ଖଣ୍ଡଗିରି: ଗତ ଶନିବାର ବିଳମ୍ବିତ ରାତିରେ ଇନ୍ଫୋଭ୍ୟାଲି ଥାନା ଅନ୍ତର୍ଗତ ପିତାପଲ୍ଲୀ ଅଞ୍ଚଳରେ ଘଟିଥିବା ଗୁଳିକାଣ୍ଡ ମାମଲାର ମୁଖ୍ୟ ଅଭିଯୁକ୍ତ ଚନ୍ଦକା ପାଣିଓରା ଗ୍ରାମର ବାସୁଦେବ ପରିଡ଼ା ଓରଫ ଦୀପୁ(୨୮) ଗିରଫ ହୋଇଛି। ପୁଲିସ ତାକୁ ପଚରାଉଚରା କରିବା ସହିତ ଅନ୍ୟ ଅଭିଯୁକ୍ତଙ୍କୁ ଧରିବାକୁ ବିଭିନ୍ନ ସ୍ଥାନରେ ଚଢ଼ଉ ଆରମ୍ଭ କରିଛି। ଦୀପୁ ନିକଟରୁ ଆକ୍ରମଣ ସମୟରେ ବ୍ୟବହୃତ ଏକ ଖଣ୍ଡା ଓ ହୁଣ୍ଡାଇ କାର୍ ଜବତ ହୋଇଛି। ତେବେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଦୀପୁ ଯେଉଁ ବନ୍ଧୁକରୁ ଗୁଳି କରିଥିଲା, ତାକୁ ପୁଲିସ ଜବତ କରିପାରି ନାହିଁ। ଘଟଣା ପରେ ଦୀପୁ ବନ୍ଧୁକଟିକୁ କେଉଁଠାରେ ଫୋପାଡ଼ି ଦେଇଥିବା ସଫେଇ ଦେଇଛି। ସେହି ବନ୍ଧୁକକୁ ଖୋଜିବା ପାଇଁ ପୁଲିସ ଏବେ କସରତ ଆରମ୍ଭ କରିଛି। ତେବେ କୁଆଡ଼ୁ ଏହି ଚୋରା ବନ୍ଧୁକ ଆସୁଛି, ତା’ର ଚେରକୁ ଖୋଜିବା ଲାଗି ପୁଲିସ ଉଦ୍ୟମ ଆରମ୍ଭ କରିଛି।
ଘଟଣା ଅନୁଯାୟୀ, ପିତାପଲ୍ଲୀ ଅଞ୍ଚଳର ପ୍ରଶାନ୍ତ କୁମାର ସ୍ବାଇଁ ଓରଫ ଗେଣ୍ଡୁ ଶନିବାର ରାତି ପ୍ରାୟ ୧୨ଟା ସମୟରେ ଏକ ହୋଟେଲରୁ ଖାଇସାରି ଘରକୁ ଫେରୁଥିଲେ। ଏହି ସମୟରେ ଏକ ହୁଣ୍ଡାଇ କାର୍ରେ ଯାଉଥିବା ଦୀପୁ, ଦୀପୁର ଭାଇ ଲିପୁ ଓ ଅନ୍ୟ ସହଯୋଗୀମାନେ ଗେଣ୍ଡୁଙ୍କୁ ସାଇଡ୍ ମାରିଥିଲେ। ସେଦିନ ସନ୍ଧ୍ୟା ସମୟରେ ମଧ୍ୟ ପିତାପଲ୍ଲୀ ଅଣ୍ଡର୍ପାସ୍ ନିକଟରେଦୀପୁ ଓ ଗେଣ୍ଡୁଙ୍କ ମଧ୍ୟରେ ସାଇଡ୍ ମାରିବାକୁ ନେଇ ବଚସା ହୋଇଥିଲା। ତେବେ ଦ୍ବିତୀୟ ଥର ଏଭଳି ଘଟଣା ଘଟିବାରୁ ଗେଣ୍ଡୁ ରାସ୍ତାକଡ଼ରେ ଗାଡ଼ି ରଖି ପ୍ରତିବାଦ କରିଥିଲେ। ଦୀପୁ ତାଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେବାରୁ ଗେଣ୍ଡୁ ନିଜ ଭାଇ ପିଣ୍ଟୁଙ୍କୁ ଫୋନ୍ କରି ଡକାଇଥିଲେ।
ପିଣ୍ଟୁ ଘଟଣାସ୍ଥଳରେ ପହଞ୍ଚିବା ପରେ ଉଭୟ ପକ୍ଷଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଦୀପୁର ସହଯୋଗୀମାନେ ଗେଣ୍ଡୁଙ୍କୁ ଘେରିଯାଇ ମାଡ଼ ମାରିବା ଆରମ୍ଭ କରିଦେଇଥିଲେ। ଏହି ସମୟରେ ଗେଣ୍ଡୁଙ୍କୁ ହତ୍ୟା କରିବାକୁ ଦୀପୁ କାର୍ରେ ରଖିଥିବା ଏକ ଚୋରା ବନ୍ଧୁକରୁ ଫାୟାରିଂ କରିଥିଲା। ତେବେ ଫାୟାରିଂ କରିବା ସମୟରେ ଭାଇ ଗେଣ୍ଡୁଙ୍କୁ ବଞ୍ଚାଇବାକୁ ଯାଇ ପିଣ୍ଟୁ ଗୁଳିମାଡ଼ର ଶିକାର ହୋଇଥିଲେ। ତାଙ୍କ ଜଙ୍ଘରେ ଗୁଳି ବାଜିଥିଲା। ଏତିକିରେ ଦୀପୁର କ୍ରୋଧ ଶାନ୍ତ ହୋଇନଥିଲା। ସେ ଓ ତା’ର ସହଯୋଗୀମାନେ ବିଭିନ୍ନ ଧାରୁଆ ମାରଣାସ୍ତ୍ରରେ ମଧ୍ୟ ଆକ୍ରମଣ କରିଥିଲେ। ତେବେ ବାଟରେ ଯାଉଥିବା କିଛି ଟ୍ରକ୍ ଗୁଳି ଫୁଟିବାର ଶବ୍ଦ ଶୁଣି ଅଟକି ଯିବାରୁ ଦୀପୁ ଓ ତା’ର ସହଯୋଗୀମାନେ କାର୍ରେ ଫେରାର ହୋଇଯାଇଥିଲେ। ପିଣ୍ଟୁଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଥିଲା। ଏନେଇ ଅହୋଇଥିବା ଅଭିଯୋଗ ଭିତ୍ତିରେ ପୁଲିସ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା। ଆଜି ଭୋର୍ ସମୟରେ ତାକୁ ଗିରଫ କରାଯାଇଥିଲା ବେଳେ ତା’ର ଅନ୍ୟ ସହଯୋଗୀମାନଙ୍କୁ ଧରିବାକୁ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ କରୁଛି। ସେହିପରି ଗତ ମାର୍ଚ୍ଚ ମାସ ୯ତାରିଖ ଦିନ ଚନ୍ଦକା ଥାନା ଅନ୍ତର୍ଗତ ମଳିପଡ଼ା ଅଞ୍ଚଳରେ ଗୁଳିକାଣ୍ଡ ଘଟିଥିଲା। ଏଥିରେ ଚନ୍ଦକା ଥାନା ପୁଲିସ ତିନିଜଣଙ୍କୁ ଗିରଫ କରିଥିଲା। ପୁଣି ଅନୁରୂପ ଏକ ଘଟଣା ନିଶ୍ଚିତ ରୂପେ ଚନ୍ଦକା ଅଞ୍ଚଳରେ ଚୋରା ବନ୍ଧୁକ କାରବାର ହେଉଥିବା ସ୍ପଷ୍ଟ କରିଛି।