ପ୍ଲାନ୍ ଅନୁ‌‌ମୋଦନ କ୍ଷମତା ଇଞ୍ଜିନିୟର, ଆର୍କିଟେକ୍ଟଙ୍କୁ ମିଳିବ

ଲୋକଙ୍କୁ ଆଉ ବିଡିଏ କି ବିଏମ୍‌ସିରେ ଆବେଦନ କରିବାକୁ ପଡ଼ିବନି, ଏବେ ଟିପି ସ୍କିମ୍, ଜମି ଲେ-ଆଉଟ୍‌ ପ୍ଲାନ୍ ଅନୁମୋଦିତ ଜମିରେ ଲାଗୁ ହେବ

ଭୁବନେଶ୍ବର : ରାଜଧାନୀରେ ଘର କରିବାକୁ ଚାହୁଁଥିବା ଲୋକଙ୍କୁ ଆଉ ପ୍ଲାନ୍‌ ଅନୁମୋଦନ କରିବା ପାଇଁ ବିଡିଏ କି ବିଏମ୍‌ସିରେ ଆବେଦନ କରିବାକୁ ପଡ଼ିବନି। ଯେଉଁ ଆର୍କିଟେକ୍ଟ/ଇଞ୍ଜିନିୟର ପାଖରେ ଘରର ପ୍ଲାନ୍ ପ୍ରସ୍ତୁତ କରିବେ ସେ ହିଁ ତାଙ୍କର ପ୍ଲାନ୍ ଅନୁମୋଦନ କରିଦେବେ। ପ୍ଲାନ୍ ଆବେଦନ ଫାଇଲ୍ ବିଡିଏ/ବିଏମ୍‌ସିକୁ ଆସିବନି କି ମାସ ମାସ ଧରି ଅପେକ୍ଷା କରିବାକୁ ପଡ଼ିବନି। ପ୍ଲାନ୍ ପ୍ରସ୍ତୁତ ହେବ ତ ତୁରନ୍ତ ମିଳିବ। କିନ୍ତୁ ସର୍ତ୍ତ ହେଲା, ପ୍ଲାନ୍ ଅନୁମୋଦନ କରିବା ପାଇଁ ସଂପୃକ୍ତ ଆର୍କିଟେକ୍ଟ/ଇଞ୍ଜିନିୟରଙ୍କୁ ବିଡିଏଠାରୁ ଆର୍କିଡେସନ୍ ନେବାକୁ ପଡ଼ିବ।

ଇଜ୍ ଅଫ୍ ଡୁଇଙ୍ଗ୍ ବିଜିନେସ୍‌କୁ ଅଧିକ ଲୋକାଭିମୁଖୀ କରିବା ଏବଂ ମାନବସମ୍ବଳ ଅଭାବ ଯୋଗୁଁ ପ୍ଲାନ୍ ଅନୁମୋଦନରେ ହେଉଥିବା ବିଳମ୍ବ ଭଳି ସମସ୍ୟାକୁ ଏଡ଼ାଇବା ପାଇଁ ବିଡିଏ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଉଛି। ଘର ପ୍ଲାନ୍ ଅନୁମୋଦନ କରିବାକୁ ଥିବା ଆର୍କିଟେକ୍ଟ/ଇଞ୍ଜିନିୟରଙ୍କୁ ୫ହଜାର ଟଙ୍କା ଲେଖାଏଁ ଦେଇ ବିଡିଏରେ ଆର୍କିଡେସନ୍ କରିବାକୁ କୁହାଯାଇଛି। ଏହି ଆର୍କିଡେସନ୍ ପାଇବା ପାଇଁ ସଂପୃକ୍ତ ବ୍ୟକ୍ତିଙ୍କର ଏନେଇ ଆବଶ୍ୟକୀୟ ସାର୍ଟିଫିକେଟ୍ ଏବଂ ୫ ବର୍ଷର ଅଭିଜ୍ଞତା ଦେଖାଇବାକୁ ପଡ଼ିବ।

ବିଡିଏର ପ୍ଲାନିଂ ମେମ୍ବର ଗୌରୀଶଙ୍କର ଭୂୟାଁ କହିଛନ୍ତି ଯେ ଲୋକ ଯେପରି ସହଜରେ ଘର କରିପାରିବେ ଏବଂ ପ୍ଲାନ୍ ପ୍ରସ୍ତୁତ ହେବା କ୍ଷଣି ଘର କରିପାରିବେ, ଋଣ ପାଇଁ ବ୍ୟାଙ୍କରେ ତୁରନ୍ତ ଆବେଦନ କରିପାରି‌ବେ, ତାହାକୁ ନଜରରେ ରଖି ଆମେ କିଛି ବିଶେଷଜ୍ଞଙ୍କୁ ଆର୍କିଡେସନ୍ ଦେବାକୁ ନିଷ୍ପତ୍ତି ନେଇଛୁ। ଏଥିପାଇଁ ଆର୍କି‌‌ଟେକ୍ଟ/ଇଞ୍ଜିନିୟରମାନଙ୍କୁ ୫ହଜାର ଟଙ୍କା ଫି’ ସହ ବିଡିଏରେ ଆବେଦନ କରିବାକୁ କୁହାଯାଇଛି। ୫ବର୍ଷରୁ ଅଧିକ ଅଭିଜ୍ଞ ବ୍ୟକ୍ତିମାନେ ଆର୍କିଡେସନ୍ ପାଇପାରିବେ। ଯିଏ ଆର୍କିଡେସନ୍‌ ନ ନେବେ, ସେମାନେ ବି ଘରର ପ୍ଲାନ୍ ପ୍ରସ୍ତୁତ କରିପାରିବେ। କିନ୍ତୁ ପ୍ଲାନ୍ ଅନୁମୋଦନ କରିପାରିବେନି। ସେମାନେ ପ୍ଲାନ୍ ପ୍ରସ୍ତୁତ କଲେ ବିଡିଏ/ବିଏମ୍‌ସିରେ ଆବେଦନ କରିବାକୁ ପଡ଼ିବ।

ଏହି ବ୍ୟବସ୍ଥା କେବଳ ଲୋ-ରିସ୍କ ବିଲଡିଂ କ୍ଷେତ୍ରରେ ଲାଗୁ ହେବ। ଅର୍ଥାତ୍ ୧୦ମିଟର ଉଚ୍ଚତା ପର୍ଯ୍ୟନ୍ତ ଘର ପାଇଁ ଏହା ଲାଗୁ ହେବ। ଏହାସହ ଯେଉଁ ଜମି‌ ବିଡିଏ ଲେ-ଆଉଟ୍ ପ୍ଲାନ୍ ଅନୁମୋଦିତ ହୋଇଥିବ ବା ଟିପି ସ୍କିମ୍‌ରେ ସାମିଲ୍‌ ହୋଇଥିବ, ସେଠାରେ ଏହିଭଳି ପ୍ଲାନ୍ ଦେଇହେବ। ଏହାବାଦ୍ ଯେଉଁଠି ୟେଲୋ ଜୋନ୍ ଥିବ ଏବଂ ୨୦ ମିଟର ରାସ୍ତା ଥିବ ତାହାକୁ ବିଡିଏ/ବିଏମ୍‌ସିରେ ରେଗୁଲାରାଇଜ୍ କରିବା ପରେ ହିଁ ଆର୍କିଟେକ୍ଟ/ଇଞ୍ଜିନିୟରଙ୍କଠାରୁ ପ୍ଲାନ୍ ଅନୁମୋଦନ କରିହେବ। ବାକି ଅଞ୍ଚଳର ଲୋକ ଏବେ ଯେପରି ଆବେଦନ କୁରଛନ୍ତି, ସେହିପରି ଆବେଦନ କରିବେ।

ଅପରପକ୍ଷେ ପ୍ଲାନ୍ ଅନୁମୋଦନ ବାବଦକୁ ଆମେ ଏବେ ଲୋକଙ୍କଠାରୁ ଯେଉଁ ଟଙ୍କା ନେଉଛୁ, ତାହା ଆର୍କିଟେକ୍ଟ/ଇଞ୍ଜିନିୟରଙ୍କ ମାଧ୍ୟମରେ ନେବୁ। ସେମାନେ ବିଡିଏ ଆକାଉଣ୍ଟରେ ଜମା କରିବେ। ଏହି ବ୍ୟବସ୍ଥାରେ ଯେପରି କୌଣସି ସମସ୍ୟା ନ ରହେ, ସେଥିପାଇଁ ନିୟମିତ ବ୍ୟବଧାନରେ ବିଡିଏ/ବିଏମ୍‌ସି ପକ୍ଷରୁ ପ୍ଲାନ୍ ଅନୁମୋଦନ କରୁଥିବା ବ୍ୟକ୍ତି ଓ ସଂସ୍ଥାର ରେକର୍ଡ ଯାଞ୍ଚ ହେବ। ଅଧିକରୁ ଅଧିକ ଲୋକ ଯେପରି ଆର୍କିଡେସନ୍‌ ପାଇବେ, ସେଥିପାଇଁ ନିୟମିତ ବ୍ୟବଧାନରେ ଆର୍କିଡେସନ୍ ଦିଆଯିବ ବୋଲି ଶ୍ରୀ ଭୂୟାଁ କହିଛନ୍ତି।

ଆର୍କିଡେସନ୍ ନିୟମକୁ କାଉନସିଲ୍ ଅଫ୍ ଆର୍କିଟେକ୍‌ଚର୍‌ର ବିରୋଧ : ଜବାବ୍ ମାଗିଲେ ମୁଖ୍ୟ ଶାସନ ସଚିବ 

ପ୍ଲାନ୍ ଅନୁମୋଦନ କ୍ଷମତା ଦେବାକୁ ଆର୍କିଡେସନ୍ ପାଇଁ ଆର୍କିଟେକ୍ଟମାନଙ୍କୁ ୫ ହଜାର ଟଙ୍କା ଦେଇ ବିଡିଏରେ ଆବେଦନ କରିବାକୁ କୁହାଯାଇଛି। କିନ୍ତୁ ଏହାକୁ କାଉନସିଲ୍‌ ଅଫ୍‌ ଆର୍କିଟେକ୍‌ଚର ବିରୋଧ କରିଛି। କାଉନସିଲ୍‌ ଅଫ୍‌ ଆର୍କିଟେକ୍‌ଚର ଏନେଇ ରାଜ୍ୟପାଳଙ୍କ ନିକଟରେ ଅଭିଯୋଗ କରିବା ପରେ ରାଜ୍ୟପାଳ ମୁଖ୍ୟ ଶାସନ ସଚିବଙ୍କୁ ପଦକ୍ଷେପ ନେବାକୁ କହିଛନ୍ତି। ଏହାପରେ ମୁଖ୍ୟ ଶାସନ ସଚିବ ବିଡିଏ ଉପାଧ୍ୟକ୍ଷ ପ୍ରେମଚନ୍ଦ୍ର ଚୌଧୁରୀଙ୍କୁ ‌ଏନେଇ ଜବାବ୍‌ ମାଗିଛନ୍ତି।

କାଉନସିଲ୍‌ ଅଫ୍‌ ଆର୍କିଟେକ୍‌ଚର୍‌ର ଯୁକ୍ତି, ମାନବ ସମ୍ବଳ ମନ୍ତ୍ରଣାଳୟ ୧୯.୦୨.୧୯୮୨ରେ କରିଥିବା ଚିଠି ନମ୍ବର ୧୭-୯/୮୧-ଟି.୩, ୧୩.୦୬.୧୯୮୪ରେ କରିଥିବା ଚିଠି ନମ୍ବର ୧୭-୦୧/୮୩ ଟି.୧୩ ଏବଂ ୧୯.୧୨.୨୦୦୨ରେ କରିଥିବା ଚିଠି ନମ୍ବର ଏଫ୍‌-୧୭-୬-୨୦୦୨-ଟିଏସ୍.ଆଇଭିରେ ସମସ୍ତ ରାଜ୍ୟର ମୁଖ୍ୟ ଶାସନ ସଚିବମାନଙ୍କୁ ନିର୍ଦ୍ଦେଶ ଦେଇଛି ଯେ କାଉନସିଲ୍‌ ଅଫ୍ ଆର୍କିଟେକଚର୍‌ରେ ପଞ୍ଜୀକୃତ ହୋଇଥିବା ଆର୍କିଟେକ୍ଟମାନଙ୍କୁ ମହାନଗର ନିଗମ, ମ୍ୟୁନିସିପାଲିଟିଗୁଡ଼ିକ ସେମାନଙ୍କ ଅଧୀନରେ ପଞ୍ଜୀକୃତ ହେବାକୁ ବାଧ୍ୟ କରିପାରିବେନି। କିନ୍ତୁ ଏବେ ବିଡିଏ କର୍ତ୍ତୃପକ୍ଷ ବେଆଇନ ଭାବେ ଆର୍କିଟେକ୍ଟମାନଙ୍କୁ ଆର୍କିଡେସନ୍ ଦେବାକୁ ଆବେଦନ କରିବାକୁ ବାଧ୍ୟ କରୁଛନ୍ତି।

ଏନେଇ ବିଡିଏ କର୍ତ୍ତୃପକ୍ଷ କହିଛନ୍ତି ଯେ ଆମେ ଯେଉଁମାନଙ୍କୁ ପ୍ଲାନ୍ ଅନୁମୋଦନ କରିବାର କ୍ଷମତା ଦେବୁ, ସେମାନେ ଆମ ନିକଟରେ ଉତ୍ତରଦାୟୀ ହେବେ। ଆମେ ବି ଜାଣିବା ଦରକାର ‌କିଏ ପ୍ଲାନ୍ ଅନୁମୋଦନ କରୁଛନ୍ତି ଓ କରିପାରିବେ। ତେଣୁ ଏହି ନୂଆ ନିୟମ କରାଯାଇଛି। ଓଡ଼ିଶା ଡେଭଲପମେଣ୍ଟ ଅଥରିଟିଜ୍ (କମନ୍ ଆପ୍ଲିକେସନ୍ ଫର୍ମ) ନିୟମ ୨୦୧୬ ଅନୁଯାୟୀ ଏହି ଆର୍କିଡେସନ୍ ଦେବାକୁ ନିଷ୍ପତ୍ତି ହୋଇଛି। ଏହି ନିୟମରେ ଯାହା ଗାଇଡଲାଇନ୍‌ ଅଛି, ତାହାକୁ ଆମେ ଲାଗୁ କରୁଛୁ। ଏନେଇ ଗେଜେଟ୍ ନୋଟିଫିକେସନ୍ ବି ୨୦୧୬ରୁ ହୋଇଛି। ଏନେଇ ଆମେ ଖୁବ୍ ଶୀଘ୍ର ମୁଖ୍ୟ ଶାସନ ସଚିବଙ୍କୁ ଅବଗତ କରିବୁ।

ସମ୍ବନ୍ଧିତ ଖବର