଟାଙ୍କି ନିର୍ମାଣ ଶେଷ ହୋଇନାହିଁ। ଟାଙ୍କି ନିର୍ମାଣ କେବେ ସରିବ ସେ ନେଇ କୌଣସି ସ୍ପଷ୍ଟ ସୂଚନା ମଧ୍ୟ ନାହିଁ। ତେଣୁ ପାଇପ୍ ବିଛା ଯାଇଥିଲେ ହେଁ ଜଳ ଯୋଗାଣ ହୋଇ ପାରିବ ନାହିଁ ବୋଲି ଏକପ୍ରକାର ସ୍ପଷ୍ଟ ହୋଇଛି। ଏଥିଯୋଗୁ ଚଳିତ ଖରାଦିନରେ ମଧ୍ୟ ସ୍ଥିତି ବିକଟ ହେବ ବୋଲି ୱାର୍ଡ ସଦସ୍ୟ ବିଜୟ ସ୍ବାଇଁ କହିଛନ୍ତି। ଅପରପକ୍ଷରେ ଚଳିତ ବର୍ଷ ଶେଷ ସୁଦ୍ଧା ଡେରାସରୁ ସମସ୍ତଙ୍କ ଘରକୁ ଜଳ ଯୋଗାଣ ବ୍ୟବସ୍ଥା ହେବାନେଇ ସମସ୍ତେ ଖୁସି ବ୍ୟକ୍ତ କରିଛନ୍ତି। ସ୍ଥାନୀୟ ଅଧିବାସୀଙ୍କ ଅନୁସାରେ, ନୂଆସାହିରେ ପ୍ରାୟ ୧୫ ବର୍ଷ ପୂର୍ବରୁ ଜଗନ୍ନାଥ ମନ୍ଦିରରୁ ପାଣି ପାଇପ ବିଛାଯାଇ ଥିଲା। କିନ୍ତୁ ଗୋଟିଏ ଦିନ ପାଇଁ ପାଣି ଆସି ବନ୍ଦ ହୋଇଗଲା। ବ୍ଲକ, ପଞ୍ଚାୟତ କିମ୍ବା ଆରଡବ୍ଲୁଏସଏସର ପ୍ରତିନିଧି ଆସି ଏହାର କାରଣ ବି ଖୋଜିଲେ ନାହିଁ। ଆଜି ଏତେ ବର୍ଷ ପରେ ସେହି ପାଇପ୍ ଅସ୍ତିତ୍ବ ହରାଇ ସାରିଛି। ଏଣେ ପାଣି ପାଇଁ ଏଠାରେ ଥିବା ୪ଟି ନଳକୂଅରୁ ୨ଟି କାର୍ଯ୍ୟକ୍ଷମ ରହିଛି। ଯାହା ଲୋକଙ୍କ ଶୋଷକୁ ମେଣ୍ଟାଇବାରେ ଅସମର୍ଥ। ଅଧିକାଂଶ ସମୟରେ ଏହା ଖରାପ ହୋଇଯାଏ। କୂଅ ମଧ୍ୟ ଭାଙ୍ଗି ଯାଇଛି। ତା’ର ସ୍ଥିତି ଏଭଳି ଯେ ଏହାର ପାଣି ପିଇବା ପାଇଁ ଉପଯୋଗୀ ନୁହେଁ। ଖରା ଦିନରେ କୂଅ ପାଣି ଶୁଖିଯାଉଥିବାରୁ ଅନ୍ୟସ୍ଥାନକୁ ଯିବାକୁ ପଡ଼ୁଛି। ପାଣି ଯୋଗାଣର ବିକଟ ସ୍ଥିତି ଯୋଗୁଁ ପ୍ରତ୍ୟେକ ପରିବାରର ନିଜସ୍ବ ନଳକୂଅ କିମ୍ବା କୂଅ ଅଛି। ଖରା ଦିନରେ ସେମାନଙ୍କୁ ମଧ୍ୟ ପାଣି କିଣି ପିଇବାକୁ ହୁଏ। ଏଥିପାଇଁ ମହିଳାମାନେ ହିଁ ସର୍ବାଧିକ ଦହଗଞ୍ଜ ହେଉଛନ୍ତି। ଗତ ନିର୍ବାଚନରେ ପାଣି ସମସ୍ୟା ସ୍ଥାନୀୟ ଅଞ୍ଚଳବାସୀଙ୍କ ପାଇଁ ମୁଖ୍ୟ ପ୍ରସଙ୍ଗ ଥିଲା। ଚଳିତ ନିର୍ବାଚନ ବେଳକୁ ପାଣି ଆସିନଥିଲେ ମଧ୍ୟ ପାଣି ପାଇପ ପଡ଼ି ଯାଇଥିବାରୁ ଲୋକେ ଆଶ୍ବସ୍ତ ଅଛନ୍ତି।
ଏମ୍ସ ଡାକ୍ତରଖାନା ପଛପଟ ଏହି ଅଞ୍ଚଳ। ଗଳି ରାସ୍ତା ଦେଇ ଗଲା ବେଳକୁ ମାତ୍ର କିଛି ମିଟର ବ୍ୟବଧାନରେ ଏହି ଅଞ୍ଚଳର ନାମ ବଦଳି ଯାଏ। କିଛି ସ୍ଥାନକୁ ଛୋଟରାୟପୁର ତା’ପରେ ସୁଆଙ୍ଗ ଏବଂ କିଛି ଅଞ୍ଚଳକୁ ସିଜୁଆ କୁହାଯାଏ। ଠିକ ନାମ ଭଳି ଏହି ଅଞ୍ଚଳ ବିଏମସି କି ପଞ୍ଚାୟତ କାହାର ଅଧୀନରେ ଯାଉଛି ତାକୁ ନେଇ ଦ୍ବନ୍ଦ୍ବ। ଏମ୍ସ ପର୍ଯ୍ୟନ୍ତ ସ୍ଥାନ ବିଏମ୍ସି ଅନ୍ତର୍ଗତ। ସିଜୁଆ ଓ ଛୋଟରାୟପୁର ପଞ୍ଚାୟତ ଅଧୀନରେ ଯାଉଛି। ଏହି ଛୋଟ ସ୍ଥାନରେ କିଛି ବ୍ୟକ୍ତି ଜମି କିଣି ଘର କରି ରହିଛନ୍ତି। ନୂତନ ସହର ଭାବରେ ଏହା ବିକଶିତ ହେଉଛି। ତେଣୁ ପଞ୍ଚାୟତ ଅନ୍ତର୍ଗତରେ ଯାଉ ନଥିବାରୁ ପଞ୍ଚାୟତ ଜଳ ଯୋଗାଣ ପ୍ରକଳ୍ପରେ ଏହି ଅଞ୍ଚଳକୁ ସାମିଲ କରାଯାଇ ନାହିଁ। ବିଏମ୍ସି ପ୍ରକଳ୍ପ ଅନ୍ତର୍ଗତରେ ମଧ୍ୟ ସାମିଲ ନୁହନ୍ତି। ଏଣୁ ସ୍ଥାନୀୟ ଅଧିବାସୀ କୂଅ ପାଣି ଉପରେ ନିର୍ଭରଶୀଳ। ଖରା ଦିନରେ ଏହା ଶୁଖିଯାଉଥିବାରୁ ଅବସ୍ଥା ବିକଟ ହୋଇଯାଏ।