ପିପିଲିରେ ବିଜେଡି ମଙ୍ଗ କାହା ହାତକୁ ଯିବ, ପତ୍ନୀ ନା ପୁଅ?

ସାମାଜିକ କାର୍ଯ୍ୟକ୍ରମରେ ଯୋଗ ଦେଉଛନ୍ତି ମହାରଥୀଙ୍କ ପତ୍ନୀ ପ୍ରତିଭା

ପିପିଲି: ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ଦେହାନ୍ତ ପରେ ପିପିଲିରେ ବିଜେଡିର ଏକ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି। କିଏ ଦଳ ସମ୍ଭାଳି‌ବେ ବୋଲି ସ୍ଥାନୀୟ ଛାମୁଆ ନେତା ଓ ପଂଚାୟତ ସ୍ତରୀୟ ନିର୍ବାଚିତ ଜନପ୍ରତିନିଧିଙ୍କ ମଧ୍ୟରେ ଚିନ୍ତା ବଢ଼ିଥିବା ବେଳେ ପିପିଲିରେ ବିଜେଡିର ମଙ୍ଗ ସ୍ବର୍ଗତ ମହାରଥୀଙ୍କ ପତ୍ନୀ ପ୍ରତିଭା ଧରିଲେ ବୋଲି କିଛି ଦଳୀୟ କର୍ମୀ ପ୍ରଚାର ଆରମ୍ଭ କଲେଣି।

ଏ ନେଇ ଗତ ରବିବାର ଦିନ ପିପିଲିସ୍ଥିତ ବିଜେଡି କାର୍ଯ୍ୟାଳୟରେ ଏକ କର୍ମୀ ସମ୍ମିଳନୀ ଆୟୋଜିତ ହୋଇଥିଲା। ଏଥିରେ ପିପିଲି ଓ ଡେଲାଙ୍ଗ ଅଂଚଳରୁ ଦଳର ଛାମୁଆ କର୍ମୀ ଓ କେତେକ ଜନପ୍ରତିନିଧି ଯୋଗ ଦେଇଥିଲେ। ଦିବଂଗତ ନେତା ପ୍ରଦୀପ ମହାରଥୀଙ୍କ ପରିବାରରୁ ଯିଏ ପ୍ରାର୍ଥୀ ହେବେ, ତାଙ୍କୁ ସମର୍ଥନ କରାଯାଇ ନିର୍ବାଚନ ଲଢ଼ାଯିବ ବୋଲି ଉକ୍ତ ବୈଠକରେ ଦଳୀୟ ନେତାମାନେ ନିଷ୍ପତ୍ତି ନେଇଥିଲେ। ମହାରଥୀଙ୍କ ବିୟୋଗକୁ ମାସେ ପୂରିଛି। ଇତି ମଧ୍ୟରେ ପ୍ରତିଭା ବୃକ୍ଷରୋପଣ ଠାରୁ ଆରମ୍ଭ କରି ବିଭିନ୍ନ ସାମାଜିକ କାର୍ଯ୍ୟରେ ଲଗାତର ଯୋଗ ଦେଉଥିବା ଦେଖିବାକୁ ମିଳୁଛି।

ନିୟମ ଅନୁଯାୟୀ ନିର୍ବାଚିତ ବିଧାୟକଙ୍କ ମୃତ୍ୟୁ ହେଲେ ୬ ମାସ ମଧ୍ୟରେ ଉପନିର୍ବାଚନ ହେବ। ଆପାତଃ ଆସନ୍ତା ୨୦୨୧ ଜାନୁଆରି କିମ୍ବା ଫେବ୍ରୁୟାରୀ ମାସରେ ଉପନିର୍ବାଚନ ହେବାର ଯଥେଷ୍ଟ ସମ୍ଭାବନା ରହିଛି। ତେବେ ପିପିଲିରେ ଉପନିର୍ବାଚନ ପାଇଁ ସାଧାରଣରେ ଅଙ୍କକଷା ଆରମ୍ଭ ହୋଇଯାଇଛି। ଶ୍ରୀ ମହାରଥୀ ପିପିଲିର ୭ ଥର ବିଧାୟକ ହୋଇଛନ୍ତି, ଦୁଇଥର ମନ୍ତ୍ରୀ ପଦ ମଧ୍ୟ ପାଇଛନ୍ତି। ତାଙ୍କ ଅନୁପସ୍ଥିତିରେ ପ୍ରତିଭା ପିପିଲିରେ ବିଜେଡି ମଙ୍ଗ ଧରିବେ ବୋଲି ଦଳୀୟ କର୍ମୀମାନେ ଏକପ୍ରକାର ନିଶ୍ଚିତ ଅଛନ୍ତି। କେତେକ କର୍ମୀ ମହାରଥୀଙ୍କ ପୁଅ ରୁଦ୍ରପ୍ରତାପଙ୍କ ପ୍ରାର୍ଥିତ୍ବକୁ ନେଇ ମଧ୍ୟ ଚର୍ଚ୍ଚା ମଧ୍ୟ କରୁଛନ୍ତି। ତେବେ, ପ୍ରକୃତରେ କାହା କାନ୍ଧରେ ପିପିଲିର ବିଜେଡି ନେତୃତ୍ବ ଭାର ରହିବ, ତାହା କିଛିଦିନ ମଧ୍ୟରେ ସ୍ପଷ୍ଟ ହୋଇଯିବ।

ସମ୍ବନ୍ଧିତ ଖବର