ଭୁବନେଶ୍ୱର: ରାଜଧାନୀ ଉପକଣ୍ଠ ଜାମୁଝରୀଠାରେ ୧୮ରୁ ୨୧ ବର୍ଷର କିଶୋର ଅପରାଧୀଙ୍କ ପାଇଁ ନିର୍ମାଣ ହେବ ସୁରକ୍ଷା ଗୃହ (ପ୍ଲେସ୍ ଅଫ୍ ସେଫ୍ଟି ହୋମ୍)। ସେମାନଙ୍କ ମାନସିକତାରେ ପରିବର୍ତ୍ତନ ଆଣିବା ସହ ସମାଜର ମୁଖ୍ୟ ସ୍ରୋତରେ ସାମିଲ୍ କରିବାକୁ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ସେଠାରେ ଏଭଳି ବାତାବରଣ ସୃଷ୍ଟି କରାଯିବ ଯେ, ଯେଭଳି କିଶୋର ଅପରାଧୀମାନେ ନିଜକୁ ପରିବର୍ତ୍ତନ କରି ପାରିବା ସହ ଅପରାଧଠାରୁ ଦୂରେଇ ରହିବେ। ପାଠ ପଢ଼ାଠାରୁ ଆରମ୍ଭ କରି ଖେଳକୁଦ ସମସ୍ତ ଦିଗ ପ୍ରତି ଗୁରୁତ୍ବ ଦିଆଯିବ। ଏଥିପାଇଁ ଆଜି ମହିଳା ଓ ଶିଶୁ କଲ୍ୟାଣ ବିଭାଗର ଅଧିକାରୀମାନେ ଚନ୍ଦକା ମେଣ୍ଢାଶାଳ ସ୍ଥିତ ଜାମୁଝରୀ ମୁକ୍ତାକାଶ ଜେଲ୍ ଯାଇ ଜମି ଚିହ୍ନଟ କରିଛନ୍ତି। ଶହେ ଏକରରୁ ଊର୍ଧ୍ବ ବିଶିଷ୍ଠ ଏହି ମୁକ୍ତାକାଶ ଜେଲ୍ ପରିସରରୁ ପାଖାପାଖି ୨ ଏକର ଜମି ପ୍ରଦାନ କରିବା ପାଇଁ ଜେଲ୍ କର୍ତୃପକ୍ଷ ରାଜି ହୋଇଥିବା ଜଣାପଡ଼ିଛି। ପ୍ରଥମ ଥର ପାଇଁ ୨ ଏକର ବିଶିଷ୍ଟ ଜମିରେ ନିର୍ମାଣ ହେବ ଏହି ଗୃହ। ନାବାଳକରୁ ସାବାଳକ ହୋଇଥିବା ସମୁଦାୟ ୧୦୦ ଅପରାଧୀଙ୍କ ରହିବା ସହ ସମସ୍ତ ପ୍ରକାର ବ୍ୟବସ୍ଥା ରହିବ। ଯେଉଁଥିରେ ସୁଲଭ ଶୌଚାଳୟ, ପାଠାଗାର, ମେଡିକାଲ, ପଢିବା ଘର, ଜିମ୍, ଖେଳପଡ଼ିଆ ଓ ଅନ୍ୟାନ୍ୟ ଟ୍ରେନିଂର ସୁବିଧା ରହିବ।
ପୂର୍ବରୁ ନୟାଗଡ଼ର ଦଶପଲ୍ଲା ଜେଲରେ ୧୮ରୁ ୨୧ ବର୍ଷର ଅପରାଧୀଙ୍କ ପାଇଁ ଏହି ସୁରକ୍ଷା ଗୃହ ନିର୍ମାଣ କରିବାକୁ ଯୋଜନା ହୋଇଥିଲା। ହେଲେ ଜେଲ୍ ପରିବେଶ ଏଭଳି ଅପରାଧୀଙ୍କୁ ପ୍ରଭାବିତ କରିବା ଆଶଙ୍କା ଥିବାରୁ ଜାମୁଝରୀକୁ ଚୂଡ଼ାନ୍ତ କରାଯାଇଛି। ବାଳ ଅପରାଧ ଆଇନ୍-୨୦୧୫ ମୁତାବକ ଯେଉଁମାନେ ୧୮ବର୍ଷ ଅତିକ୍ରମ କରିବେ ସେମାନେ ଆଉ ନାବାଳକ ଅପରାଧୀଙ୍କ ସହ ବା ବାଳସୁଧାର ଗୃହରେ ରହିପାରିବେ ନାହିଁ। ହେଲେ ୧୮ ବର୍ଷ ପରେ ଯେଉଁମାନଙ୍କୁ କାରାଗାରକୁ ପଠାଇ ଦିଆଯିବ ସେମାନେ ସେଠାରେ ସେଭଳି ପରିବେଶ ପାଇପାରିବେ ନାହିଁ। ସେଠାରେ ଛୋଟବଡ଼ ଅପରାଧୀଙ୍କଠାରୁ ଆରମ୍ଭ କରି ପେସାଦାର ଓ ଦୁର୍ଦ୍ଦାନ୍ତ ଅପରାଧୀ ରହୁଥିବାରୁ ଏହି କିଶୋର ଅପରାଧୀଙ୍କ ଉପରେ ଖରାପ ପ୍ରଭାବ ପଡ଼ିବାର ଆଶଙ୍କା ରହୁଛି। ତେଣୁ ଏସବୁକୁ ଦୃଷ୍ଟିରେ ରଖି ୧୮ ବର୍ଷରୁ ୨୧ ବର୍ଷ କିଶୋର ଅପରାଧୀଙ୍କୁ ଏହି ସୁରକ୍ଷା ଗୃହରେ ରଖିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଯେଉଁ ନାବାଳକ ଅପରାଧୀମାନେ ଜଘନ୍ୟ ଅପରାଧ ଘଟାଉଛନ୍ତି, ସେମାନଙ୍କ କ୍ଷେତ୍ରରେ ଘଟଣାର ବିଚାର ଓ ତଦନ୍ତ ପ୍ରକ୍ରିୟାରେ ସମୟ ଲାଗୁଛି। ଯଦି ଏହି ସମୟ ଭିତରେ ୧୮ ବର୍ଷ ଅତିକ୍ରମ କରିଯାଉଛି, ସେମାନଙ୍କୁ ଜେଲ୍ କାରାଗାରକୁ ନ ପଠାଇ ସୁରକ୍ଷା ଗୃହକୁ ପଠାଯିବ। ସେଠାରେ ସେମାନେ ୨୧ ବର୍ଷ ବୟସ ହେବା ପର୍ଯ୍ୟନ୍ତ ରହିପାରିବେ। ଯଦି ଘଟଣାର ବିଚାର ୨୧ ବର୍ଷ ମଧ୍ୟରେ ଶେଷ ନ ହୁଏ ବା ସେମାନଙ୍କ ବ୍ୟବହାରରେ ପରିବର୍ତ୍ତନ ନ ଆସେ ତେବେ ସେମାନଙ୍କୁ କୋର୍ଟରେ ହାଜର ସାଧାରଣ କାରାଗାରକୁ ପଠାଇ ଦିଆଯିବ।
ଏ ନେଇ ଜେଲ୍ ଡିଜି ସତ୍ୟଜିତ ମହାନ୍ତି କହିଛନ୍ତି, ପ୍ଲେସ୍ ଅଫ୍ ସେଫ୍ଟି ହୋମ୍ରେ ଜେଲ ପରିବେଶ ରହିବ ନାହିଁ। ପିଲାମାନଙ୍କ ମାନସିକତାରେ ପରିବର୍ତ୍ତନ ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଉଛି। ବିଶେଷକରି ସେମାନଙ୍କ ପାଠପଢ଼ା ଉପରେ ଗୁରୁତ୍ବ ଦିଆଯାଇଛି। ପଢ଼ାପଢ଼ିରେ ଯେଭଳି ବ୍ୟାଘାତ ସୃ୍ଷ୍ଟି ନ ହେବ, ସେମାନେ ମୁଖ୍ୟ ସ୍ରୋତକୁ ଫେରିବେ ସେ ଦିଗରେ ଯଥେଷ୍ଟ ଧ୍ୟାନ ଦିଆଯିବ। ସେହିପରି ସେମାନଙ୍କ ସ୍ବାସ୍ଥ୍ୟ ଏବଂ କାଉନ୍ସେଲିଂ ପାଇଁ ମଧ୍ୟ ଗୁରୁତ୍ବ ଦିଆଯାଇଛି।