‘ପିଠା’ କାର୍ଯ୍ୟକ୍ରମରେ ଅଣ୍ଟିଲାନି ‘ପିଠା’

ବାଲିପାଟଣା: ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ସ˚ପର୍କରେ ଲୋକଙ୍କୁ ସଚେତନ କରାଇବା ପାଇଁ ହୋଇଥିବା ‘ପିଠା’ ଯୋଜନା ଆଜି ବାଲିପାଟଣା ବ୍ଲକ୍‌ର ୩ଟି ପଞ୍ଚାୟତରେ ଶୁଭାରମ୍ଭ ହୋଇଛି। ଗାରେଡ଼ିପାଞ୍ଚଣ, ଦେଉଳିଧରପୁର ଓ ଭାକରସାହି ପଞ୍ଚାୟତରେ ଆଜି ଏହି କର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ ୮ଟି ଷ୍ଟଲ୍‌ କରାଯାଇ ଲୋକଙ୍କୁ ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସ˚ପର୍କରେ ସଚେତନ କରାଯାଇଥିଲା। କାର୍ଯ୍ୟକ୍ରମରେ ମିସନ ଶକ୍ତି ପକ୍ଷରୁ ହୋଇଥିବା ‘ପିଠା ଷ୍ଟଲ’ ଆକର୍ଷଣର କେନ୍ଦ୍ରବିନ୍ଦୁ ଥିଲା। ଗାରେଡ଼ିପାଞ୍ଚଣ ପଞ୍ଚାୟତର ସ୍ବୟ˚ ସହାୟିକା ଗୋଷ୍ଠୀର ମହିଳାମାନେ ଆଣିଥିବା ହାତ ତିଆରି ପିଠା କିଣିବାକୁ ଲୋକଙ୍କ ମଧୢରେ ନାହିଁ ନଥିବା ଆଗ୍ରହ ଦେଖାଯାଇଥିଲା। ପରିସ୍ଥିତି ଏଭଳି ହୋଇଥିଲା ଯେ ହାତ ତିଆରି ‘ପିଠା’ ବି ଷ୍ଟଲରୁ ସରି ଯାଇଥିଲା। ମହିଳାମାନେ ଆରିସା, କାକରା, ଶଙ୍ଖ, ଚକୁଳି, ଚିତଉ, ପୋଡ଼, ମଣ୍ତା, ଗଜ ମଣ୍ତା ଆଦି ବିକ୍ରି କରିଥିଲେ। ଆଜିର କାର୍ଯ୍ୟକ୍ରମରେ ମଧୁବାବୁ ପେନ୍‌ସନ୍‌ ଯୋଜନା, ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା, ମିସନ ଶକ୍ତି, ବାର୍ଦ୍ଧକ୍ୟ ଭତ୍ତା, ନିର୍ମାଣ ଶ୍ରମିକ ସହାୟତ ଯୋଜନା, ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା, ଗ୍ରାମୀଣ ବିଦ୍ୟୁତକରଣ ଯୋଜନା ଓ ବିଜୁ ପକ୍କାଘର ଯୋଜନା ଉପରେ ଲୋକଙ୍କୁ ସଚେତନ କରାଯାଇଥିଲା। କାର୍ଯ୍ୟକ୍ରମରେ ସରକାରୀ ଅଫିସର, ସରପଞ୍ଚ, ସମିତି ସଭ୍ୟ, ଵାର୍ଡସଭ୍ୟଙ୍କ ସମେତ ଶହଶହ ଜନସାଧାରଣ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର